ମଣିପୁରରୁ ଆରମ୍ଭ, ଚବିଶିରେ ଶେଷ..!
ପ୍ରସାଦ ରାଓ
ନୂଆଦିଲ୍ଲୀ/ଅଗଷ୍ଟ ୧୫
ଆଜି ୭୭ତମ ସ୍ୱାଧୀନତା ଦିବସ ଅବସରରେ ମଧ୍ୟ ଶାସକ ଓ ବିରୋଧୀ ପରସ୍ପରକୁ ଆକ୍ଷେପ କରିବା ୨୦୨୪ ସାଧାରଣ ନିର୍ବାଚନ କେତେ ଆକ୍ରମଣାତ୍ମକ ହେବାକୁ ଯାଉଛି ତାହାର ସୂଚନା ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀ ଚାହିଁଲେ ୨୦୨୪ ସ୍ୱାଧୀନତା ଦିବସରେ ମଧ୍ୟ ସେ ଏଠାରେ ଜାତୀୟ ପତାକା ଉତ୍ତୋଳନ କରିବେ ବୋଲି କହିଥିବା ବେଳେ ବିରୋଧୀଙ୍କ ପ୍ରତିକ୍ରିୟା ହେଉଛି, ଆଜିର ପତାକା ଉତ୍ତୋଳନ ହେଉଛି ମୋଦୀଙ୍କ ପାଇଁ ଶେଷ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ । ୨୦୨୪ରେ ପତାକା ଉତ୍ତୋଳନ ପାଇଁ ସେ କ୍ଷମତାରେ ନଥିବେ ।
ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲା ଭାଷଣ ମଣିପୁରରୁ ଆରମ୍ଭ କରି ଚବିଶି ନିର୍ବାଚନରେ ଶେଷ କରିଥିଲେ । ଆଜି ମୋଦୀଙ୍କ ମୁହଁରୁ ‘ମିତ୍ରୋ’ ସମ୍ବାଧନ ବଦଳରେ ଦେଶବାସୀଙ୍କୁ ‘ପରିବାରଜନ’ କହି ସମ୍ବୋଧିତ କରିବା ଶୁଣିବାକୁ ମିଳିଥିଲା । ମଣିପୁର ପ୍ରସଙ୍ଗରେ ସେ କହିଥିଲେ, ‘ଗତ କିଛି ସପ୍ତାହ ଧରି ମଣିପୁର ବ୍ୟାପକ ହିଂସା ଦେଖିଛି । ହିଂସାରେ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି । ଆମ ମା’ ଭଉଣୀଙ୍କୁ ଅସମ୍ମାନ କରାଯାଇଛି । ତେବେ, ଅଂଚଳରେ ଧୀରେ ଧୀରେ ଶାନ୍ତି ଫେରୁଛି । ମଣିପୁର ସହ ସମଗ୍ର ଦେଶ ରହିଛି’ । ସରକାର ଯାହା ଘୋଷଣା କରନ୍ତି, ତାହା କାର୍ଯ୍ୟକାରୀ କରନ୍ତି । ଏହା ହେଉଛି ତାଙ୍କ ସରକାରଙ୍କ ଟ୍ରାକ୍ ରେକର୍ଡ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଆସନ୍ତା ପାଂଚ ବର୍ଷରେ ଦେଶ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବାକୁ ଯାଉଛି ବୋଲି ଘୋଷଣା କରିଥିଲେ । ଡେମୋଗ୍ରାଫି, ଡେମୋକ୍ରେସୀ ଓ ଡାଇଭରସିଟି ମିଳିତ ଭାବେ ଦେଶର ସମସ୍ତ ସ୍ୱପ୍ନକୁ ସାକାର କରିବାକୁ ସକ୍ଷମ ବୋଲି ସେ କହିଥିଲେ । ସବୁ କ୍ଷେତ୍ରରେ ସରକାରଙ୍କ ସଫଳତା କଥା କହିବାକୁ ଯାଇ ମୋଦୀ କହିଲେ, ତାଙ୍କ ସରକାର ଦେଶରୁ ଦାରିଦ୍ର୍ୟ ଦୂର କରିବାରେ ସଫଳ ହୋଇଛନ୍ତି । ଗତ ପାଂଚ ବର୍ଷ ମଧ୍ୟରେ ୧୩.୫ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି । ୨୦୪୭ରେ ଭାରତ ଶହେତମ ସ୍ୱାଧୀନତା ଦିବସ ପାଳନ କରିବା ବେଳକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇଥିବ ।
ଆଜି ଥିଲା ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦଶମ ସ୍ୱାଧୀନତା ସମାରୋହ ଭାଷଣ । ୯୦ ମିନିଟ ଭାଷଣରେ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ୧୫ଟି ମୂଳମନ୍ତ୍ର ଘୋଣୋ କରିଛନ୍ତି । ୨୦୪୭ ବେଳକୁ ଦେଶ ବିକଶିତ ରାଷ୍ଟ୍ରରେ ପରିଣତ ହେବା ସେଥିରୁ ଅନ୍ୟତମ । ଏହି ଲକ୍ଷ୍ୟ ହାସଲ ପାଇଁ ଆସନ୍ତା ପାଂଚ ବର୍ଷ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ମିଶନ ୨୦୪୭, ଡେମୋଗ୍ରାଫି, ଡେମୋକ୍ରେସୀ ଓ ଡାଇଭରସିଟି, ସରକାରଙ୍କ ସମସ୍ତ ନିଷ୍ପତ୍ତିରେ ଦେଶକୁ ପ୍ରାଥମିକତା (ନେସନ୍ ଫାଷ୍ଟ୍), ଦେଶ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ଦୁର୍ନୀତି, ବଂଶବାଦ ଓ ତୃଷ୍ଟୀକରଣର ମୂଳୋତ୍ପାଟନ, ମହିଳା ସଶକ୍ତୀକରଣ (ଦୁଇ କୋଟି ମହିଳାଙ୍କୁ ଲକ୍ଷପତି କରିବା), ନୀତିକୁ ସୁତୁରା ରଖିବା ସହ ଉଦ୍ଦେଶ୍ୟକୁ ମଧ୍ୟ ପାରଦର୍ଶୀ ରଖିବା, ଆଂଚଳିକ ଭାଷାରେ ଉଚ୍ଚଶିକ୍ଷା, ସହଯୋଗରୁ ସମଭାଗିତା ପ୍ରଭୃତି ଏଥିରେ ସ୍ଥାନ ପାଇଛି । କେନ୍ଦ୍ର ସରକାର ଆସନ୍ତା ମାସରୁ ଦେଶରେ ‘ବିଶ୍ୱକର୍ମା ଯୋଜନା’ କାର୍ଯ୍ୟକାରୀ କରିବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ସେ କହିଛନ୍ତି, ଭଣ୍ଡାରୀ, ସୁନାରୀ, ଧୋବାଙ୍କ ଭଳି ପାରଂପରିକ ପେଶାରେ ଥିବା ଲୋକଙ୍କ ଦକ୍ଷତା ବଢାଇବା ସକାଶେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଏହି ସ୍କିମ୍ ପାଇଁ ଅନ୍ୟୁନ ୧୩ ହଜାର କୋଟି ଟଙ୍କା ବ୍ୟୟବରାଦ ହେଉଛି ।
କୋଭିଡ଼ ମହାମାରୀ ସମୟରେ ଭାରତ କେବଳ ନିଜ କଥା ନ ଭାବି ଅନ୍ୟ ରାଷ୍ଟ୍ରଙ୍କୁ ସହାୟତାର ହାତ ବଢାଇଥିଲା । କୋଭିଡ଼ ପରେ ଦେଶ ‘ଗୋଟିଏ ବିଶ୍ୱ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ର ବାର୍ତ୍ତା ସହ ବିଶ୍ୱ ଦରବାରକୁ ଯାଇଛି । ୧୪୦ କୋଟି ଭାରତୀୟ ୨୦୧୪ରେ ତାଙ୍କ ସରକାରକୁ କ୍ଷମତାକୁ ଆଣି ଥିଲେ । ୨୦୧୯ରେ ତାଙ୍କ ପ୍ରତି ଏକାଭଳି ଭରସା ଦେଖାଇ ଥିଲେ । ଦେଶବାସୀ ଚାହିଁଲେ ସେ ୨୦୨୪ରେ ମଧ୍ୟ କ୍ଷମତାକୁ ଫେରିବେ ଏବଂ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ଆଜି ତାଙ୍କ ଭାଷଣରେ ଦେଶର ବିଚାର ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାୟ ଆଂଚଳିକା ଭାଷାରେ ଅନୁବାଦ ହୋଇ ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେଉଥିବା ପ୍ରଶଂସନୀୟ ବୋଲି ସେ କହିଛନ୍ତି । ସ୍ୱାଧୀନତା ଦିବସ ସମାରୋହରେ ଅତି ଗୁରୁତ୍ୱପୂର୍ଣ୍ଣ ଅତିଥିଙ୍କ ଗହଣରେ ଥିବା ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଶୁଣି ହାତ ଯୋଡି ତାହାକୁ ସ୍ୱାଗତ କରିଥିଲେ ।
ତେବେ, ବିରୋଧୀ ପ୍ରଧାନମନ୍ତ୍ରୀଙ୍କ ଆଜିର ଲାଲକିଲ୍ଲା ଭାଷଣକୁ ସହଜରେ ହଜମ କରିପାରୁନଥିବା ସେମାନଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ହେଉଛି । ୨୦୨୪ରେ କ୍ଷମତାକୁ ଫେରିବେ ଓ ସ୍ୱାଧୀନତା ଦିବସ ସମାରୋହରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଆଜି ଲାଲକିଲ୍ଲାରୁ ଯାହା କହିଛନ୍ତି ତାହା ବିଜେପି ନେତାଙ୍କ ‘ଅହଂକାର’କୁ ଦର୍ଶାଉଛି ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଥିବା ବେଳେ ‘ମୋଦୀଙ୍କ ଭାଷଣ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏକ ନିର୍ବାଚନୀ ଭାଷଣ’ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ୨୦୨୪ରେ କ୍ଷମତାକୁ ଫେରିବେ ଓ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ପୁନଃ ଜାତୀୟ ପତାକା ଉତ୍ତୋଳନ କରିବେ ବୋଲି ଯାହା କହୁଛନ୍ତି ତାହା ସମ୍ଭବ କି (?) ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ପ୍ରଶ୍ନ କରିବାରୁ ତାଙ୍କ ଉତ୍ତର ହେଉଛି ‘ନା’ । ‘ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କ ଏହା ଶେଷ ଭାଷଣ, ୨୦୨୪ ସ୍ୱାଧୀନତା ଦିବସ ବେଳକୁ ଆମେ କ୍ଷମତାକୁ ଫେରି ଥିବୁ’ ବୋଲି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ।
କଂଗ୍ରେସ ନେତା ସଲମନ ଖୁର୍ସିଦ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଭାଣେ ପାଇଁ କଟୁ ସମାଲୋଚନା କରିଛନ୍ତି । ଜଣେ ଜାତୀୟ ନେତା ବା ପ୍ରଧାନମନ୍ତ୍ରୀ ଦେଶରେ ପାଳନ କରାଯାଉଥିବା ଏକ ଜାତୀୟ ଦିବସ ଓ ଏକ ରାଜନୈତିକ ସଭା ମଧ୍ୟରେ ଥିବା ଫରକ ଜାଣୁନଥିବା ପରିତାପର ବିଷୟ ବୋଲି ଖୁର୍ସିଦ କହିଛନ୍ତି । ଆମ୍ ଆଦମୀ ପାର୍ଟି (ଆପ୍) ନେତା ସୌରଭ ଭରଦ୍ୱଜ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଜିର ଭାଷଣକୁ ‘ବିଦାୟକାଳୀନ ଭାଷଣ’ ବା ‘ଫେରୁୱେଲ୍ ସ୍ପିଚ୍’ ବୋଲି ସମାଲୋଚନା କରିଥିବା ବେଳେ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ (ଆରଜେଡ଼ି) କହିଛନ୍ତି, ଆଜି ଦିନରେ ପ୍ରଧାନମନ୍ତ୍ରୀ ଦେଶରେ ବେକାରଙ୍କ କର୍ମ ନିଯୁକ୍ତି ସୁଯୋଗ, ଷ୍ଟାର୍ଟଅପ୍ ଇଣ୍ଡିଆ, ମେକ୍-ଇନ୍-ଇଣ୍ଡିଆ, ଚାଷୀଙ୍କ ଆୟ କିଭଳି ଦ୍ୱିଗୁଣିତ ହେବ କହିବେ ବୋଲି ଜନତା ଆଶା କରୁଥିଲେ । ପ୍ରଧାନମନ୍ତ୍ରୀ ସର୍ବଦା ଦୁର୍ନୀତିର ମୂଳୋତ୍ପାଟନ କଥା କହୁଛନ୍ତି । ତେବେ, ଦେଶର ସମ୍ବିଧାନ ଓ ଗଣତନ୍ତ୍ର କିଭଳି ବିପଦଗ୍ରସ୍ତ ରହିଛି ଏବଂ ମୁଦ୍ରାସ୍ଫୀତି ଓ ବେକାରୀ କିଭଳି ବଢି ଚାଲିଛି ତାହା ଦେଶବାସୀ ଦେଖୁଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଧୀନତା ଦିବସ ସମାରୋହରେ ମଧ୍ୟ ବିରୋଧୀଙ୍କୁ ସମାଲୋଚନା କରୁଛନ୍ତି । ସେ ଏପରି ଯଦି କରି ଚାଲିବେ ତେବେ କିଭଳି ଭାରତ ସେ ତିଆରି କରିବାକୁ ଚାହୁଁଛନ୍ତି ବୋଲି କଂଗ୍ରେସ ନେତା ଖାର୍ଗେ ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ନଅ ବର୍ଷର ଶାସନକୁ ନେଇ ନିଜ ପିଠି ଥାପୁଡେଇବା ଓ ବିରୋଧୀ ମୋଦୀଙ୍କ ଭାଷଣକୁ ‘ଅହଂକାର’ର ପ୍ରତିଫଳନ ବୋଲି ସମାଲୋଚନା କରିବା ମଧ୍ୟରେ ଆଜି ୭୭ତମ ସ୍ୱାଧୀନତା ଦିବସର ସମାପନ ହୋଇଛି ସିନା ଉଭୟ ପକ୍ଷ ମଧ୍ୟରେ ଆଗକୁ ଆହୁରି ଲଢେଇ ବାକି ଅଛି । ୨୦୨୪ ନିର୍ବାଚନ ସରିବା ପରେ ହିଁ ଏହି ବାକ୍ ଯୁଦ୍ଧର ପରିସମାପ୍ତି ଘଟିବ, ଏଥିରେ କିଛି ସନ୍ଦେହ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS