ପ୍ରଧାନମନ୍ତ୍ରୀଙ୍କ ସମାଲୋଚନାର କଡା ଜବାବ ଦେଲେ କଂଗ୍ରେସ ସଭାପତି ଖାର୍ଗେ


ପ୍ରସାଦ ରାଓ
ନୂଆଦିଲ୍ଲୀ/ଅଗଷ୍ଟ ୧୬
୭୭ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ କିଲ୍ଲା (ରେଡ ଫୋର୍ଟ)ରୁ ଭାଷଣ ଦେଇ ବିରୋଧୀଙ୍କୁ, ବିଶେଷକରି କଂଗ୍ରେସ ଦଳକୁ କଡା ସମାଲୋଚନା କରିଥିଲେ । ଗତ ୭୫ବର୍ଷ ଧରି କିଛି ରାଜନୈତିକ ଦଳଙ୍କ ବଂଶବାଦ ଶାସନ କାରଣରୁ ଦେଶର ବ୍ୟବସ୍ଥାରେ ବ୍ୟବସ୍ଥାରେ ତୃଟି ସବୁ ରହିଥିଲା । ସେମାନଙ୍କ ନୀତି ଥିଲା ‘ଦଳ ପରିବାରର, ପରିବାର ପାଇଁ ଓ ପରିବାର ଦ୍ୱାରା’ । ତେଣୁ, ଦେଶ ସମ୍ମୁଖରେ ଯେଉଁ ସମସ୍ୟା ସବୁ ରହିଛି ସେସବୁ ଦୂର କରିବା ସକାଶେ ଦେଶରୁ ଦୁର୍ନୀତି, ପରିବାରବାଦ ଓ ତୁଷ୍ଟିକରଣର ମୂଳୋତ୍ପାଟନ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । କଂଗ୍ରେସ ନେତୃତ୍ୱରେ ଦଶ ବର୍ଷ ଶାସନରେ ଥିବା ୟୁପିଏ ସରାରରେ ଯେଉଁ ଦୁର୍ନୀତିର ଛାପା ଲାଗିଛି ତାହାକୁ ଲିଭାଇବା ପାଇଁ ଏବେ ବିରୋଧୀ ମେଂଟର ନାମ ଆଇଏନଡିଆଇଏ ବା ‘ଇଣ୍ଡିଆ’ ରଖାଯାଇଛି ବୋଲି ସେ କହିଥିଲେ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଗତକାଲି କଂଗ୍ରେସ କାର୍ଯ୍ୟାଳୟରୁ ଏହାର କଡା ଜବାବ ଦେଇଛନ୍ତି । ମୋଦୀ ସରକାର ପ୍ରଥମେ ‘ଅଚ୍ଛେ ଦିନ’ କଥା କହିଲେ । ପରେ, ‘ଦି ନ୍ୟୁ ଇଣ୍ଡିଆ’ ଏବଂ ଏବେ ‘ଅମୃତ କାଲ୍’ କଥା କହୁଛନ୍ତି । ନିଜର ବିଫଳତାକୁ ଘୋଡାଇବା ପାଇଁ କଣ ସେମାନେ ଏଭଳି ନାମ ପରିବର୍ତ୍ତନ କରିଛନ୍ତି (?) ବୋଲି ଖାର୍ଗେ ପ୍ରଶ୍ନ କରିଛନ୍ତି ।
ଗତକାଲି ଦିଲ୍ଲୀ ଲାଲ କିଲ୍ଲାରେ ଆୟୋଜିତ ୭୭ତମ ସ୍ୱାଧୀନତା ଦିବସ ଜାତୀୟ ସମାରୋହରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅନୁପସ୍ଥିତ ଥିଲେ । ଲାଲ କିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ଉଦ୍ଦେଶ୍ୟରେ ଭାଷଣ ଦେବା ସମୟରେ ଭିଭିଆଇପି ଗ୍ୟାଲେରୀ ଯେଉଁ ସବୁ ଆସନ ଖାଲି ଥିଲା ସେଥିରେ କଂଗ୍ରେସ ସଭାପତି ଖାର୍ଗେଙ୍କ ନାମ ଲେଖା ଥିବା ଆସନ ମଧ୍ୟ ରହିଥିଲା । ଖାର୍ଗେଙ୍କ ଅନୁପସ୍ଥିତି ଜାତୀୟ ଗଣମାଧ୍ୟମରେ ଚର୍ଚାର ବଷୟ ଥିବା ସମୟରେ ଆଖିରେ ସମସ୍ୟା କାରଣରୁ ସେ ଏହି ଜାତୀୟ ସମାରୋହରେ ଯୋଗ ଦେଇନଥିବା ଖାର୍ଗେ କହିଥିଲେ । ତେବେ, ସେ ସ୍ୱାଧୀନତା ଦିବସ ସମାରୋହ ଉଦ୍ଦେଶରେ ଏକ ରେକର୍ଡ ହୋଇଥିବା ବାର୍ତ୍ତା ପଠାଇ ଦେଶ ପାଇଁ ପୂର୍ବ ପ୍ରଧାନମନ୍ତ୍ରୀମାନଙ୍କ ରହିଥିବା ଅବଦାନ ସଂପର୍କରେ ସୂଚିତ କରିଥିଲେ । ବିରୋଧୀଙ୍କୁ ସମାଲୋଚନା କରିବା ଆଜିର ସରକାରଙ୍କ ପ୍ରମୁଖ କାର୍ଯ୍ୟ ବୋଲି ଖାର୍ଗେ ତାଙ୍କ ବାର୍ତ୍ତାରେ ସମାଲୋଚନା କରିଛନ୍ତି । କଂଗ୍ରେସ ସଭାପତି ଖାର୍ଗେ ଲାଲ କିଲ୍ଲା ସଭାକୁ ଯାଇନଥିଲେ ମଧ୍ୟ ଗତକାଲି ଦିଲ୍ଲୀସ୍ଥିତ କଂଗ୍ରେସ କାର୍ଯ୍ୟାଳୟକୁ ଯାଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।
ଖାର୍ଗେ କଂଗ୍ରସ କାର୍ଯ୍ୟାଳୟରେ ଦେଇଥିବା ଭାଷଣରେ ମୋଦୀ ସରକାରଙ୍କ କଡା ସମାଲୋଚନା କରିଛନ୍ତି । ଯାହାକି କଂଗ୍ରେସ ଦଳକୁ ମଧ୍ୟ ଆଚମ୍ବିତ କରିଛି । କାରଣ, ଗଲା କିଛି ଦଶକ ମଧ୍ୟରେ ସ୍ୱାଧୀନତା ଦିବସ ପାଳନ ଅବସରରେ କଂଗ୍ରେସ ସଭାପତି ଦଳୀୟ କାର୍ଯ୍ୟାଳୟକୁ ଯାଇ ପତାକା ଉତ୍ତୋଳନ କରିବା ଥିଲା ଏହା ପ୍ରଥମ । ଏଡାଛଡା, ସ୍ୱାଧୀନତା ଦିବସ ଅବସରରେ କଂଗ୍ରେସ ସଭାପତି ସରକାରଙ୍କୁ ସମାଲୋଚନା କରିବା ମଧ୍ୟ ଥିଲା ପ୍ରଥମ । କଂଗ୍ରେସ ଦଳରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ୱାଧୀନତା ଦିବସ ପାଳନ ଅବସରରେ କାହାରିକୁ ସମାଲୋଚନା କରିବା ବା ରାଜେନୈତିକ ଆକ୍ରମଣ କରିବା ଠାରୁ କଂଗ୍ରେସ ସର୍ବଦା ଦୂରେଇ ରହିଛି । ଖାର୍ଗେ ଗତକାଲି ଏହି ପରଂପରା ଭଂଗ କରିଥିବା କୁହାଯାଉଛି । କଂଗ୍ରେସ ସଭାପତି ଖାର୍ଗେ ଗତକାଲି ଦଳୀୟ କାର୍ଯ୍ୟାଳୟରେ ଭାଷଣ ଦେବା ଅବସରରେ ସ୍ପଷ୍ଟ କରିଥିଲେ ଯେ, ଆଖିରେ ସମସ୍ୟା କାରଣରୁ ସେ ଲାଲ କିଲ୍ଲା ଜାତୀୟ ସମାରୋହକୁ ଯାଇ ନାହାନ୍ତି । ନିଜ ଘରେ ପତାକା ଉତ୍ତୋଳନ କରିବା ପରେ ଦଳୀୟ କାର୍ଯ୍ୟାଳୟକୁ ଆସି ପତାକା ଉତ୍ତୋଳନ କରିଛନ୍ତି ।
ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲ କିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି । ଏହାଛଡା, କେନ୍ଦ୍ର ଗୃହ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ ଲୋକସଭା ବାଚସ୍ପତି ସଭାସ୍ଥଳ ନଛାଡିବା ଯାଏଁ ଅନ୍ୟ କାହାକୁ ବାହାରିବା ଅନୁମତି ନଥାଏ । ତେଣୁ, ସେ ଏହି ସଭାରେ ଯୋଗଦେବା ସମ୍ଭବ ନଥିଲା ବୋଲି ଖାର୍ଗେ କହିଛନ୍ତି । ସେ ତାଙ୍କ ରେକର୍ଡ ହୋଇଥିବା ବାର୍ତ୍ତାରେ ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜାତିର ପିତା ମହାତ୍ମା ଗାନ୍ଧୀ, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ, ସର୍ଦ୍ଦାର ବଲ୍ଳଭଭାଇ ପଟେଲ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ରାଜେନ୍ଦ୍ର ପ୍ରସାଦ, ସରୋଜିନୀ ନାଇଡୁ ଓ ବିଆର ଆମ୍ବେଦକରଙ୍କୁ ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ସ୍ୱାଧୀନତା ପରେ ଦେଶ ଗଠନରେ ପୂର୍ବ ପ୍ରଧାନମନ୍ତ୍ରୀମାନଙ୍କ ଥିବା ଅବଦାନ ସଂପର୍କରେ ବିସ୍ତୃତ ଭାବେ କହିଛନ୍ତି । ଖାର୍ଗେ ପଣ୍ଡିତ ନେହେରୁଙ୍କ ସହ କଂଗ୍ରେସ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ପି.ଭି.ନରସିଂହ ରାଓ ଓ ଡକ୍ଟର ମନମୋହନ ସିଂହଙ୍କ ନାମ ନେଇଥିଲେ ମଧ୍ୟ ବିଜେପିର କିମ୍ବଦନ୍ତୀ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଉପକ୍ଷୋ କରି ନାହାନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରିବାକୁ ଯାଇ ଖାର୍ଗେ କହିଛନ୍ତି, ସ୍ୱାଧୀନତା ପରେ ଦେଶ ଗଠନରେ ସବୁ ପ୍ରଧାନମନ୍ତ୍ରୀଙ୍କ ଅବଦାନ ଥିବା ବେଳେ ଆଜି କିଛି ଲୋକ କହୁଛନ୍ତି ଏଇ କିଛି ବର୍ଷ ହେଲା ଦେଶର ଯାହା କିଛି ବିକାଶ ହୋଇଛି । ଆଜିର ଦିନରେ ଦେଶର ଗଣତନ୍ତ୍ର, ସମ୍ବିଧାନ ଏବଂ ସ୍ୱୟଂଶାସିତ ସଂସ୍ଥାଗୁଡିକ ବିପନ୍ନ ଅବସ୍ଥାରେ ଥିବା ପୀଡାଦାୟକ । ବିରୋଧୀଙ୍କ ସ୍ୱରକୁ ଦବାଇ ଦେବାକୁ କେବଳ ସିବିଆଇ, ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ଓ ଆୟକର ବିଭାଗକୁ ବ୍ୟବହାର କରାଯାଉନାହିଁ, ନିର୍ବାଚନ କମିଶନକୁ ମଧ୍ୟ ଦୁର୍ବଳ କରି ଦିଆଯାଇଛି । ସଂସଦରେ ବିରୋଧୀ ସାଂସଦଙ୍କୁ ହଲ୍ଲାପଟା କରିବା ସହ ନିଲମ୍ବନ କରିବା, ସେମାନେ କହିବା ବେଳେ ମାଇକ ବନ୍ଦ କରିଦିଆଯିବା, ସେମାନଙ୍କ ଭାଷଣକୁ ଗୃହର ବିବରଣୀରୁ ବାଦ ଦିଆଯିବା ଆଜିର ପରଂପରା ହୋଇଛି । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମୟରେ ହୋଇଥିବା ଆଇଆଇଟି, ଆଇଆଇଏମ୍, ଏଆଇଆଇଏମଏସ୍ ଏବଂ ମହାକାଶ ଓ ଆଣବିକ ଶକ୍ତି ଗବେଷଣା ସଂସ୍ଥା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିକାଶ କାର୍ଯ୍ୟକୁ ଗୌଣ କରିଦେବା ପ୍ରୟାସ ଚାଲିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ ଓ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଯେଉଁ ‘ଆତ୍ମ ନିର୍ଭର’ ନୀତି ଆରମ୍ଭ ହୋଇଥିଲା ତାହା ଦେଶକୁ ବିକାଶ ପଥରେ ଆଗେଇ ନେଇଥିବା ବେଳେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ତାହାକୁ ନିଜର ୧୫ ସୂତ୍ରୀ ମନ୍ତ୍ରରେ ରଖିଛନ୍ତି ବୋଲି କଂଗ୍ରେସ ସଭାପତି ଖାର୍ଗେ କହିଛନ୍ତି ।
ସେ କହିଛନ୍ତି, ‘ବଡ ବଡ ନେତା ନୂଆ ଇତିହାସ ରଚିବା ପାଇଁ ଅତୀତକୁ ମୂଳପୋଛ କରିନଥା’ନ୍ତି । କିନ୍ତୁ, ମୋଦୀ ସରକାର ପୁରୁଣା ସ୍କିମ୍ ଓ ଭିତ୍ତିଭୂମି ପ୍ରକଳ୍ପଗୁଡିକର ନୂତନ ନାମକରଣ କରି ନିଜର ବୋଲି କହୁଛନ୍ତି । ଏକଛତ୍ରବାଦର ଆଶ୍ରୟ ନେଇ ଦେଶରେ ଗଣତନ୍ତ୍ରକୁ ଧ୍ୱସ୍ତବିଧ୍ୱସ୍ତ କରିଛନ୍ତି । ଶାନ୍ତି ପ୍ରତିଷ୍ଠା ପାଇଁ ଦେଶରେ ଯେଉଁ ସବୁ ପୁରୁଣା ଆଇନକାନୁନ ଥିଲା ସେସବୁର କେମିତି ନୂତନ ନାମକରଣ ଚାଲିଛି ତାହା ସମସ୍ତେ ଦେଖୁଛନ୍ତି ବୋଲି ଖାର୍ଗେ ସମାଲୋଚନା କରିବା ସହ ବିଜେପି ସରକାର ‘ଅଚ୍ଛେ ଦିନ’ରୁ ‘ଅମୃତ କାଳ’ ପର୍ଯ୍ୟନ୍ତ ଯେଉଁ ନୂଆ ନୂଆ ନାମର ଆଶ୍ରୟ ନେଇଛନ୍ତି ତାହା ସରକାରଙ୍କ ବିଫଳତାକୁ ଘୋଡାଇବା ପାଇଁ କି (?) ବୋଲି ପ୍ରଶ୍ନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ କି, ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଲାଲ କିଲ୍ଲାରୁ ତାଙ୍କ ଦଶମ ସ୍ୱାଧୀନତା ଦିବସ ଭାଷଣ ଦେଇ ବିରୋଧୀଙ୍କୁ, ବିଶେଷକରି କଂଗ୍ରେସକୁ କଡା ସମାଲୋଚନା କରିବା ସହ ୨୦୨୪ରେ ସେ ପୁଣି ଥରେ ସ୍ୱାଧୀନତା ଦିବସରେ ଲାଲ କିଲ୍ଲାରୁ ଦେଶବାସୀଙ୍କୁ ସଂବୋଧିତ କରିବେ ବୋଲି ଘୋଷଣା କରିଥିଲେ । ଏହା ବିଜେପି ନେତାଙ୍କ ଅହଂକାର ବୋଲି ଗତକାଲି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କ ପକ୍ଷରୁ ସମାଲୋଚନା କରାଯାଇଥିଲା ।
୨୦୨୪ ନିର୍ବାଚନରେ ବିଜେପିକୁ ପରାଜିତ କରିବା ଲକ୍ଷ୍ୟ ନେଇ କଂଗ୍ରେସ ସମେତ ଦେଶର ୨୬ଟି ବିରୋଧୀ ଦଳ ଏକାଠି ହୋଇ ‘ଇଣ୍ଡିଆ’ ନାମକ ଏକ ମାହାମେଂଟ ଗଠନ କରିଛନ୍ତି । ଏହି ମେଂଟର ନେତାମାନେ ପ୍ରଥମେ ପାଟନାରେ ଏକାଠି ହୋଇଥିଲେ । ଦ୍ୱିତୀୟ ବୈଠକ ବେଂଗାଲୁରୁରେ ହୋଇ ମେଂଟର ନାମ ଆଇଏନଡିଆଇଏ ବା ଇଣ୍ଡିଆ ରଖାଯିବା ଘୋଷଣା ହୋଇଥିଲା । ବିରୋଧୀ ମେଂଟର ନାମ ‘ଇଣ୍ଡିଆ’ ରଖାଯିବା ନେଇ ବିଜେପି ଓ ତାହାର ସହଯୋଗୀ ଦଳମାନେ ପ୍ରଥମ ଦିନରୁ ହିଁ କଡା ସମାଲୋଚନା କରିଆସୁଛନ୍ତି । ମେଂଟର ତୃତୀୟ ବୈଠକ ମୁମ୍ବାଇରେ ହେବାକୁ ଯାଉଛି । ତାହା ପୂର୍ବରୁ ସ୍ୱାଧୀନତା ଦିବସ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ଲାଲ କିଲ୍ଲାରୁ ବିରୋଧୀଙ୍କୁ, ବିଶେଷକରି କଂଗ୍ରେସକୁ ଦୁର୍ନୀତିଗ୍ରସ୍ତ, ବଂଶବାଦୀ ଓ ତୁଷ୍ଟିକରଣବାଦୀ ବୋଲି ସମାଲୋଚନା କରିବା ରାଜନୀତିକୁ ସରଗରମ କରିଥିବା ବେଳେ କଂଗ୍ରେସ ସଭାପତି ଖାର୍ଗେ ପରଂପରା ଭଂଗ କରି କଂଗ୍ରେସ କାର୍ଯ୍ୟାଳୟରୁ ତାହାର ଜବାବ ରଖିବା ଆଗାମୀ ଦିନରେ ହେବାକୁ ଥିବା ରାଜନୈତିକ ଯୁଦ୍ଧର ଭୟାବହତାର ପୂର୍ବାଭାସ ଦେଉଛି ବୋଲି ଆଲୋଚନା ହେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS