କଂଗ୍ରେସ ମୁଖ୍ୟ ବିରୋଧୀ ଭୂମିକାକୁ ଫେରୁଛି ?


ପ୍ରସାଦ ରାଓ
ଭୁବନେଶ୍ୱର/୦୯ ଅଗଷ୍ଟ
ମଣିପୁର ପ୍ରସଙ୍ଗରେ ମିଳିତ ବିରୋଧୀ ମେଂଟ ପକ୍ଷରୁ ସଂସଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆସି ଥିବା ଅନାସ୍ଥା ପ୍ରସ୍ତାବ ଉପରେ ଦୁଇ ଦିନ ହେଲା ଲୋକସଭାରେ ଆଲୋଚନା ଚାଲିଛି । ଆଲୋଚନାରେ ଗୋଟିଏ ପଟେ ବିରୋଧୀ ମେଂଟ ଆଇଏନଡିଆଇଏ (ଇଣ୍ଡିଆ) ଥିବା ବେଳେ ଅନ୍ୟପଟେ ସରକାରୀ ଦଳର ମେଂଟ (ବିଜେପି ଓ ଏନଡିଏର ଅନ୍ୟ ଅଂଶୀଦାର) ରହିଛନ୍ତି । ତେବେ, ଦୁଇ ଦିନର ଆଲୋଚନା କଂଗ୍ରେସ ବନାମ ବିଜେପି ଚାଲି ଥିବାରୁ ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଭୂମିକାକୁ ଫେରୁଥିବା ସ୍ପଷ୍ଟ ଭାବେ ଅନୁଭବ କରି ହେଉଛି ।
ମଂଗଳବାର ଅନାସ୍ଥା ପ୍ରସ୍ତାବର ପ୍ରଥମ ଦିନର ଆଲୋଚନାରେ ବିରୋଧୀଙ୍କ ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିତର୍କର ପ୍ରାରମ୍ଭ କରିବେ ବୋଲି ଧାର୍ଯ୍ୟ ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଏଥିରେ ପରିବର୍ତ୍ତନ ହୋଇଥିଲା ଏବଂ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଆଲୋଚନା ଆରମ୍ଭ କରି ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଉତ୍ତର ପୂର୍ବାଂଚଳ ରାଜ୍ୟ ମଣିପୁରରେ ଗଲା ତିନି ମାସ ହେଲା ଯେଭଳି ଜଘନ୍ୟ ହିଂସା ଲାଗି ରହିଛି ତାହାକୁ ନିୟନ୍ତ୍ରଣ କରିବାରେ ଉଭୟ ମଣିପୁର ସରକାର ଓ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି ବୋଲି ଗୋଗୋଇ ଅଭିଯୋଗ କରିଥିଲେ । ତେବେ, ବିଜେପି ଓ ତାହାର ସହଯୋଗୀମାନେ ମଣିପୁର ହିଂସା ପ୍ରସଙ୍ଗକୁ ଗୌଣ କରି କଂଗ୍ରେସ ଓ ବିରୋଧୀ ମେଂଟକୁ ‘ସୁବିଧାବାଦୀ ମେଂଟ’ ଆକ୍ରମଣ କରିବାକୁ ପଛାଇ ନଥିଲେ ।
ବିଶେଷକରି, ଶାସକ ଦଳର ଆକ୍ରମଣର କେନ୍ଦ୍ରବିନ୍ଦୁ ଥିଲା କଂଗ୍ରେସ । କଂଗ୍ରେସକୁ ଦୁର୍ନୀତିଗ୍ରସ୍ତ, ପରିବାରବାଦୀ ଓ ତୁଷ୍ଟିକରଣବାଦୀ ବୋଲି ସରକାରୀ ଦଳ ସାଂସଦମାନେ ସମାଲୋଚନା କରିବା ସହ ସ୍ୱାଧୀନତା ଆନ୍ଦୋଳନ ସମୟରେ ଜାତିର ପିତା ମହାତ୍ମା ଗାନ୍ଧୀ ବ୍ରିଟିଶ ଶାସନ ବିରୋଧରେ ଯେଉଁ ‘ଭାରତ ଛାଡ’ ସ୍ଲୋଗାନ ଦେଇଥିଲେ ତାହାକୁ ଦୋହରାଇ ଥିଲେ । ‘ଦୁର୍ନୀତିଗ୍ରସ୍ତ, ପରିବାରବାଦୀ ଓ ତୁଷ୍ଟିକରଣବାଦୀ ଭାରତ ଛାଡ’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ନୂଆ ସ୍ଲୋଗାନ ଆରମ୍ଭ କରିଛନ୍ତି ତାହାକୁ ଶାସକ ଦଳର ସାଂସଦମାନେ ଦୋହରାଉ ଥିବା କଂଗ୍ରେସକୁ ସିଧାସଳଖ ଆକ୍ରମଣ କୁହାଯାଇପାରେ ।
ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବର ଦ୍ୱିତୀୟ ଦିବସରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଲୋଚନାରେ ଭାଗ ନେଇ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ରାହୁଲ ବିତର୍କ ଆରମ୍ଭ କରି ତାଙ୍କ ‘ଭାରତ ଯୋଡୋ ଯାତ୍ରା’ରୁ ମଣିପୁର ଗସ୍ତ ପର୍ଯ୍ୟନ୍ତ ପ୍ରାଂଜଳ ଭାବେ ଗୃହରେ ଉପସ୍ଥାପନ କରିଥିଲେ । ଦେଶର ସମସ୍ୟା ଶୁଣିବାକୁ ହେଲେ ଘୃଣା ଓ ଅହଂକାର ଛାଡିବାକୁ ପଡିବ ବୋଲି ମନ୍ତବ୍ୟ ରଖି ରାହୁଲ କହିଛନ୍ତି ମଣିପୁର ଭାରତର ଏକ ଅଂଗ ବୋଲି ପ୍ରଧାନମନ୍ତ୍ରୀ ବିଚାର କରୁ ନାହାନ୍ତି । ତେଣୁ, ମଣିପୁର ତିନି ମାସ ହେଲା ଜାତିଆଣ ହିଂସାରେ ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥରେ ହେଲେ ମଣିପୁର ଯିବା ଉଚିତ ମଣି ନାହାନ୍ତି । ମଣିପୁରକୁ ନେଇ ରାଜନୀତି ଚାଲିଛି । ରାଜ୍ୟକୁ ସମତଳ ଅଂଚଳ ଓ ପାର୍ବତ୍ୟାଂଚଳରେ ବାଂଟି ଦିଆଯାଇଛି । ମଣିପୁରରେ ଯେଉଁ ହତ୍ୟାର ବିଭିଷିକା ଚାଲିଛି ତାହା ଭାରତକୁ ହତ୍ୟା କଲା ଭଳି ବୋଲି ରାହୁଲ ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଚାହିଁଥିଲେ ମଣିପୁରର ଦଂଗାଗ୍ରସ୍ତ ଅଂଚଳକୁ ସେନା ପଠାଇ ରାଜ୍ୟରେ ଚାଲି ଥିବା ହିଂସାର ପରିସମାପ୍ତ ଘଟାଇ ପାରିଥା’ନ୍ତେ । କିନ୍ତୁ, ତାହା କରି ନାହାନ୍ତି ।
‘ମୋର ଗୋଟିଏ ମାଆ ସଂସଦରେ ଉପସ୍ଥିତ ଥିବା ବେଳେ ଆଉ ଗୋଟିଏ ମାଆ (ମଣିପୁର)କୁ ସରକାର ହତ୍ୟା କରିଛନ୍ତି ବୋଲି ରାହୁଲଙ୍କ ବକ୍ତବ୍ୟ ଶାସକ ଦଳକୁ କ୍ଷୁବ୍ଧ କରିଛି । ରାହୁଲଙ୍କ ଆଉ ଏକ ବକ୍ତବ୍ୟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପ୍ରତି ସିଧା ଆକ୍ରମଣ ଥିଲା । ରାବଣ ଯେମିତି ମେଘନାଦ ଓ କୁମ୍ଭକର୍ଣ୍ଣଙ୍କ କଥା ହିଁ ଶୁଣୁଥିଲେ ପ୍ରଧାନମନ୍ତ୍ରୀ ମୋଦୀ ସେମିତି ଅମିତ ଶାହା ଓ ଆଦାନୀଙ୍କ କଥା ହିଁ ଶୁଣନ୍ତି ବୋଲି ରାହୁଲ କଟାକ୍ଷ କରିଥିଲେ । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଶାସକ ଦଳ ପକ୍ଷରୁ ରାହୁଲଙ୍କ କଟାକ୍ଷର ଜବାବ ରଖି – ଭାରତ ମେରିଟ୍ ରେ ବିଶ୍ୱାସ କରେ, ବଂଶବାଦରେ ନୁହେଁ ବୋଲି ପାଲଟା କଟାକ୍ଷ କରିଥିଲେ । ମଣିପୁରକୁ ହତ୍ୟା କରାଯିବା ଦ୍ୱାରା ଭାରତକୁ ହତ୍ୟା କରାଯାଇଛି ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଲୋକସଭାରେ ବକ୍ତବ୍ୟ ରଖିବା ବେଳେ ଗୃହରେ ଉପସ୍ଥିତ ଥିବା କଂଗ୍ରେସ ସାଂସଦମାନେ ତାଳି ମାରି ସମର୍ଥନ ଦେବା ଭାରତ ଇତିହାସରେ ପ୍ରଥମ ଘଟଣା । ଏଥିରୁ କିଏ ଦେଶଦ୍ରୋହୀ ସ୍ପଷ୍ଟ ବୋଲି ଇରାନୀ କହିଥିଲେ ।
ଗତକାଲି ମଧ୍ୟ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ସମୟରେ ଶାସକ ଦଳ ସାଂସଦମାନେ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୃହରେ ବିତର୍କ ଆରମ୍ଭ କରିବେ ବୋଲି ପ୍ରଥମରୁ ସୂଚନା ଦିଆଯାଇଥିବା ବେଳେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରିବାରୁ ଶାସକ ଦଳ ସାଂସଦମାନେ କଂଗ୍ରେସକୁ କଟାକ୍ଷ କରିଥିଲେ । ବିତର୍କ ଆରମ୍ଭ କରିବାକୁ ରାହୁଲ ପ୍ରସ୍ତୁତ ନାହାନ୍ତି କି ବୋଲି ସେମାନେ ପ୍ରଶ୍ନ କରିବାରୁ କଂଗ୍ରେସକୁ ସଫେଇ ଦେବାକୁ ପଡିଥିଲା । ‘ମୋଦୀ ସାଂଗିଆ’କୁ ନେଇ ୨୦୧୯ରେ ହୋଇଥିବା ଏକ ଆପରାଧୀକ ମାନହାନୀ ମାମଲାରେ ସୁରଟର ଏକ ନିମ୍ନ ରାହୁଲଙ୍କୁ ଦୁଇ ବର୍ଷ କାରଦଣ୍ଡରେ ଦଣ୍ଡିତ କରିବାରୁ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା । ସୁପ୍ରିମ କୋର୍ଟ ଏହି ଦଣ୍ଡାଦେଶକୁ ସ୍ଥଗିତ ରଖିବା ପରେ ରାହୁଲ ୧୩୬ ଦିନ ପରେ ସାଂସଦକୁ ଫେରିଛନ୍ତି ।
ମଣିପୁର ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଥିବା ଦର୍ଶାଇ ବିରୋଧୀ କେନ୍ଦ୍ର ସରକାରଙ୍କ ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ରାହୁଲ ଗାନ୍ଧୀ ଗତକାଲି ଆଲୋଚନା ଆରମ୍ଭ କରିବାକୁ ଥିଲେ ମଧ୍ୟ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଆଲୋଚନା ଆରମ୍ଭ କରିବାରୁ ଶାସକ ଦଳ ପକ୍ଷରୁ କଟାକ୍ଷ କରାଯାଇଥିବା ବେଳେ ଗେଗୋଇ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀ ମଣିପୁର ପ୍ରସଙ୍ଗରେ ଲୋକସଭା କିମ୍ବା ରାଜ୍ୟସଭାରେ ବିବୃତି ଦେବାକୁ ପଛଘୁଂଚା ଦେବାରୁ ଓ ‘ମୌନବ୍ରତ’ ଧାରଣ କରିବାକୁ ତାହାକୁ ଭାଂଗିବା ପାଇଁ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବାଧ୍ୟ ହୋଇଛନ୍ତି । ସରକାର ଗୋଟିଏ ପଟେ ‘ଏକକ’ ଭାରତ କଥା କହୁଥିବା ବେଳେ ଅନ୍ୟପଟେ ଦୁଇଟି ମଣିପୁର ସୃଷ୍ଟି କରିଛନ୍ତି । ଗୋଟିଏ ମଣିପୁର ପାର୍ବତ୍ୟାଂଚଳ ହୋଇଥିବା ବେଳେ ଅନ୍ୟଟି ରାଜ୍ୟର ସମତଳ ଅଂଚଳ । ମଣିପୁରବାସୀ ନ୍ୟାୟ ମାଗୁଛନ୍ତି ।
‘ମଣିପୁର ଯେହେତୁ ଜଳୁଛି, ସମଗ୍ର ଦେଶ ଜଳୁଛି । ମଣିପୁର ବିଭାଜିତ ହେଲେ ଦେଶ ମଧ୍ୟ ବିଭାଜିତ ହେଉଛି । ତେଣୁ, ଦେଶର ନେତା ତଥା ପ୍ରଧାନମନ୍ତ୍ରୀ ଗୃହକୁ ଆସି ମଣିପୁର ପରିସ୍ଥିତି ଉପରେ ବକ୍ତବ୍ୟ ରଖିବା ଆମେ ଚାହୁଁଛୁ’ ବୋଲି ଗୋଗୋଇ କହିଥିବା ବେଳେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ବିତର୍କ ଆରମ୍ଭ କରିବାକୁ ପୂର୍ବରୁ ସୂଚନା ଦିଆଯାଇଥିବା ବେଳେ ଶେଷ ମୁହୁର୍ତ୍ତରେ ପରିବର୍ତ୍ତନ ହେଲା କାହିଁକି (?) ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରଶ୍ନ ଉଠାଇ ଥିଲେ । ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭାରେ ଉପସ୍ଥିତ ଥିବା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କଟାକ୍ଷ କରିବାକୁ ପଛାଇ ନଥିଲେ । ସରକାରଙ୍କ ବିରୋଧରେ କଂଗ୍ରେସ ଅନାସ୍ଥା ଭୋଟ କରାଉଥିଲେ ମଧ୍ୟ ବାସ୍ତବରେ ଏହା ସରକାରଙ୍କ ପ୍ରତି କେତେ ଆସ୍ଥା ଅଛି ଜାଣିବାକୁ ନୁହେଁ, ବିରୋଧୀ ମେଂଟରେ ଥିବା ଦଳଙ୍କ ମଧ୍ୟରୁ କିଏ କାହା ଉପରେ କେତେ ଭରସା କରି ପାରିବେ ତାହା ପରଖିବାକୁ ଉଦ୍ଦିଷ୍ଟ ବୋଲି ଦୁବେ କହିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ସକାଳେ ବିଜେପି ସଂସଦୀୟ ଦଳ ବୈଠକରେ ଏଭଳି ମନ୍ତବ୍ୟ ଦେଇଥିବା ବିଜେପି ସାଂସଦ ଦୁବେ ଲୋକସଭାରେ କହିବାରୁ ସକାଳେ ଲୋକସଭା ବାଚସ୍ପତି ଓମ୍ ବିରଳାଙ୍କ ପ୍ରକୋଷ୍ଠରେ ପ୍ରଧାନମନ୍ତ୍ରୀ କଣ ମନ୍ତବ୍ୟ ଦେଇଛନ୍ତି ତାହା ଗୃହରେ ଉପସ୍ଥାପନ କରାଯିବାକୁ କଂଗ୍ରେସ ସାଂସଦ ଗୋଗୋଇ ଦାବି କରିଥିଲେ । କିନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଉକ୍ତିକୁ ନେଇ ଅସମର୍ଥିତ ମନ୍ତବ୍ୟ ଉପରେ ଗୃହରେ ସେଭଳି ଦାବି କରାଯାଇ ପାରିବେ ନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଗୋଗୋଇଙ୍କୁ ଚେତାଇ ଦେଇଥିଲେ । ବିଜେପି ସାଂସଦ ଦୁବେଙ୍କ ଗତକାଲିର ଆଉ ଏକ ମନ୍ତବ୍ୟ ମଧ୍ୟ ବିବାଦୀୟ ଥିଲା । ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେବା ଅବସରରେ ଦୁବେ ସୋନିଆଙ୍କୁ କଟାକ୍ଷ କରି କହିଥିଲେ – ଏବେ ସୋନିଆଙ୍କ ହାତରେ ମାତ୍ର ଦୁଇଟି କାମ ରହିଛି । ଗୋଟିଏ ପୁଅକୁ ‘ସେଟ୍’ କରିବା ଓ ଅନ୍ୟଟି ‘ଜ୍ୱାଇଁଙ୍କୁ ଗିଫ୍ଟ୍ ଦେବା’ । ଦୁବେଙ୍କ ମନ୍ତବ୍ୟ ଶାସକ ଦଳ ସାଂସଦଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରିଥିବା ବେଳେ ବିରୋଧୀ ତାହାର ବିରୋଧ କରିଥିଲେ ।
କଂଗ୍ରେସ ସାଂସଦ ଗୋଗୋଇ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀ ତିନିଟି କାରଣରୁ ସଂସଦରେ ମଣିପୁର ପ୍ରସଙ୍ଗରେ ବିବୃତି ନରଖି ମୌନବ୍ରତ ଧାରଣ କରିଛନ୍ତି । କାରଣଗୁଡିକ ହେଉଛି – ମଣିପୁରରେ ରାଜ୍ୟ ସରକାରଙ୍କ ବିଫଳତା, କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବିଫଳତା ଏବଂ ଜାତୀୟ ନିରାପତ୍ ବ୍ୟବସ୍ଥାରେ ବିଫଳତା । ପ୍ରଧାନମନ୍ତ୍ରୀ ଭୁଲ ମାନିବାକୁ ପ୍ରସ୍ତୁତ ନୁହନ୍ତି, ତେଣୁ ମୌନବ୍ରତ ଧାରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ସଂସଦକୁ ଆସନ୍ତୁ ଓ ଉଭୟ ଗୃହରେ ବିବୃତି ରଖନ୍ତୁ ବୋଲି କଂଗ୍ରେସ ସାଂସଦ ଗେଗୋଇ ଦାବି କରିବାରୁ ଶାସକ ଦଳ ସାଂସଦଙ୍କ ଯୁକ୍ତି ଥିଲା, ମଣିପୁରରେ ୧୯୯୩ ଓ ୧୯୯୭ରେ ବଡ ଧରଣର ହିଂସା ଘଟିଥିବା ବେଳେ ଗୃହ ମନ୍ତ୍ରଣାଳୟର ଜଣେ କନିଷ୍ଠ ମନ୍ତ୍ରୀ ସଂସଦରେ ବିବୃତି ରଖିଥିଲେ । ଆଉ କେହି ସଂସଦକୁ ଆସି ବକ୍ତବ୍ୟ ରଖି ନଥିଲେ । ଗେଗୋଇ ତୁରନ୍ତ ଉତ୍ ତର ଦେଇଥିଲେ, ୨୦୦୨ ଗୁଜରାଟ ସାଂପ୍ରଦାୟିକ ଦଂଗା ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଗୁଜରାଟ ଗସ୍ତରେ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ ଓ ଏବଂ ରାଜ୍ୟ ସରକାରଙ୍କୁ (ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ) ରାଜଧର୍ମ ପାଳନ ପାଇଁ ପରାମର୍ଶ ଦେଇଥିଲେ । ଦୁଇ ଦିନ ହେଲା ଅନାସ୍ଥା ପ୍ରସ୍ତାବକୁ ନେଇ ଶାସକ ବିଜେପି ଓ ବିରୋଧୀ ମେଂଟର ନେତୃତ୍ୱ ନେଉଥିବା କଂଗ୍ରେସ ମଧ୍ୟରେ ଏପ୍ରକାର କଥା ଫିଙ୍ଗାଫିଙ୍ଗି ଚାଲିଛି ।
ଗତକାଲି କେନ୍ଦ୍ର ମନ୍ତ୍ରୀ କିରଣ ରିଜ୍ଜୁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାରେ ଭାଗ ନେଇ ବିଶ୍ୱ ଦରବାରରେ ଭାରତର ଆଜିର ସ୍ଥିତି ଯାହା ବିରୋଧୀ ‘ଭୁଲ ସମୟରେ ଓ ଭୁଲ ବାଟରେ’ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଥିବାରୁ ଅନୁତାପ କରିବେ ବୋଲି କହିଥିଲେ । ଆଜି କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ନିର୍ମଳା ସୀଥାରମଣ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଅନାସ୍ଥା ଆଲୋଚନାରେ ଭାଗ ନେଉଥିବା ସୂଚନା ମିଳିଛି । ଆସନ୍ତା କାଲି ଏହି ତିନି ଦିଆ ଆଲୋଚନା ସରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହରେ ମଣିପୁର ପରିସ୍ଥିତି ଉପରେ ବକ୍ତବ୍ୟ ରଖିବା କାର୍ଯ୍ୟକ୍ରମ ରହିଛି । ଏହା ପରେ ଅନାସ୍ଥା ପ୍ରସ୍ତାବକୁ ନେଇ ଭୋଟ ହେବ । ଆଜି ଦିନରେ ଲୋକସଭାରେ ୫୩୯ ସଦସ୍ୟ ଅଛନ୍ତି । ଅନାସ୍ଥା ଭୋଟରେ ସରକାର ଜିତିବା ପାଇଁ ୨୭୦ ସାଂସଦଙ୍କ ସମର୍ଥନ ମିଳିବା ଅବଶ୍ୟକ ଥିବା ବେଳେ ସଂସଦରେ ବିଜେପିର ଏକାକୀ ୩୦୧ ସାଂସଦ ଓ ସହଯୋଗୀ ଦଳଙ୍କ ୩୧ ସାଂସଦ ଅଛନ୍ତି । ବିରୋଧୀ ମେଂଟ ‘ଇଣ୍ଡିଆ’ର ସାଂସଦ ସଂଖ୍ୟା ୧୪୩ । ଏହାଛଡା, ବିଆରଏସ୍, ୱାଇଏସଆରସିପି, ବିଜେଡ଼ି ପ୍ରଭୃତି ଅଣ-ଏନଡିଏ, ଅଣ-ଆଇଏନଡିଆଇଏ ରାଜନୈତିକ ଦଳର ସାଂସଦ ସଂଖ୍ୟା ହେଉଛି ୭୦ ।
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡ଼ି (୧୨) ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ୱାଇଏସଆରସିପି (୨୨) ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ ଦେବ ଓ ସରକାରଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରି ସାରିଛି । ତେଣୁ, ସରକାରଙ୍କ ବିରୋଧରେ ଲୋକସଭାରେ ବିରୋଧୀ ମେଂଟର ଅନାସ୍ଥା ପ୍ରସ୍ତାବ କାଟ ଖାଇବା ନିଶ୍ଚିତ, ଏଥିରେ କୌଣସି ଦ୍ୱିମତ ନାହିଁ । ତଥାପି, କଂଗ୍ରେସ ନେତୃତ୍ୱରେ ୨୬ ବିରୋଧୀ ଦଳର ମେଂଟଏଭଳି ଏକ ଦୁଃସାହସ କରିବା ପଛରେ ରହିଛି ଏକମାତ୍ର ଉଦ୍ଦେଶ୍ୟ । ମଣିପୁର ପରିସ୍ଥିତି ଉପରେ ସଂସଦକୁ ଆସି ବକ୍ତବ୍ୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକପ୍ରକାର ବିବଶ କରିବା । ସେଥିରେ ବିରୋଧୀ ମେଂଟ ସଫଳ ହେବାକୁ ଯାଉଛନ୍ତି । ଏହାଛଡା, ୨୦୨୪ ନିର୍ବାଚନ ପାଇଁ ଆହୁରି କିଛି ମାସ ସମୟ ଥିଲେ ମଧ୍ୟ ବିରୋଧୀ ସେମାନଙ୍କ ଶକ୍ତିକୁ ଆଗୁଆ ପରଖି ନେବାକୁ ଏହି ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ ସୁଯୋଗ ପାଇଛନ୍ତି । ୨୦୧୪ ସାଧାରଣ ନିର୍ବାଚନ ପରଠାରୁ କଂଗ୍ରେସ ଦଳ ଦେଶରେ ଶକ୍ତିହୀନ ହୋଇପଡିଥିଲା । ରାହୁଲଙ୍କ ‘ଭାରତ ଯୋଡୋ’ ଯାତ୍ରା ଏବଂ ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟ ପରେ ପୁନର୍ବାର ନିଜକୁ ବିରୋଧୀ ମେଂଟର ନେତୃତ୍ୱ ନେବାର ଶକ୍ତି ଫେରି ପାଇଛି । ତେଣୁ, ଚବିଶି ନିର୍ବାଚନ ବିଜେପି ବନାମ କଂଗ୍ରେସ ହେବାକୁ ଯାଉଛି- ତାହା ଆଜି ଦିନରୁ ଜଳଜଳ ଦିଶୁଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS