ରାଜନୀତିରେ ସବୁ ସମ୍ଭବ


ପ୍ରସାଦ ରାଓ
ଭୁବନେଶ୍ୱର/ଅଗଷ୍ଟ ୧୮
ଖବରକାଗଜ ଜଗତରେ ସବୁ କିଛି ସମ୍ଭବ । କିଛି ବର୍ଷ ତଳେ ମୁଖ୍ୟସ୍ରୋତ ଗଣମାଧ୍ୟମରେ ସକ୍ରିୟ ଥିବା ସମୟରେ ଜଣେ ସହଯୋଗୀ ଏକଥା କହିବା ବେଳେ ମୁଁ ବିଶ୍ୱାସ କରିନଥିଲା । ସବୁଠି ତ କାର୍ଯ୍ୟ ଦକ୍ଷତା ଓ ନିଷ୍ଠାକୁ ପ୍ରଧାନ୍ୟ ଦିଆଯାଉଛି ! କର୍ମନିଷ୍ଠା ଓ ଦକ୍ଷତା ଉପରେ କଣ ଚାଟୁକାରିତାକୁ ଲଦି ଦିଆଯାଇପାରେ ? ଏହା ମୋର ବିଶ୍ୱାସର ବାହାରେ ଥିଲା । କିନ୍ତୁ, ସମୟକ୍ରମେ ଏହି ସତ୍ୟକୁ ସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲି । ଖବରକାଗଜ ଭଳି ରାଜନୀତି ମଧ୍ୟ ଆଶା, ଆଶଙ୍କାର ପେଶା ହୋଇ ଥିବାରୁ ସର୍ବଦା ଚ୍ୟାଲେଂଜ ରହିଛି । ଦକ୍ଷତା ଅପେକ୍ଷା ଅନ୍ଧ ଆନୁଗତ୍ୟ ହିଁ ଉଭୟ ପେଶାରେ ତିଷ୍ଠି ରହିବାର ପ୍ରକୃତ ମାପକାଠି ହୋଇଛି । ଆଜିର ରାଜନୀତିରେ ତାହା ଜଳଜଳ ଦିଶୁଛି । ତେଣୁ, ଆଲୋଚନାର ଅବକାଶ ସୃଷ୍ଟି ହୋଇଛି ।
ଖବରକାଗଜ ହେଉ ବା ରାଜନୀତି – ସବୁଠି ମୁଖିଆଙ୍କୁ ସନ୍ତୁଷ୍ଟ ରଖିଲେ ହିଁ ଗୋଟି ଆଗକୁ ଚାଲିଥାଏ, ତାହା କାହାରିକୁ ଅଛପା ନାହିଁ । ବର୍ଷ ବର୍ଷ ଧରି ଏହା ଚାଲି ଆସିଛି । ମୁଖିଆଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ନିଜକୁ ସମର୍ପି ଦେଉଥିବା ନେତାମାନେ ହଠାତ ଦଳରେ ଅଲୋଡା ହୋଇଯାଉଛନ୍ତି, ଯାହା ଆଜି ଦିନର ରାଜନୀତିରେ ଅଧିକ ଭାବେ ଦେଖିବାକୁ ମିଳୁଛି । ଗଂଜାମ ଜିଲ୍ଲାରେ ଦିନ ଥିଲା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ବିଜେଡ଼ିର ଦୀପ ଜଳୁଥିଲା । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ସେ ଏକାଧିକ ଥର ବିଧାୟକ ନିର୍ବାଚିତ ହେବା ସହ ରାଜ୍ୟରେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ଦଳର ଜିଲ୍ଲା ସଂଗଠନ ତାଙ୍କ ହାତରେ ଥିଲା । ହଠାତ କଣ ହେଲା କେଜାଣି, ତାଙ୍କ ମୁଣ୍ଡରୁ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ହଟିଗଲା । ଦୀପ ଲିଭିବା ସହ ସେ ଦଳରୁ ତଡା ଖାଇଲେ । ଠକେଇ ଅଭିଯୋଗରେ ଗିରଫ ହୋଇ ଜେଲ୍ ଗଲେ । ଆଜି ଦିନରେ ସେ ଅସହାୟ ଅବସ୍ଥାରେ ଦଳ ଓ ମୁଖିଆଙ୍କୁ ସମାଲୋଚନା କରୁଛନ୍ତି । ଯେଉଁ ନେତା ଓ ଦଳକୁ ନେଇ ସେ ଦିନେ ଅତ୍ୟନ୍ତ ଶକ୍ତିଶାଳୀ ଥିଲେ ଆଜି ସେହି ଦଳରେ ସେ ଜଣେ ପରିତ୍ୟକ୍ତ ରାଜନେତା ।
ପୂର୍ବରୁ ସେ ଦଳର ନେତାଙ୍କୁ ସମାଲୋଚନା କରୁନଥିଲେ । ଏବେ, ସମାଲୋଚନା କରୁଛନ୍ତି । ପୁଣି ଥରେ ନିଜର ରାଜନୈତିକ ଜୀବନକୁ ସୁବ୍ୟବସ୍ଥିତ କରିବାକୁ ସଂଘର୍ଷ କରୁଛନ୍ତି । ଯେଉଁ ଦଳ ଦିନେ ତାଙ୍କୁ ମୁଣ୍ଡରେ ବସାଇ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧରେ ବ୍ୟବହାର କରୁଥିଲା ଆଜି ସେହି ଦଳ ତାଙ୍କ ସ୍ଥିତିକୁ ମୂଳପୋଛ କରିବାକୁ ସମସ୍ତ ଶକ୍ତି ଖଟାଉଛି । ଗଂଜାମ ରାଜନୀତିକୁ ଯେଉଁମାନେ ଅତି ନିକଟରୁ ଦେଖୁଛନ୍ତି ସେମାନେ ନିଶ୍ଚିତ ଭାବେ ଏହା ଅନୁଭବ କରୁଥିବେ । ଅଚାନକ ପ୍ରଦୀପ ମୁଖିଆଙ୍କ ଅନୁଗ୍ରହ କାହିଁକି ହରାଇଲେ ଓ ବର୍ଷ ବର୍ଷ ଧରି ଅର୍ଜିଥିବା କ୍ଷମତାକୁ କାହିଁକି ମାଟିରେ ମିଶିବାକୁ ଦେଲେ ତାହା ଆଜି ମଧ୍ୟ ରହସ୍ୟରେ ରହିଛି । କେବଳ ପ୍ରଦୀପ ପାଣିଗ୍ରାହୀ ନୁହନ୍ତି, ଗଲା ୨୩ ବର୍ଷରେ ଏଭଳି ଅନେକ ନେତା ଦଳ ପାଇଁ ନିଜକୁ ଉତ୍ସର୍ଗ କରି ମଧ୍ୟ ପରବର୍ତ୍ତୀ ସମୟରେ ଅଲୋଡା ହୋଇଛନ୍ତି । ଉପକୂଳ ଅଂଚଳର ନେତା ସଂଜୟ ଦାସବର୍ମା ସେଥିରୁ ଅନ୍ୟତମ । ଦିନେ ଦଳରେ ସଂଜୟଙ୍କ ଯଥେଷ୍ଟ ପ୍ରଭାବ ଥିଲା । ମୁଖ୍ୟମନ୍ତ୍ରୀଙ୍କ ନିକଟତମ ନେତା ଭାବେ ତାଙ୍କ ପରିଚିତି ଥିଲା । ରାଜ୍ୟରେ ଏକାଧିକ ଥର ମନ୍ତ୍ରୀ ହେବା ସୁଯୋଗ ପାଇଥିଲେ । ସଂଗଠନିକ ପଦ ସହ ବିଭିନ୍ନ ସାମ୍ବିଧାନିକ ପଦରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା । କିନ୍ତୁ, ଆଜି ଦିନରେ ସେ ଦଳରେ ଅଲୋଡା ନେତାଙ୍କ ତାଲିକାରେ । ଯେଉଁମାନେ ଦିନେ ତାଙ୍କ କ୍ଷଣିକ ସାନ୍ନିଧ୍ୟରେ ସଫଳତାର ରାସ୍ତା ମିଳିବା ବିଶ୍ୱାସ କରୁଥିଲେ ଆଜି ସେମାନେ ତାଙ୍କ ଛାଇକୁ ମଧ୍ୟ ଭୟ କରୁଛନ୍ତି ।
ରାଜନୀତିରେ ସବୁ ସମ୍ଭବ, ତାହା ଏହି ଦୁଇଟି ଉଦାହରଣରୁ ସ୍ପଷ୍ଟ । ପ୍ରଦୀପ ପାଣିଗ୍ରାହୀ, ସଂଜୟ ଦାସ ବର୍ମାଙ୍କ ଭଳି ନେତାଙ୍କ ଅସହାୟତା ପଛରେ ଯେଉଁ ନେତା ବା ଅଧିକାରୀଙ୍କ ହାତ ଥିବା ଶୁଣାଯାଉଛି (ଯାହା ଅଭିଯୋଗ ହେଉଛି), ତାହା ଏଯାବତ ପ୍ରମାଣିତ ହୋଇନାହିଁ । ତେବେ, ଗୋଟିଏ କଥା ସତ, ମୁଖିଆଙ୍କ ଶୁଭଦୃଷ୍ଟିରୁ ବାଦ ପଡିଲେ ନିଜକୁ ଯେତେ ଦକ୍ଷ ପ୍ରମାଣିତ କରିଥିଲେ ସୁଦ୍ଧା ତଳିତଳାନ୍ତ ହେବା ନିଶ୍ଚିତ, ତାହା ଆଜି ଦିନରେ ଏକ ରାଜନୈତିକ ପ୍ରଥାରେ ପରିଣତ ହୋଇସାରିଛି । ତେଣୁ, ଆଗ ଧାଡିର ନେତାମାନେ ନିଜ ସମ୍ମାନକୁ ଜଳାଂଜଳୀ ଦେଇ ମୁଖିଆଙ୍କ ଶୁଭଦୃଷ୍ଟିରେ ରହିବାକୁ ଚାଟୁକାର ସାଜିବାକୁ ଅଧିକ ପସନ୍ଦ କରୁଛନ୍ତି ଏବଂ ତୁଷ୍ଟିକରଣ ଦୌଡରେ ସାମିଲ ହେଉଛନ୍ତି । ମୁଖିଆଙ୍କ ଦ୍ୱାରା ସ୍ୱୀକୃତ ପ୍ରତିନିଧି (ସେ ରାଜନେତା ହୋଇଥା’ନ୍ତୁ ବା ପ୍ରଶାସକ)ଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ସଭା, ସମିତି ଆୟୋଜନ କରୁଛନ୍ତି, ଟେଂଟ୍ ଭିଡିବା ପାଇଁ ଗାତ ଖୋଳୁଛନ୍ତି ଓ ଚଳନ୍ତି ପ୍ରତିମାଙ୍କ ଆଗମନକୁ ଫୁଲ ମାଳ ସହ ଅପେକ୍ଷା କରୁଛନ୍ତି । ମୁଖିଆଙ୍କ ପ୍ରତିନିଧି ପହଂଚିଲେ ତାଙ୍କୁ ଭବ୍ୟତାର ସହ ସ୍ୱାଗତ କରାଯାଉଛି ।
ତାଙ୍କୁ ମଂଚରେ ବସାଇ ନେତାମାନେ ଭାଷଣ ଶୁଣୁଛନ୍ତି । ନିଜେ ମଂଚ ତଳେ ରହି କରତାଳି ଦେବା ମାଧ୍ୟମରେ ଉତ୍ସାହିତ କରୁଛନ୍ତି । ଗଲା କିଛି ବର୍ଷ ହେଲା ଓଡ଼ିଶା ରାଜନୀତିରେ ଏହି ଧାରା ବା ଟ୍ରେଂଡ୍ ଚାଲିଛି । ଯେଉଁମାନେ ନିଜକୁ ଏହି ଧାରାରେ ସମର୍ପି ଦେଉଛନ୍ତି ସେମାନେ ପଦ, ପଦବୀ ପାଇ ଉପକୃତ ହେଉଥିବା ସମୟରେ ଯିଏ ବିରୋଧ କରୁଛନ୍ତି ଯେତେ ଦକ୍ଷ ନେତା ହୋଇଥାଆନ୍ତୁ ନା କାହିଁକି ଦଳରେ କୋଣଠେସା ହେଉଛନ୍ତି । ବିଜେଡ଼ିରେ ବ୍ୟକ୍ତିପୂଜା ଏଭଳି ସ୍ତରରେ ପହଂଚିଲାଣି ଯେ ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ତାଙ୍କ ଚଳନ୍ତି ପ୍ରତୀମା ଅଧିକ ପୂଜା ପାଉଥିବା ଓ ନେତାମାନେ ତାଙ୍କ ଗୁଣଗାନ କରିବା ବହୁ ଗୁଣ ବଢି ଯାଇଥିବା ଦେଖିବାକୁ ମିଳୁଛି । ମନ୍ତ୍ରୀ, ବିଧାୟକ, ସାଂସଦଙ୍କଠାରୁ ଆରମ୍ଭ କରି ଦଳର ଆଗ ଧାଡିର ନେତାମାନେ ମଧ୍ୟ ଏହି ଚଳନ୍ତି ଠାକୁରଙ୍କ ଅନୁଗ୍ରହ ଟିକିଏ ପାଇଁ ଦୌଡରେ ସାମିଲ ହେଉଥିବା ସମସ୍ତଙ୍କୁ ଚକିତ କରୁଛି । ଯେଉଁମାନେ ସ୍ୱାଭିମାନ କଥା କହୁଛନ୍ତି ଓ ପରୋକ୍ଷରେ ଏହି ପ୍ରଥାର ସମାଲୋଚନା କରୁଛନ୍ତି ସେମାନେ ସିଧାସଳଖ ସମାଲୋଚନା କରିବାକୁ ଭୟ କରୁଛନ୍ତି ।
ପ୍ରଥମେ ପ୍ରଥମେ ମୁଖିଆଙ୍କ ପ୍ରତିନିଧିଙ୍କୁ ନେଇ ଦଳ ଭିତରେ ସମାଲୋଚନାର କ୍ଷୀଣ ସ୍ୱର ଶୁଣିବାକୁ ମିଳୁଥିଲା । ଯେଉଁ ଦିନ ଭର୍ଚୁଆଲ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନିଜ ବ୍ୟକ୍ତିଗତ ସଚିବଙ୍କୁ ଜିଲ୍ଲା ବୁଲି ଲୋକଙ୍କ ଅଭିଯୋଗ ଶୁଣିବାକୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରିଥିବା ଘୋଷଣା କଲେ ସେହି ଦିନରୁ ସମସ୍ତଙ୍କ ମୁହଁରେ ତାଲା ଲାଗିଛି । ଆଗକୁ ନିର୍ବାଚନ ଥିବାରୁ କାଳେ ଟିକଟ କଟିଯିବ ସେହି ଭୟରେ ଶାସକ ଦଳର ଅଧିକାଂଶ ମନ୍ତ୍ରୀ, ବିଧାୟକ ଓ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିଙ୍କ ଗୁଣଗାନରେ ବ୍ୟସ୍ତ । କିନ୍ତୁ, ଦଳୀୟ ଟିକଟ ନ ମିଳିଲେ ପଡିଶା ଘରୁ ଟିକଟ ମିଳିବା ଆଶା ରଖିଥିବା କିଛି ନେତା ମୁଖ୍ୟମନ୍ତ୍ରୀଙ୍କୁ ନହେଲେ ମଧ୍ୟ ତାଙ୍କ ଚଳନ୍ତି ପ୍ରତୀମାକୁ ସମାଲୋଚନା କରିବାରେ ଶତମୁଖ ହେଲେଣି । ଏହା କରିବା ଦ୍ୱାରା ସରକାରୀ ଦଳ ସମର୍ଥିତ ସାମାଜିକ ଗଣମାଧ୍ୟମରେ ‘ଟ୍ରୋଲ୍’ ହେବା ନିଶ୍ଚିତ ଜାଣି ମଧ୍ୟ ସେମାନେ ‘ପାର୍ଟି ଅପେକ୍ଷା ମାଟି ଆଗ’ ଯୁକ୍ତିରେ ଶାସକ ଦଳରେ ଚାଲିଥିବା ସଚିବ ସର୍ବସ୍ୱ ରାଜନୀତିକୁ ସମାଲୋଚନା କରିବାକୁ ଆଗେଇ ଆସିଛନ୍ତି । ଏଭଳି ସମାଲୋଚନା ସେମାନଙ୍କୁ କେଉଁଠି େନେଇ ପହଂଚାଇବ, ତାହା ସେମାନେ ଚିନ୍ତା କରୁ ନାହାନ୍ତି ।
ଆଜି ଶାସକ ଦଳର ଜଣେ ବିଧାୟକ ତଥା ରାଜ୍ୟର ଏକ ପ୍ରଭାବଶାଳୀ ସମ୍ବାଦପତ୍ରର ସଂପାଦକ ଲେଖି ଥିବା ପ୍ରଥମ ପୃଷ୍ଠା ସଂପାଦକୀୟରେ ଏଭଳି କିଛି ତଥ୍ୟ ଦେଖିବାକୁ ମିଳିଛି ଯାହା ଅଧିକ ଆଲୋଚନାର ଅପେକ୍ଷା ରଖୁଛି । ସଂପୃକ୍ତ ସମ୍ବାଦପତ୍ର ସଂପାଦକ ପ୍ରଥମ ଥର ପାଇଁ ଶାସକ ଦଳ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଆକ୍ଷେପ କରିବାକୁ ସାହାସ କରି ନାହାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସକ ବିଜୁ ଜନତା ଦଳ (ବିଜେଡ଼ି)ର ସର୍ବଶ୍ରେଷ୍ଠ ସଂପତ୍ତି କହି ତାଙ୍କ ଲେଖାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ରାଜକୀୟ ଠାଣିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନାମରେ ବ୍ୟକ୍ତିଗତ ସଚିବ ସରକାରୀ ଖର୍ଚ୍ଚରେ ରାଜ୍ୟସାରା ବୁଲି ଜନସାଧାରଣଙ୍କଠାରୁ ଅଭିଯୋଗପତ୍ର ସଂଗ୍ରହ କରୁଛନ୍ତି । ବିମାନରେ ବିଭିନ୍ନ ଜିଲ୍ଲା ଗସ୍ତ କରି ସେବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାଜ୍ୟ ରାଜକୋଷରୁ ୩୦୦ କୋଟିରୁ ଅଧିକ ଟଙ୍କା ଏଥିରେ ଖର୍ଚ୍ଚ ହୋଇଥିବା ସଂପାଦକ ମହାଶୟ ଏକ ଆନୁମାନିକ ହିସାବ ଦେଇ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳମାନେ ଥାଉ ଥାଉ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବଙ୍କ ମାଧ୍ୟମରେ ଅଭିଯୋଗପତ୍ର ସଂଗ୍ରହ କରିବାରେ ଏତେ ଟଙ୍କା ଖର୍ଚ୍ଚ କରିବା କାହା ସ୍ୱାର୍ଥରେ (?) ବୋଲି ପ୍ରଶ୍ନ ଉଠାଇଛନ୍ତି ।
ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବିଜେଡ଼ିର ମୁଖ୍ୟ ସଂପଦ, ଏହା କାହାରିକୁ ଅଛପା ନାହିଁ । ତେବେ, ବର୍ତ୍ତମାନ ପରିପ୍ରେକ୍ଷୀରେ ସେ ନିଜେ ଜନସାଧାରଣଙ୍କ ନିକଟରେ ପହଂଚି ପାରୁନଥିବା ଓ ବ୍ୟକ୍ତିଗତ ସଚିବଙ୍କ ମାଧ୍ୟମରେ ଅଭିଯୋଗପତ୍ର ସଂଗ୍ରହ କରୁଥିବା ନେଇ ଯେଉଁ ପ୍ରଚାର ଚାଲିଛି ତାହା ପଛରେ କି ଉଦ୍ଦେଶ୍ୟ ରହିଛି ବୋଲି ପ୍ରଶ୍ନ ଉଠିବା ବିଜେଡ଼ି ପାଇଁ ଏକ ଅଡୁଆ ପ୍ରଶ୍ନ ହୋଇଛି । ଏଠାରେ ସୂଚନାଯୋଗ୍ୟ କି, ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ପ୍ରତିଟି ନିର୍ବାଚନରେ ବ୍ୟକ୍ତିଗତ ଭାବେ ସବୁ ଜିଲ୍ଲା ଗସ୍ତ କରୁଥିଲେ, ଭୋଟରଙ୍କ ସହ ପ୍ରତ୍ୟକ୍ଷ ସଂପର୍କରେ ରଖୁଥିଲେ ଏବଂ ରାଜ୍ୟ ସରକାର ଯାହାବି ନୂଆ ପ୍ରକଳ୍ପ ଘୋଷଣା କରିବାକୁ ଯାଉଛନ୍ତି ତାହା ଘୋଷଣା କରୁଥିଲେ । ନୂଆ ପ୍ରକଳ୍ପ ପାଇଁ ହେଉଥିବା ବ୍ୟୟବରାଦ କଥା ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଶୁଣୁଥିଲେ । ଦଳର ପ୍ରଥମ ଧାଡିର ନେତା ସବୁ ବର୍ଷ ତମାମ ତୃଣମୂଳ ସ୍ତରରେ ଦଳ ପାଇଁ କାର୍ଯ୍ୟ କରୁଥିଲେ ମଧ୍ୟ ନିର୍ବାଚନ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପ୍ରଚାର ଉପରେ ନିର୍ଭରଶୀଳ ରହୁଥିଲେ । ସାଧାରଣ ଜନତା ମୁଖ୍ୟମନ୍ତ୍ରୀଙ୍କୁ ନିକଟରେ ପାଇ ଖୁସି ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରଶ୍ନ କରୁଥିଲେ -ତୁମେ ସବୁ ଖୁସି ତ ! ମୁଖ୍ୟମନ୍ତ୍ରୀ ପ୍ରତି ଜନସାଧାରଣରେ ଥିବା ଭରସା ଏଥିରୁ ପ୍ରତିଫଳିତ ହୋଇଆସିଛି ।
ରାଜ୍ୟବାସୀ ସେହି ଭରସା କାରଣରୁ ବିଜୁ ଜନତା ଦଳ (ବିଜେଡ଼ି)କୁ ରାଜ୍ୟରେ ଲଗାତର ପାଂଚ ଥର କ୍ଷମତାକୁ ଆଣିଛନ୍ତି । ୨୦୧୯ ବିଧାନସଭା ନିର୍ବାଚନ ସମୟରେ ସରକାରଙ୍କ ବିରୋଧରେ ଭିତିରି ଜନଅସନ୍ତୋଷ ରହିଥିବା ବିରୋଧୀଙ୍କ ଆଡୁ ପ୍ରଚାର ହୋଇଥିଲା । ବିଜେପିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଦଳର ରାଷ୍ଟ୍ରୀୟ ନେତାମାନେ ଓଡ଼ିଶା ଆସି ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ । ନବୀନ ପଟ୍ଟନାୟକ ସରକାର ‘ଅପରାଗ’ ଦର୍ଶାଇ ରାଜ୍ୟକୁ ‘ଡବଲ ଇଂଜିନ’ ସରକାର ମାଧ୍ୟମରେ ବିକାଶର ସିଡି ଚଢାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ, ରାଜ୍ୟବାସୀ ସେଥିରେ ପ୍ରଲୋଭିତ ନହୋଇ ୧୪୭ ବିଧାନସଭା ଆସନରୁ ୧୧୨ଟିରେ ବିଜେଡ଼ିକୁ ବିଜୟୀ କରିଥିଲେ । ଦେଶବ୍ୟାପୀ ବିଜେପି ହାୱା ଥିବା ସତ୍ତ୍ୱେ ଓଡ଼ିଶାରେ ବିଜେପିକୁ ମିଳିଥିବା ଆସନ ସଂଖ୍ୟା ୨୨ରେ ସୀମିତ ରହିଥିଲା । ଏଇ କିଛି ମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଏମିତି କଣ ହେଲା ଯେ ମୁଖ୍ୟମନ୍ତ୍ରୀ ନିଜେ ଜିଲ୍ଲା ଗସ୍ତରୁ ଦୂରେଇ ରହି ତାଙ୍କ ରାଜନୀତିର ରଥ ଆଗକୁ ବଢାଇବାକୁ ବ୍ୟକ୍ତିଗତ ସଚିବଙ୍କୁ ଭରସା କରୁଛନ୍ତି ? ଆଜି ଦିନରେ ତାହା ବଡ ପ୍ରଶ୍ନ ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିରୋଧୀଙ୍କ ଆଡୁ ପ୍ରବଳ ଚାପର ସମ୍ମୁଖୀନ ହେବା ପରେ ତାଙ୍କ ଜିଲ୍ଲା ଗସ୍ତ ପଛରେ ମୁଖ୍ୟମନ୍ତ୍ରୀଙ୍କ ସହମତି ରହି ଥିବା ଭର୍ଚୁଆଲ ମାଧ୍ୟମରେ ପ୍ରମାଣିତ କରିବାକୁ ବାଧ୍ୟ ହୋଇଛନ୍ତି । ଜିଲ୍ଲାସ୍ତରରେ ସଭା, ସମିତିରେ ସେ ମଂଚ ଉପରୁ ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ମାଧ୍ୟମରେ ଜନତାଙ୍କ ସହ ସଂପର୍କ କରାଉଛନ୍ତି । ସବୁ କିଛି ମୁଖ୍ୟମନ୍ତ୍ରୀଙ୍କ ସହମତିରେ ଚାଲିଛି ବୋଲି ଜନାର ହୃଦବୋଧ କରାଇବାକୁ ଉଦ୍ୟମ ହେଉଛି । ବିଜେଡ଼ି ନେତାମାନେ ସଭା ମଂଚ ତଳେ ରହି ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ମଂଚରେ ବସାଇବା, ସେ ଭାଷଣ ଦେବା ସମୟରେ ତାଳି ମାରି ଉତ୍ସାହିତ କରିବା ସାଧାରର ଜନତାକୁ ମଧ୍ୟ ଦ୍ୱନ୍ଦ୍ୱରେ ପକାିଛି । ଏସବୁ ଦେଖି ଥିବା ଜଣେ କେହି ନିକଟରେ ବିଜୁ ଜନତା ଦଳ ନେତାମାନଙ୍କୁ ପ୍ରଶ୍ନ କରିଥିଲେ, ୨୦୨୪ରେ ବିଜେଡ଼ି କ୍ଷମତାକୁ ଆସିଲେ ମଧ୍ୟ ନବୀନ ବାବୁ ମୁଖ୍ୟମନ୍ତ୍ରୀ ରହିବେ ତ ? ଶାସକ ଦଳ ନେତାଙ୍କ କୁଂଠିତ ଉତ୍ତର ଥିଲା, ‘ହଁ, ନବୀନ ବାବୁ ମୁଖ୍ୟମନ୍ତ୍ରୀ ରହିବେ’ । ଏଥିରୁ ନବୀନ ବାବୁଙ୍କ ପ୍ରତି ରାଜ୍ୟବାସୀଙ୍କ ମନରେ ଥିବା ଆସ୍ଥା ପ୍ରତିପଳିତ ହେଉଥିଲେ ମଧ୍ୟ ଆଗାମୀ ଦିନରେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଏକ ସନ୍ଦେହ ମଧ୍ୟ ଉଙ୍କି ମାରୁଥିବା ଅନୁଭବ କରି ହେଉଛି ।
ରାଜନୀତିରେ ତ ସବୁ ସମ୍ଭବ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ ହେବାକୁ ଦଳରେ ବହୁ ଆଶାୟୀ ରହିଛନ୍ତି । ମୁଖ୍ୟମନ୍ତ୍ରୀ ଅସୁସ୍ଥ ଥିବା ଯୋଗୁଁ କୁଆଡେ ଯାଉ ନାହାନ୍ତି, ବ୍ୟକ୍ତିଗତ ସଚିବଙ୍କ ମାଧ୍ୟମରେ ଅଭିଯୋଗପତ୍ର ସଂଗ୍ରହ କରୁଛନ୍ତି ବୋଲି ସାଧାରଣରେ ଯେଉଁ ଧାରଣା ସୃଷ୍ଟି କରାଯାଇଛି ତାହା ପଛରେ କେଉଁମାନଙ୍କ ଅଦୃଶ୍ୟ ସ୍ୱାର୍ଥ ରହିଛି କହିବା ସମ୍ଭବ ନୁହେଁ । ୨୦୨୪ରେ ବିଜୁ ଜନତା ଦଳ କ୍ଷମତାକୁ ଫେରିବା ନେଇ କାହାରି ମନରେ ସନ୍ଦେହ ନାହିଁ । ତେବେ, ନବୀନ ବାବୁ ମୁଖ୍ୟମନ୍ତ୍ରୀ ରହିବେ ନା ଅନ୍ୟ କେହି (?) – ଆଜି ଏଭଳି ପ୍ରଶ୍ନ ଶାସକ ଦଳର ଅଡୁଆ ହେବା ସ୍ୱାଭାବିକ । ବିରୋଧୀ ଏଭଳି ସନ୍ଦେହର ମଂଜି ବୁଣୁଥିବା ବେଳେ ଶାସକ ଦଳର କିଛି ନେତା ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତଗତ ସଚିବଙ୍କୁ ନେଇ ଏବେ ସର୍ବସାଧାରଣରେ ପ୍ରଶ୍ନ ଉଠାଇବା ସନ୍ଦେହକୁ ଅଧିକ ଗଭୀର କରୁଥିବା ଲକ୍ଷ୍ୟ କରାଯାଉଛି । କେବଳ ମୁଖ୍ୟମନ୍ତ୍ରୀ ଚାହିଁଲେ ଜନତାଙ୍କ ମନରୁ ଏହି ସନ୍ଦେହ ଦୂର କରି ପାରିବେ । ସେ ତାଙ୍କ ଉତ୍ତରାଧିକାରୀ କାହାକୁ କରିବାକୁ ଚାହୁଁଛନ୍ତି ସ୍ପଷ୍ଟ କରିଦେଲେ ସବୁ ଆଲୋଚନା, ସମାଲୋଚନରେ ପୂର୍ଣ୍ଣଛେଦ ପଡିଯିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS