ଭାରତୀୟ କୁସ୍ତି ମହାସଂଘ ସସ୍ପେଣ୍ଡ, ଏବେ ପ୍ରତିଯୋଗୀ ଭାରତ ପତାକା ତଳେ ଭାଗ ନେଇ ପାରିବେ ନାହିଁ


ପ୍ରସାଦ ରାଓ
ଅଗଷ୍ଟ ୨୪
ଧାର୍ଯ୍ୟ ସମୟ ମଧ୍ୟରେ ମହାସଂଘର କର୍ମକର୍ତ୍ତା ନିର୍ବାଚନ କରାଇବାରେ ବିଫଳ ହୋଇଥିବାରୁ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫଆଇ)କୁ ବିଶ୍ୱ କୁସ୍ତି ମହାସଂଘ (ୟୁନାଇଟେଡ ୱାର୍ଲ୍ଡ ରେସଲିଂ) ଦ୍ୱାରା ସସ୍ପେଣ୍ଡ ହୋଇଛି । ଫଳରେ, ଆଗାମୀ ଦିନରେ ହେବାକୁ ଥିବା ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାରତୀୟ କିସ୍ତିଯୋଦ୍ଧାମାନେ ଭାରତୀୟ ପତକା ତଳେ ଅଂଶ ଗ୍ରହଣ କରିପାରିବେ ନାହିଁ । ସେପ୍ଟେମ୍ବର ୧୬ରୁ ଆରମ୍ଭ ହେଉଥିବା ଅଲିଂପିକ କ୍ୱାଲିଫାଇଂ ବିଶ୍ୱ ଚାଂପିଅନସିପ୍ ପ୍ରତିଯୋଗିତାଗୁଡିକରେ ସେମାନେ ଭାଗ ନେବାକୁ ଚାହିଁଲେ ‘ନ୍ୟୁଟ୍ରଲ୍’ ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରିପାରିବେ ବୋଲି ଜଣାପଡିଛି । ଭୂପିନ୍ଦର ସିଂହ ବାଜୱାଙ୍କ ନେତୃତ୍ୱରେ ଗଠିତ ଆଡହକ୍ ପ୍ୟାନେଲକୁ ୪୫ ଦିନ ମଧ୍ୟରେ ଭାରତୀୟ କୁସ୍ତା ମହାସଂଘର ନିର୍ବାଚନ କରାଇବାକୁ ସମୟ ଦିଆଯାଇଥିଲା । ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫଆଇ)ର ଆଡହକ ପ୍ୟାନେଲ ବିଶ୍ୱ ଚାଂପିଅନସିପ୍ ସକାଶେ ଟ୍ରାଏଲ୍ସ୍ ଆରମ୍ଭ କରିବାର ଠିକ୍ ଗୋଟିଏ ଦିନ ପୂର୍ବରୁ ବିଶ୍ୱ କୁସ୍ତି ମହାସଂଘ (ୟୁନାଇଟେଡ ୱାର୍ଲ୍ଡ ରେସଲିଂ) ଏହି ନିଷ୍ପତ୍ତି ଶୁଣାଇ ଦେଇଛି । ଭାରତୀୟ ଅଲିଂପିକ୍ ଆସୋସିଏସନ (ଆଇଓଏ) ଗଲା ଏପ୍ରିଲ ୨୭ ତାରିଖରେ ଏହି ଆଡହକ୍ କମିଟି ଗଠନ କରିଥିଲା ଏବଂ ସେହି ଦିନରୁ ୪୫ ଦିନ ମଧ୍ୟରେ ଡବ୍ଲୁଏଫଆଇର ନୂତନ କର୍ମକର୍ତ୍ତା ନିର୍ବାଚନ କରାଇବାକୁ ସମୟ ଦିଆଯାଇଥିଲା । ଧାର୍ଯ୍ୟ ସମୟ ମଧ୍ୟ ନିର୍ବାଚନ ନହେଲେ ଭାରତୀୟ କୁସ୍ତି ମହାସଂଘକୁ ସସ୍ପେଣ୍ଡ କରାଯିବ ବୋଲି ଏପ୍ରିଲ ୨୮ ତାରିଖରେ ୟୁଡବ୍ଲୁଡବ୍ଲୁ ସତର୍କ କରାଇ ଦେଇଥିଲା । ଭାରତୀୟ କୁସ୍ତି ମହାସଂଘ ଆଡହକ୍ କମିଟି ନିର୍ଦ୍ଧାରିତ ସମୟରେ ମହାସଂଘର କାର୍ଯ୍ୟକର୍ତ୍ତାଙ୍କୁ ନିର୍ବାଚି କରି ନଥିବାରୁ ଡବ୍ଲୁଏଫଆଇକୁ ସସ୍ପେଣ୍ଡ କରାଗଲା ବୋଲି ବିଶ୍ୱ କୁସ୍ତି ମହାସଂଘ (ୟୁନାଇଟେଡ ୱାର୍ଲ୍ଡ ରେସଲିଂ) ବୁଧବାର ରାତିରେ ଆଡହକ୍ ପ୍ୟାନେଲକୁ ଜଣାଇ ଦେଇଥିବା ଆଇଓଏ ସୂତ୍ରରୁ ସୂଚନା ମିଳିଛି । ଆଡହକ୍ ପ୍ୟାନେଲ ସଦସ୍ୟ ଜ୍ଞାନ ସିଂହ କହିଛନ୍ତି, ବିଶ୍ୱ କୁସ୍ତି ମହାସଂଘ (ୟୁନାଇଟେଡ ୱାର୍ଲ୍ଡ ରେସଲିଂ)ର ନିଷ୍ପତ୍ତି ସଂପର୍କରେ ବାଜୱା ସେମାନଙ୍କୁ ଅନ୍ଧାରରେ ରଖି ଥିଲେ । ତେଣୁ, ଆଗାମୀ ଦିନରେ ସେମାନେ କୌଣସି ନିଷ୍ପତ୍ତିରେ ଭାଗିଦାର ହେବେ ନାହିଁ । ଇତିମଧ୍ୟରେ, ଆମାନଠାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍ ବୟସ ବର୍ଗ ବିଶ୍ୱ ମହିଳା ଚାଂପିଅନସିପ୍ ରେ ଜାପାନ, ୟୁଏସଏ ଭଳି ଶକ୍ତିଶାଳୀ ଦଳଙ୍କୁ ପରାଜିତ କରି ଭାରତୀୟ ମହିଳା ୟୁ-୨୦ ଦଳ ପ୍ରଥମ ଥର ପାଇଁ ଟିମ୍ ଟାଇଟେଲ ବିଜୟୀ ହୋଇଛନ୍ତି । ସେମାନେ ଭାରତୀୟ ପତାକା ତଳେ ପ୍ରତିନିଧିିତ୍ୱ କରି ଏହି ବିଜୟ ହାସଲ କରିଛନ୍ତି । ଏବେ ସର୍ବିଆରେ ।ହବାକୁ ଥିବା ସିନିୟର ବିଶ୍ୱ ଚାଂପିଅନସିପରେ ଯେଉଁମାନେ ଅଂଶ ଗ୍ରହଣ କରିବେ ସେମାନଙ୍କୁ ଭାରତୀୟ ପ୍ରତିଯୋଗୀ ଭାବେ ନୁହେଁ, ‘ନ୍ୟୁଟ୍ରଲ ଆଥେଲେଟ୍’ ଭାବେ ବିଚାରକୁ ନିଆଯିବ । ତେବେ, ସେପ୍ଟେମ୍ବର ୨୩ରୁ ହାଂଗଝାଉରେ ଆରମ୍ଭ ହୋଉଥିବା ଏସୀୟ କ୍ରୀଡାରେ ଭାରତୀୟ ରେସଲରମାନେ ଭାରତୀୟ ପତାକା ତଳେ ଭାଗ ନେଇ ପାରିବେ । କାରଣ, ସେମାନଙ୍କୁ ଭାରତୀୟ କୁସ୍ତି ମହାସଂଘ ନୁହେଁ, ଭାରତୀୟ ଅଂଲିପିକ୍ ଆସୋସିଏସନ୍ (ଆଇଓଏ) ସେମାନଙ୍କ ନାମ ତାଲିକା ପଠାଇଛି । ବିଶ୍ୱସ୍ତରୀୟ ପ୍ରତିଯୋଗିତାଗୁଡିକୁ ଡବ୍ଲୁଏଫଆଇ ଆବଶ୍ୟକ ଟ୍ରାଏଲ୍ସ୍ ପରେ ପ୍ରତିଯୋଗୀ ଟିମ୍ ପଠାଇବା କଥା । ବାସ୍ତବରେ, ଡବ୍ଲୁଏଫଆଇ କାର୍ଯ୍ୟକର୍ତ୍ତା ନିର୍ବାଚନ ମେ’ ୭ତାରିଖରେ ହେବାକୁ ଥିଲା । କିନ୍ତୁ, କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ ନିର୍ବାଚନ ପ୍ରକ୍ରିୟାକୁ ଅସିଦ୍ଧ ଘୋଷଣା କରିଦେଲେ ଏବଂ ଆଇଓଏ ଭାରତୀୟ ରେସଲିଂ ମହାସଂଘ ପରିଚାଳନା ପାଇଁ ଏକ ଆଡହକ୍ କମିଟି ଗଠନ କରିଦେଲେ । ଏହାପରେ ବିଭିନ୍ନ କାରଣରୁ ଡବ୍ଲୁଏଫଆଇ କାର୍ଯ୍ୟକର୍ତ୍ତା ନିର୍ବାଚନ ବନ୍ଦ ହୋଇଛି । ଏସୀୟ ଚାଂପିଅନସିପ୍ ଚଳିତ ବର୍ଷ ପ୍ରାରମ୍ଭରେ ନୂଆଦିଲ୍ଲୀରେ ହେବାକୁ ଥିଲା । ତେବେ, ଡବ୍ଲୁଏଫଆଇର ବାଦାୟୀ ସଭାପତି ବ୍ରିଜ୍ ଭୂଷଣ ଶରଣ ସିଂହ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ନେଇ ଜଣେ ନାବାଳିକାଙ୍କ ସମେତ ୭ ଜଣ ଦେଶର ପ୍ରମୁଖ ମହିଳା କୁସ୍ତିଯୋଦ୍ଧା ଅଭିଯୋଗ କରି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ପରେ ଭାରତରେ ହେବାକୁ ଥିବା ଏସୀୟ ଚାଂପିଅନସିନ୍ ଦେଶ ବାହାରକୁ ସ୍ଥାନାନ୍ତର ହୋଇଥିଲା । ୟୁଡବ୍ଲୁଡବ୍ଲୁ ପକ୍ଷରୁ ଏନେଇ ଏପ୍ରିଏ ୨୮ ତାରିଖରେ ଆଇଓଏ ଓ କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟକୁ ସୂଚିତ କରି ଦିଆଯାଇଥିଲା । ବ୍ରିଜ୍ ଭୂଷଣ ମାମଲା ଏବେ ଦିଲ୍ଲୀର ଏକ କୋର୍ଟରେ ବିଚାରାଧୀନ ରହିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS