ଧାରା ୩୭୦ ଉଚ୍ଛେଦ ବିରୋଧରେ ମତ ରଖି ନିଲମ୍ବିତ ହେଲେ ଅଧ୍ୟାପକ !
ପ୍ରସାଦ ରାଓ
ନୂଆଦିଲ୍ଲୀ/ଅଗଷ୍ଟ ୨୮
କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରାଯିବା ବିରୋଧରେ ସୁପ୍ରିମ କୋର୍ଟରେ ମତ ରଖି ଜମ୍ମୁ-କଶ୍ମୀରର ଜଣେ ବରିଷ୍ଠ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଚାକିରୀରୁ ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ଜମ୍ମୁ-କଶ୍ମୀର ଶିକ୍ଷା ବିଭାଗ ସଂପୃକ୍ତ ଅଧ୍ୟାପକଙ୍କୁ ଗତ ୨୫ ତାରିଖ ଦିନ ନିଲମ୍ବନ କରିଛନ୍ତି । ଆଜି ସୁପ୍ରିମ କୋର୍ଟ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି । ବରିଷ୍ଠ ଆଇନଜୀବୀ କପିଲ ସିବଲ୍ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ବିରୋଧରେ ଆସିଥିବା ଆବେଦନଗୁଡିକର ଶୁଣାଣୀ କରୁଥିବା ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡଙ୍କ ପାଂଚ ଜଣିଆ ସାମ୍ବିଧାନିକ ପୀଠ ନିକଟରେ ଅଧ୍ୟାପକଙ୍କ ନିଲମ୍ବନ କଥା ଉଠାଇ ଥିଲେ । ସାମ୍ବିଧାନିକ ପୀଠ ଏହାକୁ ଗମ୍ଭୀରତାର ସହ ବିଚାରକୁ ନେଇ ଆଜି ଆଟର୍ଣ୍ଣି ଜେନେରାଲ ଆର.ଭେଙ୍କଟରମଣୀଙ୍କୁ ପ୍ରଶ୍ନ କରିଛନ୍ତି । ଅଧ୍ୟାପକ ଜଣକ ସୁପ୍ରିମ କୋର୍ଟକୁ ଆସି ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ବିରୋଧରେ ମତ ଦେବା କାରଣରୁ ନିଲମ୍ବିତ ହେଲେ ତାହା ରାଜ୍ୟ ସରକାରଙ୍କ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ଧରି ନିଆଯିବ । ତେଣୁ, ନିଲମ୍ବନ ପଛରେ କାରଣ କଣ ରହିଛି ତାହା ଜମ୍ମୁ-କଶ୍ମୀର ଲ୍ୟୁଟିନାଂଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ସହ କଥା ହୋଇ ସାମ୍ବିଧାନିକ ପୀଠଙ୍କୁ ଜଣାଇବାକୁ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଆଟର୍ଣ୍ଣି ଜେନେରାଲଙ୍କୁ ନିର୍ଦେଶ ଦେଇଛନ୍ତି । ସୁପ୍ରିମ କୋର୍ଟରେ ଧାରା ୩୭୦ ଉଚ୍ଛେଦ ବିରୋଧରେ ମତ ରଖିଥିବା ବରିଷ୍ଠ ରାଜନୀତି ବିଜ୍ଞାନ ଅଧ୍ୟାପକ ଜହୁର ଅହମ୍ମଦ ଭଟ୍ଟ ଆଇନରେ ମଧ୍ୟ ଡିଗ୍ରୀଧାରୀ । ସେ ସୁପ୍ରିମ କୋର୍ଟରେ ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ବିରୋଧରେ ମତ ରଖିବାର ଦୁଇ ଦିନ ପରେ, ଅର୍ଥାତ ଅଗଷ୍ଟ ୨୫ ତାରିଖ ଦିନ ତାଙ୍କୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଚାକିରୀରୁ ନିଲମ୍ବନ କରାଯାଇଥିବା ଚିଠି ଜାରି କରିଛି । ଜମ୍ମୁ-କଶ୍ମୀର ସିଭିଲ ସର୍ଭିସ ରେଗୁଲେସନ୍ସ, ଜମ୍ମୁ-କଶ୍ମୀର ସରକାରୀ କର୍ମଚାରୀଙ୍କ ପାଇଁ ଥିବା କଣ୍ଡକ୍ଟ ରୁଲ୍ସ ଏବଂ ଜମ୍ମୁ-କଶ୍ମୀର ଲିଭ୍ ରୁଲ୍ସ (ଛୁଟି ନେବା ନିୟମାବଳୀ) ଉଲଂଘନ ଅଭିଯୋଗରେ ଭଟ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଶିକ୍ଷା ବିଭାଗ ନିର୍ଦେଶନାମାରେ ଦର୍ଶାଯାଇଛି । ଜମ୍ମୁ-କଶ୍ମୀର ଶିକ୍ଷା ବିଭାଗ ପ୍ରିନ୍ସିପାଲ ସେକ୍ରେଟାରୀ ଜାରି କରିଥିବା ନିର୍ଦେଶନାମାରେ ଭଟ୍ଟ ନିଲମ୍ବନ ସମୟ ଜମ୍ମୁ ଶିକ୍ଷା ବିଭାଗ ନିର୍ଦେଶାଳୟ ସହ ଆଟାଚ ରହିବେ କୁହାଯାଇଛି । ଅଗଷ୍ଟ ୨୫ ତାରିଖରେ ହୋଇଥିବା ଏହି ନିଲମ୍ବନ ଆଦେଶ ଆଇନଜୀବୀ ସିବଲ୍ ଆଜି ସୁପ୍ରିମ କୋର୍ଟ ସାମ୍ବିଧାନିକ ପୀଠଙ୍କ ଦୃଷ୍ଟିକୁ ଆଣିଥିଲେ । ସମ୍ବିଧାନିକ ପୀଠ ଏହାକୁ ଗମ୍ଭୀରତାର ସହ ନେଇ ଭଟ୍ଟଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ‘ଆକ୍ରୋଶମୂଳକ’ ନୁହେଁ ତ (?) ବୋଲି ପ୍ରଶ୍ନ କରିଛନ୍ତି । ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ବିରୋଧରେ ଭଟ୍ଟ ମାତ୍ର ୫ ମିନିଟ ପାଇଁ ସୁପ୍ରିମ କୋର୍ଟରେ ନିଜ ମତ ରଖିଥିଲେ । ସେ ଦୁଇ ଦିନ ଛୁଟିରେ ଆସି ସୁପ୍ରିମ କୋର୍ଟରେ ମତାମତ ରଖିବା ପରେ ଫେରିବା ବେଳକୁ ନିଲମ୍ବନପତ୍ର ପାଇଛନ୍ତି । ସିବଲ୍ ସୁପ୍ରିମ କୋର୍ଟଙ୍କୁ ଜଣାଇବାରୁ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଏହାକୁ ଗମ୍ଭୀରତାର ସହ ନେଇ କୋର୍ଟରେ ହାଜର ହୋଇ ନିଜ ମତ ରଖିଥିବା ଜଣେ ବ୍ୟକ୍ତି ଫେରିବା ପରେ ପରେ ଚାକିରୀରୁ ନିଲମ୍ବିତ ହେବା ପଛରେ କାରଣ କଣ ଅଛି ଜମ୍ମୁ-କଶ୍ମୀର ଏଲଜିଙ୍କ ସହ ଆଲୋଚନା କରି ଜଣାଇବାକୁ ଆଟର୍ଣ୍ଣିର୍ ଜେନେରାଲ ଭେଙ୍କଟରମଣୀଙ୍କୁ ନିର୍ଦେଶ ଦେଇଥିଲେ । ପ୍ରଧାନ ବିଚାରପତି କହିଥିଲେ, ନିଲମ୍ବନ ପଛରେ ଯଦି ଅନ୍ୟ କିଛି କାରଣ ରହିଛି ଭିନ୍ନ କଥା, ତେବେ ନିଲମ୍ବନ ସମୟକୁ ଦେଖିଲେ ତାହା ‘ଆକ୍ରୋଶ’ ଭଳି ଲାଗୁଛି । ଅଧ୍ୟାପକ ଭଟ୍ଟ ଅନ୍ୟ କାରଣରୁ ନିଲମ୍ବିତ ହୋଇଛନ୍ତି ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଥିଲେ ମଧ୍ୟ ସାମ୍ବିଧାନିକ ପୀଠର ଅନ୍ୟତମ ବିଚାରପତି ଜଷ୍ଟିସ ଏସ.କେ.କାଉଲ ନିଲମ୍ବନ କରାଯିବା ସମୟକୁ ନେଇ ପ୍ରଶ୍ନ ଉଠାଇ ଥିଲେ । ‘ତାହା ଠିକ୍ ସମୟ ନଥିଲା’ ବୋଲି ସଲିସିଟର ଜେନେରାଲ ମେହେଟ୍ଟା ସ୍ୱୀକାର କରିଛନ୍ତି । ସାମ୍ବିଧାନିକ ପୀଠର ଅନ୍ୟତମ ସଦସ୍ୟ ବିଚାରପତି ଜଷ୍ଟିସ ବି.ଭି.ଗଭାଇ ମଧ୍ୟ ନଲମ୍ବନ ସମୟକୁ ନେଇ ପ୍ରଶ୍ନ ଉଠାଇବା ସହ ଏହା ଏକ ଆକ୍ରୋଶମୂଳକ ପଦକ୍ଷେପ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୫ ତାରିଖରେ ଚାକିରୀରୁ ନିଲମ୍ବନ ଆଦେଶ ପାଇଥିବା ଜମ୍ମୁ-କଶ୍ମୀର ଅଧ୍ୟାପକ ଜହୁର ଅହମ୍ମଦ ଭଟ୍ଟ ଦୁଇ ଦିନ ପୂର୍ବରୁ ମାତ୍ର ୫ ମିନିଟ ପାଇଁ ସୁପ୍ରିମ କୋର୍ଟରେ ସାମ୍ବିଧାନିକ ପୀଠରେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ବିରୋଧରେ ନିଜ ମତ ରଖି ଥିଲେ । ଭଟ୍ଟ ସୁପ୍ରିମ କୋର୍ଟ ସାମ୍ବିଧାନିକ ପୀଠକୁ କହିଥିଲେ, ୨୦୧୯ ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ପରେ ରାଜ୍ୟର ରାଜନୀତି ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଭାରତୀୟ ରାଜନୀତି ବା ଇଣ୍ଡିଆନ ପଲିଟିକ୍ସ୍ ଉପରେ ପାଠ ପଢାଇବା ମୁସ୍କିଲ ହେଲାଣି । ସେମାନେ ପ୍ରଶ୍ନ କରୁଛନ୍ତି – ‘ଆଜି ବି ଆମ ଗଣତନ୍ତ୍ର ରହିଛ ତ ?’ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ଦ୍ୱାରା ରାଜ୍ୟ ତାହାର ସ୍ୱତନ୍ତ୍ର ସତ୍ତା ହରାଇଛି । ସରକାର ରାଜ୍ୟକୁ ଦୁଇ ଭାଗ କରି ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିବା ଦ୍ୱାରା ସମ୍ବିଧାନର ମୂଳସତ୍ତାର ଉଲଂଘନ କରିଛନ୍ତି । ଏହା ସଂଘୀୟ ଢାଂଚା ମଧ୍ୟ ପରିପନ୍ଥୀ ବୋଲି ଅଧ୍ୟାପକ ଭଟ୍ଟ ଅଭିଯୋଗ କରିଛନ୍ତି । ତେଣୁ, ଜମ୍ମୁ-କଶ୍ମୀର ସରକାରଙ୍କ ଶିକ୍ଷା ବିଭାଗ ଭଟ୍ଟଙ୍କୁ ନିଲମ୍ବନ କରିବା ପଛରେ ଆକ୍ରୋଶ କାମ କରୁଛି ବୋଲି ଅନେକ ସନ୍ଦେହ କରୁଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS