ଚାରିଟି ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଲା, ‘ଦିଲ୍ଲୀ ବିଲ୍’ ଆଇନରେ ପରିଣତ


ପ୍ରସାଦ ରାଓ
ଅଗଷ୍ଟ ୧୨
ସଂସଦର ମୌସୁମୀ ଅଧିବେଶନରେ ଗୃହୀତ ଚାରିଟି ବିଲ୍ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହୋଇଛି । ଚାରିଟି ବିଲ୍ ହେଉଛି – ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ୍ ବିଲ୍, ଦି ରେଜିଷ୍ଟ୍ରେସନ୍ ଅଫ୍ ବାର୍ଥ ଏଣ୍ଡ ଡେଥ୍ ଆମେଣ୍ଡମେଂଟ୍ ବିଲ୍, ଦି ଜନବିଶ୍ୱାସ (ଆମେଣ୍ଡମେଂଟ୍ ଅଫ୍ ପ୍ରୋଭିଜନ୍ସ) ବିଲ୍ ଓ ଗଭର୍ଣ୍ଣମେଂଟ ଅଫ୍ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ୍ ଦିଲ୍ଲୀ (ଆମେଣ୍ଡମେଂଟ) ବିଲ୍ । ମଣିପୁରରେ ଚାଲି ଥିବା ହିଂସା ଉପରେ ବିସ୍ତୃତ ଆଲୋଚନା ଓ ପ୍ରଧାନମନ୍ତ୍ରୀ ସଂସଦକୁ ଆସି ଏହା ଉପରେ ବୟାନ ରଖିବା ଦାବିରେ ସଂସଦର ମୌସୁମୀ ଅଧିଶେନରେ ବିରୋଧୀଙ୍କ ପକ୍ଷରୁ ହଟ୍ଟଗୋଳ ଚାଲି ଥିବା ବେଳେ ସରକାର ଏହି ବିଲ୍ ସବୁ ଗୃହୀତ କରାଇ ନେଇଛନ୍ତି । ଗଭର୍ଣ୍ଣମେଂଟ ଅଫ୍ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ୍ ଦିଲ୍ଲୀ (ଆମେଣ୍ଡମେଂଟ) ବିଲ୍ ଉପରେ ସଂସଦର ଉଭୟ ଗୃହରେ ଦୀର୍ଘ ଆଲୋଚନା ହୋଇଥିଲା । ବିରୋଧୀ ମେଂଟ୍ ଦିଲ୍ଲୀ ବିଲ୍ କୁ ଦୃଢ ଭାବେ ବିରୋଧୀ କରିଥିଲେ । ଲୋକସଭାରେ ଶାସକ ବିଜେପି ଓ ଏନଡିଏର ଆବଶ୍ୟକତାରୁ ଯଥେଷ୍ଟ ଅଧିକ ସଂଖ୍ୟା ବଳ ଥିବାରୁ ବିଲ୍ ଗୃହୀତ ହେବାରେ କିଛି ପ୍ରତିବନ୍ଧକ ନଥିଲା । ଶାସକ ମେଂଟର ସାଂସଦଙ୍କ ସହ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡ଼ି) ଓ ଆନ୍ଧ୍ର ପ୍ରଦେଶର ଶାସକ ୱାଇଏସଆର କଂଗ୍ରେସ ପାର୍ଟି ସାଂସଦମାନେ ‘ଦିଲ୍ଲୀ ବିଲ୍’କୁ ସମର୍ଥନ ଦେଇଥିଲେ । ରାଜ୍ୟସଭାରେ ବିଜେପି ଓ ଶାସକ ମେଂଟର ଆବଶ୍ୟକ ସଂଖ୍ୟା ନଥିଲେ ମଧ୍ୟ ବିଜେପି ଓ ୱାଇଏସଆରସିପିର ସମର୍ଥନ ବିଲ୍ ଗୃହୀତ ହେବାରେ ସହାୟକ ହୋଇଥିଲା । ଦିଲ୍ଲୀ ବିଲ୍ ଉପରେ ଭୋଟ ବିଭାଜନରେ ୧୩୧ ଜଣ ସାଂସଦ ବିଲ୍ ସପକ୍ଷରେ ଭୋଟ ଦେଇଥିବା ବେଳେ ବିରୋଧରେ ୧୦୨ ଜଣ ସାଂସଦ ଭୋଟ ଦେଇଥିଲେ । ଏହି ବିଲ୍ ଆଇନରେ ପରିଣତ ହେବା ଫଳରେ ଦିଲ୍ଲୀର ନିର୍ବାଚିତ ସରକାରଙ୍କ କ୍ଷମତା ସଂକୁଚିତ ହୋଇଛି ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଉପରାଜ୍ୟପାଳ ବା ଏଲଜି ଦିଲ୍ଲୀରେ ପ୍ରଶାସନିକ ନିଯୁକ୍ତି, ବଦଳୀ ଓ ସେବା ଉପରେ ନିରଙ୍କୁଶ କ୍ଷମତାର ଅଧିକାରୀ ହୋଇଛନ୍ତି । ସୁପ୍ରିମ କୋର୍ଟର ଏକ ପାଂଚ ଜଣିଆ ସାମ୍ବିଧାନିକ ପୀଠ ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ ବିଚାର କରି ଦିଲ୍ଲରେ ଯେହେତୁ ନିର୍ବାଚିତ ସରକାର ଅଛନ୍ତି ଓ ଭୋଟରଙ୍କ ନିକଟରେ ଉତ୍ତରଦାୟୀ ରହିଛନ୍ତି ପ୍ରଶାସନିକ ନିଯୁକ୍ତି ଓ ସେବା ଉପରେ ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱ ରହିବ ବୋଲି ମେ’ ୧୧ ତାରିଖ ଦିନ ରାୟ ଦେବା ପରେ କେନ୍ଦ୍ର ସରକାର ଏହି ରାୟକୁ ଅକାମୀ କରିବା ପାଇଁ ସଂସଦରେ ‘ଗଭର୍ଣ୍ଣମେଂଟ ଅଫ୍ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ୍ ଦିଲ୍ଲୀ (ଆମେଣ୍ଡମେଂଟ) ବିଲ୍, ୨୦୨୩ ଆଗତ କରିଥିଲେ । ଦିଲ୍ଲୀର ଆମ୍ ଆଦମୀ ପାର୍ଟି (ଆପ୍) ସରକାର ବିଲ୍ କୁ ଦୃଢ ଭାବେ ବିରୋଧ କରିବା ସହ ରାଜ୍ୟସଭାରେ ଯେଭଳି ଏହି ବିଲ୍ ଗୃହୀତ ନହେବ ସେଥିପାଇଁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଙ୍କ ସହାୟତା ଲୋଡି ଥିଲେ । ୨୬ ବିରୋଧୀ ଦଳର ମେଂଟ ଆଇଏନଡିଆଇଏ (ଇଣ୍ଡିଆ) ଉଭୟ ଲୋକସଭା ଓ ରାଜ୍ୟସଭାରେ ‘ଦିଲ୍ଲୀ ବିଲ୍’ର ଦୃଢ ବିରୋଧ କରିଥିଲା । ତଥାପି, ସରକାର ରାଜ୍ୟସଭାରେ ନିଜ ସପକ୍ଷରେ ସମର୍ଥନ ଜୁଟାଇ ବିଲ୍ ଗୃହୀତ କରାଇ ନେଇଥିଲେ । ଦିଲ୍ଲୀ ବିଲ୍ ଉପରେ ସଂସଦରେ ଆଲୋଚନା ସମୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କହିଥିଲେ, ସୁପ୍ରିମ କୋର୍ଟଙ୍କ ସାମ୍ବିଧାନିକ ପୀଠ ଦିଲ୍ଲୀରେ ପ୍ରଶାସନିକ ନିଯୁକ୍ତି ଓ ସେବା ଉପରେ ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱ ରହିବ ବୋଲି ମେ’ ୧୧ ତାରିଖରେ ରାୟ ଦେଇଥିଲେ ମଧ୍ୟ ସରକାର ଇଚ୍ଛା କଲେ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ୍ ଦିଲ୍ଲୀ ପାଇଁ ଏକ ଆଇନ ଆଣି ପାରିବେ ବୋଲି ସ୍ପଷ୍ଟ କରି ଦେଇଥିଲେ । ସମ୍ବିଧାନରେ ମଧ୍ୟ କେନ୍ଦ୍ର ସରକାର ଦିଲ୍ଲୀ ପାଇଁ ଏକ ଆଇନ ଆଣିବା ସକାଶେ ଅନୁମତି ରହିଛି । ତେଣୁ, ସରକାର ସଂସଦରେ ଗଭର୍ଣ୍ଣମେଂଟ ଅଫ୍ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ୍ ଦିଲ୍ଲୀ (ଆମେଣ୍ଡମେଂଟ) ବିଲ୍, ୨୦୨୩ ଆଣି କିଛି ବେନିୟମ କାର୍ଯ୍ୟ କରି ନାହାନ୍ତି । ଅପରପକ୍ଷରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ସଂସଦରେ ବିଲ୍ ଗୃହୀତ ହେବା ପୂର୍ବରୁ ସରକାର ଦିଲ୍ଲୀବାସୀଙ୍କୁ ‘ଗୋଲାମ’ କରିବା ସକାଶେ ଏହି ବିଲ୍ ଆଣିଛନ୍ତି ବୋଲି ମନ୍ତବ୍ୟ ରଖିଥିଲେ । ବିଲ୍ ଉପରେ ସଂସଦରେ ଆଲୋଚନା ସମୟରେ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପର ସହ କଳି ନକରି ସହମତି ଭିତ୍ତିରେ କାର୍ଯ୍ୟ କରିବା ଉପରେ ଦଳର ମୁଖ୍ୟ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱାସ କରନ୍ତି ବୋଲି ବିଜେଡ଼ିର ଯୁକ୍ତି ଉପସ୍ଥାପନ କରିଥିଲା । ବିଜେଡ଼ି ସାଂସଦ ପିନାକୀ ମିଶ୍ର କହିଥିଲେ, ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ପରସ୍ପରକୁ ବିରୋଧ କରିବା ସ୍ୱାଭାବିକ । କିନ୍ତୁ, ନିର୍ବାଚନ ଶେଷ ହେବା ପରେ ସବୁ ରାଜନୈତିକ ବିରୋଧକୁ ଭୁଲି ଦେଶର ହୀତ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାରେ ବିଜେଡ଼ି ବିଶ୍ୱାସ କରେ । ଦିଲ୍ଲୀ ପାଇଁ ଆଇନ ଆଣିବାର ସାମ୍ବିଧାନିକ ଅଧିକାର କେନ୍ଦ୍ର ସରକାର ରହିଛି । ତେଣୁ, ବିଜେଡ଼ି ଦିଲ୍ଲୀ ବିଲ୍ ପାରିତ କରାଇବାରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଉଛି । କେବଳ ଦିଲ୍ଲୀ ବିଲ୍ ନୁହେଁ, ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ୍ ବିଲ୍ (ଡିପିଡିପି) ମଧ୍ୟ ସଂସଦରେ ବିରୋଧୀ ମେଂଟ୍ ଆଡୁ ଦୃଢ ବିରୋଧର ସମ୍ମୁଖୀନ ହୋଇଥିଲା । ଡିପିଡିପି ବିଲ୍ ଆଇନରେ ପରିଣତ ହେଲେ ସରକାର ଦେଶର ସାଧାରଣ ନାଗରିକଙ୍କ ଗୁଇନ୍ଦାଗିରି କରିବା ସହଜ ହୋଇଯିବ । ସମ୍ବିଧାନରେ ନାଗରିକଙ୍କ ବ୍ୟକ୍ତିଗତ ଗୋପନୀୟତାର ମୌଳିକ ଅଧିକାର ଏହାଦ୍ୱାରା କ୍ଷୁର୍ଣ୍ଣ ହେବ ବୋଲି ବିରୋଧୀ ଅଭିଯୋଗ କରିଥିଲେ । ଏହି ‘ବିଲ୍’ରେ ରହିଥିବା କିଛି ବ୍ୟବସ୍ଥା ଗଣମାଧ୍ୟମ ସ୍ୱାଧୀନତାର କଂଠରୋଧ କରିବ ବୋଲି ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଥିଲା । ତେବେ, ବିରୋଧୀ ମଣିପୁର ପ୍ରସଙ୍ଗକୁ ନେଇ ସଂସଦରେ ହୋହାଲ୍ଲାରେ ବ୍ୟସ୍ତ ଥିବା ସମୟରେ ସରକାର ଏହି ବିଲ୍ ପାରିତ କରାଇ ନେଇଥିଲେ । ଆଜି ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦନ ଲାଭ କରି ଆଇନରେ ପରିଣତ ହୋଇଥିବା ‘ଦି ରେଜିଷ୍ଟ୍ରେସନ୍ ଅଫ୍ ବାର୍ଥ ଏଣ୍ଡ ଡେଥ୍ ଆମେଣ୍ଡମେଂଟ୍ ବିଲ୍, ୨୦୨୩’ ଅନୁଯାୟୀ ପଂଜୀକୃତ ହୋଇଥିବା ଜନ୍ମ ତାରିଖ (ବାର୍ଥ ସାର୍ଟିଫିକେଟ୍ରେ) ହିଁ ସବୁ କ୍ଷେତ୍ରରେ ଏକକ ଜନ୍ମ ତାରିଖ ପ୍ରମାଣ ଭାବେ ଗ୍ରହଣୀୟ ହେବ । ଶିକ୍ଷାନୁଷ୍ଠାନରେ ନାମ ଲେଖା, ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ, ବିବାହ ପଂଜୀକରଣ, ସରକାରୀ ଚାକିରୀରେ ନିଯୁକ୍ତି ଏବଂ ଖାଦ୍ୟ ଭଳି ବିଭିନ୍ନ କଲା୍ୟାଣକାରୀ ଯୋଜନାରେ ଜନ୍ମ ପ୍ରମାଣପତ୍ର ପ୍ରମାଣ ଭାବେ ଗ୍ରହଣୀୟ ହେବା ବ୍ୟବସ୍ଥା ରହିଛି । ସେହିଭଳି, ଜନ ବିଶ୍ୱାସ (ଆମେଣ୍ଡମେଂଟ୍ ଅଫ୍ ପ୍ରୋଭିଜନ୍ସ) ବିଲ୍ ବ୍ୟବସାୟିକ କ୍ଷେତ୍ରରେ ଛୋଟ ଛୋଟ ତୃଟି ବା ଅପରାଧକୁ ଡିକ୍ରିମିନାଲାଇଜ୍ କରାଯାଇ କୋର୍ଟ କଚେରୀ ପରିଧି ବାହାରକୁ ଅଣାଯାଇଛି । ଛୋଟ ଛୋଟ ବ୍ୟବସାୟଗତ ଅପରାଧ ପାଇଁ ଜେଲଦଣ୍ଡ ବ୍ୟବସ୍ଥା ହଟାଇ ଜରିମାନା ବ୍ୟବସ୍ଥା ରଖାଯିବା ଦ୍ୱାରା ‘ଇଜ୍ ଅଫ୍ ବିଜିନେସ୍’ର ଅଧିକ ପ୍ରସାର ସମ୍ଭବ ବୋଲି ସରକାର ବିଶ୍ୱାସ କରୁଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS