ସିଜେଆଇଙ୍କ ନୂଆ ଏସଓପିରୁ ତୀସ୍ତା ଓ ଗୁଜରାଟ ଦୁଷ୍କର୍ମ ପୀଡିତାଙ୍କୁ ଆଶ୍ୱସ୍ତି ମିଳିଛି !
ପ୍ରସାଦ ରାଓ
ନୂଆଦିଲ୍ଲୀ/ଅଗଷ୍ଟ ୨୨
ସାମାଜିକ କର୍ମୀ ତୀସ୍ତା ଶିତଲୱାଡେ କେବଳ ନୁହଁନ୍ତି, ଗୁଜରାଟ ଦୁଷ୍କର୍ମ ପୀଡିତାଙ୍କୁ ମଧ୍ୟ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଦ୍ୱାରା ଜାରି ନୂଆ ଏସଓପି (ଷ୍ଟାଣ୍ଡାର୍ଡ ଅପରେସନାଲ୍ ପ୍ରୋସିଡିଓର)ରୁ ଉପକୃତ ହୋଇଛନ୍ତି । ତିସ୍ତାଙ୍କୁ ରାତି ଅଧରେ ଜାମିନ ମିଳିଛି । ଗୁଜରାଟର ଦୁଷ୍କର୍ମ ପୀଡିତା ମଧ୍ୟ ପାଖାପାଖି ୨୮ ସପ୍ତାହର ଗର୍ଭପାତ କରିବାକୁ ସୁପ୍ରିମ କୋର୍ଟର ଅନୁମତି ପାଇଛନ୍ତି । ଅତ୍ୟନ୍ତ ଜରୁରୀ ଚିହ୍ନଟ ମାମଲାଗୁଡିକର ତ୍ୱରିତ ବିଚାରଣା ପାଇଁ ପ୍ରଧାନ ବିଚାପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଦ୍ୱାରା ଜାରି ନୂଆ ଏସଓପି ଯୋଗୁଁ ଏହା ସମ୍ଭବ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।
ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତିଙ୍କ ନୂତନ ଏସଓପିରେ ଯେଉଁ ନିର୍ଦେଶାବଳୀ ରହିଛି ସେଥିରେ ଅତ୍ୟନ୍ତ ଜରୁରୀ ବିଚାରଣା ପାଇଁ ଉପଯୁକ୍ତ ମାମଲାଗୁଡିକୁ କୋର୍ଟର ମେନସିନିଂ ଅଫିସର ପ୍ରତ୍ୟହ ସକାଳ ସାଢେ ୧୦ଟା ସୁଦ୍ଧା ଚିହ୍ନଟ କରି ମଧ୍ୟାହ୍ନ ଭୋଜନ ଅବସରରେ କିମ୍ବା ଯେତେବେଳ ଅଦାଲତ ଚାହିଁବେ ଉପସ୍ଥାପନ କରିବାକୁ କୁହାଯାଇଛି । ଏଭଳି ଜରୁରୀ ମାମଲା ସବୁର ବିବରଣୀ କୋର୍ଟର ମେନସିନିଂ ଅଫିସର ଇ-ମେଲ ମାଧ୍ୟମରେ ମଧ୍ୟ ପଠାଇବା ବ୍ୟବସ୍ଥା ରହିଛି, ଯାହାକୁ କି ପ୍ରଧାନ ବିଚାରପତି ଯେତେବେଳେ ଚାହିଁବେ ଟ୍ରାକ୍ କରିପାରିବେ । ସାମାଜିକ କର୍ମୀ ତୀସ୍ତା ଶିତଲୱାଡେଙ୍କୁ ରାତି ଅଧରେ ସୁପ୍ରିମ କୋର୍ଟରୁ ଜାମିନ ମିଳିବା ଏବଂ ନିକଟରେ ହରିୟାଣାର ନୁହରେ ଘଟିଥିବା ସାଂପ୍ରଦାୟିକ ହିଂସାର ତୁରନ୍ତ ଶୁଣାଣୀ ହେବା ପ୍ରଧାନ ବିଚାରପତି ଚନ୍ଦ୍ରଚୂଡଙ୍କ ଦ୍ୱାରା ଜାରି ନୂତନ ଏସଓପିରୁ ସମ୍ଭବ ହୋଇଛି ବୋଲି ସୁପ୍ରିମ କୋର୍ଟର ଉଚ୍ଚସ୍ତରୀୟ ସୂତ୍ରରୁ ଜଣାପଡିଛି ।
ଏହି ସୂତ୍ର ଅନୁଯାୟୀ, ସାମାଜିକ କର୍ମୀ ତୀସ୍ତା ଶିତଲୱାଡେଙ୍କ ଜାମିନ ଆବେଦନ ଉପରେ ଗୋଟିଏ ଶନିବାର ରାତି ଅଧରେ ଶୁଣାଣୀ ହୋଇଥିଲା । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଏକ ଭାରତ ନାଟ୍ୟମ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମୟରେ ଏହି ଜରୁରୀ ମାମଲା ଶୁଣାଣୀ ପାଇଁ ଆସିବାରୁ ସେ ଉତ୍ସବ ଛାଡି ଚାଲି ଆସିଥିଲେ ଏବଂ ସହଯୋଗୀ ବିଚାରପତିଙ୍କ ସହ ବିଚାର ବିମର୍ଷ କରି ତୀସ୍ତାଙ୍କ ଜାମିନ ମଂଜୁର କରିଥିଲେ । ସେହିଭଳି, ସୁପ୍ରିମ କୋର୍ଟର ଏକ ସମ୍ବିଧାନିକ ବେଂଚ ସମ୍ବିଧାନର ଧାରା ୩୭୦ ଉପରେ ଶୁଣାଣୀ କରୁଥିବା ସମୟରେ ହରିୟାଣାର ନୁହ ମାମଲା ବିଚାର ପାଇଁ ଆସିଥିଲା । ଧାରା ୩୭୦ ଉପରେ ଶୁଣାଣୀ କରୁଥିବା ସାମ୍ବିଧାନିକ ବେଂଚର ବିଚାରପତିମାନେ ତୁରନ୍ତ ଶୁଣାଣୀ ସ୍ଥଗିତ ରଖି ଜଣେ ବିଚାରପତି ଯେପରି ନୁହ ସାଂପ୍ରଦାୟିକ ହିଂସା ମାମଲାର ଜରୁରୀ ଶୁଣାଣୀ ଶେଷ କରିବେ ତାହାର ବ୍ୟବସ୍ଥା କରିଥିଲେ ।
ତୀସ୍ତା ଶିତଲୱାଡେଙ୍କୁ ସୁପ୍ରିମ କୋର୍ଟ ରାତି ଅଧିଆ ଜାମିନ ଦେବାରୁ ସେତେବେଳେ କେତେକ ମହଲରେ ସମାଲୋଚନା ହୋଇଥିଲା । ତୀସ୍ତା ଜଣେ ଜଣାଶୁଣା ସାମାଜିକ କର୍ମୀ ହୋଇଥିବାରୁ ସୁପ୍ରିମ କୋର୍ଟ ତାଙ୍କ ଜାମିନ ଆବେଦନକୁ ରାତି ଅଧରେ ଶୁଣାଣୀ କଲେ ବୋଲି କେତେକ ସମାଲୋଚନା କରିଥିଲେ । ତେବେ, ଗୁଜରାଟ ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କୁ ଗତକାଲି ସୁପ୍ରିମ କୋର୍ଟ ଦେଇଥିବା ଆଶ୍ୱସ୍ତିକୁ ସେମାନେ କଣ କହିବେ (?) ବୋଲି ପ୍ରଶ୍ନ ଉଠିଛି । ପ୍ରଧାନ ବିଚାରପତି ଜଷ୍ଟସ ଚନ୍ଦ୍ରଚୂଡଙ୍କ ଦ୍ୱାରା ଜାରି ନୂତନ ଏସଓପିକୁ କଡାକଡି ପାଳନ କରାଯିବା ଯୋଗୁଁ ଗୁଜରାଟର ଦୁଷ୍କର୍ମ ପୀଡିତାଙ୍କୁ ଗର୍ଭପାତ ନିମନ୍ତେ ଗତକାଲି ସୁପ୍ରିମ କୋର୍ଟରୁ ଅନୁମତି ମିଳିଛି ।
ଗୁଜରାଟର ଦୁଷ୍କର୍ମ ପୀଡିତା ଜଣକ ପାଖାପାଖି ୨୮ ସପ୍ତାହର ଗର୍ଭବତୀ ଥିଲେ । ଗୁଜରାଟ ହାଇକୋର୍ଟ ତାଙ୍କ ଗର୍ଭପାତ ଆବେଦନକୁ ଖାରଜ କରିଦେବାରୁ ସେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମ କୋର୍ଟ ପୀଡିତାଙ୍କ ଆବେଦନର ଜରୁରୀ ଶୁଣାଣୀ କରି ଗର୍ଭପାତ ପାଇଁ ଯୁବତୀ ଜଣକ ଫିଟ୍ ଅଛନ୍ତି ବୋଲି ଏକ ମେଡିକାଲ ବୋର୍ଡ ରିପୋର୍ଟ ଆଧାରରେ ଗର୍ଭପାତ ଅନୁମତି ଦେଇଛନ୍ତି ।
ସଂପୃକ୍ତ ଯୁବତୀଙ୍କ ଆବେଦନ ସୁପ୍ରିମ କୋର୍ଟରେ ବିଚାର ପାଇଁ ପଂଜୀକୃତ ହୋଇଥିବା ସମୟରେ ଗୁଜରାଟ ହାଇକୋର୍ଟ ତାହାକୁ ଅଣଦେଖା କରି ଯୁବତୀଙ୍କ ଗର୍ଭପାତ ଆବେଦନକୁ ଖାରଜ କରିଦେବା ସାମ୍ବିଧାନିକ ବ୍ୟବସ୍ଥାର ବିରୋଧାଚରଣ କରୁଛି ବୋଲି ଜଷ୍ଟିସ ନାଗରତ୍ନନ ଓ ଜଷ୍ଟିସ ଉଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ସୁପ୍ରିମ କୋର୍ଟ ଖଣ୍ଡପୀଠ କରିଛନ୍ତି । ଗୁଜରାଟ ହାଇକୋର୍ଟରେ ଏସବୁ କଣ ଚାଲିଛି (?) ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ଗୁଜରାଟ ସରକାରଙ୍କ ପକ୍ଷରୁ ସିଲିସିଟର ଜେନେରାଲ ତୁଷାର ମେହେଟ୍ଟା ଗତକାଲି ସୁପ୍ରିମ କୋର୍ଟ ଖଣ୍ଡପୀଠରେ ହାଜର ହୋଇ ଗୁଜରାଟ ହାଇକୋର୍ଟ ପୂର୍ବରୁ କରିଥିବା ଏକ ଭୁଲକୁ ସୁଧାରିବା ସକାଶେ ଶନିବାର ଉଦ୍ୟମ ହୋଇଥିଲା ବୋଲି ସଫେଇ ଦେଇଥିଲେ । ଏଭଳି ଏକ ସ୍ପର୍ଶକାତର ମାମଲାକୁ ଗୁଜରାଟ ହାଇକୋର୍ଟ ଏକ ସାଧାରଣ ମାମଲା ଭଳି ଗଡାଇ ଚାଲିବା ଓ ବିଚାରଣାରେ ଅବହେଳା କରିବା କାରଣରୁ ସୁପ୍ରିମ କୋର୍ଟ ଦ୍ୱାରା ପୂର୍ବରୁ ମଧ୍ୟ ଭର୍ଛନାର ସମ୍ମୁଖିନ ହୋଇଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS