ରାଷ୍ଟ୍ରପତିଙ୍କ ନିମନ୍ତ୍ରଣପତ୍ରରେ ‘ଇଣ୍ଡିଆ’ ସ୍ଥାନରେ ‘ଭାରତ’ !


ପ୍ରସାଦ ରାଓ
ସେପ୍ଟେମ୍ବର ୦୫
ସମ୍ବିଧାନର ଆର୍ଟିକିଲ-୧ରେ ଇଣ୍ଡିଆ, ରାଜ୍ୟ ଗୋଷ୍ଠୀର ସମାହାର ବୋଲି ଉଲ୍ଲେଖ ରହିଛି । ଦେଶର ସମ୍ବିଧାନ ପ୍ରସ୍ତୁତ ହେବା ଦିନରୁ ଭାରତକୁ ‘ଇଣ୍ଡିଆ’ ଓ ଭାରତର ରାଷ୍ଟ୍ରପତିଙ୍କୁ ଇଂରାଜୀରେ ‘ପ୍ରେସିଡେଂଟ ଅଫ୍ ଇଣ୍ଡିଆ’ ଭାବେ ସମ୍ବୋଧନ କରାଯାଇଆସୁଛି । ଚଳିତ ମାସରେ ନୂଆଦିଲ୍ଲୀରେ ଜି-୨୦ ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କ ସମ୍ମିଳନୀର ଆୟୋଜନ କରାଯାଇଛି । ଏଥିରେ ଯୋଗ ଦେବାକୁ ଆସୁଥିବା ରାଷ୍ଟ୍ରମୁଖ୍ୟଙ୍କ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଆସନ୍ତା ୯ ତାରିଖ ଦିନ ‘ଭାରତ ମଣ୍ଡପମ୍’ରେ ଏକ ନୈଶ୍ୟଭୋଜିରେ ଆୟୋଜନ ହୋଇଛି । ଏହି ନୈଶ୍ୟଭୋଜିରେ ଯୋଗ ଦେବା ପାଇଁ ଭାରତର ରାଷ୍ଟ୍ରପତି ନାମରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ନିକଟକୁ ଯେଉଁ ନିମନ୍ତ୍ରଣପତ୍ର ଯାଇଛି ସେଥିରେ ‘ପ୍ରେସିଡେଂଟ ଅଫ୍ ଇଣ୍ଡିଆ’ ସ୍ଥାନରେ ‘ପ୍ରେସିଡେଂଟ ଅଫ୍ ଭାରତ’ ବୋଲି ଲେଖା ଥିବା ସମସ୍ତଙ୍କୁ ଆଚମ୍ବିତ କରିଛି । ଏହାମଧ୍ୟ ଏକ ନୂତନ ରାଜନୈତିକ ବିବାଦର ସୂତ୍ରପାତ କରିଛି । ସାଧାରଣତଃ କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରପତିଙ୍କ ନାମରେ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣପତ୍ର ପଠାଯାଏ । ଏହି ପରଂପରା ଆଗରୁ ରହି ଆସିଛି । ଜି-୨୦ ରାଷ୍ଟ୍ରମୁଖ୍ୟଙ୍କ ନିକଟକୁ ପଠା ଯାଇଥିବା ନିମନ୍ତ୍ରଣପତ୍ରରେ ‘ପ୍ରେସିଡେଂଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଂଟ ଅଫ୍ ଭାରତ’ ବୋଲି ଯାହା ଉଲ୍ଲେଖ ରହିଛି ତାହା କେନ୍ଦ୍ର ସରକାରଙ୍କ ଜାଣତରେ ହୋଇଥିବା ବିରୋଧୀ ଅନୁମାନ କରୁଛନ୍ତି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏହାର କଡା ସମାଲୋଚନା କରିଛନ୍ତି । ଏବେ ସରକାର ସମ୍ବିଧାନରେ ସଂଶୋଧନ କରି ‘ଭାରତ, ପୂର୍ବରୁ ଇଣ୍ଡିଆ ନାମରେ ପରିଚିତ, ଏକ ରାଷ୍ଟ୍ର ଗୋଷ୍ଠୀର ସମାହାର’ ବୋଲି ଲେଖିବାକୁ ଯାଉଛନ୍ତି କି (?) ବୋଲି ରମେଶ ପ୍ରଶ୍ନ କରିବା ସହ ରାଜ୍ୟ ଗୋଷ୍ଠୀ ମଧ୍ୟ ଏବେ ବିପଦଗ୍ରସ୍ତ ଥିବା କହିଛନ୍ତି । ରମେଶଙ୍କ ପ୍ରତିକ୍ରିୟା ପରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଉତ୍ତର ଦେବାକୁ ଯାଇ କହିଛନ୍ତି – ଭାରତ ହେଉଛି ‘ରିପବ୍ଲିକ ଅଫ୍ ଭାରତ’ । ସମାଜ ଦୃଢତାର ସହ ଅମୃତକାଳ ଆଡକୁ ଗତି କରୁଥିବାରୁ ଆମେ ଖୁସି ଏବଂ ଗୌରବାନ୍ୱିତ । କେନ୍ଦ୍ର ସରକାର ଆସନ୍ତା ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଇ ଥିବାରୁ ଏହି ଅଧିବେଶନ କାଳରେ ସମ୍ବିଧାନରେ ସଂଶୋଧନ ହେବା ସମ୍ଭାବନାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ସରକାର ସମ୍ବିଧାନର ଆଟିକିଲ୍-୧ରୁ ‘ଇଣ୍ଡିଆ’ ଶବ୍ଦକୁ ହଟାଇ କେବଳ ‘ଭାରତ’ ରଖିବାକୁ ଚାହୁଁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ପୂର୍ବରୁ ଶାସକ ଦଳର ଗୋଟିଏ ଗୋଷ୍ଠୀ ସମ୍ବିଧାନର ଆର୍ଟିକିଲ୍ ୧ରେ ‘ଇଣ୍ଡିଆ, ଦାଟଇଜ୍ ଭାରତ’ ବୋଲି ଯେଉଁ ଉଲ୍ଲେଖ ରହିଛି ତାହାକୁ ହଟାଇ କେବଳ ‘ଭାରତ’ ରଖିବାକୁ ଜୋରଦାର ଦାବି କରୁଥିଲେ । ଦୁଇ ଦିନ ତଳେ ଅରଏସଏସ ମୁଖ୍ୟ ମୋହନ ଭଗତ ଆସାମ ରାଜଧାନୀ ଗୌହାଟୀରେ ‘ସକଳ ଜୈନ ସମାଜ’ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଦେଶର ନାମ ‘ଇଣ୍ଡିଆ’ ବଦଳରେ ‘ଭାରତ’ ବୋଲି ବହୁଳ ଭାବେ ବ୍ୟବହାର କରାଯିବାକୁ ଆହ୍ୱାନ ଦେଇଥିଲେ । କେଉଁ ପ୍ରଚୀନ କାଳରୁ ଦେଶର ନାମ ‘ଭାରତ’ ରହି ଆସିଛି । ଆମେ ‘ଇଣ୍ଡିଆ’ ନାମକୁ ପରିତ୍ୟାଗ କରି ‘ଭାରତ’ ନାମକୁ ଆଗେଇ ନେବା ନିତାନ୍ତ ଜରୁରୀ । ଯେକୌଣସି ଭାଷାରେ ହେଉ ଦେଶର ନାମ ‘ଭାରତ’ ରହିବା ଆବଶ୍ୟକ ବୋଲି ଭଗତ କହିଥିଲେ । ଆରଏସଏସ ମୁଖ୍ୟଙ୍କ ଏଭଳି ବକ୍ତବ୍ୟ ପରେ ଜି-୨୦ ରାଷ୍ଟ୍ରମୁଖ୍ୟଙ୍କୁ ସେପ୍ଟେମ୍ବର ୯ ତାରିଖ ନୈଶ୍ୟଭୋଜି ପାଇଁ ରାଷ୍ଟ୍ରପତିଙ୍କ ଆଡୁ ପଠା ଯାଇଥିବା ନିମନ୍ତ୍ରଣପତ୍ରରେ ‘ପ୍ରେସିଡେଂଟ ଅଫି ଇଣ୍ଡିଆ’ ବଦଳରେ ‘ପ୍ରେସିଡେଂଟ ଅଫ୍ ଭାରତ’ ବୋଲି ଉଲ୍ଲେଖ ଥିବା ବେଶ୍ ଗୁରୁତ୍ୱ ବହନ କରୁଛି । ଆସନ୍ତା ୯ ଓ ୧୦ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀ ପ୍ରଗତି ମଇଦାନରେ ଥିବା ଇଂଟରନ୍ୟାସନାଲ କନଭେନ୍ସନ୍ ଏଣ୍ଡ ଏକ୍ଜିବିସନ ସେଂଟରର ‘ଭାରତ ମଣ୍ଡପମ୍’ରେ ଜି-୨୦ ରାଷ୍ଟ୍ରମୁଖ୍ୟଙ୍କ ସମ୍ମିଳନୀ ହେବାକୁ ଯାଇଛି । ରାଷ୍ଟ୍ରମୁଖ୍ୟଙ୍କ ନିକଟକୁ ପଠା ଯାଇଥିବା ନମନ୍ତ୍ରଣପତ୍ରରେ ‘ପ୍ରେସିଡେଂଟ ଅଫ୍ ଇଣ୍ଡିଆ’ ସ୍ଥାନରେ ‘ପ୍ରେସିଡେଂଟ ଅଫ୍ ଭାରତ’ ଲେଖା ଯିବା କାରଣରୁ କଂଗ୍ରେସ ନେତା ଜୟରାମ ରମେଶ ଯେଉଁ ପ୍ରତିକ୍ରି୍ରୟା ବ୍ୟକ୍ତ କରିଛନ୍ତି ତାହା ଉପରେ ବିଜେପି ସଭାପତି ଡକ୍ଟର ଜେ.ପି.ନଡ୍ଡା ମଧ୍ୟ ପାଲଟା ପ୍ରତିକ୍ରିୟା ଦେଇଛନ୍ତି । ଦେଶର ସମ୍ମାନ ଓ ଗୌରବ ସହ ସଂପୃକ୍ତ ସମସ୍ତ ବିଷୟକୁ କଂଗ୍ରେସ ବିରୋଧ କରୁଛି କାହିଁକି (?) ବୋଲି ସେ ପ୍ରଶ୍ନ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ପଦଯାତ୍ରା ଏବଂ ‘ଭାରତ ମାତାକୀ ଜୟ’ ସ୍ଲୋଗାନ ପ୍ରତି ରମେଶଙ୍କ ଦୃଷ୍ଟି ଆକର୍ଷଣ କରି ନଡ୍ଡା କହିଛନ୍ତି, କଂଗ୍ରେସ ସବୁ କଥାକୁ ବିରୋଧ କରିବା ଅର୍ଥ ହେଉଛି ଦେଶ, ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନ ପ୍ରତି ଦଳର ସାମାନ୍ୟତମ ସମ୍ମାନ ନାହିଁ । ଗୋଟିଏ ପରିବାରର ପ୍ରଶଂସାକୁ ସେ ଗୁରୁତ୍ୱ ଦେଉଛନ୍ତି । କଂଗ୍ରେସର ଦେଶ ବିରୋଧୀ ଓ ସମ୍ବିଧାନ ବିରୋଧୀ, ଏହା ସମଗ୍ର ଦେଶ ଭଲ ଭାବରେ ଜାଣେ ବୋଲି ନଡ୍ଡା ତାଙ୍କ ଟ୍ୱିଟ୍ (ଏକ୍ସ)ରେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ସ୍ଲୋଗାନକୁ ନେଇ ଗତ କିଛି ଦିନ ହେଲା ଲାଗି ରହିଥିବା ରାଜନୈତିକ ବବାଦ ଥମି ନଥିବା ବେଳେ ରାଷ୍ଟ୍ରପତିଙ୍କ ଲେଟର ହେଡ୍ ରେ ‘ପ୍ରେସିଡେଂଟ ଅଫ୍ ଇଣ୍ଡିଆ’ ସ୍ଥାନରେ ‘ପ୍ରେସିଡେଂଟ ଅଫ୍ ଭାରତ’ ଲେଖା ଯାଇଥିବା କଥାକୁ ନେଇ ଯେଉଁ ନୂଆ ବିବାଦର ଆରମ୍ଭ ହୋଇଛି ତାହାର ଶେଷ ସମ୍ବିଧାନର ସଂଶୋଧନରେ ଅଟକିବ ନା ଅନ୍ୟ ବିବାଦ ଭଳି ବାଏଁବାଏଁ ଉଡିଯିବ, ତାହା ଆଗକୁ ଜଣାପଡିବ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS