‘ଯଥା ସମ୍ଭବ ଏକାଠି ନିର୍ବାଚନ ଲଢିବୁ’ – ମୁମ୍ବାଇରୁ ବିରୋଧୀ ମେଂଟର ଘୋଷଣା
ପ୍ରସାଦ ରାଓ
ସେପ୍ଟେମ୍ବର ୦୧
ବିରୋଧୀ ମେଂଟ ‘ଇଣ୍ଡିଆ’ ସହ ସଂପୃକ୍ତ ସମସ୍ତ ରାଜନୈତିକ ଦଳ ଆସନ୍ତା ଲୋକସଭା ନିର୍ବାଚନରେ ‘ଯଥା ସମ୍ଭବ’ ଏକାଠି ନିର୍ବାଚନ ଲଢିବେ ବୋଲି ଆଜି ଘୋଷଣା କରିଛନ୍ତି । ୨୮ଟି ରାଜନୈତିକ ଦଳର ୬୦ରୁ ଅଧିକ ନେତା ଦୁଇ ଦିନ ହେଲା ମୁମ୍ବାଇର ‘ଗ୍ରାଣ୍ଡ ହୟାତ’ ହୋଟେଲରେ ବସି ଆଲୋଚନା କରିବା ପରେ ଆଜି ଏହି ଘୋଷଣା କରିଛନ୍ତି । ସର୍ବୋଚ୍ଚସ୍ତରୀୟ ନୀତି ନିର୍ଦ୍ଧାରଣ ପାଇଁ ‘ଇଣ୍ଡିଆ’ ମେଂଟ ପକ୍ଷରୁ ଏକ ୧୪ ଜଣିଆ ସମନ୍ୱୟ କମିଟି ଗଠନ କରାଯାଇଛି । ଏହି କମିଟିରେ କଂଗ୍ରେସ ନେତା କେ.ସି.ଭେନୁଗୋପାଳ, ଏନସିପି ନେତା ଶରଦ ପାୱାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ, ଆରଜେଡ଼ିରୁ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଟିଏମସିରୁ ଅଭିଷେକ ବାନାର୍ଜୀ, ଶିବସେନାରୁ ସଂଜୟ ରାଉତ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଆମ୍ ଆଦମୀ ପାର୍ଟିରୁ ରାଘବ ଚଡ୍ଡା, ସମାଜବାଦୀ ପାର୍ଟିରୁ ଜାଭେଦ ଅଲ୍ଲୀ ଖାନ, ଜେଡିୟୁରୁ ଲଲ୍ଲନ ସିଂହ, ସିପିଆଇରୁ ଡି.ରାଜା, ଜାତୀୟ କନଫରେନ୍ସ (ଏନସି) ପୂର୍ବତନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ପିଡ଼ିପି ପକ୍ଷରୁ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ରହିଛନ୍ତି ।
୫୪୫ ସଦସ୍ୟ ବିଶିଷ୍ଟ ଲୋକସଭା ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ପାଇଁ ବିରୋଧୀ ମେଂଟ ମଧ୍ୟରେ ଆସନ ବୁଝାମଣା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଚୂଡାନ୍ତ ହେବ ବୋଲି ଆଜି ପ୍ରସ୍ତାବ ଗ୍ରହଣ କରାଯାଇଛି । ବିରୋଧୀ ମେଂଟ ‘ଇଣ୍ଡିଆ’ର ଏହା ଥିଲା ତୃତୀୟ ଆନୁଷ୍ଠାନିକ ବୈଠକ । ପୂର୍ବ ଦୁଇଟି ବୈଠକ ବିହାରର ପାଟନା ଓ କର୍ଣ୍ଣାଟକ ରାଜଧାନୀ ବେଂଗାଲୁରୁରେ ଆନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଆନୁଷ୍ଠାନିକ ବୈଠକରେ ମେଂଟର ନାମକରଣ ‘ଆଇଏନଡ଼ିଆଇଏ’ ହୋଇଥିଲା । ମୁମ୍ବାଇ ବୈଠକରେ ‘ଇଣ୍ଡିଆ’ ମେଂଟର ‘ଲୋଗୋ’ ଉନ୍ମୋଚିତ ହେବାକୁ ଥିଲେ ମଧ୍ୟ ପରେ ତାହା କରାଯିବ ବୋଲି କୁହାଯାଇଛି । ଆସନ୍ତା ନିର୍ବାଚନରେ ମେଂଟର ପ୍ରଚାର କୌଶଳ କଣ ହେବ, ମେଂଟର କେହି ଆବାହକ ରହିବେ କି ନାହିଁ ଏବଂ କେଉଁମାନଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯିବ, ସେନେଇ ବୈଠକରେ ଏକାଠି ହୋଇଥିବା ନେତାମାନେ ଆଲୋଚନା ଜାରି ରଖିଥିବା ସୂଚନା ମିଳିଛି । ବିରୋଧୀ ମେଂଟ ୧୪ ଜଣିଆ ସମନ୍ୱୟ କମିଟି ସହ ନିର୍ବାଚନ ପ୍ରଚାର ଅଭିଯାନ ପାଇଁ ଯୋଜନା କରିବା, ରାଜନୈତିକ ସମାବେଶମାନ ଆୟୋଜନ କରିବା, ସାମାଜିକ ଗଣମାଧ୍ୟମର ପରିଚାଳନା ଓ ଡାଟା ପରିଚାଳନା ପାଇଁ ଚାରିଟି ସବ୍ ଗୃପ୍ ଗଠନ ହେବ ବୋଲି ମଧ୍ୟ ଆଭ୍ୟନ୍ତରୀଣ ସୂତ୍ରରୁ ସୂଚନା ମିଳିଛି ।
ଅକ୍ଟୋବର ୨ ତାରିଖରେ ମେଂଟର ମେନିଫାଷ୍ଟୋ ରିଲିଜ୍ କରିବାକୁ ଟିଏମସି ମୁଖ୍ୟ ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଇଣ୍ଡିଆ’ ମେଂଟ ନେତାଙ୍କୁ ପରାମର୍ଶ ଦେଇଛନ୍ତି । ଜାତୀୟସ୍ତରରେ ବିଜେପିର ମୁକାବିଲା ପାଇଁ ମିଳିତ କାର୍ଯ୍ୟକ୍ରମ ଚୂଡାନ୍ତ କରିବାକୁ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁତ୍ୱ ଦେଇଥିବା ଜଣାପଡିଛି । ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖ ଦୁଇ ଦିନ ଧରି ମେଂଟର ତୃତୀୟ ଆନୁଷ୍ଠାନିକ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହୋଇଛି । ଗତକାଲି ଶିବସେନା (ୟୁବିଟି) ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁମ୍ବାଇରେ ଏକାଠି ହୋଇଥିବା ବିରୋଧୀ ମେଂଟ ନେତାମାନଙ୍କୁ ନୈଶ୍ୟଭୋଜିରେ ଆପ୍ୟାୟିତ କରିଥିଲେ । ବିରୋଧୀ ମେଂଟର ନେତାମାନେ ଦୁଇ ଦିନିଆ ବୈଠକରେ ଯୋଗଦେବାକୁ ଗତକାଲି ମୁମ୍ବାଇରେ ଏକାଠି ହୋଇଥିବା ବେଳେ ସେମାନଙ୍କୁ ଆଚମ୍ବିତ କଲା ଭଳି ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ ବୋଲି ଗତକାଲି ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା । ଆଗୁଆ ସାଧାରଣ ନିର୍ବାଚନ କରାଇବାକୁ ସରକାର ସଂସଦର ଏହି ସ୍ୱତନ୍ତ୍ର ଅଧିବେଶନ ଡାକି ଥିବା ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଯିବା ପରେ ଦେଶବାସୀଙ୍କ ନଜର ଇଣ୍ଡିଆ ମେଂଟର ବୈଠକରୁ ସଂସଦର ସ୍ୱତନ୍ତ ଅଧିବେଶନ ଆଡକୁ ହଟି ଯାଇଥିଲା । ବିରୋଧୀ ମେଂଟ ନେତାମାନେ ସରକାରଙ୍କ ଏହି ନିଷ୍ପତ୍ତିକୁ କଡା ସମାଲୋଚନା କରିଛନ୍ତି । ମେଂଟର ନେତାମାନେ ସରକାରଙ୍କ ଏହି ଚାଲ୍ ପ୍ରତି ସତର୍କ ହୋଇଯିବାକୁ ‘ଇଣ୍ଡିଆ’ ମେଂଟର ବରିଷ୍ଠ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ସଚେତ କରାଇଛନ୍ତି ।
କେନ୍ଦ୍ର ସରକାର ଚଳିତ ମାସରେ ସଂସଦର ପାଂଚ ଦିନିଆ ସ୍ୱତନ୍ତ୍ର ଅଧିବେଶନ ପାଇଁ ତାରିଖ ଘୋଷଣା କରିଥିଲେ ମଧ୍ୟ କେଉଁ ବିଷୟରେ ଆଲୋଚନା ପାଇଁ ଅଧିବେଶନ ଡକାଯାଇଛି ତାହା ଉହ୍ୟ ରଖିବା କାରଣରୁ ବିରୋଧୀ ଆଶଙ୍କାରେ ଥିବା ବେଳେ ଜାତୀୟ ଗଣମାଧ୍ୟମରେ ଏହା ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇସାରିଛି । ଏହାକୁ ନେଇ ବିତର୍କ ମଧ୍ୟ ଜୋରଦାର ହେଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ କଥା କହୁଥିବାରୁ ଏବଂ ଚଳିତ ବର୍ଷ ଶେଷ ଆଡକୁ ଓ ୨୦୨୪ ପ୍ରାରମ୍ଭରେ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ କେନ୍ଦ୍ର ସରକାର ବିଧାନସଭା ସହ ଲୋକସଭା ନିର୍ବାଚନ ଏକାଠି କରିଦେବା ଯୋଜନାରେ ଥିବା ଉଭୟ ଗଣମାଧ୍ୟମ ଓ ବିରୋଧୀ ଅନୁମାନ କରୁଛନ୍ତି । ଚଳିତ ବର୍ଷ ଶେଷ ଆଡକୁ ଦେଶରେ ନିର୍ବାଚନ ହୋଇଯାଇପାରେ ବୋଲି ଆଲୋଚନା ଯୋର ଧରିଛି । ତେବେ, ଏଥିସକାଶେ ସମ୍ବିଧାନରେ ଆବଶ୍ୟକ ସଂଶୋଧନ କରାଯିବା ଆବଶ୍ୟକ । ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଇ ସମ୍ବିଧାନରେ ସଂଶୋଧନ କରାଇ ନେଲେ ମଧ୍ୟ ରାଜ୍ୟମାନଙ୍କ ସହମତିର ମଧ୍ୟ ଆବଶ୍ୟକତା ରହିଛି । ରାଜ୍ୟମାନେ ଏଥିରେ ସହମତ ହେବେ ତ (?) ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।
ସରକାର ଡିସେମ୍ବରରେ ନିର୍ବାଚନ କରିଇ ନେବାକୁ ଯୋଜନାରେ ଥିବା ଗତକାଲି ସନ୍ଧ୍ୟାରୁ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’କୁ ନେଇ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରୀ ପହ୍ଲାଦ ଯୋଷୀଙ୍କ ବକ୍ତବ୍ୟ ହେଉଛି, ଭାରତୀୟ ଗଣତନ୍ତ୍ରରେ ସର୍ବଦା ନୂଆ ପରୀକ୍ଷା ନିରୀକ୍ଷାର ସୁଯୋଗ ରହିଛି । ସରକାର ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବକୁ ଅନୁଧ୍ୟାନ କରି ରିପୋର୍ଯଦେବାକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି । ଦେଶର ପ୍ରଧାନ ବିଚାରପତିଙ୍କୁ ମଧ୍ୟ କମିଟିରେ ରଖାଯିବାକୁ ସ୍ଥିର କରାଯାଇଛି । କମିଟି ସବୁ ଦିଗରୁ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ହିଁ ସରକାର ଯାହା ପଦକ୍ଷେପ ନେବେ । ବିରୋଧୀ ଆଗୁଆ ଛାନିଆ ହେବାର କିଛି କାରଣ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିବା ବେଳେ ବିରୋଧୀ ମେଂଟର ଯୁକ୍ତି ହେଲା, ‘ଇଣ୍ଡିଆ’ ମେଂଟର ଶକ୍ତିବୃଦ୍ଧିରେ ବିଜେପି ଛାନିଆ । ନିର୍ବାଚନ ୨୦୨୪ରେ ହେଉ ବା ଆଗୁଆ ହେଉ ବିଜେପି ହାରିବା ନିଶ୍ଚିତ ଜାଣି ସରକାର ଏଭଳି ପ୍ରହସନ ଆରମ୍ଭ କରିଛନ୍ତି । ଆଗୁଆ ନିର୍ବାଚନ ସମ୍ଭାବନାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ଅବସ୍ଥାକୁ ଆସି ଯାଇଥିବା ବେଳେ ବିରୋଧୀ ମେଂଟର ମୁମ୍ବାଇ ବୈଠକ ଉପରୁ ଦେଶବାସୀଙ୍କ ନଜର ହଟାଇବା ପାଇଁ କେନ୍ଦ୍ର ସରକାର ଗତକାଲି ନୂଆଦିଲ୍ଲୀରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଗୋଟି ଚଳାଇଲେ ବୋଲି ରାଜନୈତିକ ବିଶ୍ଲେଷକମାନେ କହୁଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ମାସ ତଳେ ଓଡ଼ିଶାରେ ଏକ ବିଧାନସଭା ଉପ ନିର୍ବାଚନରେ ଦେଶରେ ଆଗୁଆ ନିର୍ବାଚନ ସଂଭାବନାକୁ ନେଇ ପ୍ରଥମେ ସଂକେତ ଦେଇଥିଲେ । କିନ୍ତୁ, ସମସ୍ତେ ତାହାକୁ ହାଲୁକାରେ ନେଇଥିଲେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଆଗୁଆ ନିର୍ବାଚନ ହେବା ସଂକେତ ଦେଇ ଆସିଛନ୍ତି । ତେବେ, ତାହା ଓଡ଼ିଶା ବିଧାନସଭା ପାଇଁ କି ଲୋକସଭା ପାଇଁ – ପ୍ରଧାନ କିମ୍ବା ସାମଲ ସେମାନଙ୍କ ବିବୃତିରେ ସ୍ପଷ୍ଟ କରିନଥିଲେ । ତେବେ, ଆଗୁଆ ନିର୍ବାଚନ ହେଲେ ଲଢିବା ପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି କହି ରାଜ୍ୟର ସବୁ ରାଜନୈତିକ ଦଳର ମୁଖ୍ୟମାନେ ପ୍ରଦାନ ଓ ସାମଲଙ୍କ ସଂକେତକୁ ହାଲକାରେ ଉଡାଇ ଦେଇଥିଲେ । କିନ୍ତୁ, ପ୍ରଧାନ ଓ ସାମଲ ଯେଉଁ ସଂକେତ ଦେଇଥିଲେ ତାହା ସତ୍ୟ ହେବାକୁ ଯାଉଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ହେଉଛି । ବିଜେଡ଼ି ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛି । ଏବେ, ବିରୋଧୀ ମଧ୍ୟ ପ୍ରସ୍ତୁତିକୁ ଜୋରଦାର କରିବେ । ଲୋକସଭା ହେଉ ବା ନହେଉ ଓଡ଼ିଶାରେ ଯେ ଆସନ୍ତା ଡିସେମ୍ବରରେ ବିଧାନସଭା ନିର୍ବାଚନ ହୋଇଯିବ, ସେଭଳି ସଂକେତ ମିଳିଲାଣି । ସେପ୍ଟେମ୍ବର ୨୨ରେ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ବସୁ ଥିବାରୁ ଆଗକୁ ତାହା ଅଧିକ ସ୍ପଷ୍ଟ ହୋଇଯିବ, ଏଥିରେ କିଛି ସନ୍ଦେହ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS