ପାଣ୍ଡିଆନଙ୍କୁ ‘ନାୟକ’ କହିବା ନା ‘ଖଳନାୟକ’ ?


ପ୍ରସାଦ ରାଓ
ଭୁବନେଶ୍ୱର/ସେପ୍ଟେମ୍ବର ୦୯
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ସରକାରୀ ଚାକିରୀରେ ଥାଇ ଯେଭଳି ବିବଦମାନ ହୋଇପଡିଛନ୍ତି ତାହା ରାଜ୍ୟବାସୀଙ୍କୁ ଏକପ୍ରକାର ଭ୍ରମରେ ପକାଇଛି । ପୂର୍ବରୁ କୌଣସି ସରକାରୀ ଅଧିକାରୀ ଗୋଟିଏ ରାଜନୈତିକ ଦଳର ପ୍ରତିନିଧି ଭାବେ ଜିଲ୍ଲା ଗସ୍ତ କରି ଏଭଳି ବିବାଦୀୟ ହୋଇଥିବା ନଜିର ନାହିଁ । ଗଲା ପ୍ରାୟ ବର୍ଷେ ହେଲା ପାଣ୍ଡିଆନ ମହାଶୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ରାଜ୍ୟର ସବୁ ଜିଲ୍ଲା ବୁଲି ଆସିଲେଣି । ଏହି ଗସ୍ତ ସମୟରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ସେମାନଙ୍କଠାରୁ ଲିଖିତ ଅଭିଯୋଗପତ୍ର ସଂଗ୍ରହ କରି ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଛନ୍ତି । ସଂଗୃହୀତ ଅଭିଯୋଗପତ୍ର ମଧ୍ୟରୁ କେତେ ଅଭିଯୋଗର ଫଇସଲା ହୋଇଛି ଓ କେତେ ଅଭିଯୋଗ ସରକାରଙ୍କ ବିଚାରାଧୀନ ରହିଛି ତାହା ସରକାରୀ ଭାବେ ସୂଚିତ ହୋଇ ନଥିଲେ ମଧ୍ୟ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ଯେଭଳି ଭିଡ ଦେଖିବାକୁ ମିଳୁଥିଲା ଓ ଜନସାଧାରଣରେ ତାଙ୍କୁ ଯେଭଳି ସ୍ୱାଗତ କରାଯାଉଥିଲା ସେଥିରୁ ସରକାରୀ ଅଧିକାରୀଙ୍କ ପ୍ରତି ଜନସାଧାରଣରେ ଥିବା ନକାରାତ୍ମକ ଧାରଣା ବହୁମାତ୍ରାରେ ବଦଳି ଥିବା ଅନୁମାନ କରାଯାଉଛି ।
ତେବେ, ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତିରେ ଝଡ ଉଠିବାର କାରଣ ହେଉଛି, ସେ ଶାସକ ଦଳର ପ୍ରତିନିଧି ଭାବେ ଜିଲ୍ଲା ଗସ୍ତ କରୁଛନ୍ତି ଏବଂ ଶାସକ ଦଳ ମନ୍ତ୍ରୀ, ବିଧାୟକ ଓ ନେତାଙ୍କ ଦ୍ୱାରା ଆୟୋଜିତ ସଭାରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ କରୁଛନ୍ତି । ମନ୍ତ୍ରୀ, ବିଧାୟକ ଓ ଶାସକ ଦଳ ନେତାମାନେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମର ଆୟୋଜନ କରୁଥିଲେ ମଧ୍ୟ ମଂଚରେ ସେମାନଙ୍କୁ ସ୍ଥାନ ମିଳୁ ନାହିଁ । ଏକାକୀ ପାଣ୍ଡିଆନ ମହାଶୟ ମଂଚରେ ରହି ଜନସାଧାରଣଙ୍କ ସହ ଭାବ ବିନିମୟ କରୁଛନ୍ତି ଓ ଅଭିଯୋଗପତ୍ର ସଂଗ୍ରହ କରୁଛନ୍ତି । କେବଳ ଏତିକି ନୁହେଁ, ମନ୍ତ୍ରୀ, ବିଧାୟକ ସଡକ ପଥରେ ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ଧାଇଁ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମର ସଂଯୋଜନା କରୁଥିବା ବେଳେ ପାଣ୍ଡିଆନ ମହାଶୟ ସରକାରୀ ବିମାନରେ ସବୁ ସ୍ଥାନରେ ପହଂଚୁଛନ୍ତି ଓ ସଭା ସମିତିରେ ଭାଷଣ ଦେଉଛନ୍ତି । ଭାରତୀୟ ଗଣତନ୍ତ୍ରରେ ଏଭଳି ଘଟଣା ପ୍ରଥମ ବୋଲି ବିରୋଧୀ ଆକ୍ଷେପ କରୁଥିବା ବେଳେ ଶାସକ ଦଳର ମନ୍ତ୍ରୀ, ବିଧାୟକମାନେ ବିନମ୍ରତାର ସହ ପାଣ୍ଡିଆନଙ୍କ ନେତୃତ୍ୱକୁ ଗ୍ରହଣ କରି ବିରୋଧୀଙ୍କ ସମାଲୋଚନାର ମୁହଁତୋଡ ଜବାବ ଦେଉଛନ୍ତି ।
ନିକଟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ପୁରୀ ଜିଲ୍ଲା ସତ୍ୟବାଦୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଅଂଚଳର ଜଣେ ବ୍ୟକ୍ତି ତାଙ୍କୁ କାଳି ମାଡ କରିଥିଲେ । ସେଠାରେ ଉପସ୍ଥିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ସଦସ୍ୟାମାନେ କାଳିରେ ଜୁଡୁବୁଡୁ ପାଣ୍ଡିଆନଙ୍କୁ ଦେଖି ଘଟଣାର ନିନ୍ଦା କରିବା ସହ ଶ୍ରଦ୍ଧାରେ ତାଙ୍କ ମୁହଁରୁ କାଳି ପୋଛି ଦେଉଥିବା ଦୃଶ୍ୟ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । କାଳି ଫିଙ୍ଗି ଥିବା ବ୍ୟକ୍ତିଙ୍କୁ ପୁଲିସ ଧରି ନେଇ ଥିଲେ ମଧ୍ୟ ପରେ ପାଣ୍ଡିଆନ ମହାଶୟ କ୍ଷମା କରି ଦେଇଛନ୍ତି କହି ତାଙ୍କୁ ଛାଡି ଦିଆଯାଇଥିଲା । ଏହା ଏକ ପ୍ରୟୋଜିତ ଘଟଣା ଥିଲା କି ଅପ୍ରୟୋଜିତ (?), ତାହା ସ୍ପଷ୍ଟ ନୁହେଁ । ତେବେ, ବିରୋଧୀଙ୍କ ଅଣ୍ଡା ଓ କାଳି ମାଡ, କଳା ପତାକା ପ୍ରଦର୍ଶନ ପାଣ୍ଡିଆନଙ୍କ ଗସ୍ତକୁ କୌଣସି ପ୍ରକାର ପ୍ରଭାବିତ କରିନଥିବା ଓ ଭଲ କାମ କରିବାକୁ ଗଲେ ଏଭଳି ବିରୋଧ ହୋଇଥାଏ କହି ସେ ଆଗକୁ ମାଡି ଯାଇଥିବା ବିରୋଧୀଙ୍କୁ ମଧ୍ୟ ବିସ୍ମିତ କରିବାକୁ ଯଥେଷ୍ଟ । ଏଭଳି ରାଜନୈତିକ ବିରୋଧରୁ ବିରୋଧୀ କିଛି ଫାଇଦାପାିଛନ୍ତି କି ନାହିଁ ଭିନ୍ନ କଥା, ତେବେ ଓଲଟା ପାଣ୍ଡିଆନଙ୍କୁ ଜନସାଧାରଣଙ୍କ ସହାନୁଭୂତି ମିଳିଛି ।
ରାସ୍ତାଘାଟରେ ବିରୋଧୀ ‘ପାଣ୍ଡିଆନ ଗୋ ବ୍ୟାକ୍’ ସ୍ଲୋଗାନ ଦେଉଥିବା ବେଳେ ସେ ସରକାରୀ ବିମାନରେ ସଭାସ୍ଥଳରେ ପହଂଚି ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ କରୁଛନ୍ତି । ବିଭିନ୍ନ ସଭା ସ୍ଥଳରେ ଯୁବକ ଓ ମହିଳା ଏସଏଚଜିଙ୍କ ସମେତ ସବୁ ବର୍ଗର ଲୋକଙ୍କ ଭିଡ଼ ସହ ଅଭିଯୋଗପତ୍ର ଦେବା ପାଇଁ ସେମାନଙ୍କ ମଧ୍ୟରେ ଠେଲାପେଲା ଦେଖିବାକୁ ମିଳିଛି । ଏହାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ମନରେ ଥିବା ବିଶ୍ୱାସର ପ୍ରତିଫଳନ କୁହାଯାଇପାରେ । ଗତ ଏକ ବର୍ଷ ମଧ୍ୟରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାରେ ୧୭ ପ୍ରତିଶତ ହ୍ରାସ ଘଟିଥିବା ‘ଇଣ୍ଡିଆ ଟୁଡେ’ର ଅଗଷ୍ଟ ୨୦୨୩ ‘ମୁଡ ଅଫ୍ ଦି ନେସନ୍’ ସର୍ଭେରେ କୁହାଯାଇଥିଲେ ମଧ୍ୟ ବାସ୍ତବିକତା ହେଉଛି ଓଡ଼ିଶାର ଗ୍ରାମାଂଚଳରେ ଆଜି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାମରେ ବିଜେଡ଼ି ନେତାମାନେ ଭୋଟ ଲଢୁଛନ୍ତି ଓ ବିଜୟୀ ହେଉଛନ୍ତି । ଗତ ୨୪ ବର୍ଷ ମଧ୍ୟରେ ସରକାର ଚାଷୀ ଓ ଗ୍ରାମାଂଚଳ ଗରୀବ ଗୁରୁବାଙ୍କ ପାଇଁ ଯେତେସବୁ ମାଗଣା ଯୋଜନା ଖଂଜି ଦେଇଛନ୍ତି ସେସବୁ ଲୋକଚକ୍ଷୁରେ ମୁଖ୍ୟମନ୍ତ୍ରୀଙ୍କୁ ‘ଦେବତା ତୁଲ୍ୟ’ କରି ଦେଇଛି ଏବଂ ଶାସକ ବିଜେଡ଼ି ନିର୍ବାଚନ ସମୟ ଆସିଲେ ସେଥିରୁ ଭୋଟ ଅମଳ କରୁଛି ।
ସହରାଂଚଳ ଭୋଟର ଜାଣନ୍ତି, ମୁଖ୍ୟମନ୍ତ୍ରୀ ଅସୁସ୍ଥତା କାରଣରୁ ପୂର୍ବ ଭଳି ଜିଲ୍ଲା ଗସ୍ତରେ ଯାଇ ପାରୁ ନାହାନ୍ତି । ଆଗକୁ ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନ ଥିବାରୁ ସେ ନିଜ ସରକାରୀ ପ୍ରତିନିଧିଙ୍କ ମାଧ୍ୟମରେ ଜନସାଧାରଣରେ ସରକାରଙ୍କ ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଛନ୍ତି । ତେବେ, ଏହି କାର୍ଯ୍ୟରେ ମନ୍ତ୍ରୀ, ବିଧାୟକ ଓ ଦଳୀୟ ନେତାଙ୍କୁ ବ୍ୟବହାର ନକରି ନିଜର ବ୍ୟକ୍ତିଗତ ସଚିବଙ୍କୁ ବ୍ୟବହାର କରିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଖାପାଖି ବର୍ଷେ ହେଲା ମୁଖ୍ୟମନ୍ତ୍ରୀଙ୍କ ଛାଇ ଭଳି ସରକାରୀ ବିମାନରେ ରାଜ୍ୟସାରା ଘୁରି ବୁଲି ଜନସଂପର୍କ ରକ୍ଷା କରିବା କଥାକୁ ବିରୋଧୀ ସହଜରେ ହଜମ କରିପାରୁନାହାନ୍ତି । ବିଶେଷକରି, ଶିକ୍ଷିତ ଭୋଟରଙ୍କ ମଧ୍ୟରେ ପାଣ୍ଡିଆନଙ୍କ ଆଧିପତ୍ୟକୁ ନେଇ କିଛିଟା ଭିନ୍ନମତ ଓ ସରକାରଙ୍କ ପ୍ରତି ବିରକ୍ତି ଭାବ ରହିଥିବା ଦେଖିବାକୁ ମିଳୁଛି । ‘ଇଣ୍ଡିଆ ଟୁଡେ’ର ୨୦୨୩ ‘ମୁଡ ଅଫ୍ ଦି ନେସନ୍’ ସର୍ଭେରେ ତାହା ପ୍ରତିଫଳିତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ, ଜଣେ ପ୍ରଶାସନିକ ଅଧିକାରୀ ଚାକିରୀରେ ଥାଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି କହି ରାଜ୍ୟସାରା ବିମାନରେ ଘୁରିବା ଏବଂ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିବା କଥା ବିରୋଧୀଙ୍କ ପାଇଁ ଅସହ୍ୟ ହୋଇଛି । ତେଣୁ, ‘ପାଣ୍ଡିଆନ ଉପାଖ୍ୟାନ’ ରାଜ୍ୟ ରାଜନୀତିକୁ ସରଗରମ ରଖିଛି ।
କେବଳ ବିରୋଧୀ ନୁହନ୍ତି, ଶାସକ ଦଳର କିଛି ନେତା ମଧ୍ୟ ପାଣ୍ଡିଆନଙ୍କ ଏହି ଉଡାଣକୁ ସହ୍ୟ କରିବା ଅବସ୍ଥାରେ ନଥିବା ଖଣ୍ଡପଡା ବିଧାୟକଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ହେଉଛି । ବିଧାୟକ ଜଣକ ନିଜ ମାଲିକାନାରେ ଥିବା ସମ୍ବାଦପତ୍ରରେ ଦୁଇଟି ପ୍ରଥମ ପୃଷ୍ଠା ସଂପାଦକୀୟ ଲେଖି ୫-ଟି ସଚିବ ପାଣ୍ଡିଆନଙ୍କ ପ୍ରତି ବିଷୋଦ୍ଗାର କରିଛନ୍ତି । ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ମାତ୍ରାଧିକ ଗୁରୁତ୍ୱ ଦେବା ଫଳରେ ବିଜେଡ଼ିର ଗୁରୁତ୍ୱ ହ୍ରାସ ପାଉଛି । ମୁଖ୍ୟମନ୍ତ୍ରୀ ମଧ୍ୟ ନିଜର ଲୋକପ୍ରିୟତା ହରାଉଛନ୍ତି ବୋଲି ଏହି ସଂପାଦକ କମ୍ ରାଜନେତା ଜଣକ ଅଭିଯୋଗ କରିଛନ୍ତି । ନିଜ ସମ୍ବାଦପତ୍ରରେ ଲେଖିଥିବା ଦୁଇଟି ଅଗ୍ରଲେଖାରେ ସେ ଶାସକ ଦଳକୁ ଯେଉଁ ଚେତାବନୀ ଦେଇଛନ୍ତି ତାହା ଦଳର ଅନୁଗତ ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କୁ କ୍ଷୁବ୍ଧ କରିଛି । ତେବେ, ବିରୋଧୀ ଏଥିରେ ଉତ୍ସାହିତ । ଏଭଳି ହେବା ସ୍ୱାଭାବିକ । କାରଣ, କିଛି ମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଶାସକ ଦଳ ନେତା ଭାବୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସୁରକ୍ଷା ଦେବା ହେଉଛି ସେମାନଙ୍କ ଦାୟିତ୍ୱ । ଅପରପକ୍ଷରେ, ପାଣ୍ଡିଆନଙ୍କୁ ନେଇ ଯେଉଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରୁ କେତେ ଫାଇଦା ମିଳିବ, ତାହା ଆକଳନ କରିବାରେ ବିରୋଧୀ ବ୍ୟସ୍ତ ।
ଏହାକୁ ନେଇ ରାଜ୍ୟ ରାଜନୀତି କଡ ଲେଉଟାଉଛି । ବିରୋଧୀ ଜାଣନ୍ତି, ନିକଟ ଭବିଷ୍ୟତରେ ସେମାନେ ବିଜେଡ଼ି ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ହେବା ସମ୍ଭାବନା ନାହିଁ । ଓଡ଼ିଶାବାସୀ ବିରୋଧୀ ଦଳ ନେତାଙ୍କ ମଧ୍ୟରେ ନବୀନଙ୍କ ବିକଳ୍ପ କିଏ ତାହା ଏପର୍ଯ୍ୟନ୍ତ ଖୋଜି ପାଇ ନାହାନ୍ତି । ସେହିଭଳି, ଶାସକ ଦଳର ଯେଉଁ ନେତାମାନେ ପାଣ୍ଡିଆନଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ ଆରମ୍ଭ କରିଛନ୍ତି ସେମାନଙ୍କ ଆଶଙ୍କା ହେଉଛି, ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ଆଗକୁ ମୁଖ୍ୟମନ୍ତ୍ରୀ ଚଉକି ମାଡି ବସିବେନି ତ ? ଶାସକ ଓ ବିରୋଧୀ ଦଳ ଏଭଳି ଆଶା, ଆଶଙ୍କାରେ ଥିବା ବେଳେ ଖଣ୍ଡପଡା ବିଧାୟକ ତଥା ସମ୍ବାଦପତ୍ର ସଂପାଦକଙ୍କ ଦୁଇଟି ପ୍ରଥମ ପୃଷ୍ଠା ସଂପାଦକୀୟ ୫-ଟି ସଚିବଙ୍କୁ ପ୍ରତ୍ୟକ୍ଷରେ ଓ ମୁଖ୍ୟମନ୍ତ୍ରୀଙ୍କୁ ପରୋକ୍ଷରେ ‘ଖଳନାୟକ’ ଭାବେ ଚିତ୍ରଣ କରିଛି । ଏହି ସଂପାଦକୀୟ ଉପରେ ପୂର୍ବରୁ ଶାସକ ଦଳର ମୁଖପାତ୍ର ଓ ତଳିଆ ନେତାମାନେ ପ୍ରତିକ୍ରିୟା ରଖିଥିଲେ । ଗତକାଲି ଓ ଆଜି ଶାସକ ଦଳର ତିନି ଜଣ ବରିଷ୍ଠ ନେତା ପ୍ରତିକ୍ରି୍ରୟା ରଖିଛନ୍ତି । ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସେମାନଙ୍କ ପ୍ରତିକ୍ରିୟାରେ ସଂପାଦକ ମହାଶୟ ଦଳକୁ ‘ବ୍ଲାକମେଲ୍’ କରୁଛନ୍ତି ବୋଲି ସମାଲୋଚନା କରିଥିବା ବେଳେ ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ଆଜି ଗଣମାଧ୍ୟମରେ ବକ୍ତବ୍ୟ ରଖି ଖଣ୍ଡପଡା ବିଧାୟକ ଦଳର ଶୃଙ୍ଖଳା ଭିତରେ ରୁହନ୍ତୁ, ଅଥବା ଦଳରୁ ବିଦାୟ ନେଇ ଯାହା ସଂପାଦକୀୟ ଲେଖିବାକୁ ଚାହୁଁଛନ୍ତି ଲେଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।
ଖଣ୍ଡପଡା ବିଧାୟକ ଗତକାଲି ଅରୁଣ ସାହୁ ଓ ମନ୍ତ୍ରୀ ନାୟକଙ୍କ ସମାଲୋଚନାର ଉତ୍ତର ଦେଇ ଜଣେ ମନ୍ତ୍ରୀ ପଦରୁ ବିତାଡିତ ହୋଇଥିବା ବେଳେ ଅନ୍ୟ ଜଣକ ନିଜ ଭବିଷ୍ୟତ ନେଇ ଅନିଶ୍ଚିତ ଥିବା କହିଥିଲେ । ଆଜି ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ପରାମର୍ଶର ଉତ୍ତରରେ ସେ କହିଛନ୍ତି, ସେ ସଂପାଦକ ରହିବେ କି ନାହିଁ ଓ ସଂପାଦକୀୟରେ କଣ ଲେଖିବେ ତାହା ତାଙ୍କୁ କେହି ବାଟ ଦେଖାଇବାର ଆବଶ୍ୟକତା ନାହିଁ । ଆଳି ବିଧାୟକ ମନ୍ତ୍ରୀ ଦେବ ରାଜ ପରିବାରର ସଦସ୍ୟ । ସମସ୍ତଙ୍କୁ ସେ ଆଖି ଦେଖାଇବାରେ ଅଭ୍ୟସ୍ତ । କିନ୍ତୁ, ତାଙ୍କ ପାଖରେ ତାହା ଚଳିବ ନାହିଁ । ଜଣେ ସଚିବସ୍ତରୀୟ ସରକାରୀ ଅଧିକାରୀ ଚାକିରୀରେ ଥାଇ ରାଜନୀତି କରିବା ଗ୍ରହଣୀୟ ନୁହେଁ ବୋଲି ମଧ୍ୟ ଖଣ୍ଡପଡା ବିଧାୟକ ରୋକଠୋକ୍ କହିଛନ୍ତି । ଦଳକୁ ଠିକ୍ ରାସ୍ତାକୁ ଆଣିବା ତାଙ୍କ ଲେଖାର ଉଦ୍ଦେଶ୍ୟ ଓ ସେ ଦଳ ଛାଡୁ ନାହାନ୍ତି ବୋଲି ମଧ୍ୟ ବିଧାୟକ ଜଣକ ସ୍ପଷ୍ଟ କରିଦେଇଛନ୍ତି । ଅପରପକ୍ଷରେ, ବିଜେପି ଓ କଂଗ୍ରେସ ନେତୃବର୍ଗ ବିଜେଡ଼ି ବିଧାୟକ (ଖଣ୍ଡପଡା)ଙ୍କ ସାହାସକୁ ପ୍ରଶଂସା କରିବା ସହ ସରକାରଙ୍କୁ ସମାଲୋଚନାରେ ବ୍ୟସ୍ତ । ପାଣ୍ଡିଆନ ୩୦ଜିଲ୍ଲା ଗସ୍ତରେ ସରକାରୀ ବିମାନ ବ୍ୟବହାର ଓ ସଭା ସମିତି ଆୟୋଜନରେ କେତେ ଖର୍ଚ୍ଚ କରିଛନ୍ତି ଏବଂ ଏହି ଅର୍ଥ ସରକାରଙ୍କ ତହବିଲରୁ ଖର୍ଚ୍ଚ ହୋଇଛି କି ଅନ୍ୟ କେହି ଦେଇଛି ସରକାର ତାହାର ହିସାବ ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ବିରୋଧୀ ଖଣ୍ଡପଡା ବିଧାୟକଙ୍କ ସଂବାଦପତ୍ରରେ ପ୍ରକାଶିତ ଅଗ୍ରଲେଖାକୁ ପ୍ରଶଂସା କରିବାରେ ଶତମୁଖ । ଏସବୁ ସତ୍ତ୍ୱେ ୫-ଟି ସଚିବ ନିଶ୍ଚିନ୍ତରେ ତାଙ୍କ ଅଭିଯାନ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରତିକ୍ରିୟା ବ୍ୟକ୍ତ କରିବାରୁ ଦୂରେଇ ରହିଛନ୍ତି । ବର୍ତ୍ତମାନ ପାଣ୍ଡିଆନଙ୍କୁ ନେଇ ଓଡ଼ିଶା ରାଜନୀତିରେ ଯେଉଁ ଝଡ ସୃଷ୍ଟି ହୋଇଛି ତାହା ନିର୍ବାଚନ ସରିବା ପର୍ଯ୍ୟନ୍ତ ଥମିବା ସମ୍ଭାବନା ନାହିଁ । କିନ୍ତୁ, ଏହି ଝଡ କାହା ପାଇଁ କେତେ ଶୁଭଙ୍କର ହେବ, ତାହା ସମୟ କହିବ । ଆମେ କେବଳ ଆଜି ଦିନରେ ଏତିକି ଜାଣିବାକୁ ଚାହୁଁଛୁ – ପାଣ୍ଡିଆନଙ୍କୁ ‘ନାୟକ’ କୁହାଯିବ ନା ‘ଖଳନାୟକ’ କୁହାଯିବ ?
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS