ରାଜ୍ୟରେ ମେଂଟ ହେଉ ବା ନହେଉ କିଛି ଫରକ ପଡିବ ନାହିଁ ?
ପ୍ରସାଦ ରାଓ
ଅଗଷ୍ଟ ୧୪
ମଣିପୁର ହିଂସା ପ୍ରସଙ୍ଗରେ ଲୋକସଭାରେ ବିରୋଧୀ ମେଂଟ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ବିଜେପି ‘ଚାଣକ୍ୟ’ ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରୁଦ୍ଧଦ୍ୱାର ବୈଠକ ହେବା ଏବଂ ପରେ ପରେ ବିଜେଡ଼ି ଦିଲ୍ଲୀ ସେବା ବିଲ୍ ପାରିତ କରାଇବାରେ ସରକାରଙ୍କୁ ସମର୍ଥନ ଦେବା ସହ ଲୋସଭାରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ଆଣି ଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରି ସରକାରୀ ଦଳର ବିଜୟକୁ ସୁଗମ କରିବା ପଛରେ ଓଡ଼ିଶାର ସ୍ୱାର୍ଥ ଯାହା ଥାଉନା କାହିଁକି ଜାତୀୟ ରାଜନୀତିରେ ବିଜେଡ଼ି ବିଜେପି ସହ ରହି ଥିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ୧୪ ବର୍ଷ ପରେ ଦୁଇ ଦଳ ମଧ୍ୟରେ ପୁନଃ ବୁଝାମଣାର ବାତାବରଣ ସୃଷ୍ଟି ହୋଇଥିବା ଆଲୋଚନା ହେଉଥିବା ବେଳେ ୨୦୨୪ ନିର୍ବାଚନରେ ସେମାନେ ମେଂଟରେ ନିର୍ବାଚନ ଲଢିବା ସମ୍ଭାବନାକୁ ନେଇ ମଧ୍ୟ ବିତର୍କ ଚାଲିଥିବା ଦେଖିବାକୁ ମିଳୁଛି । ଉଭୟ ବିଜେଡ଼ି ଓ ବିଜେପି ନେତୃବର୍ଗ ଏଭଳି ଏକ ସମ୍ଭାବନାକୁ ଅସ୍ୱୀକାର କରୁଛନ୍ତି । ତଥାପି, ଚର୍ଚ୍ଚା ଥମିବା ନାଁ ନେଉ ନାହିଁ । ଓଡ଼ିଶାରେ ଆଗୁଆ ନିର୍ବାଚନ ହେଉ ବା ନିର୍ଦ୍ଧାରିତ ସମୟରେ, ବିଜେଡ଼ି-ବିଜେପି ସଂପର୍କକୁ ନେଇ ରାଜ୍ୟବାସୀଙ୍କ ମନରେ ଯେଉଁ ଧାରଣା ସୃଷ୍ଟି ହୋଇଛି ତାହା ଏବେ ବଦଳିଲା ଭଳି ଲାଗୁ ନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏଭଳି ସମ୍ଭାବନାକୁ ବଳ ଦେଇଛି ବିଜେଡ଼ିର କଂଗ୍ରେସ ବିରୋଧୀ ଆଭିମୁଖ୍ୟ । ଏଥିରେ କିଛି ସନ୍ଦେହ ନାହିଁ ଯେ, ବିଜେଡ଼ି କଂଗ୍ରେସ ବିରୋଧୀ ରାଜନୀତିରୁ ଓଡ଼ିଶାରେ ତାହାର ସ୍ଥିତି ସୁଦୃଢ କରିଛି । ୨୦୦୦ ବିଧାନସଭା ନିର୍ବାଚନରେ ବିଜେଡ଼ି-ବିଜେପି ମେଂଟ କଂଗ୍ରେସକୁ ପରାଜିତ କରି ରାଜ୍ୟରେ କ୍ଷମତାକୁ ଆସିଥିଲେ । ୨୦୦୯ ପର୍ଯ୍ୟନ୍ତ ଦୁଇ ଦଳ ମେଂଟରେ ରାଜ୍ୟ ଶାସନ କରିଥିଲେ । ତେବେ, ୨୦୦୯ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେଡ଼ି ବିଜେପି ସହ ସଂପର୍କ ତୁଟାଇ ଏକାକୀ ନିର୍ବାଚନ ଲଢିଲା ଏବଂ ଆଜି ପର୍ଯ୍ୟନ୍ତ ରାଜ୍ୟରେ କ୍ଷମତାରେ ରହିଛି । କେନ୍ଦ୍ରରେ କଂଗ୍ରେସ ନେତୃତ୍ୱରେ ୟୁପିଏ ସରକାର ଥିବା ସମୟରେ କେନ୍ଦ୍ର ମନ୍ତ୍ରୀମାନେ ଓଡ଼ିଶା ଗସ୍ତରେ ଆସିଲେ ବିଜେଡ଼ି ନେତୃତ୍ୱ ଓ ସରକାରଙ୍କୁ ପ୍ରଶଂସା କରିବାକୁ ପଛାଉ ନଥିଲେ । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନଡିଏ ସରକାର ପ୍ରତିଷ୍ଠା ହେବା ପରେ ମଧ୍ୟ ସେହି ଧାରା ଅବ୍ୟାହତ ରହିଛି । ବିଜେଡ଼ି ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତା କଥା କହି ଆସୁଥିବା ବେଳେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ସହ ସୁସଂପର୍କରେ ରହି ରାଜ୍ୟରେ କ୍ଷମତା ଭୋଗ କରୁଥିବା କିଛି ଅଛପା କଥା ନୁହେଁ । ନିର୍ବାଚନ ସମୟରେ ବିଜେପିର ରାଷ୍ଟ୍ରୀୟ ନେତାମାନେ ଓଡ଼ିଶା ସରକାରଙ୍କୁ ପୋଡା ଟ୍ରାନ୍ସଫର୍ମର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରକୁ ଏକ ‘ଅପାରଗ ସରକାର’ ସରକାର ବୋଲି ସମାଲୋଚନା କରି ବିଜେଡ଼ି ବିରୋଧୀ ପ୍ରଚାରକୁ ଶାଣିତ କରିଥିଲେ ମଧ୍ୟ ନିର୍ବାଚନ ସରିବା ପରେ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି । ବିଜେଡ଼ି ମଧ୍ୟ ସବୁ ସମାଲୋଚନା ସତ୍ତ୍ୱେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଅକୁଣ୍ଠ ସମର୍ଥନ ଦେଇଆସୁଛି । କଥା ପଡିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦଳର ନେତାମାନେ କଂଗ୍ରେସ ଓ ବିଜେପି ସହ ସମଦୂରତା କଥା କହି ଓଡ଼ିଶାବାସୀଙ୍କୁ ନିଜର ସ୍ୱଚ୍ଛ ରାଜନୀତି କଥା କହୁଥିଲେ ମଧ୍ୟ ବାସ୍ତବରେ ୨୦୧୪ ପରେ କେନ୍ଦ୍ର ସରକାର ସଂସଦରେ ଆଣିଥିବା ପ୍ରାୟ ସବୁ ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାରିତ କରାଇବାରେ ସରକାରଙ୍କୁ ସାହାଯ୍ୟ କରିଆସିଛନ୍ତି । ନିକଟରେ ସଂସଦର ଉଭୟ ଗୃହରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଥିବା ଦିଲ୍ଲୀ ସେବା ବିଲ୍ ଏହାର ଜ୍ୱଳନ୍ତ ଉଦାହରଣ । ଏହି ବିଲ୍ ପାରିତ ହେଲେ ଦିଲ୍ଲୀ ସରକାରଙ୍କ ପକ୍ଷଛେଦନ ହେଉଥିବା ଜାଣି ମଧ୍ୟ ବିଜେଡ଼ି କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଲା । ଗଲା ତିନି ମାସ ହେଲା ଜାତିଆଣ ହିଂସାକୁ ନେଇ ମଣିପୁରର ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ସ୍ପର୍ଶକାତର ଥିବା ସମଗ୍ର ଦେଶ ଜାଣେ । ବିରୋଧୀ ସଂସଦରେ ଏହି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ଓ ପ୍ରଧାନମନ୍ତ୍ରୀଙ୍କ ବୟାନ ଚାହୁଁଥିଲେ । ପ୍ରଧାନମନ୍ତ୍ରୀ ହିଂସାର ୯୦ ଦିନ ପରେ ମଧ୍ୟ ମଣିପୁର ଗସ୍ତ ନ କରିବା ଏବଂ ମଣିପୁର ପରିସ୍ଥିତି ଉପରେ କୌଣସି ବିବୃତି ନଦେଇ ମୌନବ୍ରତ ରଖିବା ସରକାରଙ୍କୁ ଘେରିବା ସକାଶେ ବିରୋଧୀଙ୍କ ପାଇଁ ବଡ ଅସ୍ତ୍ର ହୋଇଥିଲା । ୨୬ ବିରୋଧୀ ଦଳର ମେଂଟ ପ୍ରଧାନମନ୍ତ୍ରୀଙ୍କୁ ସଂସଦରେ ଉପସ୍ଥିତ ହୋଇ ମଣିପୁର ଉପରେ ବୟାନ ରଖିବାକୁ ବାଧ୍ୟ କରିବା ସକାଶେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବାଧ୍ୟ ହୋଇଥିଲେ । ଯେହେତୁ ବିଜେଡ଼ି ଏକ ଆଂଚଳିକ ରାଜନୈତିକ ଦଳ ଏବଂ ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ବଜାୟ ରଖିଥିବା ଦାବି କରି ଆସୁଛି ମଣିପୁରବାସୀଙ୍କୁ ନ୍ୟାୟ ଦେବା ସକାଶେ ଅନ୍ତତଃ ବିରୋଧୀଙ୍କ ସହ ଠିଆ ହେବ ବୋଲି ଉଭୟ ବିରୋଧୀ ମେଂଟ ଓ ରାଜ୍ୟର ଅଧିକାଂଶ ଜନତା ଆଶା କରୁଥିଲେ । କିନ୍ତୁ, କେନ୍ଦ୍ର ସରକାରଙ୍କ ବିରୋଧରେ ଲୋକସଭାରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ଦଳ ବିରୋଧ କରିବ ବୋଲି ବିଜେଡ଼ି ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ନିଷ୍ପତ୍ତି ବିଜେପିର ଏକଛତ୍ର ରାଜନୀତିକୁ ସମର୍ଥନ କରିପାରୁନଥିବା ଜନତାକୁ ନିରାଶ କରିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୋଟିଏ ଫୋନ କଲ୍ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନିଭୃତ ଆଲୋଚନା ପରେ ଦିଲ୍ଲୀ ସେବା ବିଲ୍ କୁ ବିଜେଡ଼ି ସଂସଦରେ ସମର୍ଥନ ଦେବା ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଲୋକସଭାରେ ବିରୋଧ କରିବା ଦୁଇ ଦଳ ମଧ୍ୟରେ ଥିବା ବୁଝାମଣାକୁ ଅଧିକ ସ୍ପଷ୍ଟ କରିଛି । ସଂସଦରେ ଉଭୟ ପ୍ରସଙ୍ଗକୁ ନେଇ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ବିଜେଡ଼ି ସାଂସଦ ପିନାକୀ ମିଶ୍ର ଦଳ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ନୀତି ବଜାୟ ରଖିଥିବା ଦୋହରାଇଛନ୍ତି । ସଂଘୀୟ ବ୍ୟବସ୍ଥାରେ ନିର୍ବାଚନ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସଂପର୍କର ପରିଭାଷାକୁ ବ୍ୟାଖ୍ୟା କରିବା ସହ ବିଜେଡ଼ି ନେତୃତ୍ୱର ନିଷ୍ପତ୍ତି ଯେ ଠିକ୍, ତାହା ସାବ୍ୟସ୍ତ କରିବାକୁ ଉଦ୍ୟମ କରିଛନ୍ତି । ତେବେ, ବିଜେଡ଼ିର ଯୁକ୍ତିକୁ ଅନେକ ରାଜନୈତିକ ସଚେନତ ନାଗରିକ ଗ୍ରହଣ କରିପାରୁ ନାହାନ୍ତି । ଆଗାମୀ ନିର୍ବାଚନରେ ବିଜେଡ଼ି ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ବଜାୟ ରଖି ଏକାକୀ ନିର୍ବାଚନ ଲଢିବ, ମେଂଟର ପ୍ରଶ୍ନ ଉଠୁନାହିଁ ବୋଲି ଏଇ କିଛି ଦିନ ହେଲା ବିଜେଡ଼ି ମୁଖପାତ୍ରମାନେ ବୟାନବାଜୀ କରୁଛନ୍ତି । ଓଡ଼ିଶା ଗସ୍ତରେ ଆସୁଥିବା ବିଜେପିର କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ଗଣମାଧ୍ୟମରେ ସମାନ ବୟାନ ଦେଉଛନ୍ତି । ତେବେ, ଏଭଳି ରାଜନୈତିକ ନିଷ୍ପତ୍ତି ନେବାର କ୍ଷମତା ବିଜେଡ଼ି ମୁଖପାତ୍ର ବା ବିଜେପି କେନ୍ଦ୍ର ମନ୍ତ୍ରୀଙ୍କ କ୍ଷମତା ପରିସରଭୁକ୍ତ ନୁହେଁ । ବିଜେଡ଼ି ସୁପ୍ରିମୋ ଓ ବିଜେପି ସର୍ବୋଚ୍ଚ ନେତୃତ୍ୱସ୍ତରରେ ହିଁ ସେସବୁ ନିଷ୍ପତ୍ତି ହୋଇଥାଏ । ତେଣୁ, କେତେବେଳେ ଯେ କି ନିଷ୍ପତ୍ତି ହେବ, ତାହା ତଳିଆ ନେତା ଆଗୁଆ ଜାଣିବେ ବା କେମିତି ? ରାଜ୍ୟରେ ନହେଲେ ବି ଜାତୀୟସ୍ତରରେ ବିଜେପି-ବିଜେଡି ସଂପର୍କ ମଧୁର ରହିଛି । ତେଣୁ, ରାଜ୍ୟରେ ମେଂଟ ହେଉ, ନହେଉ ରାଜନୀତିରେ କିଛି ଫରକ ପଡିବ ନାହିଁ ବୋଲି ରାଜନୈତିକ ବିଶ୍ଲେଷକମାନେ ବିଶ୍ୱାସ କରୁଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS