ଶ୍ରୀହରିକୋଟାରୁ ଆଦିତ୍ୟ ଏଲ-୧ର ସଫଳ ଉତକ୍ଷେପଣ
ପ୍ରସାଦ ରାଓ
ସେପ୍ଟେମ୍ବର ୦୨
ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆଜି ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ତାହାର ଆଦିତ୍ୟ ଏଲ-୧ ମହାକାଶ ଯାନର ସଫଳ ଉତକ୍ଷେପଣ କରି ସୂର୍ଯ୍ୟ ମିଶନର ଅୟମାରମ୍ଭ କରିଛି । ଚନ୍ଦ୍ରଯାନ-୩ର ସଫଳତା ପରେ ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ ପାଇଁ ଏହା ଇସ୍ରୋର ପ୍ରଥମ ଅଭିଯାନ, ଯାହା ଉପରେ କି ସମଗ୍ର ବିଶ୍ୱର ନଜର ରହିଛି । ଗତ ମାସରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ଓ ରୋଭର ‘ପ୍ରଜ୍ଞାନ’ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫଳ ଅବତରଣ କରି ଇତିହାସ ସୃଷ୍ଟି କରିଛନ୍ତି । ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ଭାରତ ବିଶ୍ୱର ଚତୁର୍ଥ ରାଷ୍ଟ୍ର ହୋଇଥିବା ବେଳେ ଦକ୍ଷିଣ ମେରୁରେ ଅବତରଣ କରିବାରେ ପ୍ରଥମ ରାଷ୍ଟ୍ର । ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ନରମ ଅବତରଣ କରିବା ପୂର୍ବରୁ ନିଜର ମହାକାଶ ଯାନ ଲୁନା-୨୫ର ଲ୍ୟାଣ୍ଡର ଓ ରୋଭରକୁ ସେଠାରେ ନରମ ଅବତରଣ କରାଇବାକୁ ଉଦ୍ୟମ କରି କ୍ରାସ୍ ଲ୍ୟାଣ୍ଡିଂ କାରଣରୁ ରୁଷ ବିଫଳ ହୋଇଥିଲା । ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସେମାନଙ୍କ ତଥ୍ୟ ସଂଗ୍ରହ ଅଭିଯାନ ସଫଳତାର ସହ ଜାରି ରଖି ଥିବା ‘ଇସ୍ରୋ’ ଟ୍ୱିଟର ମାଧ୍ୟମରେ ଦେଶବାସୀଙ୍କୁ ସୂଚନା ଦେଉଛି । ଏହି ସଫଳତା ପରେ ‘ଇସ୍ରୋ’ ତାହାର ସୂର୍ଯ୍ୟ ଅଭିଯାନ ଘୋଷଣା କରିଥିଲା । ଆଦିତ୍ୟ ଏଲ-୧ ମହାକାଶ ଯାନ ଆଜି ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରେ ଥିବା ସତୀଶ ଧାବନ ମହାକାଶ କେନ୍ଦ୍ରରୁ ପୂର୍ବାହ୍ନ ୧୧ଟା ୫୦ ମିନିଟରେ ସଫଳତାର ସହ ଉତକ୍ଷେପଣ ହୋଇଛି । ଇସ୍ରୋ ଚାରି ମାସରୁ ସାମାନ୍ୟ ଅଧିକ ଦିନରେ ଏହି ମହାକାଶ ଯାନକୁ ପୃଥିବୀ ପୃଷ୍ଠରୁ ୧.୫ ନିୟୁତ କିମି (୯୩୦,୦୦୦ ମାଇଲ) ଉଚ୍ଚରେ ସ୍ଥାପନ କରି ସୂର୍ଯ୍ୟଙ୍କ ଫଟୋସ୍ପିୟର, କ୍ରୋମୋସ୍ପିୟର ଓ ବାହ୍ୟସ୍ତର କରୋନା ଏବଂ ସୌରଝଡ ପ୍ରଭୃତିର ଅନୁଧ୍ୟାନ ଓ ତଥ୍ୟ ସଂଗ୍ରହ କରିବ । ସଂପୂର୍ଣ୍ଣ ସ୍ୱଦେଶୀ କୌଶଳରେ ଏହି ସୌରଯାନର ନିର୍ମାଣ ହୋଇଛି । ଦେଶର ଏହା ପ୍ରଥମ ସୋଲାର ବା ସୂର୍ଯ୍ୟ ଅଭିଯାନ । ଆଜି ଆଦିତ୍ୟ ଏଲ-୧ର ସଫଳ ଉତକ୍ଷେପଣ ପରେ ପ୍ରେଜେକ୍ଟ ନିର୍ଦେଶକ ନିଗର ସାହଜୀ ଇସ୍ରୋ ବୈଜ୍ଞାନିକମାନଙ୍କୁ ଉଦ୍ବୋଧନ ଦେଇ ଖୁସି ବ୍ୟକ୍ତ କରିଛନ୍ତି । ‘ସ୍ୱପ୍ନ ସତ ହେବାକୁ ଯାଉଛି’ ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ସଫଳ ଭାବେ ଉତକ୍ଷେପଣ ହୋଇଥିବା ଆଦିତ୍ୟ ଏଲ-୧ ମହାକାଶ ଯାନ ୧୨୫ ଦିନରେ ତାହାର ଗନ୍ତବ୍ୟ ସ୍ଥଳରେ ପହଂଚିବ ବୋଲି ସେ କହିଛନ୍ତି । କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ସମଗ୍ର ବିଶ୍ୱ ଗୋଟିଏ ନିଶ୍ୱାସରେ ଭାରତର ଏହି ସଫଳତାକୁ ଚାହିଁ ରହିଛି । ଭାରତୀୟ ବୈଜ୍ଞାନିକମାନେ ଦିନ ରାତି ଏକାଠି କରି ଏହି ପ୍ରୋଜେକ୍ଟକୁ ସଫଳ କରିବା ଦିଗରେ କାର୍ଯ୍ୟ କରିଛନ୍ତି । ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ ମଧ୍ୟ ଆଜିର ସଫଳତା ପାଇଁ ଏହି କାର୍ଯ୍ୟରେ ନିୟୋଜିତ ସମସ୍ତ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଦିତ୍ୟ ଏଲ-୧ ମହାକାଶ ଯାନ ସାତଟି ବିଭିନ୍ନ ଧରଣର ପେଲୋଡ୍ ବା ଯନ୍ତ୍ରାଂଶ ସହ ଆଜି ପିଏସଏଲଭି.ସି-୫୭.୧ ରକେଟ ସହାୟତାରେ ସୂର୍ଯ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଏହି ସାତଟି ପେଲେଡ୍ ମଧ୍ୟରୁ ୪ଟି ସୂର୍ଯ୍ୟଙ୍କଠାରୁ ନିର୍ଗତ ହେଉଥିବା କିରଣ ସଂପର୍କରେ ଅନୁଧ୍ୟାନ କରିବ । ଅନ୍ୟ ୩ଟି ସୂର୍ଯ୍ୟ କିରଣରୁ ନିର୍ଗତ ପ୍ଲାଜମା ଓ ମ୍ୟାଗନେଟିକ୍ ଫିଲ୍ଡ ସଂପର୍କରେ ଅନୁଧ୍ୟାନ କରିବ ବୋଲି ଜଣାପଡିଛି । ଦୁଇଟି କାରଣରୁ ଏହା ଏକ ଜଟିଳ ମିଶନ ଭାବେ ବିବେଚନା କରାଯାଉଛି । ପ୍ରଥମଟି ହେଉଛି, ଯାନକୁ ପୃଥିବୀର ସ୍ପିୟର ଅଫ୍ ଇନଫ୍ଲୁଏନ୍ସରୁ ବାହାର କରିବା ଓ ଦ୍ୱିତୀୟଟି ହେଉଛି, ଏଲ-୧କୁ ଲାଗ୍ରାନଜିଆନ ପଏଂଟ-୧ର ହାଲୋ ଅର୍ବିଟରେ ଅବସ୍ଥାପିତ କରିବା । ଯାନର ଗତିକୁ ସେହି ଅନୁସାରେ ନିୟନ୍ତ୍ରଣ କରାନଗଲେ ତାହା ସିଧା ସୂର୍ଯ୍ୟ ଅଭିମୁଖେ ଚାଲି ଯାଇ ଜଳି ନଷ୍ଟ ହୋଇଯିବ । ତେଣୁ, ଏହି ମିଶନର ସଫଳତା ଉପରେ ସମଗ୍ର ବିଶ୍ୱର ନଜର ରହିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS