ମଣିପୁର ହିଂସା: ଏଡିଟର୍ସ ଗିଲ୍ଡ ସାମ୍ବାଦିକଙ୍କୁ ମିଳିଲା ସୁପ୍ରିମ କୋର୍ଟ ସୁରକ୍ଷା


ପ୍ରସାଦ ରାଓ
ସେପ୍ଟେମ୍ବର ୦୬
ଉତ୍ତର ପୂର୍ବାଂଚଳ ରାଜ୍ୟ ମଣିପୁରରେ ଏବେ ମଧ୍ୟ ପରିସ୍ଥିତି ସଂଗୀନ ରହିଛି । ସଂଖ୍ୟାଗରିଷ୍ଠ ମୈତେଇ ଓ ସଂଖ୍ୟାଲଘୁ କୁକି ସଂପ୍ରଦାୟ ଆଦିବାସୀଙ୍କ ମଧ୍ୟରେ ଗତ ମେ’ ମାସ ପ୍ରାରମ୍ଭରୁ ଚାଲିଥିବା ଜାତିଆଣ ହିଂସା ଥମିବାର ନାଁ ନେଉ ନାହିଁ । ରାଜ୍ୟର ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି ବୋଲି କେନ୍ଦ୍ର ସରକାର କହୁଥିଲେ ମଧ୍ୟ ମଝିରେ ମଝିରେ ଯେଉଁ ହିଂସା ଓ ଜଳାପୋଡାର ଦୃଶ୍ୟ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ ହୋଇ ତାହା ପରିସ୍ଥିତିରେ ସୁଧାର ଆସି ନଥିବା ସ୍ପଷ୍ଟ କରୁଛି । ମଣିପୁର ପରିସ୍ଥିତି ପାଇଁ ବିରୋଧୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟି କରୁଥିବା ବେଳେ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ (ଇଜିଆଇ) ଦ୍ୱାରା ପ୍ରସାରିତ ଏକ ରିପୋର୍ଟ ‘ଏକପାଖିଆ’ ଓ ରାଜ୍ୟର ବିଭିନ୍ନ ଗୋଷ୍ଠୀ ମଧ୍ୟରେ ବିଦ୍ୱେଷ ଭାବ ବଢାଉଛି ବୋଲି ଦର୍ଶାଇ ମଣିପୁର ପୁଲିସ ଇଜିଆଇର ସଭାପତି ବରିଷ୍ଠ ସାମ୍ବାଦିକା ସୀମା ମୁସ୍ତାଫା, ସଂଜୟ କପୁର, ସୀମା ଗୁହା ଓ ଭାରତ ଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ସେପ୍ଟେମ୍ବର ୨ ତାରିଖରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ପୁଲିସ ପକ୍ଷରୁ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି । ମଣିପୁର ପୁଲିସ ଏହି ସାମ୍ବାଦିକମାନଙ୍କୁ ଗିରଫ କରିବା ଆଶଙ୍କା ଥିବାରୁ ଏହା ଉପରେ ରୋକ୍ ଲଗାଇବା ପାଇଁ ଇଜିଆଇ ପକ୍ଷରୁ ସୁପ୍ରିମ କୋର୍ଟରେ ଜରୁରୀ ଆବେଦନ ହୋଇଥିଲା । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ତିନି ଜଣିଆ ବେଂଚ୍ ଆଜି ଏହି ଆବେଦନକୁ ଶୁଣାଣୀ ପାଇଁ ଗ୍ରହଣ କରିଛନ୍ତି । ଇଜିଆଇର ଆବେଦନ ପଂଜୀକୃତ କରିବାକୁ ତିନି ଜଣିଆ ବେଂଚ୍ ଆଦେଶ ଦେବା ସହ ୧୧ ତାରିଖ ଦିନ ତାହା ଉପରେ ଶୁଣାଣୀ କରିବାକୁ ଧାର୍ଯ୍ୟ କରିଛନ୍ତି । ସେପର୍ଯ୍ୟନ୍ତ ମଣିପୁର ପୁଲିସ ସଂପୃକ୍ତ ସାମ୍ବାଦିକଙ୍କ ବିରୋଧ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମଧ୍ୟ ଅଦାଲତ ନୁଲିସକୁ ନିର୍ଦେଶ ଦେଇଛନ୍ତି । ଇଜିଆଇ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ୟାମ ଦିୱାନ ଆଜି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ବେଂଚ୍ ସମ୍ମୁଖରେ ହାଜିର ହୋଇ ସେପ୍ଟେମ୍ବର ୨ ତାରିଖରେ ଏଡିଟର୍ସ ଗିଲ୍ଡ ସାମ୍ବାଦିକଙ୍କ ରିପୋର୍ଟ ପ୍ରକାଶ ପାଇବା ପରେ ମଣିପୁର ପୁଲିସ ଏହାର ସଭାପତି ଓ ଅନ୍ୟ ତିନି ଜଣ ବରିଷ୍ଠ ସାମ୍ବାଦିକଙ୍କ ବିରୋଧରେ ଅନ୍ୟୁନ ଦୁଇଟି ଆପରାଧୀକ ମାମଲା ରୁଜୁ କରିଥିବା ନଜରକୁ ଆସିଛି ବୋଲି ଜଣାଇ ଥିଲେ । ସେ ଏହା ମଧ୍ୟ ଜଣାଇ ଥିଲେ ଯେ, ଇଜିଆଇର ଫାକ୍ଟ୍ ପାଇଣ୍ଡିଂ ଟିମ୍ ଗତ ଅଗଷ୍ଟ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ହିଂସା ଉପଦୃତ ଅଂଚଳରେ ବ୍ୟାପକ ଭାବେ ଗସ୍ତ କରି ପୀଡିତ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷାତକାର ନେବା ପରେ ଏହି ରିପୋର୍ଟ ପ୍ରକାଶ କରିଛନ୍ତି । ସେଥିରେ ଯେଉଁ ସାମାନ୍ୟ ତୃଟି ରହି ଯାଇଥିଲା ତାହା ମଧ୍ୟ ତୁରନ୍ତ ସଂଶୋଧନ କରାଯାଇଛି । ତଥାପି, ମଣିପୁର ପୁଲିସ ପ୍ରକାଶିତ ରିପୋର୍ଟ ଏକପାଖିଆ ଓ ମିଥ୍ୟାତଥ୍ୟ ଉପରେ ଆଧାରିତ ଦର୍ଶାଇ ଇଜିଆଇ ସଭାପତି ଓ ତିନି ଜଣ ବରିଷ୍ଠ ସାମ୍ବାଦିକଙ୍କ ବିରୋଧରେ ଆଇପିସିର ବିଭିନ୍ନ ଦଫାରେ ପ୍ରାଥମିକ ଏତଲା (ଏଫଆଇଆର) ରୁଜୁ କରିଛନ୍ତି । ଇଜିଆଇ ରିପୋର୍ଟ ପ୍ରକାଶ ପାଇବା ପରେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହ ସାମ୍ବାଦିକ ସମ୍ମିଳନୀ କରି ସିଧାସଲଖ ଇଜିଆକୁ ଦାୟି କରି ଥିବାରୁ ପୁଲିସ ସଂପୃକ୍ତ ସାମ୍ବାଦିକଙ୍କୁ ଗିରଫ କରିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଏହାଦ୍ୱାରା ସାମ୍ବାଦିକମାନଙ୍କ ସ୍ୱାଧୀନ ମତବ୍ୟକ୍ତ କରିବାର ଅଧିକାର ଓ ବ୍ୟକ୍ତିଗତ ସ୍ୱାଧୀନତା ବ୍ୟାହତ ହେଉଛି ବୋଲି ଆଇନଜୀବୀ ଦିୱାନ ପ୍ରଧାନ ବିଚାରପତିଙ୍କ ବେଂଚ୍ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ମଣିପୁର ସରକାରଙ୍କ ପାଇଁ ଆଇନଜୀବୀ କାନୁ ଅଗ୍ରୱାଲ ଅଦାଲତରେ ହାଜର ହୋଇ ଆସନ୍ତା ସୋମବାର ବା ଅନ୍ୟ କୌଣସି ବିକଳ୍ପ ତାରିଖ ଶୁଣାଣୀ ପାଇଁ ଧାର୍ଯ୍ୟ କରିବାକୁ ଏବଂ ଆବେଦନକାରୀଙ୍କୁ ଆଶ୍ୱସ୍ତି ପାଇଁ ମଣିପୁର ହାଇକୋର୍ଟରେ ଆବେଦନ କରିବାକୁ ବେଂଚ୍ ନିର୍ଦେଶ ଦେବାକୁ ନିବେଦନ କରିଥିଲେ । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଇଜିଆଇ ସାମ୍ବାଦିକଙ୍କୁ ଚାରି ସପ୍ତାହର ସୁରକ୍ଷା ଦେବାକୁ ପ୍ରଥମେ ବିଚାର କରୁଥିଲେ ମଧ୍ୟ ପରେ ସେପ୍ଟମ୍ବର ୧୧ ତାରିଖକୁ ଶୁଣାଣୀ ପାଇଁ ଧାର୍ଯ୍ୟ କରିଥିଲେ । ଇଜିଆଇ ସାମ୍ବାଦିକମାନେ ରିଲିଫ୍ ପାଇବା ସକାଶେ ପ୍ରଥମେ ମଣିପୁର ହାଇକୋର୍ଟକୁ ନଯାଇ ସିଧାସଳଖ ରିଟ୍ ପିଟିସନ ଧରି ସୁପ୍ରିମ କୋର୍ଟକୁ କାହିଁକି ଚାଲି ଆସିଲେ (?) ବୋଲି ମଧଷ୍ପ୍ରଦାନ ବିଚାରପତି ପିଟିସନକାରୀଙ୍କ ଓକିଲ ଦିୱାନଙ୍କୁ ପ୍ରଶ୍ନ କରିଥିଲେ । ପରେ, ତିନି ଜଣିଆ ବେଂଚରେ ଥିବା ଅନ୍ୟ ଦୁଇ ବିଚାରପତି ଜଷ୍ଟିସ ଜେ.ବି.ପରିଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ସହ ସଂକ୍ଷୀପ୍ତ ପରାମର୍ଶ କରିବା ପରେ ଆଇନଜୀବୀ ଦିୱାନଙ୍କୁ କୋର୍ଟ ଶୁଣାଣୀ ପାଇଁ କାଗଜପତ୍ର ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଥିଲେ । ସାଧାରଣତଃ, ସାମ୍ବାଦିକମାନେ ଖବର ପରିବେଷଣ ସମୟରେ ବିଭିନ୍ନ ପକ୍ଷଠାରୁ ସତ୍ୟତ୍ୟ ଯାଂଚ କରିବା ପରଂପରା ରହିଛି । ସାମ୍ବାଦିକମାନେ ନିଜ ଆଡୁ ବିଭିନ୍ନ ପକ୍ଷ ଓ ପ୍ରଶାସନଠାରୁ ଖବରର ସତ୍ୟାସତ୍ୟ ଯାଂଚ କରନ୍ତି । ଏପରିକି, ସମ୍ବାଦପତ୍ର ବା ବୈଦ୍ୟୁତିକ ଗଣମାଧ୍ୟମ ସଂପାଦକ ଓ ବ୍ୟୁରୋ ମୁଖ୍ୟମାନେ ଏହି ଦାୟିତ୍ୱ ତୁଲାଇ ଥାଆନ୍ତି । କିନ୍ତୁ, ମଣିପୁର ଜାତିଆଣ ହିଂସା ସମୟରେ ସ୍ଥାନୀୟ ପ୍ରଶାସନ, ପୁଲିସ ଓ ନିରାପତ୍ତା ବାହିନୀଠାରୁ ଖବରର ସତ୍ୟାସତ୍ୟ ଯାଂଚ କରିବା ସମ୍ଭବ ହୋଇନି ବୋଲି ରିପୋର୍ଟରେ କୁହାଯାଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS