କ୍ରାସ୍ ଲ୍ୟାଣ୍ଡିଂରୁ ରଷିଆର ଚନ୍ଦ୍ରପୃଷ୍ଠରେ ଅବତରଣ ଉଦ୍ୟମ ବିଫଳ !


ପ୍ରସାଦ ରାଓ
ନୂଆଦିଲ୍ଲୀ/ଅଗଷ୍ଟ ୨୦
ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ରଷିଆର ଉଦ୍ୟମ ଆଜି କ୍ରାସ୍ ଲ୍ୟାଣ୍ଡିଂ କାରଣରୁ ବିଫଳ ହୋଇଛି । ଭାରତର ଚନ୍ଦ୍ରାୟନ-୩ ଯାନ ପୂର୍ବରୁ ରଷିଆର ଲୁନା-୨୫ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ରଷିଆର ମହାକାଶ ବିଜ୍ଞାନୀମାନେ ଆଶା କରିଥିଲେ । ତେବେ, କ୍ରାସ୍ ଲ୍ୟାଣ୍ଡିଂ କାରଣରୁ ଆଜି ରଷିଆର ଏହି ଅଭିଯାନ ବିଫଳ ହୋଇଥିବା ରଷିଆନ ସ୍ପେସ୍ ଏଜେନ୍ସୀ ସ୍ୱୀକାର କରିଛି । ଏଥିରୁ ଚନ୍ଦ୍ରପୃଷ୍ଠରେ ସଫ୍ଟ୍ ଲ୍ୟାଣ୍ଡିଂରେ ଥିବା ଜଟିଳତା ଏଥିରୁ ସ୍ପଷ୍ଟ ହେଉଛି । ୧୯୭୬ରୁ ଆଜି ସୁଦ୍ଧା କେବଳ ଚୀନ ହିଁ ପ୍ରଥମ ଦେଶ ଯିଏକି ଚନ୍ଦ୍ରପୃଷ୍ଠରେ ତାହାର ଯାନକୁ ସଫ୍ଟ୍ ଲ୍ୟାଣ୍ଡିଂ କରାଇବାରେ ସଫଳ ହୋଇଛି । ଚୀନ ଦୁଇ ଥର ଚନ୍ଦ୍ରପୃଷ୍ଠରେ ମହାକାଶ ଯାନକୁ ସଫ୍ଟ୍ ଲ୍ୟାଣ୍ଡିଂ କରାଇବାରେ ସଫଳ ହୋଇଥିବା ବେଳେ ଗଲା ୧୦ ବର୍ଷ ମଧ୍ୟରେ ଭାରତ, ଇସ୍ରାଏଲ ଓ ଜାପାନ ପକ୍ଷରୁ ହୋଇଥିବା ଉଦ୍ୟମ ବିଫଳ ହୋଇଛି । ଆଜି ରଷିଆ ମଧ୍ୟ ଏହି ବିଫଳତାରେ ସାମିଲ ହୋଇଛି । ଭାରତ କ୍ରାସ୍ ଲ୍ୟାଣ୍ଡିଂ କାରଣରୁ ଚନ୍ଦ୍ରାୟନ-୨ ଯାନକୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇବାରେ ବିଫଳ ହେବା ପରେ ଚନ୍ଦ୍ରାୟନ-୩କୁ ପ୍ରେରଣ କରିଛି । ଆଜି ସକାଳ ସୁଦ୍ଧା ଭାରତର ଚନ୍ଦ୍ରାୟନ-୩ ଯାନ ସଫଳତାର ସହ ପ୍ରି-ଲ୍ୟାଣ୍ଡିଂ ଅର୍ବିଟ୍ ରେ ପହଂଚି ଥିବା ବେଳେ ଆପାତତଃ ଅଗଷ୍ଟ ୨୩ ତାରିଖରେ ଏହାର ସଫ୍ଟ୍ ଲ୍ୟାଣ୍ଡିଂ କରାଇବାକୁ ଭାରତୀୟ ମହାକାଶ ବିଜ୍ଞାନୀମାନେ ଉଦ୍ୟମ ଜାରି ରଖିଛନ୍ତି । ଏପର୍ଯ୍ୟନ୍ତ ସବୁ ଠିକଠାକ୍ ଚାଲିଛି । ତେଣୁ, ଭାରତୀୟ ମହାକାଶ ବିଜ୍ଞାନୀମାନେ ଚନ୍ଦ୍ରାୟନ-୩ ଯାନକୁ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ସଫ୍ଟ୍ ଲ୍ୟାଣ୍ଡିଂ କରାଇବାରେ ସଫଳ ହେବେ ବୋଲି ଆଶା ରଖିଛନ୍ତି । ରଷିଆ ମହାକାଶ ଏଜେନ୍ସୀ ରସକସମସ୍ ଦେଇଥିବା ସୂଚନା ଅନୁଯାୟୀ, ରଷିଆ ଆସନ୍ତା କାଲି (ସୋମବାର) ସୁଦ୍ଧା ଲୁନା-୨୫ ମହାକାଶ ଯାନକୁ ଚନ୍ଦ୍ରପୃଷ୍ଠରେ ସଫ୍ଟ୍ ଲ୍ୟାଣ୍ଡିଂ କରାଇବାକୁ ଯୋଜନା କରିଥିଲା ଏବଂ ସେହି ଅନୁସାରେ ଯାନର ଗତିକୁ ନିୟନ୍ତ୍ରଣ କରୁଥିଲା । ତେବେ, ଶନିବାର ଲୁନା-୨୫ରେ କିଛି ବୈଷୟିକ ତୃଟି ଦେଖା ଦେଲା ଓ ମହାକାଶ ଯାନ ସହ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି । ଲୁନା-୨୫ ଯାନ ଚନ୍ଦ୍ରପୃଷ୍ଠରେ କ୍ରାସ୍ ହୋଇଯାଇଛି ବୋଲି ରବିବାର ସକାଳେ ରସକସମସ୍ ସୂଚିତ କରିଛି । ଲୁନା-୨୫ ଯାନକୁ ଖୋଜିବା ସକାଶେ ଗତକାଲି ଓ ଆଜି ଉଦ୍ୟମ ହୋଇଥିଲେ ମଧ୍ୟ ସଫଳତା ମିଳି ନଥିବା ରସକସମସ୍ ବୈଜ୍ଞାନିକମାନେ କହିଛନ୍ତି । ସୋଭିଏତ ରୁଷ ଷାଠିଏ ଓ ସତୁରୀ ଦଶକରେ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ‘ଲୁନା’ ମହକାଶ ଯାନ ପଠାଇ ଥିଲା । ସେହି ସିରିଜରେ ‘ଲୁନା-୨୫’ର ନାମକରଣ ହୋଇଛି । ୧୯୭୬ରେ ରଷିଆର ଲୁନା-୨୪ ମହାକାଶ ଯାନ ଚନ୍ଦ୍ର ଅଭିଯାନରେ ଯାଇ ବିଫଳ ହେବା ପରେ ଦୁଇ ଦଶକ ଧରି ରଷିଆର ଚନ୍ଦ୍ର ଅଭିଯାନ ବନ୍ଦ ଥିଲା । ଦୁଇ ଦଶକ ପରେ ରଷିଆ ଲୁନା-୨୫କୁ ଚନ୍ଦ୍ର ଅଭିଯାନରେ ପଠାଇ ଥିଲା । ୨୦୦୭ରେ ଚୀନ ଓ ୨୦୦୮ରେ ଭାରତ ସେମାନଙ୍କ ଅର୍ବିଟର ମୁନ୍ ମିଶନରେ ସଫଳତା ପାଇଛନ୍ତି । ତେବେ, ଚନ୍ଦ୍ରପୃଷ୍ଠରେ ମହାକାଶ ଯାନକୁ ସଫ୍ଟ୍ ଲ୍ୟାଣ୍ଡିଂ କରାଇବାରେ ଆଜି ମଧ୍ୟ ଜଟିଳତା ରହିଥିବା ଜଣାପଡିଛି । ଭାରତ ଚନ୍ଦ୍ରପୃଷ୍ଠରେ ତାହାର ଚନ୍ଦ୍ରାୟନ-୩ ଯାନର ସଫ୍ଟ୍ ଲ୍ୟାଣ୍ଡିଂ ଯଦି ସଫଳ ହୁଏ ତେବେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ହେବ । ପୂର୍ବରୁ ୟୁଏସ୍, ୟୁଏସଏସଆର୍ (ପୂର୍ବ ସେଭିଏତ୍ ରାଷ୍ଟ୍ର ସମୂହ) ଓ ଚୀନ ଏହି ସଫଳତା ପାଇଛନ୍ତି । ଜାପାନ ଚଳିତ ମାସ ଶେଷ ଆଡକୁ ତାହାର ମୁନ୍ ମିଶନ ଲଂଚ୍ କରିବା ଆଶା କରାଯାଉଥିବା ବେଳେ ରଷିଆ ତିନି ବର୍ଷ ମଧ୍ୟରେ ତାହାର ଲୁନା-୨୬ ଯାନ ଚନ୍ଦ୍ରକୁ ପଠାଇବା ଯୋଜନାରେ ଥିବା ସୂଚନା ମିଳିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS