ମଣିପୁର ପରିସ୍ଥିତି କଣ ସତରେ ସୁଧୁରୁଛି ?


ପ୍ରସାଦ ରାଓ
ଅଗଷ୍ଟ ୧୭
ମଣିପୁରରେ ଧୀରେ ଧୀରେ ଶାନ୍ତି ଫେରୁଛି । ତିନି ମାସ ହେଲା ରାଜ୍ୟରେ ଜାତିଆଣ ହିଂସା କାରଣରୁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଦୁର୍ଭଗ୍ୟଜନକ । ସମଗ୍ର ଦେଶ ରାଜ୍ୟବାସୀଙ୍କ ପଛରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୫ ତାରିଖ ୭୭ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଲାଲକିଲ୍ଲାରୁ ସମ୍ବୋଧିତ କରି ଆଶ୍ୱସ୍ତ କରିଛନ୍ତି । ତେବେ, ରାଜ୍ୟର ସ୍ଥିତି ବିଶେଷ ସୁଧୁରି ନଥିବା ପାର୍ବତ୍ୟାଂଚଳରେ ବସବାସ କରୁଥିବା ଆଦିବାସୀଙ୍କ ଏକ ସଂଗଠନ ‘ଦି କମିଟି ଅଫ୍ ଟ୍ରାଇବାଲ ୟୁନିଟି’ ବା ସିଓଟିୟୁ ପକ୍ଷରୁ ଦିଆଯାଇଥିବା ସଦ୍ୟ ଚେତାବନୀରୁ ସ୍ପଷ୍ଟ ହେଉଛି । ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, କେନ୍ଦ୍ର ସରକାରଙ୍କ ସୌହାର୍ଦ୍ୟ ବାତାବରଣ ସୃଷ୍ଟି ଉଦ୍ୟମ ସତ୍ତ୍ୱେ ଇମ୍ଫାଲ ଉପତ୍ୟକା ଅଧିବାସୀଙ୍କ ଅବରୋଧ ଜାରି ଥିବାରୁ ପାର୍ବତ୍ୟାଂଚଳରେ ବସବାସ କରୁଥିବା ଆଦିବାସୀଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚୁ ନାହିଁ । ତିନି ଦିନ ମଧ୍ୟରେ ପରିସ୍ଥିତି ନ ସୁଧୁରିଲେ ସିଓଟିୟୁ ପକ୍ଷରୁ ପୁନର୍ବାର ଜାତୀୟ ରାଜପଥ ଅବରୋଧ କରାଯିବ । ମଣିପୁରରୁ ନାଗାଲାଣ୍ଡକୁ ସଂଯୋଗ କରୁଥିବା ମୁଖ୍ୟ ଜାତୀୟ ରାଜପଥ-୨ ଓ ଆସାମକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୭କୁ ଅବରୋଧ କରିବାକୁ ସିଓଟିୟୁ ଚେତାବନୀ ଦେଇ ଥିବାରୁ ପରିସ୍ଥିତି ସୁଧୁରିବ କଣ, ସମସ୍ୟା ବଢିପାରେ ବୋଲି ଆଶଙ୍କା ସୃଷ୍ଟି ହେଲାଣି । ବିଜେପି ଶାସନରେ ଥିବା ମଣିପୁରର ସଂଖ୍ୟାଗରିଷ୍ଠ ମୈତେଇ ସଂପ୍ରଦାୟ ଆଦିବାସୀ ମାନ୍ୟତା ଦାବି କରୁଥିବା ବେଳେ ପାର୍ବତ୍ୟାଂଚଳରେ ବସବାସ କରୁଥିବା କୁକି ଆଦିବାସୀ ତାହାର ବିରୋଧ କରୁଛନ୍ତି । ମଣିପୁର ହାଇକୋର୍ଟ ମୈତେଇ ସଂପ୍ରଦାୟର ଦାବି ନେଇ ରାଜ୍ୟ ସରକାର ବିଚାର କରିବାକୁ ପରାମର୍ଶ ଦେବା ପରେ ଦୁଇ ସଂପ୍ରଦାୟ ମଧ୍ୟରେ ତୀକ୍ତତା ବଢିବା ସହ ଗତ ମେ’ ୪ ତାରିଖରୁ ରାଜ୍ୟରେ ଜାତିଆଣ ସଂଘର୍ଷ ଚାଲିଛି । ମେ’ ୩ ତାରିଖରେ ଆଦିବାସୀଙ୍କ ଏକ ସଂଗଠନ ପକ୍ଷରୁ ରାଜ୍ୟରେ ‘ଆଦିବାସୀ ଏକତା ଶୋଭାଯାତ୍ରା’ ବା ‘ଟ୍ରାଇବାଲ୍ ସଲିଡାରିଟି ମାର୍ଚ୍ଚ’ କରାଯିବାରୁ ୪ ତାରିଖରୁ ହିଂସା ଆରମ୍ଭ ହୋଇ ତିନି ମାସ ମଧ୍ୟରେ ୧୮୦ ଜଣଙ୍କ ମୃତ୍ୟୁ ଘଟିଛି ଓ ତିନି ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ୬୦ ହଜାରରୁ ଅଧିକ ଲୋକ ବାସଚ୍ୟୁତ ହୋଇଛନ୍ତି । ହଜାର ହଜାର କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଛି । ମେ’ ୪ ତାରିଖରୁ ରାଜ୍ୟରେ ହିଂସା ଲାଗି ରହିବାରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମାସର ଶେଷ ଭାଗରେ ତିନି ଦିନିଆ ମଣିପୁର ଗସ୍ତରେ ଯାଇ ଜାତିଆଣ ସଂଘର୍ଷରେ ଲିପ୍ତ ଥିବା ଉଭୟ ସଂପ୍ରଦାୟ ମଧ୍ୟରେ ସଦ୍ଭାବ ଫେରାଇ ଆଣିବାର ପ୍ରୟାସ କରିଥିଲେ । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ‘ଗୁଡୱିଲ୍ ମିଶନ’ ଆରମ୍ଭ କରିବା ସହ ସିଓଟିୟୁ ଭଳି ଆଦିବାସୀ ସଂଗଠନଙ୍କୁ ଜାତୀୟ ରାଜପଥରେ ଚାଲି ଥିବା ଅବରୋଧ ହଟାଇ ନେବାକୁ ନିବେଦନ କରାଯାଇଥିଲା । ଗୃହ ମନ୍ତ୍ରୀ ଶାହାଙ୍କ ଅନୁରୋଧକ୍ରମେ ସେମାନେ ଜାତୀୟ ରାଜପଥ ଅବରୋଧ ହଟାଇ ନେଇଥିଲେ କେନ୍ଦ୍ର ସରକାରଙ୍କ ‘ଗୁଡୱିଲ୍ ମିଶନ’ ସନ୍ତୋଷଜନକ ନଥିବା ସିଓଟିୟୁ ଅଭିଯୋଗ କରିଛି । ସିଓଟିୟୁର ମିଡ଼ିଆ ସେଲ୍ ସଂଯୋଜକ ଏନଜି. ଲୁନ୍ କିପଜେନ୍ ଅଭିଯୋଗ କରିଛନ୍ତି, ଇମ୍ଫାଲ ଉପତ୍ୟକାରୁ ପାର୍ବତ୍ୟାଂଚଳକୁ ଅତ୍ୟବଶ୍ୟକ ସାମଗ୍ରୀର ‘ସପ୍ଲାଇ ଚେନ୍’କୁ ଏବେ ମଧ୍ୟ ଅବରୋଧରେ ରଖାଯିବା କାରଣରୁ ପାର୍ବତ୍ୟାଂଚଳରେ ବସବାସ କରୁଥିବା ଆଦିବାସୀ ଅଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚି ପାରୁ ନାହିଁ । ବିଶେଷକରି, ହିଂସା ପୀଡ଼ିତ କାଂଗପୋକୋଇ, ଚୁରାଚାନ୍ଦପୁର, ଟେଂଗନୋଉପଲ, ମୋରେହୁ ପ୍ରଭୃତି ଅଂଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚୁ ନାହିଁ । ଗୃହ ମନ୍ତ୍ରୀ ଶାହାଙ୍କ ଗସ୍ତ ସମୟରେ କେନ୍ଦ୍ର ସରକାର ଓ ରାଜ୍ୟର ଆଦିବାସୀ ସଂଗଠନ ମଧ୍ୟରେ ଯେଉଁ ‘ସସ୍ପେନ୍ସନ୍ ଅଫ୍ ଅପରେସନ୍’ ରାଜିନାମା ହୋଇଥିଲା ତାହାକୁ ମାନ୍ୟତା ଦେଇ ଆଦିବାସୀ ସଂଗଠନମାନେ ଲୋକଙ୍କ ଇଚ୍ଛା ବିରୋଧରେ ଜାତୀୟ ରାଜପଥ ଅବରୋଧ ହଟାଇ ନେଇଥିଲେ ମଧ୍ୟ ଇମ୍ଫାଲ ଉପତ୍ୟକାବାସୀ ସମାନ ଭାବନା ପ୍ରକାଶ କରିବା ବଦଳରେ ଅବରୋଧ ଜାରି ରଖିଛନ୍ତି । କେନ୍ଦ୍ର ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନକଲେ ସିଓଟୁୟୁ ପକ୍ଷରୁ ଜାତୀୟ ରାଜପଥ-୨ ଓ ଜାତୀୟ ରାଜପଥ-୩୭ ଅବରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସିଓଟିୟୁ କେନ୍ଦ୍ର ସରକାରଙ୍କୁ ଆଜିଠାରୁ ତିନି ଦିନ ସମୟ ଦେଇଛି । ଏଠାରେ ସୂଚନାଯୋଗ୍ୟ କି, ମଣିପୁର ପରିସ୍ଥିତି ସମଗ୍ର ଦେଶରେ ଉଦ୍ବେଗ ସୃଷ୍ଟି କରିଥିବା ବେଳେ ସଂସଦରେ ମଣିପୁର ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା ଦାବି କରି ବିରୋଧୀ ମୌସୁମୀ ଅଧିବେଶନକୁ ଅଚଳ କରିଥିଲେ । କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଅଣାଯିବା ପରେ ମଣିପୁର ପରିସ୍ଥିତି ଉପରେ ତିନି ଦିନ ଆଲୋଚନା ହୋଇଥିଲା ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଗୃହରେ ଉପସ୍ଥିତ ରହି ଆଲୋଚନାର ଉତ୍ତର ରଖିବାକୁ ବାଧ୍ୟ ହୋଇଥିଲେ । ପ୍ରଧାନମନ୍ତ୍ରୀ ଲୋକସଭାରେ ଦୁଇ ଘଂଟା ଭାଷଣ ଦେଇଥିଲେ ମଧ୍ୟ ମଣିପୁର ଉପରେ ମାତ୍ର ତିନି ମିନିଟ କହି ରାଜ୍ୟର ପରିସ୍ଥିତି ଉଦ୍ବେଗଜନକ ବୋଲି କହିଥିଲେ । ସେ ତାଙ୍କ ଭାଷଣ କଂଗ୍ରେସ ଓ ବିରୋଧୀଙ୍କୁ ସମାଲୋଚନାରୁ ଆରମ୍ଭ କରି ଶେଷ ଆଡକୁ ମଣିପୁର ପ୍ରସଙ୍ଗକୁ ଆସିବା ବେଳକୁ ବିରୋଧୀ କକ୍ଷତ୍ୟାଗ କରି ସାରିଥିଲେ । ଅନାସ୍ଥା ଭୋଟରେ ସରକାରଙ୍କ ବିଜୟ ହୋଇଥିଲା । ତେବେ, ସ୍ୱାଧୀନତା ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ମଣିପୁରରୁ ଭାଷଣ ଆରମ୍ଭ କରି ରାଜ୍ୟରେ ଧୀରେ ଧୀରେ ଶାନ୍ତି ଫେରୁଥିବା କହିଥିଲେ । ମଣିପୁର ପରିସ୍ଥିତିକୁ ନେଇ ବିରୋଧୀ ରାଜନୀତି ନ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଇମ୍ଫାଲରୁ ସିଓଟୁୟୁ ଦେଇଥିବା ସଦ୍ୟ ଚେତାବନୀ ରାଜ୍ୟର ଶାନ୍ତି ଫେରାଇ ଆଣିବା ଦିଗରେ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଥିବା ଦୁର୍ବଳତାକୁ ପଦାରେ ପକାଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS