ଚନ୍ଦ୍ରଙ୍କ ପରେ ସୂର୍ଯ୍ୟଙ୍କ ପାଳି, ସେପ୍ଟେମ୍ବର ସୁଦ୍ଧା ‘ଆଦିତ୍ୟ ମିଶନ’ର ପ୍ରସ୍ତୁତି !!
ପ୍ରସାଦ ରାଓ
ବେଂଗାଲୁରୁ/ଅଗଷ୍ଟ ୨୪
ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ନରମ ଅବତରଣ କରାଇବା ପରେ ସୂର୍ଯ୍ୟପୃଷ୍ଠରେ ପହଂଚିବା ଅଭିଯାନ ଆରମ୍ଭ କରିଥିବା ସୂଚନା ମିଳିଛି । ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ପ୍ରଜ୍ଞାନ ରୋଭର ସହ ଗତକାଲି ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ପରେ ସମଗ୍ର ବିଶ୍ୱରେ ଭାରତର ଜୟଜୟାକାର ଚାଲିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ନିଜର ଲ୍ୟାଣ୍ଡରକୁ ଅବତରଣ କରାଇବାରେ ଭାରତ ହେଉଛି ବିଶ୍ୱର ପ୍ରଥମ ରାଷ୍ଟ୍ର । ଲ୍ୟାଣ୍ଡର ବିକ୍ରମ ଗତକାଲି ତୃଟିଶୂନ୍ୟ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ପରେ ତାହା ସହ ଥିବା ରୋଭର ‘ପ୍ରଜ୍ଞାନ’ ଲ୍ୟାଣ୍ଡରରୁ ସଫଳତାର ସହ ବାହାରି ଆସି ଚନ୍ଦ୍ର ପୃଷ୍ଠରେ ବିଚରଣ କରିବା ସହ ଫଟୋ ଓ ତଥ୍ୟ ସଂଗ୍ରହ ଆରମ୍ଭ କରି ଦେଇଥିବା ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ ଆଜି ସୂଚନା ଦେଇଛନ୍ତି । ଇସ୍ରୋର ସୋଲାର ମିଶନ ବା ସୂର୍ଯ୍ୟ ଅଭିଯାନ କାମ ଚାଲିଛି, ଆସନ୍ତା ସେପ୍ଟେମ୍ବରରେ ସୂର୍ଯ୍ୟଯାନ ‘ଆଦିତ୍ୟ’ ଲନ୍ଚିଂ ପାଇଁ ପ୍ରସ୍ତୁତ ହୋଇଯିବ ବୋଲି ସୋମନାଥ କହିଛନ୍ତି ।
ଗତକାଲି ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରର ଦକ୍ଷିଣ ମେରୁରେ ନରମ ଅବତରଣ କରିବାରେ ସଫଳ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇ ଇସ୍ରୋ ବୈଜ୍ଞାନିକ ଓ ଦେଶର ୧୪୦ କୋଟି ଜନତାଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ । ଦେଶର ଭବିଷ୍ୟତ ମିଶନ ସୂର୍ଯ୍ୟ ଓ ଶୁକ୍ରପୃଷ୍ଠରେ ପହଂଚିବା ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଥିଲେ । ଇସ୍ରୋ ମୁଖ୍ୟ ସୋମନାଥ ଏକ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ କହିଛନ୍ତି, ସେପ୍ଟେମ୍ବର ପ୍ରଥମ ସପ୍ତାହରେ ‘ଆଦିତ୍ୟ’ ଲନ୍ଚିଂ ପାଇଁ ପ୍ରସ୍ତୁତ ହୋଇଯିବ । ଇସ୍ରୋ କ୍ରି୍ୟୁ ମଡୁ୍ୟଲ ଓ କ୍ରି୍ୟୁ ଏସକେପ୍ କ୍ଷମତା ପ୍ରଦର୍ଶନ ପାଇଁ ସେପ୍ଟେମ୍ବର ମାସ ଶେଷରେ କିମ୍ବା ଅକ୍ଟୋବରରେ ଆଉ ଏକ ମିଶନ ଆରମ୍ଭ କରିବ । ସମ୍ଭବତଃ ୨୦୨୫ ସୁଦ୍ଧା ମହାକାଶକୁ ମାନବଙ୍କୁ ପଠାଇବା ମିଶନ ‘ଗଗନାୟନ’ କାର୍ଯ୍ୟକାରୀ କରିବା ପୂର୍ବରୁ ଇସ୍ରୋ ଏଭଳି ଏକାଧିକ ମିଶନରେ ସଂପୃକ୍ତ ରହିବ ।
ଚନ୍ଦ୍ରର ଦକ୍ଷିଣ ମେରୁ ମୋଟେ ସୂର୍ଯ୍ୟ କରିଣର ସଂସ୍ପର୍ଶରେ ଆସୁ ନଥିବାରୁ ସେହି ଅଂଚଳ ସଂପୂର୍ଣ୍ଣ ଅନ୍ଧକାର ମଧ୍ୟରେ ରହିଥାଏ । ତେଣୁ, ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଚୁର ପରିମାଣର ପାଣି ବରଫ ଆକାରରେ ରହିଥିବା ମହାକାଶ ବିଜ୍ଞାନୀମାନେ ଅନୁମାନ କରୁଛନ୍ତି । ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରର ଦକ୍ଷିଣ ମେରୁର ପ୍ରାୟତଃ ୭୦ ଡିଗ୍ରୀ ଦୂରତ୍ୱରେ ଅବତରଣ କରାଯାଇଛି ଯେଉଁଠାରେ କି କମ୍ ପରିମାଣର ସୂର୍ଯ୍ୟ କିରଣ ପଡୁଛି । ଦୂର ଭବିଷ୍ୟତରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଜନବସତି ସ୍ଥାପନ ଓ ସେଠାରୁ ଅନ୍ୟ ଗ୍ରହକୁ ଯିବା ସକାଶେ ବେଶ୍ କ୍ୟାଂପ ପ୍ରତିଷ୍ଠା ସମ୍ଭାବନା ଦେଖି ଭାରତୀୟ ବୈଜ୍ଞାନିକମାନେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡରକୁ ଅବତରଣ କରାଇବା ଦିଗରେ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ ବୋଲି ସୋମନାଥ କହିଛନ୍ତି । ଲ୍ୟାଣ୍ଡର ସହ ଯାଇଥିବା ରୋଭର ‘ପ୍ରଜ୍ଞାନ’ ସଫଳ ଭାବେ ଲ୍ୟାଣ୍ଡରରୁ ପଦାକୁ ଆସି ଚନ୍ଦ୍ରପୃଷ୍ଠରେ ବିଚରଣ କରିବା ଆରମ୍ଭ କରି ଥିବାରୁ ଇସ୍ରୋର ଏକ ଟିମ୍ ଅତିଶୀଘ୍ର ରୋବୋଟିକ୍ ପାଥ୍ ପ୍ଲାନିଂ କାର୍ଯ୍ୟ ଆରମ୍ଭ କରିବେ, ଯାହାକି ଭବିଷ୍ୟତରେ ଗଭୀର ଭାବେ ଅନ୍ତରୀକ୍ଷକୁ ଅନୁଧ୍ୟାନ କରିବା କାର୍ଯ୍ୟରେ ସହାୟକ ହେବ ବୋଲି ସେ କହିଛନ୍ତି ।
ରୋଭର ‘ପ୍ରଜ୍ଞାନ’ ଆଜି ସକାଳେ ଲ୍ୟାଣ୍ଡର ‘ବିକ୍ରମ’ରୁ ବାହାରି ଚନ୍ଦ୍ରର ଦକ୍ଷିଣ ମେରୁରେ ବିଚରଣ ଆରମ୍ଭ କରିଥିବା ଆଜି ଇସ୍ରୋ ପକ୍ଷରୁ ‘ଏକ୍ସ’ରେ ଏକ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି । ଏହି ଛଅ ଚକ ବିଶିଷ୍ଟ ରୋଭର ଚନ୍ଦ୍ର ପୃଷ୍ଠରେ ବିଚରଣ କରୁଥିବାର ଏକ ଫଟୋ ମଧ୍ୟ ଇଣ୍ଡିଆନ ନ୍ୟାସନାଲ ସ୍ପେସ୍ ପ୍ରମୋସନ୍ ଏଣ୍ଡ ଅଥରାଇଜେସନ୍ ସେଂଟରର ଅଧ୍ୟକ୍ଷ ପୱନ କେ ଗୋଏଙ୍କା ସେୟାର କରିଛନ୍ତି । ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରଯାନ-୩ର ସହ ସଂଲଗ୍ନ ରହି ୪୦ ଦିନ ଯାତ୍ରା କରିବା ପରେ ଗତକାଲି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ନରମ ଅବତରଣ କରି ଇତିହାସ ସୃଷ୍ଟି କରିଛି । ଜୁଲାଇ ୧୪ ତାରିଖ ଦିନ ଚନ୍ଦ୍ରଯାନ-୩ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରେ ଥିବା ସତୀଶ ଧାବନ ସ୍ପେସ୍ ସେଂଟରରୁ ଚନ୍ଦ୍ର ଅଭିମୁଖେ ଉତ୍କ୍ଷେପଣ ହୋଇଥିଲା । ପୂର୍ବତନ ଇସ୍ରୋ ବୈଜ୍ଞାନିକ ନାମ୍ବି ନାରାୟଣ ଆଜି ଥିରୁଭନାଥପୁରମରେ ଏକ ସମ୍ବାଦ ସରବରାହ ସଂସ୍ଥା ସହ ଆଲୋଚନା ବେଳେ ଭାରତର ତୃତୀୟ ଚନ୍ଦ୍ର ଅଭିଯାନର ସଫଳତା ପାଇଁ ଏଥି ସହିତ ସଂପୃକ୍ତ ସମସ୍ତ ମହାକାଶ ବିଜ୍ଞାନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଚନ୍ଦ୍ରଯାନ-୨ର ବିଫଳତାରୁ ଯେଉଁ ଶିକ୍ଷା ମିଳିଲା ତାହା ଚନ୍ଦ୍ରଯାନ-୩ ଅଭିଯାନକୁ ସଫଳ କଲା ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୯ରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଦକ୍ଷିଣ ମେରୁରେ ନରମ ଅବତରଣ କରିବାରେ ବିଫଳ ହୋଇଥିଲେ ମଧ୍ୟ ଏହାକୁ ଭୂପୃଷ୍ଠରୁ ଚନ୍ଦ୍ର ଅଭିମୁଖେ ନେଇଥିବା ଅର୍ବିର୍ଟର ଏବେ ମଧ୍ୟ ସକ୍ରୀୟ ରହିଛି ଓ ଚନ୍ଦ୍ର ଚାରିପଟେ ପରିକ୍ରମା କରି ଇସ୍ରୋକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଉଛି । ଏବେ ଚନ୍ଦ୍ରଯାନ-୩ର ଅର୍ବିଟର ମଧ୍ୟ ଏହି କାର୍ଯ୍ୟରେ ଲାଗିଛି । ତେବେ, ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭର ଚନ୍ଦପୃଷ୍ଠରେ ନରମ ଅବତରଣ କରିବାରେ ସଫଳ ହୋଇଥିବାରୁ ଭାରତୀୟ ମହାକାଶ ବିଜ୍ଞାନୀମାନେ ଚନ୍ଦ୍ରର ବାୟୁମଣ୍ଡଳ, ସେଥିରେ ଥିବା ବିଭିନ୍ନ ରାସାୟନିକ କଂପୋଜିସନ ଏବହ ଜନବସତି ସ୍ଥାପନ ପାଇଁ ଆବଶ୍ୟକ ଜଳଉତ୍ସ ରହିଛି କି ନାହିଁ ସେସବୁ ଉପରେ ଅଧିକ ନିକଟରୁ ଅନୁଧ୍ୟାନ କରି ପାରିବେ । ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିବାରେ ଭାରତ ହେଉଛି ଆମେରିକା, ୟୁଏସଏସଆର ଓ ଚୀନ ପରେ ଚତୁର୍ଥ ରାଷ୍ଟ୍ର । ତେବେ, ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ହେଉଛି ବିଶ୍ୱର ପ୍ରଥମ ଦେଶ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS