କଂଗ୍ରେସ ସଭାପତି ଖାର୍ଗେଙ୍କୁ ରାଷ୍ଟ୍ରପତି ନୈଶଭୋଜିକୁ ନିମନ୍ତ୍ରଣ କରି ନାହାନ୍ତି !


ପ୍ରସାଦ ରାଓ
ସେପ୍ଟେମ୍ବର ୦୮
ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ସମସ୍ତ ରାଷ୍ଟ୍ରମୁଖ୍ୟ ଓ ଅତିଥିଙ୍କୁ ଆପ୍ୟାୟିତ କରିବା ସକାଶେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା କାଲି ଦିଲ୍ଲୀ ପ୍ରଗତି ମଇଦାନର ‘ଭାରତ ମଣ୍ଡପମ୍’ରେ ଏକ ନୈଶଭୋଜି ରଖିଥିବା ବେଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ସେଥିରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇ ନଥିବା ଆଜି ଦିନରେ ଚର୍ଚ୍ଚାର ବିଷୟ ହୋଇଛି । ଖାର୍ଗେଙ୍କୁ ରାଷ୍ଟ୍ରପତିଙ୍କ ନୈଶଭୋଜିକୁ ନିମନ୍ତ୍ରଣ କରାଯାଇନଥିବା ଆଜି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । କଂଗ୍ରେସ ସଭାପତି ଖାର୍ଗେ ରାଜ୍ୟସଭାରେ ବିରୋଧୀ ଦଳ ନେତା ରହିଛନ୍ତି । ଏହାଛଡା, ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସର ସେ ସଭାପତି ଅଛନ୍ତି । ତାଙ୍କୁ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ମର୍ଯ୍ୟାଦା ମିଳୁଛି । ଏହାସତ୍ତ୍ୱେ ଖାର୍ଗେଙ୍କୁ କାଲି ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ନୈଶଭୋଜିକୁ ନିମନ୍ତ୍ରଣ କରାନଯିବା ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି । କେନ୍ଦ୍ର ସରକାରଙ୍କ ସମସ୍ତ କ୍ୟାବିନେଟ ଓ ରାଷ୍ଟ୍ରମନ୍ତ୍ରୀ, ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ସବ ମନ୍ତ୍ରଣାଳୟର ସଚିବ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ରାଷ୍ଟ୍ରପତିଙ୍କ ନୈଶଭୋଜିକୁ ନିମନ୍ତ୍ରିତ ହୋଇଥିବା ସମୟରେ କଂଗ୍ରେସ ସଭାପତି ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ଖାର୍ଗେଙ୍କୁ କେମିତି ଉପେକ୍ଷା କରାଗଲା ବୋଲି ଆଲୋଚନା ହେଉଥିବା ବେଳେ ଅନ୍ୟ କୌଣସି ରାଜନୈତିକ ଦଳର ନେତାଙ୍କୁ ମଧ୍ୟ ଏହି ନୈଶଭୋଜିକୁ ଡକାଯାଇ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରପତିଙ୍କ କାଲିର ନୈଶଭୋଜିକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଓ ଏଚ.ଡି.ଦେବେଗୌଡା ନିମନ୍ତ୍ରିତ ହୋଇଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ, ପଂଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସମତେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ନିମନ୍ତ୍ରିତ ହୋଇଛନ୍ତି ଓ ନୈଶଭୋଜିରେ ଯୋଗ ଦେବେ ବୋଲି ସମ୍ମତି ମଧ୍ୟ ଦେଇଛନ୍ତି । ସମସ୍ତ ନିମନ୍ତ୍ରିତ ଅତିଥିଙ୍କୁ ଆସନ୍ତା କାଲି ସନ୍ଧ୍ୟା ୫ଟା ୪୫ ମିନିଟ ସୁଦ୍ଧା ସଂସଦ ଭବନରେ ପହଂଚିବାକୁ କୁହାଯାଇଛି । ସେଠାରୁ ସେମାନଙ୍କୁ ‘ଭାରତ ମଣ୍ଡପମ୍’କୁ ନେବାକୁ ଓ ପୁଣି ଥରେ ସଂସଦ ଭବନରେ ଆଣି ଛାଡିବାକୁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରାଯାଇଛି । ଭିଭିଆଇପି ମୁଭମେଂଟ ଓ ଟ୍ରାଫିକ କଟକଣା ଯୋଗୁଁ ନିମନ୍ତ୍ରଣପତ୍ର ପାଇଥିବା ଅତିଥିମାନଙ୍କ ଗାଡି ସବୁ ଭାରତ ମଣ୍ଡପମ୍ ପର୍ଯ୍ୟନ୍ତ ଯିବା ସମ୍ଭବ ନୁହେଁ । ତେଣୁ, ଦିଲ୍ଲୀ ପୁଲିସ ସମସ୍ତ କ୍ୟାବିନେଟ ଓ ରାଷ୍ଟ୍ର ମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାରଙ୍କ ସଚିବ ଓ ଅନ୍ୟ ନିମନ୍ତ୍ରିତ ସ୍ୱତନ୍ତ୍ର ଅତିଥିମାନଙ୍କୁ ସଂସଦ ଭବନରୁ ନେଇ ‘ଭାରତ ମଣ୍ଡପମ୍’ରେ ପହଂଚାଇବା ଦାୟିତ୍ୱ ନେଇଛନ୍ତି । ନୈଶଭୋଜି ଅବସରରେ ‘ଭାରତ ମଣ୍ଡପମ୍’ରେ ଅଳ୍ପ ସମୟ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହୋଇଥିବା ଜି-୨୦ ପାଇଁ ନିଯୁକ୍ତ ସ୍ପତନ୍ତ୍ର ସଚିବ (ଅପରେସନ) ମୁକ୍ତେଶ ପରଦେଶୀ କହିଛନ୍ତି ।
ସରକାରୀ ସୂତ୍ରରୁ ଜଣାପଡିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଲି ସକାଳ ୯ଟା ସୁଦ୍ଧା ‘ଭାରତ ମଣ୍ଡପମ୍’ ପହଂଚି ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ସମସ୍ତ ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧି ଦଳଙ୍କୁ ସ୍ୱାଗତ କରିବେ । କାଲି ଏହି ସମ୍ମିଳନୀର ଦୁଇଟି ଅଧିବେଶନ ରହିଛି । ଆୟୋଜନ ସ୍ଥଳରେ ୱାର୍କି ଲଂଚ୍ ବା ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ଆସନ୍ତା କାଲିଠାରୁ ଆରମ୍ଭ ହେଉଥିବା ଏହି ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ଥଳ ବିଶେଷରେ ବିଭିନ୍ନ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ, ବିଭିନ୍ନ ଆନ୍ତର୍ଜାତିକ ସଂଗଠନର ସେକ୍ରେଟାରୀ ଜେନେରାଲ ଓ କାର୍ଯ୍ୟନିର୍ବାହୀ ନିର୍ଦେଶକମାନେ ପ୍ରତିନିଧି ଦଳ ସହ ଆସୁଥିବା ଜଣାପଡିଛି । ଦୁଇ ଦିନିଆ ସମ୍ମିଳନୀରେ ୪୦ରୁ ଅଧିକ ପ୍ରତିନିଧି ଦଳ ଯୋଗ ଦେଉଥିବା ଏବଂ ପ୍ରତ୍ୟେକ ପ୍ରତିନିଧି ଦଳରେ ୧୫୦ରୁ ୨୦୦ ସଦସ୍ୟ ରହୁଥିବା ଆକଳନ କରାଯାଇଛି । ଏହାଛଡା, ଦୁଇ ଦିନ ପାଇଁ ‘ଭାରତ ମଣ୍ଡପମ୍’ରେ ନିୟୋଜିତ ସୁରକ୍ଷା କର୍ମୀ, କ୍ୟାଟରିଂ ଷ୍ଟାଫ୍, ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟମାନଙ୍କୁ ମିଶାଇ ଶନିବାର ଓ ରବିବାର ଆୟୋଜନ ସ୍ଥଳରେ ପ୍ରାୟ ଦଶ ହଜାର ଲୋକଙ୍କ ସମାଗମ ହେବ ବୋଲି ଜି-୨୦ ସ୍ପତନ୍ତ୍ର ସଚିବ (ଅପରେସନ) ପରଦେଶୀ କହିଛନ୍ତି । ସେପ୍ଟେମ୍ବର ୯ ଓ ୧୦ ତାରିଖ – ଦୁଇ ଦିନ ଧରି ଦିଲ୍ଲୀରେ ହେବାକୁ ଥିବା ଏହି ଜି-୨୦ ସମ୍ମିଳନୀରେ ୩୦ରୁ ଅଧିକ ରାଷ୍ଟ୍ରମୁଖ୍ୟ, ୟୁରୋପୀୟ ୟୁନିୟନର ବରିଷ୍ଠ ଅଧିକାର. ନିମନ୍ତ୍ରିତ ଅତିଥି ରାଷ୍ଟ୍ରର ପ୍ରତିନିଧି ଓ ୧୪ଟି ଆନ୍ତର୍ଜାତିକ ସଂଗଠନର ମୁଖ୍ୟମାନେ ଯୋଗ ଦେଉଥିବା ଆଶା କରାଯାଉଛି । ୧୦ ତାରିଖ ସମ୍ମିଳନୀର ଶେଷ ଦିବସରେ ବିଭିନ୍ନ ରାଷ୍ଟ୍ର ମୁଖ୍ୟ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଜ୍ଞଳୀ ଅର୍ପଣ କରିବା କାର୍ଯ୍ୟକ୍ରମ ରହିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS