ନବୀନଙ୍କୁ ନେଇ କେବଳ ଓଡ଼ିଶା ଜନତା ନୁହଁନ୍ତି ରାଜ୍ୟ ବିଜେପି ମଧ୍ୟ ଭ୍ରମରେ ପଡିଛି ?


ପ୍ରସାଦ ରାଓ
ଭୁବନେଶ୍ୱର
୦୬ ଅଗଷ୍ଟ
କିଛି ମାସ ପରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ସାଧାରଣ ର୍ନିର୍ବାଚନ ସହ ୨୦୨୪ରେ ଓଡ଼ିଶା ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ହେବ । ନିକଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ବଂଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ଶାସନର ରେକର୍ଡ ଭାଂଗି ଲଗାତର ଷଷ୍ଠ ଥର ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ହେବା ପଥରେ ଅଛନ୍ତି । ଅତିଶୀଘ୍ର ସେ ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଂଗଙ୍କ ରେକର୍ଡ ଭାଂଗିବାକୁ ଯାଉଥିବା ବିଜେଡ଼ି ପାଇଁ ଗର୍ବର ବିଷୟ ହୋଇଛି । ୨୦୧୯ରୁ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ରହିଛି । ୨୦୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନର ସମାପ୍ତି ଘଟାଇ ଓଡ଼ିଶାରେ ଗେରୁଆ ବାନା ଉଡାଇବା ଲକ୍ଷ୍ୟରେ ରାଜ୍ୟର ବିଜେପିର ତୁଙ୍ଗ ନେତାମାନେ କାର୍ଯ୍ୟ କରୁଛନ୍ତି । ଏଭଳି ଏକ ସମୟରେ ବିଜେଡ଼ି ବିଜେପିର ନିକଟତର ହେବାକୁ ସାଲିସ ରାଜନୀତି କରିବା ଏବଂ ବିଜେପିର ରାଷ୍ଟ୍ରୀୟ ନେତାମାନେ ଗୋଟିଏ ପଟେ ବିଜେଡ଼ିର ମୂଳୋତ୍ପାଟନ କଥା କହୁଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହାତ ମିଳାଇବାକୁ ବ୍ୟଗ୍ରତା ଦେଖାଉଥିବା କୌଣସି ଅପେରାର ଦୃଶ୍ୟଠାରୁ କିଛି କମ୍ ନୁହେଁ ବୋଲି ଏବେ ଆଲୋଚନା ଆରମ୍ଭ ହୋଇଛି ।
ଜାତୀୟ ଦୃଶ୍ୟପଟରେ ବିଜେପି ଶାସିତ ରାଜ୍ୟରେ ଯେଭଳି ଅବସ୍ଥା ରହିଛି ଓଡ଼ିଶାରେ ତାହା ହେଉ ବୋଲି ବୋଧହୁଏ ଅଧିକାଂଶ ଓଡ଼ିଶାବାସୀ ଚାହୁଁ ନଥିବେ । ତେଣୁ, ମୁଖ୍ୟ ବିରୋଧୀ ଦଳ ହୋଇ ମଧ୍ୟ ବିଜେପି ରାଜ୍ୟ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡ଼ିଠାରୁ ବହୁ ପଛରେ ରହିଛି । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ି ସରକାରଙ୍କୁ ‘ପୋଡା ବ୍ୟାଟେରୀ’ ଓ ଅଚଳ ଟ୍ରାନ୍ସଫର୍ମର କହି ସମାଲୋଚନା କରିଥିବା ବିଜେପି ଚାଣକ୍ୟ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଶନିବାର (ଅଗଷ୍ଟ ୫ ତାରିଖ) ଭୁବନେଶ୍ୱର ଗସ୍ତରେ ଆସି ଥିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଶାସନକୁ ମାତ୍ରାଧିକ ତାରିଫ କରିବା ପଛରେ ଯେ ରାଜନୈତିକ ଅଭିସଦ୍ଧି ରହିଛି, ତାହା କାହାରିକୁ ଅଛପା ନାହିଁ । ନବୀନ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରି ସମଗ୍ର ଦେଶ ପାଇଁ ଦୃଷ୍ଟାନ୍ତ ପାଲଟିଛନ୍ତି ବୋଲି ଶାହା ମନ୍ତବ୍ୟ ଦେବାକୁ ପଛାଇ ନାହାନ୍ତି । ଅଚାନକ ବିଜେପି ନେତୃତ୍ୱ ସ୍ୱର ବଦଳାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାରିଫରେ ଶତମୁଖ ହେବା ପଛରେ ଉଦ୍ଦେଶ୍ୟ ଯାହା ଥାଉନା କାହିଁକି ବିଜେଡ଼ି-ବିଜେପି ମଧ୍ୟରେ ସଂପର୍କ ପୁନର୍ବାର ମଧୁର ହେବାକୁ ଯାଉଛି ବୋଲି ଧାରଣା ସୃଷ୍ଟି କରିବାକୁ ଯଥେଷ୍ଟ ।
ସଂସଦରେ ବିଜେଡ଼ି ଦିଲ୍ଲୀ ପାଇଁ କେନ୍ଦ୍ର ସରକାର ଆଣିଥିବା ‘ବିଲ୍’କୁ ସମର୍ଥନ ଦେଇଛି । ମଣିପୁର ପ୍ରସଙ୍ଗରେ ଦେଶର ୨୬ଟି ବିରୋଧୀ ଦଳ ମିଳିତ ଭାବେ କେନ୍ଦ୍ର ସରକାରଙ୍କ ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ ଦେବେ ବୋଲି ବିଜେଡ଼ି ନେତୃତ୍ୱ ଘୋଷଣା କରି ସାରିଛନ୍ତି । ଏଭଳି ସ୍ଥିତିରେ ବିଜେପି ଚାଣକ୍ୟ ଶାହା ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶାଂସା କରିବା ପଛରେ ଆଉ କି ଉଦ୍ଦେଶ୍ୟ ରହିଛି, ତାହା ଏବେ ବଡ ପ୍ରଶ୍ନ ହୋଇଛି । ଶନିବାର ଦିନ ଶାହା କେବଳ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇ ନାହାନ୍ତି, ଦୁଇ ନେତା ରୁଦ୍ଧଦ୍ୱାର ବୈଠକରେ ମିଳିତ ହୋଇ କଣ ଆଲୋଚନା କଲେ, ଏପର୍ଯ୍ୟନ୍ତ ପଦାକୁ ଆସି ନଥିଲେ ସୁଦ୍ଧା ଦୁଇ ଦଳ ଯେ ପୁନର୍ବାର ଏକାଠି ହେବାକୁ ଯାଉଛନ୍ତି – ସେଭଳି ସମ୍ଭାବନା ସୃଷ୍ଟି କରିଛି । କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ମଧ୍ୟ ଗଣାମଧ୍ୟମ ପ୍ରତି ବିମୁଖ ରହୁଥିବାରୁ ଏବଂ ଅଧିକାଂଶ ମୁଖ୍ୟସ୍ରୋତ ଗଣମାଧ୍ୟମ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ବଦଳରେ ତାରିଫ କରିବାରେ ହିଁ ସଂପୂର୍ଣ୍ଣ ସମୟ ଦେଉଥିବାରୁ ନବୀନ-ଶାହା ଆଲୋଚନାର ଜଡରେ ପହଂଚିବା ମୁସ୍କିଲ ହେଉଛି ।
ନିକଟରେ ଓଡ଼ିଶା ବିଜେଡ଼ି ନେଇଥିବା ଦୁଇଟି ନିଷ୍ପତ୍ତି ରାଜ୍ୟବାସୀଙ୍କୁ ଚକିତ କରିଛି । ସେଥିରୁ ଗୋଟିଏ ହେଉଛି – ଦିଲ୍ଲୀରେ ଉଚ୍ଚ ପ୍ରଶାସନିକ ନିଯୁକ୍ତି ଓ ସେବା ଉପରେ କେନ୍ଦ୍ର ସରକାର ନିଜର କର୍ତ୍ତୃତ୍ୱ ଜାହିର କରି ସଂସଦରେ ଆଣିଥିବା ବିଲ୍ ‘ଗଭର୍ଣ୍ଣମେଂଟ ଅଫ୍ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ୍ ଦିଲ୍ଲୀ ସଂଶୋଧନ ବିଲ୍, ୨୦୨୩’କୁ ବିଜେଡ଼ି ନିର୍ବିଚାରରେ ସମର୍ଥନ ଦେବା । ଗୁରୁବାର ଦିନ ଏହି ବିଲ୍ ଲୋକସଭାରେ ଗୃହୀତ ହୋଇଛି । ରାଜ୍ୟସଭାରେ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦରେ ତାହା ଆଇନରେ ପରିଣତ ହେବାକୁ ଯାଉଛି । ଲୋକସଭାରେ ବିଜେପିର ସଂଖ୍ୟାବଳ ଥିବାରୁ କାହାରି ସମର୍ଥନର ଆବଶ୍ୟକତା ପଡିନି । ତଥାପି, ବିଜେଡ଼ି ସମର୍ଥନ ଦେଇଛି । ରାଜ୍ୟ ସଭାରେ ବିଜେପି ଓ ତାହାର ସହଯୋଗୀ ଦଳଙ୍କ ସଦସ୍ୟ ସଂଖ୍ୟା କିଛି କମ୍ ପଡୁଥିବାରୁ ବିଜେପି ଓଡ଼ିଶାର ବିଜେଡ଼ି ଓ ଆନ୍ଧ୍ର ପ୍ରଦେଶର ୱାଇଏସଆରସିପିର ସମର୍ଥନ ଲୋଡୁଛନ୍ତି । ଏହି ଦୁଇ ଆଂଚଳିକ ଦଳ ମଧ୍ୟ ସରକାରଙ୍କୁ ସମର୍ଥନ କରିବେ ବୋଲି ଆଗୁଆ କହି ସାରିଲେଣି ।
କଂଗ୍ରେସ ସମେତ ଦେଶର ୨୬ ବିରୋଧୀ ଦଳ ‘ଦିଲ୍ଲୀ ବିଲ୍’ର ବିରୋଧ କରିଥିବା ବେଳେ ବିଜେଡ଼ି ମୋଦୀ ସରକାରଙ୍କ ସହ ଠିଆ ହେବା ଏବଂ ବିଜେଡ଼ି ସାଂସଦ ପିନାକୀ ମିଶ୍ର ଗୁରୁବାର ଦିନ ଏହି ବିଲ୍ ଉପରେ ଲୋକସଭାରେ ଆଲୋଚନା ବେଳେ ବିଲ୍ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିବା ରାଜ୍ୟବାସୀଙ୍କୁ ବିସ୍ମିତ କରିଛି । ବିଜେଡ଼ି ବିଜେପି ସହ ସମଦୂରତା ରକ୍ଷା କରୁଥିଲେ ମଧ୍ୟ ଦିଲ୍ଲୀ ପାଇଁ ଏଭଳି ଏକ ବିଲ୍ ଆଣିବାରେ କେନ୍ଦ୍ର ସରକାରଙ୍କ ସାମ୍ବିଧାନିକ ଅଧିକାର ଥିବାରୁ ବିଜେଡ଼ି ତାହାକୁ ସମର୍ଥନ କରୁଛି କହି ପିନାକୀ ଲୋକସଭାରେ ହାସ୍ୟାସ୍ପଦ ହୋଇଛନ୍ତି । ସେହିଭଳି, ମଣିପୁରର ଜାତିଆଣ ଦଂଗା ଉପରେ ପ୍ରଧାନମନ୍ତ୍ରୀ ସଂସଦକୁ ଆସି ବକ୍ତବ୍ୟ ରଖିବାକୁ ଓ ସଂସଦରେ ସମସ୍ତ ପ୍ରସଙ୍ଗକୁ ପଛରେ ପକାଇ ମଣିପୁର ଉପରେ ବିସ୍ତୃତ ଆଲୋଚନା କରାଯିବାକୁ ବିରୋଧୀ ଦଳମାନେ ଜୁଲାଇ ୨୦ରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ଦିନରୁ ଦାବି କରିଆସୁଛନ୍ତି । ସରକାର ବିଭିନ୍ନ ଆଳ ଦେଖାଇ ବିରୋଧୀଙ୍କ ଦାବିକୁ ଏଡାଇ ଆସୁ ଥିବାରୁ ୨୬ ବିରୋଧୀ ଦଳ ମିଳିତ ଭାବେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଦିଲ୍ଲୀ ବିଲ୍ ନହେଲେ ମଧ୍ୟ ମଣିପୁର ପ୍ରସଙ୍ଗରେ ବିଜେଡ଼ି ବିରୋଧୀଙ୍କ ସହ ଠିଆ ହେବ ଓ କେନ୍ଦ୍ର ସରକାରଙ୍କୁ ଘେରିବ ବୋଲି ଅନେକ ଆଶା କରୁଥିଲେ । ତେବେ, ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ ଦେବ କହି ବିଜେଡ଼ି ସମସ୍ତଙ୍କୁ ଚକିତ କରିଛି ।
ମଣିପୁର ପରିସ୍ଥିତି କାହାରିକୁ ଅଛପା ନାହିଁ । ଏହି ଉତ୍ତର ପୂର୍ବାଂଚଳ ରାଜ୍ୟରେ ବିଜେପି ସରକାରରେ ଥିଲେ ମଧ୍ୟ ରାଜ୍ୟରେ ଗତ ମେ’ ମାସରୁ ଚାଲି ଥିବା ଜାତିଆଣ ହିଂସାକୁ ରୋକିବାରେ ସଫଳ ହୋଇନାହିଁ । ଦଂଗାରେ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି । ହଜାର ହଜାର ସଂଖ୍ୟାରେ ଗୃହଦାହ ହୋଇଛି । ପାକାପାଖି ୫୦ ହଜାର ଲୋକ ବାସହୀନ ହୋଇ ରିଲିଫ ଶିବିରରେ ଆଶ୍ରୟ ନେଇଛନ୍ତି । ଗୋଟିଏ ଗଣଦୁଷ୍କର୍ମ ଓ ଆଦିବାସୀ ମହିଳାଙ୍କୁ ନିର୍ବସ୍ତ୍ର କରି ରାସ୍ତାରେ ଚଲାଇ ଚଲାଇ ନିଆଯାଉଥିବା ଭିଡ଼ିଓ ଜୁଲାଇ ୧୯ ତାରିଖରେ ଦୈବାତ ଲୋକଲୋଚନକୁ ଆସିବା ପରେ ଜାତିଆଣ ଦଂଗା ସମୟରେ ଏହା ଗୋଟିଏ ନୁହେଁ, ଏଭଳି ଶତାଧିକ ଘଟଣା ଘଟିଛି ବୋଲି ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହ ହାଲୁକା ମନ୍ତବ୍ୟ ଦେଇ ସମଗ୍ର ଦେଶକୁ ଚକିତ କରିଛନ୍ତି । ମଣିପୁର ପ୍ରସଙ୍ଗ ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିବା ବେଳେ ବିରୋଧୀ ବିସ୍ତୃତ ଆଲୋଚନା ପାଇଁ ଦାବି କରିବାରେ କେଉଁଠି ଅସୁବିଧା ରହିଲା ? ବିରୋଧୀଙ୍କ ଦାବିକୁ ସରକାର ଏଡାଇ ଆସୁଥିବାରୁ ୨୬ଟି ବିରୋଧୀ ଦଳ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ବିଜେଡ଼ି ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ବିରୋଧୀଙ୍କ ସହ ଠିଆ ହେବା ବଦଳରେ ସରକାରଙ୍କୁ ସମର୍ଥନ ଦେବାକୁ ଘୋଷଣା କରିବା ପଛରେ ଓଡ଼ିଶାର କି ସ୍ୱାର୍ଥ ରହିଛି ? ଆଜି ଯାଏଁ ଓଡ଼ିଶାର କୌଣସି ଗଣମାଧ୍ୟମ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରି ନାହାନ୍ତି ।
ବିଜେଡ଼ି ଦିଲ୍ଲୀ ‘ବିଲ୍’କୁ ସମର୍ଥନ ଦେବା ନେଇ ଯେଉଁ ଯୁକ୍ତି ବାଢିଛି ତାହା ହେଉଛି – ୨୦୦୯ରୁ ବିଜେଡ଼ି ଦୁଇ ଜାତୀୟ ରାଜନୈତିକ ଦଳ ବିଜେପି ଓ କଂଗ୍ରେସଠାରୁ ସମଦୂରତା ରକ୍ଷା କରିଆସିଛି । କେବଳ ନୀତିଗତ ପ୍ରସଙ୍ଗରେ ଦଳ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଉଛି । ଦିଲ୍ଲୀ ପାଇଁ ଆଇନ ପ୍ରଣୟନ କରିବା ଅଧିକାର ସଂସଦର ରହିଛି । ସମ୍ବିଧାନର ୨୩୯ (୨)ରେ ଥିବା ବ୍ୟବସ୍ଥା ଅନୁସାରେ କେନ୍ଦ୍ର ସରକାର ଦିଲ୍ଲୀ ପାଇଁ ଆଇନ ପ୍ରଣୟନ କରିଛନ୍ତି । ସୁପ୍ରିମ କୋର୍ଟ ଗତ ମେ’ ୧୧ରେ ଦେଇଥିବା ରାୟରେ ମଧ୍ୟ କେନ୍ଦ୍ର ସରକାର ଦିଲ୍ଲୀ ପାଇଁ ବିଧେୟକ ଆଣିବାକୁ ଚାହିଁଲେ ଆଣି ପାରିବେ ବୋଲି କହିଛନ୍ତି । କେନ୍ଦ୍ର ସରକାର ସଂସଦରେ ଯେଉଁ ‘ଗଭର୍ଣ୍ଣମେଂଟ ଅଫ୍ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ୍ ଦିଲ୍ଲୀ ସଂଶୋଧନ ବିଲ୍, ୨୦୨୩’ ବିଲ୍ ଆଣିଛନ୍ତି ତାହା ଯଥାର୍ଥ । ତେବେ, ଓଡ଼ିଶା, ପଶ୍ଚିମ ବଂଗ, ରାଜସ୍ଥାନ ଭଳି ଦେଶର ପୂର୍ଣ୍ଣାଂଗ ରାଜ୍ୟ ପାଇଁ କେନ୍ଦ୍ର ଏଭଳି ଆଇନ ଆଣିବାରେ ସମ୍ବିଧାନରେ ବ୍ୟବସ୍ଥା ନଥିବାରୁ ଅନ୍ୟ ରାଜ୍ୟମାନେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।
ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୫ରୁ ଦିଲ୍ଲୀରେ ‘ଆମ୍ ଆଦମୀ ପାର୍ଟି’ (ଆପ୍) ସରକାର ଅଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ତାହାର ନେତୃତ୍ୱ ନେଉଛନ୍ତି । ‘ଆପ୍’ କ୍ଷମତାକୁ ଆସିବା ଦିନରୁ ପ୍ରଶାସନିକ କ୍ଷମତା ପାଇଁ କେନ୍ଦ୍ର ସହ ଲଢୁଛି । କେଜରୀୱାଲ ସରକାରଙ୍କ ପଛରେ ଦିଲ୍ଲୀ ଜନସାଧାରଣଙ୍କ ବିପୁଳ ସମର୍ଥନ ଥିଲେ ମଧ୍ୟ ଦିଲ୍ଲୀକୁ ଏପର୍ଯ୍ୟନ୍ତ ପୂର୍ଣ୍ଣାଂଗ ରାଜ୍ୟ ମାନ୍ୟତା ମିଳିନଥିବା କାରଣରୁ ସେଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱୈତ ଶାସନ ଚାଲିଛି । ଦିଲ୍ଲୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କ୍ଷମତା କଣ ସମ୍ବିଧାନରେ ତାହାର ସ୍ପଷ୍ଟ ଉଲ୍ଳେଖ ଥିଲେ ମଧ୍ୟ ବିଜେପି ସରକାର ଦିଲ୍ଲୀ ପାଇଁ ନିଯୁକ୍ତି ଉପରାଜ୍ୟପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କ କ୍ଷମତା ହଡପ ପାଇଁ ବ୍ୟଗ୍ର । ତେଣୁ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ରହିଛି । ଦିଲ୍ଲୀ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉପରାଜ୍ୟପାଳ ହସ୍ତକ୍ଷେପ କରୁଥିବାରୁ ରାଜ୍ୟ ସରକାର ବାରମ୍ବାର ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗତ ମେ’ ୧୧ ତାରିଖରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ପାଂଚ ଜଣିଆ ସାମ୍ବିଧାନିକ ପୀଠ ଏନେଇ ଏକ ସ୍ପଷ୍ଟ ରାୟ ଦେଇଛନ୍ତି ।
ଯେହେତୁ ରାଜ୍ୟରେ ଏକ ନିର୍ବାଚିତ ସରକାର ରହିଛି ଏବଂ ସରକାରଙ୍କ ଦିଲ୍ଲୀବାସୀଙ୍କ ପ୍ରତି ଉତ୍ତରଦାୟୀତ୍ୱ ରହିଛି ସମସ୍ତ ଉଚ୍ଚ ପ୍ରଶାସନିକ ନିଯୁକ୍ତି ଓ ସେବା ଉପରେ ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱ ରହିବା ଅପରିହାର୍ଯ୍ୟ ବୋଲି ସୁପ୍ରିମ କୋର୍ଟ ରାୟ ଦେବା ପରେ ତାହାକୁ ଅକାମୀ କରିବା ପାଇଁ କେନ୍ଦ୍ର ସରକାର ତୁରନ୍ତ ଅଧ୍ୟାଦେଶ ଜାରି କଲେ । ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ସଂସଦର ଚଳିତ ମୌସୁମୀ ଅଧିବେଶନରେ ବିଲ୍ ଆଣିଛନ୍ତି । ଦିଲ୍ଲୀରେ ସମସ୍ତ ପ୍ରଶାସନିକ ନିଯୁକ୍ତି ଓ ବଦଳି ଉପରେ କେନ୍ଦ୍ର ସରକାରଙ୍କ କର୍ତ୍ତୃତ୍ୱ ରହିବ ବୋଲି ଆସିଥିବା ବିଲ୍ ଗୁରୁବାର ଦିନ ଲୋକସଭାରେ ଗୃହୀତ ହୋଇଛି । ‘ଆପ୍’ ସମେତ କଂଗ୍ରେସ, କମ୍ୟୁନିଷ୍ଟ ଓ ଅନ୍ୟ ବିରୋଧୀ ଦଳମାନେ ଲୋକସଭାରେ ବିଲ୍ କୁ ବିରୋଧ କରିଥିଲେ ମଧ୍ୟ ସଂଖ୍ୟାବଳରେ ସକରାର ତାହାକୁ ଲୋକସଭାରେ ଗୃହୀତ କରାଇ ନେଇଛନ୍ତି । ତେବେ, ରାଜ୍ୟସଭାରେ ସରକାରଙ୍କୁ ଅଣ-ଏନଡ଼ିଏ ଦଳଙ୍କ ସମର୍ଥନର ଆବଶ୍ୟକତା ରହିଛି ।
କେବଳ ଦିଲ୍ଲୀ ବିଲ୍ ନୁହେଁ, ମଣିପୁର ପ୍ରସଙ୍ଗ ମଧ୍ୟ ଆଜି ଦିନରେ ସୁପ୍ରିମ କୋର୍ଟଙ୍କ ସ୍କୃଟିନିରେ ରହିଛି । ରାଜ୍ୟରେ ସଂଖ୍ୟାଗରିଷ୍ଠ ମୈତେଇ ଓ ସଂଖ୍ୟାଲଘୁ କୁକି ଆଦିବାସୀଙ୍କ ମଧ୍ୟରେ ମେ’ ମାସରୁ ରକ୍ତାକ୍ତ ସଂଘର୍ଷ ଚାଲିଛି । ମେ’ ୪ ତାରିଖ ଦିନ ସଂଖ୍ୟାଗରିଷ୍ଠ ଗୋଷ୍ଠୀର ଦଂଗାକାରୀମାନେ ଦୁଇ ଜଣ କୁକି ଆଦିବାସୀ ମହିଳାଙ୍କୁ ବିବସ୍ତ୍ର କରି ରାସ୍ତାରେ ଚଲାଇ ଚଲାଇ ନେଉଥିବା ଦୃଶ୍ୟ ଭିଡ଼ିଓ ମାଧ୍ୟମରେ ଦେଖି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ ଘୋର ପୀଡା ବ୍ୟକ୍ତ କରିଥିଲେ ଏବଂ ଉଭୟ ମଣିପୁର ସରକାର ଓ କେନ୍ଦ୍ର ସରକାରଙ୍କୁ କଠୋର ସମାଲୋଚନା କରିଥିଲେ । କେନ୍ଦ୍ର ସରକାର ତୁରନ୍ତ କିଛି କରନ୍ତୁ, ନହେଲେ ଆମେ କିଛି କରିବୁ ବୋଲି ସେ ସରକାରଙ୍କୁ ଚେତାଇ ଦେଇଥିଲେ । କେନ୍ଦ୍ର ସରକାର ମଣିପୁର ହିଂସାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଥିବା ବେଳେ ସୁପ୍ରିମ କୋର୍ଟ ନିଜ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ ପାଇଁ ଆଗଭର ହେଉଥିବା ସୂଚନା ମିଳୁଛି । ଉଭୟ ଘଟଣା ଗୋଟିଏ ଗୋଟିଏ ରାଜ୍ୟର ଅସ୍ମିତାର ପ୍ରଶ୍ନ ହୋଇଥିବା ବେଳେ ଓଡ଼ିଶା ସରକାର ପକ୍ଷଭୁକ୍ତ ହୋଇ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେବା ଚିନ୍ତାର ବିଷୟ ନୁହେଁ କି ?
ଏବେ ଆସିବା ବିଜେଡ଼ି-ବିଜେପି ସଂପର୍କ ପ୍ରସଙ୍ଗକୁ । ରାଜ୍ୟରେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି-ବିଜେଡ଼ି ମେଂଟ ସରକାର ଥିଲା । କନ୍ଧମାଳର ସ୍ୱାମୀ ଲକ୍ଷଣାନନ୍ଦ ହତ୍ୟା ଘଟଣା ପରବର୍ତ୍ତୀ ହିଂସାକୁ ଆଳ କରି ଦୁଇ ଦଳ ପରସ୍ପରଠାରୁ ଦୂରେଇ ଗଲେ । ୨୦୦୯ରୁ ବିଜେଡ଼ି ରାଜ୍ୟରେ ଏକାକୀ ଶାସନରେ ରହିଛି । ରାଜ୍ୟରେ ଦୁଇ ଦଳର ସଂପର୍କ ଏତେଦୂର ତୀକ୍ତ ଯେ କଂଟା ବାଡରେ ଲୁଗା ପକାଇ କଳିଗୋଳ ହେଉଛନ୍ତି । ଛୋଟ ଛୋଟ କଥାକୁ ନେଇ ଟିଭି ପରଦାରେ ପରସ୍ପରକୁ ଆକ୍ଷେପ କରିବାକୁ ପଛାଉ ନାହାନ୍ତି । ରାଜ୍ୟରେ ସାପ, ନେଉଳ ଭଳି ଛକାପଂଝା ହେଉଥିବା ବେଳେ ଜାତୀୟ ରାଜନୀତିରେ ସେମାନଙ୍କ ମଧ୍ୟରେ ରହୁଥିବା ଅପୂର୍ବ ସମନ୍ୱୟ ଓଡ଼ିଶାବାସୀଙ୍କୁ ଦ୍ୱନ୍ଦ୍ୱରେ ପକାଉଛି । ଏବେ ଅମିତ ଶାହାଙ୍କ ଗସ୍ତ ପରେ ଏହି ଦ୍ୱନ୍ଦ୍ୱ ଅଧିକ ଗାଢ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଗୋଟିଏ ଫୋନ କଲ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମଦୂରତା ନୀତି ଭୁଲିବାକୁ ବାଧ୍ୟ କରୁଥିବା ଓଡ଼ିଶାବାସୀ ଦେଖୁଛନ୍ତି । ୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରରୁ ଓଡ଼ିଶା ସରକାର କେନ୍ଦ୍ରକୁ ସମର୍ଥନ ଦେବାର ଧାରା ଚାଲିଛି । ୨୦୨୪ରେ ବିଜେଡ଼ି ସେହି ସମଦୂରତା ରଖିବ କି ବିଜେପିକୁ ସାଥିରେ ନେଇ ବିଧାନସଭା ନିର୍ବାଚନର ସାମ୍ନା କରିବ ? କେବଳ ରାଜ୍ୟର ସାଧାରଣ ଜନତା ନୁହନ୍ତି, ବିଜେପି ରାଜ୍ୟ ଶାଖା ମଧ୍ୟ ଏବେ ସେହି ଭ୍ରମରେ ପଡି ଯାଇଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS