ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କୁ ସୁପ୍ରିମ କୋର୍ଟଙ୍କ ସତର୍କବାଣୀ


ପ୍ରସାଦ ରାଓ
ନୂଆଦିଲ୍ଲୀ/ଅଗଷ୍ଟ ୧୯
ସାମାଜିକ ଗଣମାଧ୍ୟମରେ ଯାହା ପ୍ରସାରିତ ହେଉଛି ତାହା ତୀର ଭଳି ସମଗ୍ର ବିଶ୍ୱରେ ବ୍ୟାପି ଯାଉଛି । ଥରେ ଧନୁରୁ ବାହାରି ସାରିଥିବା ତୀର କେତେବେଳେ କିଭଳି ବିପଦ ଡାକି ଆଣିବ ସେନେଇ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ସଚେତ ଓ ସତର୍କ ରହିବା ଆବଶ୍ୟକ ବୋଲି ସୁପ୍ରିମ କୋର୍ଟ ଚେତାଇ ଦେଇଛନ୍ତି । ମହିଳା ସାମ୍ବାଦିକଙ୍କ ପ୍ରତି ଅଶାଳୀନ ଓ ଅଶ୍ଲୀଳ ମନ୍ତବ୍ୟ ଥିବା ଏକ ଫେସବୁକ୍ ପୋଷ୍ଟ୍ ସେୟାର କରିଥିବା ତାମିଲନାଡୁର ଅଭିନେତା ତଥା ପୂର୍ବତନ ବିଧାୟକ ଏସ.ଭି.ଶେଖରଙ୍କ ଏକ ଆବେଦନର ବିଚାର କରି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ସତର୍କବାଣୀ ଶୁଣାଇଛନ୍ତି । ୨୦୧୮ ଏପ୍ରିଲ ୧୯ ତାରିଖରେ ପୂର୍ବତନ ବିଧାୟକ ଶେଖର ତାଙ୍କ ଫେସବୁକ୍ ଆକାଉଂଟରେ ମହିଳା ସାମ୍ବାଦିକଙ୍କ ପ୍ରତି ଅତ୍ୟନ୍ତ ଅସମ୍ମାନଜନକ ଓ ଅଶ୍ଲୀଳ ମନ୍ତବ୍ୟ ଥିବା ଏକ ପୋଷ୍ଟ୍ ସେୟାର କରିଥିଲେ । ଏହାକୁ ନେଇ ତାଙ୍କ ବିରୋଧରେ ଚେନ୍ନାଇ ପୁଲିସ କମିଶନରଙ୍କ ନିକଟରେ ଅଭିଯୋଗ ହୋଇଥିଲା ଏବଂ ଅଭିଯୋଗ ଭିତ୍ତିରେ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା । ଏହାଛଡା, ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଥିଲା । ଶେଖର ତାଙ୍କ ବିରୋଧରେ ହୋଇଥିବା ଆପରାଧୀକ ମାମଲା ଖାରଜ ପାଇଁ ମାଡ୍ରାସ ହାଇକୋର୍ଟରେ ଆବେଦନ କରିଥିଲେ ମଧ୍ୟ ଜୁଲାଇ ୧୪ ତାରିଖରେ ହାଇକୋର୍ଟ ତାହାକୁ ଖାରଜ କରି ଦେଇଥିଲେ । ମାଡ୍ରାସ ହାଇକୋର୍ଟରେ ଆବେଦନ ଖାରଜ ହେବା ପରେ ପୂର୍ବତନ ବିଧାୟକ ଶେଖର ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ବି.ଆର.ଗଭାଇ ଓ ପି.କେ.ମିଶ୍ରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଶେଖରଙ୍କ ଆବେଦନର ଶୁଣାଣୀ କରି ତାହାକୁ ଖାରଜ କରିବା ସହ ସାମାଜିକ ଗଣମାଧ୍ୟମରେ କରାଯାଉଥିବା ‘ପୋଷ୍ଟ୍’ର ପ୍ରଭାବ ଏବଂ ତାହା କେତେବେଗରେ ପ୍ରସାରିତ ହେଉଛି ସେନେଇ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ସଚେତ ରହିବା ଆବଶ୍ୟକ ବୋଲି କହିଛନ୍ତି । ଶେଖରଙ୍କ ଓକିଲ ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କୁ ଜଣାଇ ଥିଲେ ଯେ, ତାଙ୍କ ମହକିଲ ପୂର୍ବତନ ବିଧାୟକ ଶେଖର ଯେଉଁ ଦିନ ଏହି ପୋଷ୍ଟ୍ ସେୟାର କରିଛନ୍ତି ସେଦିନ ତାଙ୍କ ଆଖିରେ ସମସ୍ୟା ଥିବାରୁ ଔଷଧ ପକାଇ ଥିଲେ । ତେଣୁ, ଯେଉଁ ପୋଷ୍ଟ୍ ସେୟାର କରିଥିଲେ ସେଥିରେ କଣ ଲେଖା ଅଛି ପଢି ନଥିଲେ । ପରେ, ନିଜର ଭୁଲ ଜାଣିବା ପରେ କିଛି ଘଂଟା ମଧ୍ୟରେ ସେୟାର କରିଥିବା ଅଶ୍ଲୀଳ ପୋଷ୍ଟ୍ କୁ ଡିଲିଟ୍ କରିଥିଲେ ଏବଂ ୨୦୧୮ ଏପ୍ରିଲ ୨୦ ତାରିଖ ଦିନ ସଂପୃକ୍ତ ମହିଳା ସାମ୍ବାଦିକ ଓ ମିଡ଼ିଆକୁ ଚିଠି ଲେଖିି ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । ମାଡ୍ରାସ ହାଇକୋର୍ଟରେ ଶେଖରଙ୍କ କ୍ଷମା ପ୍ରାର୍ଥନା ଚିଠି ଓ ହାଇକୋର୍ଟଙ୍କ ନିର୍ଦେଶରେ ଏକ ସତ୍ୟପାଠ ମଧ୍ୟ ଉପସ୍ଥାପନ କରାଯାଇଥିଲା, ଯାହାକି ହାଇକୋର୍ଟଙ୍କ ରେକର୍ଡରେ ରହିଛି । ଶେଖରଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମ କୋର୍ଟ ଖଣ୍ଡପୀଠ କହିଛନ୍ତି, ଜଣେ ସାମାଜିକ ଗଣମାଧ୍ୟମ ବ୍ୟବହାର କରିବା ସମୟରେ ସତର୍କ ଓ ସଚେତନ ରହିବା ଉଚିତ । ସାମାଜିକ ଗଣମାଧ୍ୟମ ବ୍ୟବହାର କରିବା ଅତ୍ୟାବଶ୍ୟକ ମନେ କରୁଥିବା ବ୍ୟକ୍ତି ତାହାର ପରିଣାମ ଭୋଗିବାକୁ ମଧ୍ୟ ପ୍ରସ୍ତୁତ ରହିବା ଆବଶ୍ୟକ । ମାଡ୍ରାସ ହାଇକୋର୍ଟରେ ମଧ୍ୟ ଶେଖରଙ୍କ ଓକିଲଙ୍କ ଯୁକ୍ତି ଥିଲା, ତାଙ୍କ ମହକିଲ ଫେସବୁକ୍ ପୋଷ୍ଟରେ କଣ ଲେଖା ଅଛି ଜାଣି ନଥିଲେ, କେବଳ ନିଜ ଫେସବୁକ୍ ଆକାଉଂଟରେ ତାହାକୁ ସେୟାର କରିଥିଲେ । ମାଡ୍ରାସ ହାଇକୋର୍ଟଙ୍କ ଟିପ୍ପଣୀ ଥିଲା, ୨୦୧୮ ଏପ୍ରିଲ ୧୯ ତାରିଖ ଦିନ ଆବେଦନକାରୀ ଯେଉଁ ଫେସବୁକ୍ ପୋଷ୍ଟ୍ ସେୟାର କରିଛନ୍ତି ସେଥିରେ ମହିଳା ସାମ୍ବାଦିକଙ୍କ ପ୍ରତି ଯେଭଳି ଅଶ୍ଲୀଳ ଓ ଅଶାଳୀନ ଭାଷା ବ୍ୟବହାର କରାଯାଇଛି ତାହା ଅନୁବାଦ କରି କୋର୍ଟରେ ପ୍ରକାଶ କରବାକୁ ଜିଭ ଲେଉଟିବ ନାହିଁ । ସଂପୃକ୍ତ ଫେସବୁକ୍ ପୋଷ୍ଟ୍ ରେ ଗଣମାଧ୍ୟମ ଓ ବିଶେଷକରି ତାମିଲନାଡୁ ପ୍ରତି ଯେଭଳି ଅସଭ୍ୟ ଭାଷାର ବ୍ୟବହାର କରାଯାଇଛି ତାହା କ୍ଷମା ଯୋଗ୍ୟ ନୁହେଁ । ‘ଆମେ ଯେଉଁ ଯୁଗରେ ପହଂଚିଛେ ସାମାଜିକ ଗଣମାଧ୍ୟମ ସମଗ୍ର ବିଶ୍ୱର ପ୍ରତ୍ୟେକ ନାଗରିକକୁ ଆବୋରି ବସିଛି । ସାମାଜିକ ଗଣମାଧ୍ୟମରେ ଯାହା ପୋଷ୍ଟ୍ ହେଉଛି ବା ସେୟାର ହେଉଛି ତାହା ଧନୁରୁ ବାହାରି ଥିବା ତୀର ଭଳି ବିଶ୍ୱର ପ୍ରତ୍ୟେକ କୋଣ, ଅନୁକୋଣରେ ଆଖିପିଛୁଳାକେ ପହଂଚି ଯାଉଛି । ତେଣୁ, ଆବେଦନକାରୀ ଯାହା କିଛି ପୋଷ୍ଟ୍, ସେୟାର ବା ଫରୱାର୍ଡ କରୁଛନ୍ତି ସେଥିରେ ଅଧିକ ଦାୟିତ୍ୱ ସଂପନ୍ନ ହେବା ଆବଶ୍ୟକ’ । ମାଡ୍ରାସ ହାଇକୋର୍ଟ ଏଭଳି ମନ୍ତବ୍ୟ ଦେଇ ଶେଖରଙ୍କ ଆବେଦନ ଖାରଜ କରିଥିଲେ । ସୁପ୍ରିମ କୋର୍ଟ ଖଣ୍ଡପୀଠ ମଧ୍ୟ ସାମାଜିକ ଗଣମାଧ୍ୟମରେ ଯେକୌଣସି ପୋଷ୍ଟ୍ ସେୟାର କରିବା ସମୟରେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ଅଧିକ ସଚେତନ ଓ ସତର୍କ ରହିବାକୁ ପରାମର୍ଶ ଦେଇ ଶେଖରଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS