ତୋଷାଖାନା ମାମଲାରେ ଇମ୍ରାନଙ୍କୁ ତିନି ବର୍ଷ ଜେଲ୍


ପ୍ରସାଦ ରାଓ
୦୫ ଅଗଷ୍ଟ
ପ୍ରଧାନମନ୍ତ୍ରୀ ଥିବା ସମୟରେ ବିଦେଶରୁ ମିଳିଥିବା ମୂଲ୍ୟବାନ ଉପହାର ସବୁ କମ୍ ମୂଲ୍ୟରେ କିଣି ବେଆଇନ ଭାବେ ଅଧିକ ମୂଲ୍ୟରେ ବିକ୍ରି କରିଥିବା (ତୋଷାଖାନା) ମାମଲାରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଜି ଇସଲାମାବାଦର ଏକ ଅଦାଲତ ଦୋଷୀ ସାବ୍ୟସ୍ତ କରିଛି । ଲାହୋରରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ତୋଷାଖାନା ମାମଲାରେ ଅଦାଲତ ତାଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ଅଗାମୀ ପାଂଚ ବର୍ଷ ପାଇଁ ସେ ସକ୍ରୀୟ ରାଜନୀତିରେ ଭାଗ ନେଇ ପାରିବେ ନାହିଁ ବୋଲି ରାୟ ଦେଇଛନ୍ତି । କିମ୍ବଦନ୍ତୀ କ୍ରିକେଟରୁ ରାଜନୀତିକୁ ଆସି ଅତ୍ୟନ୍ତ ଜନପ୍ରିୟ ରାଜନେତାରେ ପରିଣତ ହୋଇଥିବା ୭୦ ବର୍ଷ ବୟସ୍କ ଇମ୍ରାନ ଖାନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଥିବା ସମୟରେ ବିଭିନ୍ନ ବିଦେଶୀ ଅତିଥିଙ୍କ ଠାରୁ ବହୁ ମୂଲ୍ୟବାନ ଉପହାରମାନ ପାଇଥିଲେ । ରାଜ ପରିବାର ଦେଇଥିବା ଅତ୍ୟନ୍ତ ମୂଲ୍ୟବାନ ଘଂଟା ମଧ୍ୟ ସେଥିରେ ରହିଛି । ଇମ୍ରାନ ସେସବୁ ମୂଲ୍ୟବାନ ଉପହାରକୁ ନିଜ କର୍ମଚାରୀଙ୍କ ସହାୟତାରେ ଦୁବାଇରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । କୋର୍ଟରେ ଏହି ମାମଲାର ବିଚାରଣା ଚାଲିଥିଲା । ଇସଲାମାବାଦ ଜିଲ୍ଲା ଓ ସେସନ୍ସ କୋର୍ଟ ବିଚାରପତି ହୁମାୟୁନ ଦିଲେୱାର ଏନେଇ ହୋଇଥିବା ମାମଲାର ବିଚାର କରି ଆଜି ରାୟ ଦେଇଛନ୍ତି । ତୋଷାଖାନା ମାମଲାରେ ବିଚାରପତି ଇମ୍ରାନଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ପାଂଚ ବର୍ଷ ପାଇଁ ସେ ସକ୍ରୀୟ ରାଜନୀତିରେ ଭାଗ ନେଇ ପାରିବେ ନାହିଁ ବୋଲି ରାୟ ଦେଇଥିବା ତାଙ୍କ ସହଯୋଗୀମାନଙ୍କୁ ବିସ୍ମିତ କରିଛି । ତେବେ, ସେ କୌଣସି ବେଆଇନ କାର୍ଯ୍ୟ କରି ନାହାନ୍ତି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଡି ରହିଥିବା ବେଳେ ଇସଲାମାବାଦ ଜିଲ୍ଲା ଓ ସେସନ୍ସ କୋର୍ଟ ବିଚାରପତିଙ୍କ ରାୟକୁ ନେଇ ଉପର କୋର୍ଟରେ ଅପିଲ କରାଯିବ ବୋଲି ତାଙ୍କ ଓକିଲ କହିଛନ୍ତି । ଇମ୍ରାନ ଖାନ ପିଟିଆ ନାମକ ଏକ ରାଜନୈତିକ ଦଳ ଗଠନ କରି ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ହୋଇଥିଲେ । ତାଙ୍କ ବିଜୟ ପଛରେ ପାକିସ୍ତାନ ସେନାର ଭିତିରି ସମର୍ଥନ ଥିଲା ବୋଲି ସେତେବେଳେ ଆଲୋଚନା ହେଉଥିଲା । ତେବେ, ସମୟକ୍ରମେ ସେନା ମୁଖ୍ୟଙ୍କ ସହ ତାଙ୍କ ସଂପର୍କ ତୀକ୍ତ ହୋଇଥିଲା ଏବଂ ବିରୋଧୀ ଦଳମାନେ ଏହାର ସୁଯୋଗ ନେଇ ପାକିସ୍ତନରେ ସାଧାରଣ ନିର୍ବାଚନ କରାଯିବାକୁ ଦାବି କରି ମିଳିତ ଭାବେ ଏକ ବଡ ଧରଣ ଆନ୍ଦୋଳନର ସୂତ୍ରପାତ କରିଥିଲେ । ସଂସଦରେ ବିରୋଧୀ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଅନାସ୍ଥା ଭୋଟରେ ଇମ୍ରାନ ହାରି ଯିବାରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ଯେଉଁ ସେନା ସହାୟତାରେ ଇମ୍ରାନ ପାକିସ୍ତାନ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ଯେଉଁ ସେନାଧ୍ୟକ୍ଷଙ୍କ କାର୍ଯ୍ୟାକାଳ ବଢାଇ ସେ ବିରୋଧୀଙ୍କ ଦ୍ୱାରା ସମାଲୋଚିତ ହୋଇଥିଲେ ସେହି ସେନାଧ୍ୟକ୍ଷ ହିଁ ତାଙ୍କ କ୍ଷମତାଚ୍ୟୁତ କରିବାରେ ପ୍ରମୁଖ ଭୂମିକା ନେଇଥିଲେ । ଇମ୍ରାନ ତାଙ୍କ କାର୍ଯ୍ୟକାଳ ସଂପୂର୍ଣ୍ଣ କରିବା ପୂର୍ବରୁ ଗତ ବର୍ଷ ଅନାସ୍ଥା ଭୋଟରେ ହାରି କ୍ଷମତାଚ୍ୟୁତ ହୋଇଥିଲା । କ୍ଷମତାରୁ ହଟିବା ପରେ ଇମ୍ରାନ ଗତ ମେ’ ମାସରେ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇ ବେଶ୍ ରାଜନୈତିକ ହଟ୍ଟଚମଟ ସୃଷ୍ଟି କରିଥିଲେ । ଏହି ଗିରଫଦାରୀ ବିରୋଧରେ ତାଙ୍କ ଦଳ ପିଟିଆଇ ପକ୍ଷରୁ ଦେଶବ୍ୟାପୀ ଘୋର ପ୍ରତିବାଦ କରାଯାଇଥିଲା ଏବଂ ପାକିସ୍ତାନରେ ହିଂସାର ବାତାବରଣ ଦେଖିବାକୁ ମିଳି ଥିଲା । ଆଜି ତାଙ୍କୁ ତୋଷାଖାନା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ଗିରଫ କରାଯାଇଥିବାରୁ ପାକିସ୍ତାନ ପରିସ୍ଥିତି ପୁଣି ଥରେ ହିଂସାତ୍ମକ ହେବାର ଆଶଙ୍କା ରହିଛି । ଚଳିତ ସଂସଦର କାର୍ଯ୍ୟକାଳ ଆଉ ଦୁଇ ସପ୍ତାହ ପରେ ସରିବାକୁ ଥିବାରୁ ଆସନ୍ତା ନଭେମ୍ବର ମଧ୍ୟଭାଗ ବା ତା’ ପୂର୍ବରୁ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବା ସମ୍ଭାବନା ରହିଛି । ଠିକ୍ ଏହି ସମୟରେ ଆଜି ତୋଷାଖାନା ମାମଲାର ରାୟ ଆସିବା, ଇମ୍ରାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ତିନି ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯିବା ଏବଂ ଆଗାମୀ ପାଂଚ ବର୍ଷ ପର୍ଯ୍ୟନ୍ତ ସେ ସକ୍ରୀୟ ରାଜନୀତିରେ ସାମିଲ ହୋଇପାରିବେ ନାହିଁ ବୋଲି କୋର୍ଟ ରାୟ ଦେବା ଆଗକୁ ପାକିସ୍ତାନ ରାଜନୀତିକୁ ଅଧିକ ସରଗରମ କରିବ ବୋଲି ଆଲୋଚନା ହେଉଛି । ତେବେ, ଇମ୍ରାନ ନିଜ ସମର୍ଥକଙ୍କୁ ହିଂସାରୁ ଦୂରେଇ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଦେଇଥିବା ସୂଚନା ମିଳିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS