ଏନସିପିରେ ବିଭାଜନ ଘଟିନି, ଅଜିତ ଏବେ ମଧ୍ୟ ଦଳରେ ଅଛନ୍ତି : ଶରଦ ପାୱାର
ପ୍ରସାଦ ରାଓ
ଅଗଷ୍ଟ ୨୫
ଏନସିପିରେ କୌଣସି ବିଭାଜନ ଘଟିନି, ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବେ ବି ଦଳରେ ଅଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର ଆଜି ପୁନେଠାରେ କହିଛନ୍ତି । ସେ କହିଛନ୍ତି, କିଛି ଏନସିପି ନେତା ‘ଭିନ୍ନ ରାଜନୈତିକ ମତ’ କାରଣରୁ ଦଳ ଛାଡିଛନ୍ତି । ତାହାକୁ, ଦଳରେ ବିଭାଜନ ବୋଲି କହିବା ଠିକ ନୁହେଁ । ପାୱାର ଆଜି କୋହ୍ଲାପୁରରେ ଏକ ସମାବେଶକୁ ଉଦ୍ବୋଧନ ଦେବା କାର୍ଯ୍ୟକ୍ରମ ଥିବାରୁ ସକାଳେ ପୁନେ ଜିଲ୍ଲାର ବାରାମତିରେ ଥିବା ତାଙ୍କ ଘରୁ ବାହାରିବା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହା କହିଛନ୍ତି । ପୂର୍ବ ଦିନ ଦଳର କାର୍ଯ୍ୟକାରୀ ସଭାପତି ଥିବା ତାଙ୍କ ଝିଅ ତଥା ବାରାମତି ସାଂସଦ ସୁପ୍ରିୟା ସୁଲେ ଗଣମାଧ୍ୟମକୁ କହିଥିଲେ, ଦଳର ବରିଷ୍ଠ ନେତା ତଥା ବିଧାୟକ ଅଜିତ ପାୱାର ଗିନ୍ନ ରାଜନୈତିକ ମତ କାରଣରୁ ଦଳ ବିରୋଧରେ ଯେଉଁ ମତ ରଖିଛନ୍ତି ସେନେଇ ରାଜ୍ୟ ବିଧାନସଭା ବାଚସ୍ପତିଙ୍କୁ ଅବଗତ କରାଯାଇଛି । ବାଚସ୍ପତିଙ୍କ ପଦକ୍ଷେପକୁ ‘ଆମ ଅପେକ୍ଷା କରିଛୁ’ । ସୁପ୍ରିୟାଙ୍କ ବୟାନକୁ ନେଇ ଗଣମାଧ୍ୟମ ପ୍ରତିନିଧି ଆଜି ଏନସିପି ମୁଖ୍ୟ ପାୱାରଙ୍କୁ ପ୍ରଶ୍ନ କରିଥିଲେ । ଏନସିପିରେ କୌଣସି ବିଭାଜନ ଘଟି ନାହିଁ, ଅଜିତ ପାୱାର ଦଳର ନେତା ଅଛନ୍ତି ବୋଲି ସୁପ୍ରିୟା କହିଥିବା ନେଇ ସେମାନେ ଶରଦ ପାୱାରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ପାୱାର କହିଲେ, ଏନସିପିରେ କୌଣସି ବିଭାଜନ ଘଟି ନାହିଁ, ଅଜିତ ପାୱାର ଦଳର ନେତା ଅଛନ୍ତି । ଦଳରେ ବିଭାଜନ ଘଟିଛି ବୋଲି କିଏ କେମିତି କହିବ ? ଗୋଟିଏ ରାଜନୈତିକ ଦଳରେ ବିଭାଜନ ଘଟିବା ଅର୍ଥ ହେଉଛି, ଜାତୀୟସ୍ତରରେ ଦଳର ଗୋଟିଏ ବଡ ଗୋଷ୍ଠୀ ଦଳରୁ ନିଜକୁ ଅଲଗା କରି ନେବା । ଏନସିପିରେ ସେଭଳି କିଛି ଘଟି ନାହିଁ । କିଛି ନେତା ଭିନ୍ନ ରାଜନୈତିକ ମତ କାରଣରୁ ଦଳ ଛାଡିଛନ୍ତି । ଗଣତନ୍ତ୍ରରେ ସମସ୍ତଙ୍କ ଭିନ୍ନମତ ରଖିବା ବା ନିଜ ସଂପର୍କରେ ନିଷ୍ପତ୍ତି ନେବାର ଅଧିକାର ରହିଛି । ମହାରାଷ୍ଟ୍ରରେ ଏନସିପି, ଉଦ୍ଧବ ଠାକରେଙ୍କ ଶିବସେନା ଓ କଂଗ୍ରେସକୁ ନେଇ ଗଠିତ ମହା ବିକାଶ ଅଘାଡି (ଏମଭିଏ) ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ (ଜାତୀୟ ଗଣତାନ୍ତ୍ରିକ ମେଂଟ) ଠାରୁ ଅଧିକ ଭଲ ଫଳାଫଳ କରିବ ବୋଲି ପାୱାର ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି । ଆସନ୍ତା ଲୋକସଭା ନିର୍ବାଚନରେ ୨୬ ବିରୋଧୀ ଦଳଙ୍କ ମେଂଟ ଆଇଏନଡ଼ିଆଇଏ (ଇଣ୍ଡିଆ) ଏନଡିଏ ତୁଳନାରେ ଭଲ ଫଳାଫଳ କରିବ ବୋଲି ନିକଟରେ ସାମ୍ନାକୁ ଆସିଥିବା ଏକ ସର୍ଭେ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ପାୱାର କହିଲେ, ସର୍ଭେ ରିପୋର୍ଟ କଣ କହିଛି ସେ ଜାଣି ନାହାନ୍ତି, ତେବେ ୨୦୨୪ ଲେକସଭା ନିର୍ବାଚନରେ ଏମଭିଏ ରାଜ୍ୟର ସର୍ବାଧିକ ଲୋକସଭା ଆସନରେ ବିଜୟୀ ହେବା ନିଶ୍ଚିତ । ଏଠାରେ ସୂଚନାଯୋଗ୍ୟ ଯେ, ବିରୋଧୀ ମେଂଟ ‘ଇଣ୍ଡିଆ’ର ତୃତୀୟ ଆନୁଷ୍ଠାନିକ ବୈଠକ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ମୁମ୍ବାଇଠାରେ ହେବାକୁ ଅଛି । ଶରଦ ପାୱାରଙ୍କ ପୁତୁରା ତଥା ଏନସିପି ନେତା ଅଜିତ ପାୱାର ଅନ୍ୟ ସାତ ଜଣ ଏନସିପି ବିଧାୟକଙ୍କ ସହ ଗତ ଜୁଲାଇ ୨ ତାରିଖ ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ୱାଧୀନ ଶିବସେନା (ସିନ୍ଧେ)-ବିଜେପି ମିଳିତ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଭାବେ ଯୋଗ ଦେବା ପରେ ଏନସିପିରେ ବିଭାଜନ ଘଟିଥିବା ଚର୍ଚ୍ଚାକୁ ଆସି ଥିଲା । ଅଜିତ ପାୱାର ମଧ୍ୟ ତାଙ୍କ ସହ ଦଳର ସଂଖ୍ୟାଗରିଷ୍ଠ ବିଧାୟକ ଓ ନେତା ଥିବା ଦାବି କରି ନିଜକୁ ଏନସିପିର ଜାତୀୟ ସଭାପତି ଘୋଷଣା କରିଥିଲେ । ନିର୍ବାଚନ କମିଶନରେ ମଧ୍ୟ ଏନସିପି ନିର୍ବାଚନ ଚିହ୍ନ ତାଙ୍କ ଗୋଷ୍ଠୀକୁ ଦିଆଯାଉ ବୋଲି ଅଜିତ ଦାବିଦାର ଅଛନ୍ତି । ଅପରପକ୍ଷରେ, ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଅଜିତ ପାୱାର ଓ ତାଙ୍କ ସହ ଦଳ ଛାଡି ଥିବା ଏନସିପି ବିଧାୟକଙ୍କ ବିରୋଧରେ ଦଳ ବଦଳ ଆଇନ ଅନୁଯାୟୀ ବାଚସ୍ପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନ କରିଛନ୍ତି । ଇତିମଧ୍ୟରେ ଦୁଇ ପାୱାରଙ୍କ ମଧ୍ୟରେ ଭେଟଘାଟ ଓ ଆଲୋଚନା ହୋଇଥିବା ଚର୍ଚ୍ଚାରେ ଅଛି । ଏଭଳି ସ୍ଥିତିରେ ଏନସିପିରେ କୌଣସି ବିଭାଜନ ଘଟି ନାହିଁ, ଅଜିତ ପାୱାର ଏବେ ମଧ୍ୟ ଦଳର ନେତା ଅଛନ୍ତି ବୋଲି ଶରଦ ପାୱାରଙ୍କ ଦାବି ରାଜନୈତକ ମହଲରେ ଭୃକୁଂଚନ ସୃଷ୍ଟି କରିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS