ଚନ୍ଦ୍ରଯାନ-୩ ସଫଳତାର ଶ୍ରେୟ ଯିବ କାହାକୁ ? ନେହେରୁଙ୍କୁ ନା ବାଜପେୟୀଙ୍କୁ ?
ପ୍ରସାଦ ରାଓ
ଅଗଷ୍ଟ ୨୫
ବୁଧବାର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଭାରତର ଚନ୍ଦ୍ରଯାନ-୩ ଯାନର ଲ୍ୟାଣ୍ଡର ଓ ରୋଭର ସଫଳତାର ସହ ନରମ ଅବତରଣ କରିବା ପରେ ଗୁରୁବାରରୁ ଆରମ୍ଭ ହୋଇଛି – ଶ୍ରେୟ କାହାକୁ ଯିବ ? ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ନା ୨୦୦୩ରେ ଚନ୍ଦ୍ର ଅଭିଯାନକୁ ଅନୁମୋଦନ ଦେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ? ବାସ୍ତବରେ ଏହି ସଫଳତାର ଶ୍ରେୟ ନେବାକୁ ହକଦାର ହେଉଛନ୍ତି ଭାରତର ମହାକାଶ ବିଜ୍ଞାନୀ, ଯେଉଁମାନେ କି ମିଶନକୁ ସଫଳ କରିବାରେ ନିଜକୁ ହଜାଇ ଦେଇଥିଲେ । ଦେଶର ୧୪୦ କୋଟି ଜନତା ଚନ୍ଦୟଯାନ-୩ର ସଫଳତା ପାଇଁ ‘ଇସ୍ରୋ’ ମହାକାଶ ବୈଜ୍ଞାନିକଙ୍କୁ ଶ୍ରେୟ ଦେଉଥିବା ବେଳେ ଗୁରୁବାରରୁ ଏହାକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି । ଶ୍ରେୟକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ଟ୍ୱିଟ୍ ଯୁୁଦ୍ଧ ଆରମ୍ଭ ହୋଇଛି । ଗୁରୁବାର ଦିନ କଂଗ୍ରେସ ପକ୍ଷରୁ ଏକ ଟ୍ୱିଟ୍ ରେ ଚନ୍ଦ୍ରଯାନ-୩ର ଶ୍ରେୟ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଦେବାକୁ ଉଦ୍ୟମ ହୋଇଥିଲା । ପଣ୍ଡିତ ନେହେରୁ ତାଙ୍କ ବୈଜ୍ଞାନିକ ଦୂରଦୃଷ୍ଟି କାରଣରୁ ମହାକାଶ ଉପରେ ଗବେଷଣା ପାଇଁ ‘ଭାରତୀୟ ମହାକାଶ ଗବଷେଣା ପ୍ରତିଷ୍ଠାନ’ ବା ‘ଇଣ୍ଡିଆନ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍’ (ଇସ୍ରୋ) ପ୍ରତିଷ୍ଠା କରିଥିଲେ । ଆଜି ଇସ୍ରୋ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରାଇବାରେ ଯେଉଁ ସଫଳତା ପାଇଛି ତାହା ଦୂରଦ୍ରଷ୍ଟା ପଣ୍ଡିତ ନେହେରୁଙ୍କୁ ଯିବ । ପଣ୍ଡିତ ନେହେରୁଙ୍କ ନାମ ଶୁଣିଲେ ଚିହିଁକି ଉଠୁଥିବା ବିଜେପି କଣ ପଛରେ ପଡିବ ? କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ ଏକ ଟ୍ୱିଟ୍ କରି କଂଗ୍ରେସ ଟ୍ୱିଟ୍ ର ଜବାବ ରଖିଛନ୍ତି । ସେ କହିଛନ୍ତି, ‘ଇସ୍ରୋ’ ପ୍ରତିଷ୍ଠାତା ଯିଏ ହୁଅନ୍ତୁ ନା କାହିଁକି ଧନ୍ୟବାଦର ପାତ୍ର । ତେବେ, ଚନ୍ଦ୍ରଯାନର ସଫଳତାର ଶ୍ରେୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ହିଁ ଯିବ । ବାଜପେୟୀ ଜୀ ୧୯୯୯ରେ ଚନ୍ଦ୍ର ଅଭିଯାନର ପରିକଳ୍ପନା କରିଥିଲେ । ଏଥିସକାଶେ ଇସ୍ରୋ ଯୋଜନାକୁ ତାଙ୍କ ସରକାର ଅନୁମୋଦନ ଦେଇଥିଲେ ଓ ଦେଶର ମହାକାଶ ବୈଜ୍ଞାନିକମାନେ ଚନ୍ଦ୍ରକୁ ନେଇ ଗବେଷଣା ଯୋଜନା ଆଗେଇ ନେବାକୁ ମଧ୍ୟ ଆହ୍ୱାନ ଦେଇଥିଲେ । ବାଜପେୟୀ ମିଶନର ନାମ ‘ସୋମଯାନ’ରୁ ‘ଚନ୍ଦ୍ରଯାନ’କୁ ପରିବର୍ତ୍ତନ କରିଥିଲେ । ଯହାକି ମହାକାଶ ବିଜ୍ଞାନୀଙ୍କୁ ଚକିତ କରିଥିଲା । ଆଜି ଚନ୍ଦ୍ର ମିଶନରେ ଇସ୍ରୋକୁ ଯେଉଁ ସଫଳତା ମିଳିଛି ତାହାର ଶ୍ରେୟ ବାଜପେୟୀ ଜୀଙ୍କୁ ଯିବନି କି (?) ବୋଲି ମେଘାୱାଲ ସାମ୍ବାଦିକଙ୍କୁ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ ଯେ, ‘ଇସ୍ରୋ’ ବୈଜ୍ଞାନିକମାନେ ରିଗ୍ ବେଦରେ ଏକ ସଂସ୍କୃତ ବ୍ୟାଖ୍ୟାନକୁ ନେଇ ଚନ୍ଦ୍ର ଅଭିଯାନର ନାମକରଣ କରିଥିଲେ ‘ସୋମଯାନ’ । ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀ ମିଶନର ନାମ ପରିବର୍ତ୍ତନ କରିବା ଓ ତାହାକୁ ‘ଚନ୍ଦ୍ରଯାନ’ ରଖିବା ସେମାନଙ୍କୁ ବିସ୍ମିତ କରିଥିଲା । ତେବେ, ବାଜପେୟୀ କହିଥିଲେ, ଭାରତ ଏକ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଥିବାରୁ ଚନ୍ଦ୍ରକୁ ଅନୁଧ୍ୟାନ କରିବା ପାଇଁ ଏକାଧିକ ମିଶନ ମହାକାଶକୁ ପ୍ରେରଣ କରିବ । ତେଣୁ, ମିଶନର ନାମ ‘ସୋମଯାନ’ ନୁହେଁ, ‘ଚନ୍ଦ୍ରଯାନ’ ରହିବା ଆବଶ୍ୟକ । ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କେ.କସ୍ତୁରୀରଂଗନ ୨୦୧୯ରେ ଏକ ଇଂରାଜୀ ଦୈନିକକୁ ସାକ୍ଷାତକାରରେ ଏହି ସୂଚନା ଦେଇଥିଲେ । ସେ ଏହା ମଧ୍ୟ କହିଥିଲେ, ଚନ୍ଦ୍ର ମିଶନକୁ ନେଇ ଯୋଜନା କରିବାକୁ ଇସ୍ରୋକୁ ଚାରି ବର୍ଷ ଲାଗିଲା । ତାହା କାର୍ଯ୍ୟକାରୀ କରିବାକୁ ମଧ୍ୟ ଆଉ ଚାରି ବର୍ଷ ଲାଗିଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀ ୨୦୦୩ ନଭେମ୍ବରରେ ଦେଶର ପ୍ରଧାନମନ୍ତ୍ରୀ ଥାଇ ଭାରତର ଚନ୍ଦ୍ର ମିଶନକୁ ସରକାରୀ ଅନୁମୋଦନ ଦେଇଥିଲେ । ସେହି ବର୍ଷ ୫୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସେ ଘୋଷଣା କରିଥିଲେ, ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ବହୁ ଉଚ୍ଚକୁ ଉଡିବାକୁ ପ୍ରସ୍ତୁତ । ୨୦୦୮ ସୁଦ୍ଧା ଦେଶ ଭାରତ ତାହାର ମହାକାଶଯାନ ଚନ୍ଦ୍ରକୁ ପଠାଇବାକୁ ଯାଉଥିବା ଖୁସିର ବିଷୟ । ଚନ୍ଦ୍ର ମିଶନର ନାମ ‘ଚନ୍ଦ୍ରଯାନ’ ରହିବ ବୋଲି ସେ ଘୋଷଣା କରିଥିଲେ । ଚନ୍ଦ୍ରଯାନ-୧ କେବଳ ଏକ ଅର୍ବିଟର ଥିଲା । ଚନ୍ଦ୍ରଯାନ-୨ ଲ୍ୟାଣ୍ଡର ଓ ରୋଭର ସହ ଚନ୍ଦ୍ର କକ୍ଷକୁ ଯାଇଥିଲେ ମଧ୍ୟ ରୋଭର ସହ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ନରମ ଅବତରଣ କରିବାରେ ବିଫଳ ହୋଇ କ୍ରାସ୍ ଲ୍ୟାଣ୍ଡିଂ ଯୋଗୁଁ ନଷ୍ଟ ହୋଇଯାଇଥିଲା । ତେବେ, ସେଥିରୁ ମିଳିଥିବା ଶିକ୍ଷାରୁ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ନରମ ଅବତରଣ କରିବାରେ ବୁଧବାର ସନ୍ଧ୍ୟାରେ ସଫଳ ହୋଇଛି । ଲ୍ୟାଣ୍ଡର ଭିତରେ ଥିବା ରୋଭର ମଧ୍ୟ ବହାରକୁ ଆସି ଚନ୍ଦ୍ରପୃଷ୍ଠରେ ବିଚରଣ କରୁଥିବାର ଭିଡ଼ିଓ ଚିତ୍ର ମଧ୍ୟ ଇସ୍ରୋର ହସ୍ତଗତ ହୋଇଛି । ଚନ୍ଦ୍ରଯାନ-୩ ଯାନ ନିର୍ମାଣ ପାଇଁ ୨୫୦ କୋଟି ଟଙ୍କା (ଲଂଚ୍ ଭେଇକିଲ୍ ମୂଲ୍ୟ ବ୍ୟତୀତ) ବ୍ୟୟବରାଦ ହୋଇଥିବା ବେଳେ ୬୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏତେ କମ୍ ଖର୍ଚ୍ଚରେ ଭାରତ ଚନ୍ଦ୍ରଯାନ ନିର୍ମାଣ କରି ସଫଳତା ପାଇବା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସଫଳତାର ଶ୍ରେୟ ନେବାକୁ ଦୁଇ ଜାତୀୟ ରାଜନୈତିକ ଦଳ ମଧ୍ୟରେ ବୟାନବାଜୀ ଏଥିରେ କୌଣସି ଫରକ ପକାଇବ ନାହିଁ ବୋଲି ଜନସାଧାରଣରେ ମତପ୍ରକାଶ ପାଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS