୨୦୨୪ ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ଜେଡିଏସ୍-ବିଜେପି ବୁଝାମଣା


ପ୍ରସାଦ ରାଓ
ସେପ୍ଟେମ୍ବର ୦୮
ଗତ ମେ’ ମାସରେ ଅନୁଷ୍ଠିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ନିକଟରୁ ପରାଜିତ ବିଜେପି ଓ ଜନତା ଦଳ (ଧର୍ମନିରପେକ୍ଷ) ୨୦୨୪ ଲୋକସଭା ନିର୍ବାଚନ ପାଇଁ ନିଜ ଭିତରେ ଏକ ବୁଝାମଣାରେ ପହଂଚି ଥିବା ଆଜି ସକାଳେ ସୂଚନା ମିଳିଛି । ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରାପ୍ପା ଏହି ସୂଚନା ଦେଇଛନ୍ତି । ରାଜ୍ୟର ୨୮ ଲୋକସଭା ଆସନରୁ ଜେଡ଼ିଏସ୍ ୪ଟି ଆସନରେ ନିର୍ବାଚନ ଲଢିବ ଓ ୨୫ରୁ ୨୬ ଲୋକସଭା ଆସନରେ ବିଜୟରେ ସହାୟକ ହେବ ବୋଲି ଦୁଇ ଦଳ ମଧ୍ୟରେ ବୁଝାମଣା ହୋଇଥିବା ଜଣାପଡିଛି । ଜେଡ଼ିଏସ ରାଜ୍ୟର ମାଣ୍ଡ୍ୟା, ହାସନ, ବେଂଗାଲୁରୁ (ଗ୍ରାମାଂଚଳ) ଓ ଚିକବାଲାପୁର ଲୋକସଭା ଆସନରୁ ଲଢିବାକୁ ଚାହୁଁଛି । ୨୦୧୯ ଲୋକସଭା ନିର୍ବାଚନରେ ହାସନ ଆସନରୁ କେବଳ ଜେଡ଼ିଏସ୍ ଜିତିଥିଲା । ତୁମକୁର ଆସନରୁ ଦଳର ମୁଖ୍ୟ ଏଚ.ଡି.ଦେବେଗୌଡା ପ୍ରାର୍ଥୀ ହୋଇଥିଲେ ମଧ୍ୟ ପରାଜିତ ହୋଇଥିଲେ । ତେବେ, ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୨୫ଟି ଆସନରୁ ବିଜୟୀ ହୋଇଥିବା ବେଳେ କଂଗ୍ରେସ ମାତ୍ର ଗୋଟିଏ ଆସନରୁ ବିଜୟୀ ହୋଇଥିଲା । ଅନ୍ୟ ଗୋଟିଏ ଆସନରୁ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ, ଯାହାକି ପରବର୍ତ୍ତୀ ସମୟରେ ବିଜେପି ଖାତାକୁ ଯାଇଛି । ୨୦୧୯ ଲୋକସଭା ନିର୍ବାଚନରେ ଜେଡ଼ିଏସ୍ ମୋଟ ଭୋଟ ସେୟାରର ୧୦ ପ୍ରତିଶତରୁ କମ୍ ଭୋଟ ପାଇଥିଲା । ସେହିଭଳି, ଗତ ମେ’ ମାସରେ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନରେ ମଧ୍ୟ ଜେଡ଼ିଏସର ଭୋଟ ସେୟାର ୧୪ ପ୍ରତିଶତରୁ କମ୍ ଥିଲା । ଏହାକୁ ନେଇ କିଛି ବିଜେପି ନେତା କର୍ଣ୍ଣାଟକରେ ଜେଡ଼ିୟୁ ସହ ବିଜେପିର ବୁଝାମଣାକୁ ପସନ୍ଦ କରୁନଥିଲେ ମଧ୍ୟ ବିଜେପି ବୁଝାମଣା ପାଇଁ ଏକପ୍ରକାର ବାଧ୍ୟ ହେଉଥିବା ଜଣାପଡିଛି । ଏହାର କାରଣ ହେଉଛି, ଦକ୍ଷିଣ ଭାରତରେ କର୍ଣ୍ଣାଟକ ଏକମାତ୍ର ରାଜ୍ୟ ଥିଲା ଯେଉଁଠାରେ କି ଗତ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ବିଜେପି ସରକାର ଥିଲା । ୨୦୨୩ ମେ’ରେ ହୋଇଥିବା ନିର୍ବାଚନରେ କଂଗ୍ରେସ ବିଜେପିକୁ ଚକମା ଦେଇ ୨୨୪ ବିଧାନସଭା ଆସନରୁ ୧୩୫ଟିରେ ବିଜୟୀ ହୋଇ ସରକାର ଗଠନ କରିଛି । କର୍ଣ୍ଣାଟକରେ ବଜେପି ଦ୍ୱିତୀୟ ସ୍ଥାନକୁ ଖସିଛି । ୨୦୨୪ ନିର୍ବାଚନରେ ବିଜେପିକୁ ପରାଜିତ କରିବା ପାଇଁ ଦେଶର ୨୮ ବିରୋଧୀ ଦଳ ‘ଇଣ୍ଡିଆ’ ନାମରେ ଏକାଠି ହୋଇଛନ୍ତି । ସେଥିରେ କଂଗ୍ରେସ, ଟିଏମସି, ଆପ୍, ଏନସିପି (ଶରଦ ପାୱାର), ଜେଡ଼ିୟୁ, ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ), ଡିଏମକେ, ନ୍ୟାସନାଲ କନଫରେନ୍ସ, ପିଡ଼ିପି ଭଳି ଦେଶର ପ୍ରମୁଖ ରାଜନୈତିକ ଦଳମାନେ ସାମିଲ ଅଛନ୍ତି । ଦକ୍ଷିଣ ଭାରତରେ ଗୋଟିଏ ହେଲେ ରାଜ୍ୟରେ ବିଜେପି ସରକାର ନାହିଁ । କର୍ଣ୍ଣାଟକ କଂଗ୍ରେସ ହାତକୁ ଚାଲି ଯାଇଥିବା ବେଳେ ତାମିଲନାଡୁରେ ୨୦୨୧ରେ ଡ଼ିଏମକେ ସରକାର ଆସିବା ପରେ ଏଆଇଏଡିଏମକେ ସହ ମେଂଟରେ ଥିବା ବିଜେପି କ୍ଷମତାଶୂନ୍ୟ ହୋଇଯାଇଛି । କେରଳରେ ମଧ୍ୟ ଦଳର କୌଣସି ସତ୍ତା ନାହିଁ । ଉଭୟ ତେଲେଂଗାନା ଓ ଆନ୍ଧ୍ର ପ୍ରଦେଶରେ ବିଜେପିକୁ ବିରୋଧ କରାଯାଉଛି । ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (ବିଆରଏସ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ଶୁଣିଲେ ଚିହିଁକି ଉଠୁଥିବା ବେଳେ ଆନ୍ଧ୍ର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆରସିପି ବିଭିନ୍ନ ଜାତୀୟ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ସମର୍ଥନ ଦେଉଥିଲେ ମଧ୍ୟ ନିର୍ବାଚନ ରାଜନୀତିରେ ବିରୋଧ କରୁଛି । ଏବେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ (ତେଲୁଗୁ ଦେଶମ) ଏନଡିଏରେ ସାମିଲ ହେବା ଉଦ୍ୟମରେ ଥିବାରୁ ବିଜେପି ସାମାନ୍ୟ ଆଶ୍ୱସ୍ତ । କେବଳ କେନ୍ଦ୍ର ଶାସିତ ପୁଡୁଚେରୀରେ ବିଜେପି ଶାସକ ମେଂଟରେ ରହିଛି । ଏଭଳି ସ୍ଥିତିରେ, କର୍ଣ୍ଣାଟକରେ ଜେଡ଼ିଏସର ଭୋଟ ସେୟାର କମି ଯାଇଥିଲେ ସୁଦ୍ଧା ଦଳ ସହ ନିର୍ବାଚନୀ ବୁଝାମଣା କରି ୨୦୨୪ ନିର୍ବାଚନରେ ନିଜର ଉପସ୍ଥିତି ଜାହିର କରିବାକୁ ବିଜେପି ନେତୃତ୍ୱ ଆଗ୍ରହୀ ଥିବା ଆଜିର ଘୋଷଣାରୁ ସ୍ପଷ୍ଟ । ଜେଡ଼ିଏସ୍ ମୁଖ୍ୟ ଏଚ.ଡି.ଦେବେଗୌଡା ଓ ତାଙ୍କ ପୁଅ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି.କୁମାରସ୍ୱାମୀ ଦିନ ଥିଲା ନିଜକୁ ‘କିଙ୍ଗ୍ ମେକର୍’ ବୋଲି ଦାବି କରୁଥିଲେ । ଆଜି ଦିନରେ ସେମାନଙ୍କ ସ୍ଥିତି ଏତେଦୂର ଦୁର୍ବଳ ଯେ ବିଜେପି ଡଙ୍ଗାରେ ବସି ୨୦୨୪ ଲୋକସଭା ନିର୍ବାଚନ ନଦୀ ପାରି ହେବାକୁ ମନ ବଳାଇ ଥିବା ଦୁଇ ଦଳ ମଧ୍ୟରେ ହୋଇଥିବା ବୁଝାମଣାରୁ ଅନୁମାନ କରି ହେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS