ଗିରଫ ହେବେ କି ବ୍ରିଜେଶ ରାୟ ଓ ତାଙ୍କ ପତ୍ନୀ ?


ପ୍ରସାଦ ରାଓ
ଭୁବନେଶ୍ୱର/ଅଗଷ୍ଟ ୨୩
ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କୁ ନୂଆ ମସଲା ମିଳି ଯାଇଛି । ଏହି ମସଲା ଯୋଗାଇଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବ୍ରିଜେଶ ରାୟ । ୨୦୦୯ ବ୍ୟାଚ୍ ଆଇପିଏସ୍ ଅଧିକାରୀ ରାୟ ଉତ୍ତର କେନ୍ଦ୍ରାଂଚଳ ଡିଆଇଜି ଭାବେ ଅନୁଗୁଳରେ ଅବସ୍ଥାପିତ ଥିବା ସମୟରେ ତାଙ୍କ ସରକାରୀ ବାସଭବନରେ ଘରୋଇ ସହାୟିକା ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳା ହୋମଗାର୍ଡଙ୍କ ପ୍ରତି ବର୍ବରୋଚିତ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ରାୟଙ୍କ ପତ୍ନୀଙ୍କ ନିର୍ମମ ବ୍ୟବହାରରେ ଅତିଷ୍ଟ ମହିଳା ହୋମଗାର୍ଡ ସୈରେନ୍ଦ୍ରୀ ସାହୁ ଆତ୍ମହତ୍ୟା ଉଦ୍ୟମ କରି ଟ୍ରେନ୍ ଚକା ତଳେ ନିଜର ଦୁଇ ଗୋଡ ହରାଇ କଟକରେଏକ ଘରୋଇ ଚିକିତ୍ସାଳୟରେ ଚିକତ୍ସିତ ହେଉଛନ୍ତି । ଘଟଣାଟି ଅତ୍ୟନ୍ତ ସ୍ପର୍ଶକାତର ହୋଇଥିବା ବେଳେ ରାଜ୍ୟ ସରକାର ଆଇପିଏସ୍ ରାୟଙ୍କୁ କଟକ ସ୍ଥିତ ପୁଲିସ ମୁଖ୍ୟାଳୟକୁ ବଦଳୀ କରିବା ମଧ୍ୟରେ ସୀମିତ ରହିଛନ୍ତି । ସୈରେନ୍ଦ୍ରୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଥିଲେ ମଧ୍ୟ ବିରୋଧୀ ସନ୍ତୁଷ୍ଟ ନୁହନ୍ତି । ଆଇପିଏସ୍ ବ୍ରିଜେଶ ରାୟ ଓ ତାଙ୍କ ପତ୍ନୀ ବର୍ବରତାର ସବୁ ସୀମା ଟପି ଥିବାରୁ ଦୁହିଁଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରାଯିବା ସହ ସେମାନଙ୍କୁ ଗିରଫ କରାଯିବାକୁ ବିରୋଧୀ ଦାବି କରିଛନ୍ତି ।
ଆଜି ବିଜେପିର ଏକ ପ୍ରତିନିଧି ଦଳ ରାଜ ଭବନ ଯାଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଆଇପିଏସ୍ ବ୍ରିଜେଶ ରାୟ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଥିବା ସମୟରେ ରାଜ୍ୟ ହୋମଗାର୍ଡ ଡିଜିଙ୍କ କାର୍ଯ୍ୟାଳୟ ଅନୁଗୁଳ ଏସପିଙ୍କଠାରୁ ଘଟଣା ସଂପର୍କରେ ଏକ ପ୍ରାଥମିକ ରିପୋର୍ଟ ମାଗି ଥିବା ଜଣାପଡିଛି । ଆତ୍ମହତ୍ୟା ଉଦ୍ୟମ କରି ରେଳ ଚକା ତଳେ ଦୁଇଟି ଯାକ ଗୋଡ ହରାଇ ଥିବା ସୈରେନ୍ଦ୍ରୀ ଚିକିତ୍ସାଧୀନ ଥିବାରୁ ସେ ସୁସ୍ଥ ହେବା ପରେ ତାଙ୍କୁ ପୁଲିସ ଜେରା କରିବ । ସୈରେନ୍ଦ୍ରୀ ୨୨ ବର୍ଷ ତଳେ ସ୍ୱମୀଙ୍କୁ ହରାଇବା ପରେ ଅନୁଗୁଳରେ ପୁଲିସ ହୋମଗାର୍ଡ ଭାବେ କାର୍ଯ୍ୟ କରି ଦୁଇ ଝିଅଙ୍କ ସହ ଜୀବୀକା ନିର୍ବାହ କରୁଥିଲେ । ଆଜି ଦିନରେ ଦୁଇ ଝିଅ ଅସହାୟ ହୋଇପଡିଛନ୍ତି । ସେମାନଙ୍କୁ ସରକାରୀ ଚାକିରୀ ଦିଆଯାଉ ବୋଲି ବିରୋଧୀ ଦାବି କରିଥିବା ସମୟରେ ଯଦି ଆବଶ୍ୟକତା ପଡେ ଦୁଇ ଝିଅଙ୍କୁ ହୋମଗାର୍ଡ ଚାକିରୀ ଦିଆଯିବ ବୋଲି ହୋମଗାର୍ଡ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା ସୂଚନା ମିଳିଛି ।
ରାଜ୍ୟ ମହିଳା କମିସନ ପକ୍ଷରୁ ମଧ୍ୟ ଆଜି ସ୍ୱତଃ ମାମଲା ରୁଜୁ କରାଯାଇ ଆଇପିଏସ୍ ବ୍ରିଜେଶ ରାୟ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ କରିବାକୁ କ୍ରାଇମ ବ୍ରାଂଚ ଏଡିଜିଙ୍କୁ ନିର୍ଦେଶ ଦିଆଯାଇଛି । ୧୫ ଦିନ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦାଖ କରିବାକୁ ମଧ୍ୟ ତାଙ୍କୁ କୁହାଯାଇଛି । ତେବେ, ସରକାର ଯେତେଯାହା ପ୍ରତିଶ୍ରୁତି ଦିଅନ୍ତୁ ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ହୋମଗାର୍ଡ ସୈରେନ୍ଦ୍ରୀଙ୍କ ପ୍ରତି ହୋଇଥିବା ଅମାନବୀୟ ଆଚରଣ ପାଇଁ ଆଇପିଏସ୍ ବିଜେଶ ରାୟ ଓ ତାଙ୍କ ପତ୍ନୀଙ୍କୁ ପୁଲିସ ଗିରଫ ନକରିବା ପର୍ଯ୍ୟନ୍ତ ଯେ ମାମଲା ଥଣ୍ଡା ପଡିବା ପ୍ରଶ୍ନ ଉଠୁ ନାହିଁ, ତାହା ବିରୋଧଙ୍କ ହାବଭାବରୁ ସ୍ପଷ୍ଟ ହେଉଛି । ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି । ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ହୋମଗାର୍ଡ ଭାବେ ସ୍ୱଳ୍ପ ଦରମାରେ ନିଯୁକ୍ତି ପାଉଥିବା ପୁରୁଷ ଓ ମହିଳାଙ୍କୁ ନିଜର ଘରୋଇ ଚାକର ଭାବେ ଖଟାଇ ଆସୁଥିବା କାହାରିକୁ ଅଛପା ନଥିବା ବେଳେ ଗୃହ ମନ୍ତ୍ରଣାଳୟ ନିରବଦ୍ରଷ୍ଟା ରହି ଆସିଛି । ସୈରେନ୍ଦ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ସଫଳ ହୋଇଥିଲେ ଏହି ଘଟଣା ମଧ୍ୟ ଚପି ଯାଇଥା’ନ୍ତା । କିନ୍ତୁ, ସେ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସାଧୀନ ଥାଇ ତାଙ୍କ ପ୍ରତି ହୋଇଥିବା ନିର୍ମମ ଅତ୍ୟାଚାରର ବିବରଣୀ ସାମ୍ନାକୁ ଆସିବା ପରେ ସରକାର ଓ ବିରୋଧୀ ମୁହାଁମୁହିଁ ଅବସ୍ଥାକୁ ଆସିଛନ୍ତି ।
ସୈରେନ୍ଦ୍ରୀଙ୍କ ଅଭିଯୋଗ ହେଉଛି, ସୈରେନ୍ଦ୍ରୀ ଉତ୍ତର କେନ୍ଦ୍ରାଂଚଳ ଡିଆଇଜି ବ୍ରିଜେଶ ରାୟଙ୍କ ଅନୁଗୁଳ ସରକାରୀ ବାସଭବନରେ ଘରୋଇ ସହାୟକ ଭାବେ ନିୟୋଜିତ ଥିବା ସମୟରେ କାମରେ ସାମାନ୍ୟ ତୃଟି ହେଲେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଚାକିରୀ ନେଇ ଯିବେ ବୋଲି ଧମକ ଦେଉଥିଲେ । ଡିଆଇଜି-ପତ୍ନୀଙ୍କ ବ୍ୟବହାରରେ ସେ ଏତେଦୂର ଭୟଭିତ ଥିଲେ ଯେ ଟ୍ରେନ୍ ଲାଇନରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । କେବଳ ସୈରେନ୍ଦ୍ରୀ ନୁହନ୍ତି, ରାଜ୍ୟର ବିଭିନ୍ନ ଅଂଚଳରେ କାର୍ଯ୍ୟରତ ପୁରୁଷ ଓ ମହିଳା ହୋମଗାର୍ଡମାନେ ଏଭଳି ନିର୍ଯ୍ୟାତିତ ହୋଉଥିବାର ବିଭିନ୍ନ ସମୟରେ ଅଭିଯୋଗ ହୋଇଛି । କିନ୍ତୁ, ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରଣାଳୟ ନିଦାବିଷ୍ଣୁ ସାଜି ହୋମଗାର୍ଡଙ୍କୁ ଅତ୍ୟାାରିତ ହେବାକୁ ଛାଡି ଦେଇଛନ୍ତି । ଆର୍ଥିକ ଦୃଷ୍ଟିରୁ ଅସ୍ୱଚ୍ଛଳ ହୋମାଗାର୍ଡମାନେ ମଧ୍ୟ ଚାକିରୀ ଚାଲି ଯିବା ଭୟରେ ପରିସ୍ଥିତି ସହ ସାଲିସ କରି ନେବାକୁ ବାଧ୍ୟ ହେଉଛନ୍ତି । ଆଗକୁ ନିର୍ବାଚନ ଥିବାରୁ ସୈରେନ୍ଦ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଏବଂ ରେଳ ଚକା ତଳେ ସେ ଦୁଇ ଗୋଡ ହରାଇ ସବୁ ଦିନ ପାଇଁ ପଂଗୁ ହୋଇଯିବା ଘଟଣାକୁ ବିରୋଧୀ ସରକାରଙ୍କୁ ଘେରିବା ପାଇଁ ରାଜନୈତିକ ଅସ୍ତ୍ର କରିଛନ୍ତି ।
ଉଭୟ କଂଗ୍ରେସ ଓ ବିଜେପି ଆଇପିଏସ୍ ବ୍ରିଜେଶ ରାୟ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଦୁଇ ଦିନ ହେଲା ସରକାରଙ୍କୁ ଚାପରେ ରଖି ଥିବା ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ‘ମା’କୁ ସମ୍ମାନ’ କଥା କହି ଆସୁଛନ୍ତି । ପ୍ରତି କଥାରେ ଆଇନ ତା’ ବାଟରେ ଯିବ ବୋଲି କୁହାଯାଉଛି । କିନ୍ତୁ, ବ୍ରିଜେଶ ଓ ତାଙ୍କ ପତ୍ନୀଙ୍କ କ୍ଷେତ୍ରରେ ସରକାରଙ୍କ ଏହି ଦୁଇ ସ୍ଲୋଗାନ କାମ କରୁନଥିବା ଏବଂ ସରକାର ସେମାନଙ୍କୁ ସୁରକ୍ଷା ଦେଉଥିବା ବିଜେପି ଅଭିଯୋଗ କରିଛି । ଦୁହିଁଙ୍କ ବିରୋଧରେ ଜାମିନବିହୀନ ଧର୍ତ୍ତବ୍ୟ ଆପରାଧିକ ମାମଲା ରୁଜୁ କରାଯାଇ ତୁରନ୍ତ ଗିରଫ କରାଯିବାକୁ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ଦାବି କରିଛନ୍ତି । ବରିଷ୍ଠ ପୁଲିସ ଅଧିକାରୀଙ୍କ ପତ୍ନୀ ମହିଳା ହୋମଗାର୍ଡ ସୈରେନ୍ଦ୍ରୀଙ୍କୁ ନର୍ଯ୍ୟାତନା ଦେଉଥିବା ବେଳେ ପୁଲିସ ଅଧିକାରୀ ଜଣକ ସବୁ ଦେଖି ଅଣଦେଖା କରିବା ଅପରାଧକୁ ଘଂଟ ଘୋଡାଇବା ସଦୃଶ ବୋଲି ବିଜେପି କହିଛି ।
କିଛି ଦିନ ହେଲା ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବଙ୍କୁ ନେଇ ଚାପରେ ଥିଲେ । ନିର୍ବାଚନ ବର୍ଷରେ ମୁଖ୍ୟମନ୍ତ୍ରୀ ନିଜେ ଜିଲ୍ଲାୱାରୀ ଗସ୍ତରେ ନଯାଇ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସକାଶେ ନିଜ ବ୍ୟକ୍ତିଗତ ସଚିବ (ରାଜ୍ୟର ଜଣେ ଆଇଏସଏସ୍ ଅଧିକାରୀ)ଙ୍କ ପଠାଉ ଥିବା ଏବଂ ଏହି ସରକାରୀ ଅଧିକାରୀ ଜଣକ ମୁଖ୍ୟମନ୍ତ୍ରୀ ‘କା’ ଭଳି ବିଭିନ୍ନ ଜିଲ୍ଲାରେ ସଭା ସମିତି କରି ଭାଷଣ ଦେଉଥିବା ଏବଂ ସରକାରୀ ଯୋଜନା ଓ ବ୍ୟୟବରାଦ ଘୋଷଣା କରୁଥିବା ଅସାମ୍ବିଧାନିକ ବୋଲି ଅଭିଯୋଗ କରି ବିରୋଧୀ ସରକାରଙ୍କ ବିରୋଧରେ ଏକ ମାହୋଲ ସୃଷ୍ଟି କରିଥିଲେ । ଆକସ୍ମିକ ଭାବେ ବିରୋଧୀଙ୍କୁ ସୈରେନ୍ଦ୍ରୀ ପ୍ରସଙ୍ଗ ମିଳି ଯାଇଛି । ଦୁଇ ଦିନ ହେଲା ଏହି ପ୍ରସଙ୍ଗକୁ ନେଇ ହୋହାଲ୍ଲା ଚାଲିଛି । ବ୍ରିଜେଶ ରାୟ ଓ ତାଙ୍କ ପତ୍ନୀଙ୍କୁ ନେଇ ସରକାର ‘ବ୍ୟାକ୍ ଫୁଟ’ରେ ଥିବାରୁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଦେଖିବା ସମୟ ଆସିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS