ପାଂଚ ଶହ ନୁହେଁ ପଚାଶ କୋଟି !


ପ୍ରସାଦ ରାଓ
ସେପ୍ଟେମ୍ବର ୦୪
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ ସରକାରୀ ଖର୍ଚ୍ଚରେ ଓଡ଼ିଶାର ୩୦ଟି ଜିଲ୍ଲା ଗସ୍ତ କରିବାରେ ବିମାନ ଭଡା ବାବଦରେ ପ୍ରାୟ ୩୦୦ରୁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ବିରୋଧୀଙ୍କ ଆଡୁ ଅଭିଯୋଗ ହୋଇଥିବା ବେଳେ ରାଜ୍ୟ ସରକାର ଗଲା ପାଂଚ ବର୍ଷରେ ବିମାନ ଭଡା ବାବଦରେ ମାତ୍ର ୫୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ତାଙ୍କ ଟ୍ୱିଟର୍ ହ୍ୟାଣ୍ଡେଲରେ ସଫେଇ ଦେଇ ନୂଆ ବିବାଦର ସୂତ୍ରପାତ କରିଛନ୍ତି । ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତରେ ବିମାନ ଭଡା ବାବଦରେ ସରକାରୀ ତହବିଲରୁ ୩୦୦ରୁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ବିରୋଧୀଙ୍କ ଅଭିଯୋଗ ପାଗଳାମୀ ନୁହେଁ ତ (?) ବୋଲି ମନ୍ତ୍ରୀ ସାହୁ ପ୍ରଶ୍ନ କରିବା ସହ ଆସନ୍ତା ବିଧାନସଭା ଅଧିବେଶନରେ ସେ ଏବାବଦରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିବେ ବୋଲି କହିଛନ୍ତି । ମନ୍ତ୍ରୀ ସାହୁଙ୍କ ଟ୍ୱିଟ୍ ଆସିବା ପରେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ବିମାନ ଖର୍ଚ୍ଚ ପାଂଚ ଶହ କୋଟି ନା ପଚାଶ କୋଟି (!) – ସେନେଇ ଚର୍ଚ୍ଚା ହେବା ବଦଳରେ ଟୁକୁନି ସାହୁ ନିଜେ ମନ୍ତ୍ରୀ ଭାବେ ନିର୍ବାଚନ ମଣ୍ଡଳୀ ଗସ୍ତ ପାଇଁ କେତେ ଥର ବିମାନ ସେବାର ସୁବିଧା ପାଇଛନ୍ତି ବୋଲି ବିଜେପି ବିଧାୟିକା କୁସୁମ ଟେଟେ ତାଙ୍କୁ ପ୍ରଶ୍ନ କରିଛନ୍ତି । ଓଡ଼ିଶା ଶାସନରେ ଜଣେ ମନ୍ତ୍ରୀଙ୍କ ସ୍ଥାନ ଉଚ୍ଚରେ ନା ଜଣେ ପ୍ରଶାସକର (?) – ଗଲା କିଛି ସପ୍ତାହ ହେଲା ଏହାକୁ ନେଇ ରାଜନୈତିକ ମହଲ ତଥା ଜନସାଧାରଣରେ ବେଶ୍ ଚର୍ଚ୍ଚା ହେଉଛି । ଅନେକ ମୁଖ୍ୟମନ୍ତ୍ରୀଙ୍କ ‘ପ୍ରଶାସକ ସର୍ବସ୍ୱ’ ଶାସନକୁ ଗ୍ରହଣ କରୁନଥିବା ଆଲୋଚନା ବେଳେ ଜଣାପଡିଛି । ଏଭଳି ସମୟରେ ୫-ଟି ସଚିବଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଉତ୍ତର ଦେବାକୁ ନିଜେ ରାଜ୍ୟ ପରିବହନ ମନ୍ତ୍ରୀ ସାହୁ ଟ୍ୱିଟର ଆଶ୍ରୟ ନେବା ଅନେକଙ୍କୁ ଆଚମ୍ବିତ କରିଛି । ଆଜି ଦିନରେ ସରକାରରେ ମନ୍ତ୍ରୀଙ୍କ ତୁଳନାରେ ପ୍ରଶାସକଙ୍କ ସ୍ଥାନ ଉଚ୍ଚା ଥିବା ମନ୍ତ୍ରୀଙ୍କ ସଫେଇରୁ ସ୍ପଷ୍ଟ ହେଉଛି ବୋଲି କିଛି ଲୋକ ମତ ଦେଇଛନ୍ତି । ମନ୍ତ୍ରୀ ସାହୁ ଜଣେ ଓଡ଼ିଆ ହୋଇ କିଭଳି ଏପରି ଶାସନକୁ ସହ୍ୟ କରୁଛନ୍ତି ବୋଲି ବିଜେପି ବିଧାୟିକା ଟେଟେ ପ୍ରଶ୍ନ କରିବା ସହ ୫-ଟି ସଚିବଙ୍କ ବିରୋଧରେ ଅଭିଯୋଗ ହୋଇଥିବା ବେଳେ ମନ୍ତ୍ରୀ ତାହାର ଉତ୍ତର ଦେବାକୁ ଆଗେଇ ଆସିବା ରାଜ୍ୟରେ ମନ୍ତ୍ରୀମାନଙ୍କ ଦୟନୀୟ ଅବସ୍ଥାକୁ ପ୍ରମାଣିତ କରୁଛି ବୋଲି କହିଛନ୍ତି । ଏଠାରେ ସୂଚନାଯୋଗ୍ୟ, ରାଜ୍ୟର ଜଣେ ବିଜେଡ଼ି ବିଧାୟକ ତଥା ସମ୍ବାଦପତ୍ର ସଂପାଦକ ନିକଟରେ ଏକ ପ୍ରଥମ ପୃଷ୍ଠା ସଂପାଦକୀୟରେ ୫-ଟି ସଚିବଙ୍କ ଜିଲ୍ଲାଗସ୍ତରେ ବିମାନ ଭଡା ବାବଦରେ ସରକାରୀ ତହବିଲରୁ ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ କରିଥିଲେ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ନିକଟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ନରମ ଅବତରଣ କରିଥିବା ଚନ୍ଦ୍ରଯାନ-୩ ନିର୍ମାଣରେ ୬୫୦ କୋଟି ଟଙ୍କା ବ୍ୟୟ କରିଥିବା କହୁଥିବା ବେଳେ ଓଡ଼ିଶା ସରକାରଙ୍କ ୫-ଟି ସଚିବ ଜିଲ୍ଲାଗସ୍ତରେ ଗସ୍ତ ପାଇଁ (ଜନସାଧାରଣଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରିବା ପାଇଁ) ବିମାନ ଯାତ୍ରାରେ ପ୍ରାୟ ୩୦୦କୋଟି ଟଙ୍କା ଖର୍ଚ୍ଚ ହେବା ଏକ ବିଲକ୍ଷଣ ନୁହେଁ କି (?) ବୋଲି ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବା ରାଜ୍ୟ ମନ୍ତ୍ରୀମାନେ ସରକାରୀ ଖର୍ଚ୍ଚରେ ବିମାନରେ ଜିଲ୍ଲାଗସ୍ତ କରିବାରେ କାହାରି ଆପତ୍ତି ନାହିଁ । କିନ୍ତୁ, ରାଜ୍ୟର ଜଣେ ସଚିବସ୍ତରୀୟ ଅଧିକାରୀ ଜନତାଙ୍କଠାରୁ ଅଭିଯୋଗପତ୍ର ସଂଗ୍ରହ ପାଇଁ ବିମାନରେ ଜିଲ୍ଲାୱାରୀ ଗସ୍ତ କରିବା ଓ ସେବାବଦରେ ସରକାରୀ ତହବିଲରୁ ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବା ବିଲକ୍ଷଣ କୁହାଯିବ ବୋଲି ସେ କହିଛନ୍ତି । ଏହି ସଂପାଦକୀୟ ପ୍ରକାଶ ପାଇବା ପରେ ଶାସକ ଦଳର ମନ୍ତ୍ରୀ, ବିଧାୟକ, ନେତା ଓ ମୁଖପାତ୍ରମାନେ ସଂପୃକ୍ତ ବିଧାୟକ ତଥା ସମ୍ବାଦପତ୍ର ସଂପାଦକଙ୍କୁ ସମାଲୋଚନା କରିବାରେ ମୋଟେ କାର୍ପଣ୍ୟ କରି ନାହାନ୍ତି । କିଛି ମନ୍ତ୍ରୀ, ବିଧାୟକଙ୍କ ଯୁକ୍ତି ଥିଲା, ଦୁଇ ଦିନରେ ଗୋଟିଏ ଜିଲ୍ଲାରେ ଅଭିଯୋଗ ଶୁଣାଣୀ କାର୍ଯ୍ୟ ସାରିବାକୁ ହେଲେ ବିମାନରେ ହିଁ ଯିବାକୁ ପଡିବ । ସରକାର ପ୍ରଶାସନକୁ ଲୋକଙ୍କ ଦୁଆର ମୁହଁରେ ପହଂଚାଇବାକୁ ଏଭଳି ଖର୍ଚ୍ଚ କରୁଛନ୍ତି । ବିଧାୟକ ଜଣକ ୨୦୧୯ରେ ନିର୍ବାଚିତ ହେବା ପରେ ରାଜ୍ୟ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇବା ଆଶା ରଖିଥିଲେ । ତାହା ନହେବାରୁ ସେ ଏଭଳି ବିତଣ୍ଡା ଅଭିଯୋଗ କରୁଛନ୍ତି । ଏହି ସଂପାଦକୀୟର ପ୍ରତିକ୍ରିୟା ସ୍ୱରୂପ ସରକାର ସଂପୃକ୍ତ ସମ୍ବାଦପତ୍ରକୁ ବିଜ୍ଞାପନ ଦେବା ବନ୍ଦ କରି ଦେଇଥିବା ଖବରକାଗଜ ଆଡୁ ଅଭିଯୋଗ ହୋଇଛି । ୩୦୦ କୋଟି ଖର୍ଚ୍ଚ ଶୁଣି ସରକାର ପ୍ରତିକ୍ରିୟାଶୀଳ ଥିବା ସମୟରେ ବିଜେପି ରାଜ୍ୟ ଶାଖା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ୫-ଟି ସଚିବଙ୍କ ବିମାନ ଭଡା ବାବଦରେ ସରକାରୀ ତହବିଲରୁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଏବଂ ସଚିବ ଜଣକ ବେସରକାରୀ ଗସ୍ତରେ (ଶାସକ ଦଳ ବିଧାୟକଙ୍କ ଭୋଜିଭାତରେ ଯୋଗଦେବାକୁ) ମଧ୍ୟ ସରକାରୀ ଖର୍ଚ୍ଚରେ ବିମାନ ବ୍ୟବହାର କରିଥିବା ଅଭିଯୋଗ କରାଯାଇଛି । ସରକାର ସ୍ପଷ୍ଟୀକରଣ ଦେବାକୁ ବିଜେପି ଦାବି କରିବା ପରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଏହି ଟ୍ୱିଟ୍ ଆସିଛି । ରାଜ୍ୟର ଜଣେ ମନ୍ତ୍ରୀ ୫-ଟି ସଚିବଙ୍କ ସୁରକ୍ଷାରେ ଆଗକୁ ଆସି ସଫେଇ ଦେବା ବିବାଦକୁ ଅଧିକ ଘନିଭୂତ କରିଛି । ୫-ଟି ସଚିବଙ୍କ ଜିଲ୍ଲା ଗସ୍ତରେ ବିମାନ ବାବଦରେ ୫୦୦ କୋଟି ଖର୍ଚ୍ଚ ହୋଇଥିବା ନେଇ ରାଜ୍ୟ ବିଜେପିର ଅଭିଯୋଗ ଓ ୫-ଟି ସଚିବ ମେ’ ୧୪ ଓ ଜୁନ ୨୮ ତାରିଖରେ କେଉଁ ସରକାରୀ କାର୍ଯ୍ୟରେ ବିମାନ ବ୍ୟବହାର କରିଥିଲେ ତାହା ସରକାର ସ୍ପଷ୍ଟ କରିବାକୁ ବିଜେପି ବିଧାୟିକା ଟେଟେଙ୍କ ଆହ୍ୱାନ ଏବେ ସରକାରଙ୍କ ଅଡୁଆ ବଢାଇଛି । ରାଜ୍ୟ ପରିବହନ ମନ୍ତ୍ରୀ କହିଛନ୍ତି, ସରକାର ଗଲା ପାଂଚ ବର୍ଷରେ ବିମାନ ବାବଦରେ ମାତ୍ର ୫୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହାକି ବର୍ଷକୁ ହାରାହାରି ୧୦ରୁ ୧୨ କୋଟି ଟଙ୍କା ଆସୁଛି । ବିରୋଧୀ ୩୦୦ରୁ ୫୦୦ କୋଟି କଥା କହିବା ବିଭ୍ରାନ୍ତିକର । ଆସନ୍ତା ୨୨ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ମୌସୁମୀ ଅଧିବେଶନରେ ସେ ତାହାର ହିସାବ ଦେବେ । ତେବେ, ବିମାନ ବାବଦ ଖର୍ଚ୍ଚ ୩୦୦ରୁ ୫୦୦ କୋଟି ଟଙ୍କା ହୋଇଥାଉ ବା ୫୦ କୋଟି, ମୂଳ ପ୍ରଶ୍ନ ହେଉଛି ରାଜ୍ୟ ଶାସନରେ ଜଣେ ମନ୍ତ୍ରୀର ଗୁରୁତ୍ୱ ଅଧିକ ନା ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ଜଣେ ପ୍ରଶାସକର । ବିରୋଧୀ ଏହି ପ୍ରଶ୍ନକୁ ନେଇ ବିତର୍କ କରୁଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଜିଲ୍ଲାୱାରୀ ଗସ୍ତ କରି ଜନସାଧାରଣଙ୍କ ଅଭିଯୋଗ ଶୁଣିବାକୁ କ୍ଷମତା ପ୍ରଦାନ କରିଥିବା କହୁଥିବା ବେଳେ ଏସଂପର୍କରେ କିଛି ଲିଖିତ ଆଦେଶ ରହିଛି କି ବୋଲି ବିରୋଧୀ ପ୍ରଶ୍ନ କରୁଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ (ବିଜେପି) ଓ କଂଗ୍ରେସ ନେତା ପୂର୍ବତନ ଆଇଏଏସ୍ ବିଜୟ ପଟ୍ଟନାୟକ ଭିନ୍ନ ଭିନ୍ନ ଭାବେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ବିରୋଧରେ ଅଭିଯୋଗ କରିଥିବା ବେଳେ କେନ୍ଦ୍ରରେ ବିଜେପି ଶାସନ ଥାଇ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ । ଓଲଟା, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ୫-ଟି ସଚିବ ପାଣ୍ଡିଆନଙ୍କୁ ନିଜେ ରହୁଥିବା ହେଟେଲକୁ ଡକାଇ ନିଭୃତ ଆଲୋଚନା କରିବା ରାଜ୍ୟ ବିଜେପି ନେତାଙ୍କ ପାଇଁ ଅପମାନସୂଚକ ହୋଇଛି । ତଥାପି, ରାଜ୍ୟ ବିଜେପି ପାଣ୍ଡିଆନ-ବିରୋଧୀ ଅଭିଯାନ ଜାରି ରଖିଛି । ବିଧାନସଭାର ଆସନ୍ତା ଅଧିବେଶନରେ କେବଳ ପାଣ୍ଡିଆନଙ୍କ ବିମାନ ଖର୍ଚ୍ଚ ନୁହେଁ, ରାଜ୍ୟରେ ଲୋକ ପ୍ରତିନିଧି ବଡ ନା ପ୍ରଶାସକ – ତାହା ଉପରେ ମଧ୍ୟ ଘମାଘୋଟ ଆଲୋଚନା ହେବ ବୋଲି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା ହେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS