‘ଘମଣ୍ଡି’ କିଏ – ସରକାର ନା ବିରୋଧୀ ?


ପ୍ରସାଦ ରାଓ
ଭୁବନେଶ୍ୱର/ଅଗଷ୍ଟ ୧୧
ମଣିପୁର ପରିସ୍ଥିତି ଉପରେ ସଂସଦରେ ବିସ୍ତୃତ ଆଲୋଚନା ଦାବି କରି ୨୬ ବିରୋଧୀ ଦଳର ମେଂଟ ପକ୍ଷରୁ ଜୁଲାଇ ୨୬ ତାରିଖ ଦିନ ଲୋକସଭାରେ ସରକାରଙ୍କ ବିରୋଧରେ ଆସି ଥିବା ଅନାସ୍ଥା ପ୍ରସ୍ତାବ ଗତକାଲି (ଅଗଷ୍ଟ ୧୦) ମୌଖିକ ଭୋଟରେ କାଟ୍ ଖାଇ ଯାଇଛି । ମଂଗଳବାର (୮ତାରିଖ)ରୁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଥିଲା ଏବଂ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ଉପସ୍ଥିତ ରହି ବିରୋଧୀଙ୍କ ପ୍ରସ୍ତାବ ବିରୋଧରେ ଦୀର୍ଘ ଭାଷଣ ଦେବା ପରେ ବାଚସ୍ପତି ଓମ୍ ବିରଳା ଭୋଟିଂ କରାଇଥିଲେ । ଭୋଟିଂ ପୂର୍ବରୁ ବିରୋଧୀ କକ୍ଷତ୍ୟାଗ କରିଥିବା ବେଳେ ମୌଖିକ ଭୋଟରେ ସରକାରଙ୍କ ବିଜୟ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ମଣିପୁର ପରିସ୍ଥିତି ଉପରେ ଫୋକସ୍ କରି ଭାଷଣ ଦେବା ଆଶା କରାଯାଉଥିଲା । ତେବେ, ସେ ତାଙ୍କ ଦୀର୍ଘ ଭାଷଣରେ ବିରୋଧୀଙ୍କୁ ଗାଳି ଦେବାରେ ଅଧିକ ସମୟ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଭାଷଣ ମଣିପୁର ପ୍ରସଙ୍ଗ ଛୁଇଁବା ବେଳେକୁ ବିରୋଧୀଙ୍କ ଧୈର୍ଯ୍ୟ ତୁଟି ଯାଇଥିଲା । ବିରୋଧୀ ସାଂସଦମାନେ ପ୍ରତିବାଦସୂଚକ କକ୍ଷତ୍ୟାଗ କରିବା ପରେ ପ୍ରଧାନମନ୍ତ୍ରୀ ମଣିପୁର ପ୍ରସଙ୍ଗକୁ ଆସି ଅତିଶୀଘ୍ର ମଣିପୁରରେ ନୂତନ ସୂର୍ଯେ୍ୟାଦୟ ହେବାକୁ ଯାଉଛି ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଲମ୍ବା ଭାଷଣ ସରିବା ପରେ ବାଚସ୍ପତି ବିରୋଧୀ ଆଣି ଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରାଇ ଥିଲେ । ସେତେବେଳେକୁ ବିରୋଧୀ ସାଂସଦମାନେ ଗୃହ ଛାଡି ଚାଲି ଯାଇଥିଳେ । ଫଳରେ, ମୌଖିକ ଭୋଟ ହୋଇ ବିରୋଧୀଙ୍କ ପ୍ରସ୍ତାବ କାଟ୍ ଖାଇଥିଲା ।
ଏହା ହେଉଛି ବିରୋଧୀ ଆଣି ଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ରାଜନୈତିକ ଖେଳ । ଲୋକସଭାରେ ସଂଖ୍ୟାର ଖେଳରେ ବିରୋଧୀ ମେଂଟ ଦୁର୍ବଳ ଥିଲା । ସରକାରୀ ପକ୍ଷ ଆବଶ୍ୟକତାରୁ ଯଥେଷ୍ଟ ଅଧିକ ସଂଖ୍ୟା ଥିବା ସତ୍ତ୍ୱେ ବିଜେଡ଼ି, ୱାଇଏସଆରସିପି ଭଳି ଅଣ-ଏନଡିଏ ଆଂଚଳିକ ଦଳଙ୍କ ସମର୍ଥନ ଯୋଗାଡ କରି ବଳିୟାନ ଥିଲେ । ସଂଖ୍ୟା ଖେଳରେ ବିରୋଧୀ ହାରିବେ ଜାଣି ମଧ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଥିଲେ । ବିରୋଧୀଙ୍କ ଏହି ଦୁଃସାହସ ପଛରେ ଗୋଟିଏ ଉଦ୍ଦେଶ୍ୟ ଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସଂସଦକୁ ଟାଣି ଆଣି ମଣିପୁର ପରିସ୍ଥିତିକୁ ନେଇ ଦେଶବାସୀଙ୍କ ସମ୍ମୁଖରେ ଉତ୍ତର ରଖିବାକୁ ବାଧ୍ୟ କରିବା । ଗତ ମେ’ ମାସରୁ ମଣିପୁର ଜାତିଆଣ ହିଂସା ଚାଲିଛି । ମଣିପୁର ଜଳୁଥିଲେ ବେଳେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ବ୍ୟସ୍ତ ଥିଲେ । ଥରଟିଏ ମଧ୍ୟ ମଣିପୁର ଆଡେ ଚାହିଁ ନାହାନ୍ତି ବା ଜୁଲାଇ ୧୯ ତାରିଖ ଯାଏଁ ପଦେ ବୟାନ ଦେଇ ନାହାନ୍ତି ।
ମଣିପୁରର ଚୂଡାଚାନ୍ଦପୁର ଜିଲ୍ଲାରେ ଗୋଟିଏ ହିଂସ୍ର ଭିଡ ଦୁଇ ଜଣ ଆଦିବାସୀ କୁକି ସଂପ୍ରଦାୟ ମହିଳାଙ୍କୁ ସଂପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଚଲାଇ ଚଲାଇ ନେଉଥିବାର ଦୃଶ୍ୟ ଓ ସେମାନଙ୍କ ପ୍ରତି ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଜୁଲାଇ ୧୯ ତାରିଖରେ ଏକ ଭିଡ଼ିଓ ମାଧ୍ୟମରେ ଦେଶବାସୀଙ୍କ ସାମ୍ନାକୁ ଆସିବା ପରେ ଦେଶବ୍ୟାପୀ ଆଲୋଡନ ସୃଷ୍ଟି ହୋଇଥିଲା । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଭିଡ଼ିଓକୁ ଦେଖି ପୀଡାବ୍ୟକ୍ତ କରିବା ସହ ଏହା ଉପରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଅଦାଲତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେବା ପରେ ଅଭିଯୁକ୍ତଙ୍କ ବିରୋଧରେ ମଣିପୁର ପୁଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଲା । ପ୍ରଧାନମନ୍ତ୍ରୀ ମୋଦୀ ମୁହଁ ଖୋଲିଲେ । ଭିଡ଼ିଓରେ ଥିବା ଦୃଶ୍ୟ ଅତ୍ୟନ୍ତ ଲଜ୍ୟାଜନକ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଲା । ମଣିପୁର ପରିସ୍ଥିତି ଉପରେ ସଂସଦର ଉଭୟ ଗୃହରେ ବିସ୍ତୃତ ଆଲୋଚନା ଓ ପ୍ରଧାନମନ୍ତ୍ରୀଙ୍କ ବୟାନ ଦାବିରେ ବିରୋଧୀ ସାଂସଦ ଅଧିବେଶନକୁ ଅଚଳ କରିଥିଲେ । ତଥାପି, ସରକାରୀ ପକ୍ଷ ବିସ୍ତୃତ ଆଲୋଚନା ପାଇଁ ସୁଯୋଗ ନ ଦେବାରୁ ଓ ପ୍ରଧାନମନ୍ତ୍ରୀ ମୌନବ୍ରତରେ ରହିବାରୁ ବିରୋଧୀ ଜୁଲାଇ ୨୬ ତାରିଖ ଦିନ କେନ୍ଦ୍ର ମନ୍ତ୍ରୀ ପରିଷଦ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ ଦେଇଥିଲେ । ଲୋକସଭା ବାଚସ୍ପତି ବିରୋଧୀଙ୍କ ନୋଟିସ ପାଇବା ପରେ ଅଗଷ୍ଟ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଆଲୋଚନା ହେବ ବୋଲି ଧାର୍ଯ୍ୟ କରିଥିଲେ । ମଣିପୁର ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ସଂସଦ ବାହାରେ ଗଣମାଧ୍ୟମରେ ବୟାନ ରଖୁଥିବା ବେଳେ ସଂସଦକୁ ଆସି ବୟାନ ରଖିବେ ନାହିଁ କାହିଁକି ? ଏହା ଥିଲା ବିରୋଧୀଙ୍କ ପ୍ରଶ୍ନ ।
ଶେଷରେ, ଗୁରୁବାର ହୋଇଥିବା ଅନାସ୍ଥା ଭୋଟରେ ବିରୋଧୀ ପରାଜିତ ହୋଇଥିଲେ ମଧ୍ୟ ସେମାନଙ୍କ ଉଦ୍ଦେଶ୍ୟ ସାଧନ ହୋଇଥିବାରୁ ଆତ୍ମବିଶ୍ୱାସ ବଢି ଯାଇଛି । ବିରୋଧୀ ମୋଦୀ ସରକାରଙ୍କ ବିରୋଧରେ ଅନ୍ୟ ପ୍ରସଙ୍ଗରେ ୨୦୧୮ରେ ଅନାସ୍ଥା ପ୍ରସ୍ତାବ ଆଣି ହାରିଥିଲେ । ଏଥର ମଧ୍ୟ ମଣିପୁର ପ୍ରସଙ୍ଗକୁ ନେଇ ଆଣି ଥିବା ଅନାସ୍ଥା ପ୍ରସ୍ତାବ ଭୋଟରେ ହାରିଛନ୍ତି । ସେମାନେ ସରକାରଙ୍କ ବିରୋଧରେ ଯେତେ ଅନାସ୍ଥା ପ୍ରସ୍ତାବ ଆଣିବେ ଶାସକ ଦଳ ସେତିକି ମଜଭୂତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଭାଷଣରେ କହିଛନ୍ତି ଏବଂ ୨୦୨୮ରେ ମଧ୍ୟ ସେ ବିରୋଧୀଙ୍କ ଆଡୁ ଏଭଳି ଅନାସ୍ଥା ପ୍ରସ୍ତାବ ଆଶା କରୁଥିବା ସୂଚନା ଦେଇଛନ୍ତି । ବିରୋଧୀ ମେଂଟ, ବିଶେଷକରି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଥିବା କଂଗ୍ରେସ ଦଳ ଘମଣ୍ଡି (ଧମଣ୍ଡି) ବୋଲି ଆକ୍ଷେପ କରିବାକୁ ପ୍ରଧାନମନ୍ତ୍ରୀ ପଛାଇ ନଥିଲେ ।
ତେବେ, ‘ଘମଣ୍ଡି’ କିଏ (?) – ଶାସକ ଦଳ ନା ବିରୋଧୀ (?) – ସେନେଇ ଏବେ ଗଣମାଧ୍ୟମରେ ବେଶ୍ ବିତର୍କ ଚାଲିଛି । ପ୍ରଧାନମନ୍ତ୍ରୀ ଗତକାଲି ଭାଷଣ ପ୍ରସଙ୍ଗରେ କହିଥିଲେ, ବିରୋଧୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ସରକାରଙ୍କୁ ଚୌକା, ଛକା ମାରିବାକୁ ଅପୂର୍ବ ସୁଯୋଗ ଦେଇଛନ୍ତି । ନିଜେ କିନ୍ତୁ ‘ନୋ ବଲ୍’ ଖେଳି ପଡିଆ ବାହାରକୁ ଯିବାକୁ ବାଧ୍ୟ ହୋଇଛନ୍ତି । ୨୦୨୪ ନିର୍ବାଚନରେ ସେ ବହୁ ଅଧିକ ସଂଖ୍ୟକ ସାଂସଦଙ୍କ ସହ ସରକାରକୁ ଫେରିବା ନିଶ୍ଚିତ । ଅପରପକ୍ଷରେ, ବିରୋଧୀ ମେଂଟ କହିଛି, ଲୋକସଭାରେ ଶାସକ ମେଂଟର ସାଂସଦ ସଂଖ୍ୟା ଯଥେଷ୍ଟ ଅଧିକ ଥିବା ଜାଣିସୁଦ୍ଧା ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ମୌନବ୍ରତ ଭାଂଗିବା ପାଇଁ ସେମାନଙ୍କୁ ଅନାସ୍ଥା ପ୍ରସ୍ତାବର ସାହାରା ନେବାକୁ ପଡିଲା । ମଣିପୁର ପରିସ୍ଥିତି ଉପରେ ଲୋକସଭାରେ ତିନି ଦିନ ଆଲୋଚନା ହେବା ଏବଂ ପ୍ରଧାନମନ୍ତ୍ରୀ ଗୃହରେ ଉପସ୍ଥିତ ରହି ବୟାନ ରଖିବା ବିରୋଧୀ ମେଂଟର ବଡ ବିଜୟ । ରାଜନୈତିକ ସମୀକ୍ଷକଙ୍କ ମତରେ, ଯିଏ ହାରି ମଧ୍ୟ ଜିତିଥାଏ ସିଏ ହିଁ ପ୍ରକୃତରେ ‘ବାଜୀଗର୍’ ।
ଗତକାଲିର ଅନାସ୍ଥା ପ୍ରସ୍ତାବ ବିଜୟ ଓ ପରାଜୟକୁ ନେଇ ଏଭଳି ଚର୍ଚ୍ଚା ଚାଲି ଥିବା ବେଳେ କୋଳାଶ୍ରୀତ ମିଡ଼ିଆ ମଧ୍ୟ ବିରୋଧୀଙ୍କୁ ‘ବାଜୀଗର୍’ କହି ଶ୍ରେୟ ଦେବାକୁ ପଛାଉ ନଥିବା ବିରୋଧୀ ମେଂଟର ମନୋବଳ ବଢାଇବାକୁ ଯଥେଷ୍ଟ । ସଂସଦରେ ଅପୂର୍ବ ସଂଖ୍ୟା ଥିବା ଦଳ ଅନାସ୍ଥା ଭୋଟ ଜିତିବା କିଛି ନୂଆ କଥା ନୁହେଁ । ଭୋଟ ଫଳାଫଳ କଣ ହେବ ତାହା ଦେଶବାସୀ ବହୁ ପୂର୍ବରୁ ଜାଣିଥିଲେ । କେବଳ ବାସ୍ତବ ‘ଘମଣ୍ଡି’ କିଏ ଜାଣିବାକୁ ଚାହୁଁଥିଲେ । ତାହା ମଧ୍ୟ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ସମୟରେ ଜାଣି ଗଲେ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS