ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀ ସରିଲା, ଆସନ୍ତା ବର୍ଷ ବ୍ରାଜିଲରେ


ପ୍ରସାଦ ରାଓ
ସେପ୍ଟେମ୍ବର ୧୦
ଦିଲ୍ଲୀ ପ୍ରଗତି ମଇଦାନରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଜି-୨୦ ରାଷ୍ଟ୍ରମୁଖ୍ୟଙ୍କ ଦୁଇ ଦିନିଆ ଶିଖର ସମ୍ମିଳନୀ ଆଜି ଉଦଯାପିତ ହୋଇଯାଇଛି । ସମ୍ମିଳନୀର ଶେଷ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଦା ସିଲଭାଙ୍କୁ ଆନୁଷ୍ଠାନିକ ଭାବେ ଜି-୨୦ର ଅଧ୍ୟକ୍ଷ ପଦ ହସ୍ତାନ୍ତର କରିଛନ୍ତି ଓ ନୂଆଦିଲ୍ଲୀ ସମ୍ମିଳନୀ ଉଦଯାପିତ ହୋଇଥିବା ଘୋଷଣା କରିଛନ୍ତି । ଭାରତ ଆସନ୍ତା ନଭେମ୍ବର ଶେଷ ପର୍ଯ୍ୟନ୍ତ ଜି-୨୦ ଅଧ୍ୟକ୍ଷ ରହୁଥିବାରୁ ନୂଆଦିଲ୍ଲୀ ଶିଖର ସମ୍ମିଳନୀରେ ରାଷ୍ଟ୍ରମୁଖ୍ୟଙ୍କ ଦ୍ୱାରା ଗୃହୀତ ପ୍ରସ୍ତାବ ଓ ନିଷ୍ପତ୍ତି ସବୁର ସମୀକ୍ଷା ପାଇଁ ନଭେମ୍ବର ଶେଷ ଆଡକୁ ଏକ ଭର୍ଚୁଆଲ ସେସନ୍ ରଖାଯିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦଯାପନ ଭାଷଣରେ ପ୍ରସ୍ତାବ ଦେଇଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ମୋଦୀ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଜି-୨୦ ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର କରି ଶୁଭକାମନା ଜଣାଇଛନ୍ତି । ଚଳିତ ବର୍ଷ ଶେଷରେ, ଅର୍ଥାତ ଡିସେମ୍ବର ୧ରେ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଦା ସିଲଭା ଜି-୨୦ର ଅଧ୍ୟକ୍ଷ ଦାୟିତ୍ୱ ନେଇ ଗୋଟିଏ ବର୍ଷ ପାଇଁ ଏହାର ନେତୃତ୍ୱ ନେବେ । ଜି-୨୦ର ଆସନ୍ତା ଶିଖର ସମ୍ମିଳନୀ ୨୦୨୪ରେ ବ୍ରାଜିଲରେ ଅନୁଷ୍ଠିତ ହେବ ।
ଦିଲ୍ଲୀ ପ୍ରଗତି ମଇଦାନର ‘ଭାରତ ମଣ୍ଡପମ୍’ରେ ସେପ୍ଟେମ୍ବର ୯ ତାରିଖରୁ ଜି-୨୦ର ଏହି ଦୁଇ ଦିନିଆ ଶିଖର ସମ୍ମଳନୀ ଚାଲିଥିଲା । ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଜର୍ମାନ ଚାନସଲର ଓଲ୍ଫ ସ୍କୋଲଜ୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ ଏରଡୋଗନ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ, ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ୍ ୟେଓଲ, ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଡ ଲୁଲା ଦା ସିଲଭା, ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ଆର୍ଜେନ୍ଟାଇନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡଜ, ମରିସସ୍ ପ୍ରଧାନମନ୍ତ୍ରୀ ପ୍ରଭିନ ଜୁଗନ୍ନାଥ, ସାଉଦି ଆରବ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଅଲ୍ ସାଉଦ ପ୍ରମୁଖ ବିଶ୍ୱନେତା ଯୋଗ ଦେଇଥିବା ବେଳେ ପ୍ରମୁଖ ବିଶ୍ୱନେତାଙ୍କ ମଧ୍ୟରୁ କେବଳ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଯୋଗଦେଇ ନଥିଲେ ।
ଜି-୨୦ ଶିଖର ସମ୍ମିଳନୀର ପ୍ରଥମ ଦିବସରେ ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ଏହାର ଅଧ୍ୟକ୍ଷ ଭାବେ ଆଫ୍ରିକାନ ୟୁନିୟନକୁ ସ୍ଥାୟୀ ସଦସ୍ୟତା ଦେଇଛନ୍ତି । ମୋଦୀଙ୍କ ଏହି ଘୋଷଣା ପରେ ଆଫ୍ରିକାନ ୟୁନିୟନ (ଏୟୁ) ଅଧ୍ୟକ୍ଷ ତଥା କୋମୋରସ ରାଷ୍ଟ୍ରପତି ଆଜାଲି ଆସୌମାନି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଂଚରେ ଆଲିଂଗନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସାଙ୍କ ମୁଖପାତ୍ର ଭିନସେଂଟ ମାଗୱେନ୍ୟା ମୋଦୀଙ୍କ ଘୋଷଣାକୁ ସ୍ୱାଗତ କରି ଏହା ବିଭିନ୍ନ ଆନ୍ତର୍ଜାତିକ ଫୋରମରେ ସଂସ୍କାରର ବାଟ ଖୋଲିଛି ବୋଲି ମନ୍ତବ୍ୟ ଦେଇଛନ୍ତି । ରୁଷିଆ-ୟୁକ୍ରେନ୍ ଯୁଦ୍ଧ ସମେତ ସମ୍ମିଳନୀରେ ଉପସ୍ଥାପିତ ବିଭିନ୍ନ ପ୍ରସଙ୍ଗରେ ବିଶ୍ୱନେତାମାନେ ଶତ ପ୍ରତିଶତ ସହମତ ହୋଇ ମିଳି ଘୋଷଣାନାମା ପ୍ରକାଶ କରିବା ନୂଆଦିଲ୍ଲୀ ଜି-୨୦ ସମ୍ମିଳନୀର ସବୁଠାରୁ ବଡ ସଫଳତା ରୂପେ ବିଚାର କରାଯାଉଛି । ନୂଆଦିଲ୍ଲୀ ଘୋଷଣାନାମାରେ ମୁଖ୍ୟତଃ ପାଂଚଟି ପ୍ରମୁଖ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି । ସେଗୁଡିକ ହେଲା – ଦୃଢ, ନିରନ୍ତର, ସମତୁଲ ଓ ସମାବେଶୀ ଅଭିବୃଦ୍ଧି, ସହସ୍ରାବ୍ଦୀ ବିକାଶ ଲକ୍ଷ୍ୟଗୁଡିକର ଅଗ୍ରଗତିକୁ ତ୍ୱାରାନ୍ୱିତ କରିବା, ନିରବଚ୍ଛିନ୍ନ ଭବିଷ୍ୟତ ପାଇଁ ସବୁଜ ବିକାଶ ଚୁକ୍ତି, ଏକବିଂଶ ଶତାବ୍ଦୀ ପାଇଁ ବହୁପାକ୍ଷିକ ପ୍ରତିଷ୍ଠାନ ଓ ବହୁପକ୍ଷବାଦକୁ ପୁନଃ ବଳଶାଳୀ କରିବା ।
ଶିଖର ସମ୍ମିଳନୀର ଉଦଘାଟନ ଦିବସରେ ଗତକାଲି ଜି-୨୦ ଅଧ୍ୟକ୍ଷ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ଘାଟନୀ ଭାଷଣ ଦେଇ ଆନ୍ତର୍ଜାତିକସ୍ତରରେ ଦେଶ ଦେଶ ମଧ୍ୟରେ ବିଶ୍ୱାସର ଯେଉଁ ଅଭାବ ଦେଖା ଦେଇଛି ତାହା ଦୂର କରାଯିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ରୁଷ-ୟୁକ୍ରେନ ଯୁଦ୍ଧ ପରେ ଆସ୍ଥାର ଅଭାବ ଅଧିକ ବ୍ୟାପକ ହୋଇଥିବା ସେ କହିଥିଲେ । ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଜି-୨୦ ସଦସ୍ୟ ରାଷ୍ଟ୍ରମାନେ ଗଭୀର ଭାବେ ବିଭାଜିତ । ପାଶ୍ଚାତ୍ୟ ରାଷ୍ଟ୍ରମାନେ ରୁଷର ପଦକ୍ଷେପକୁ ଗଭୀର ଭାବେ ନିନ୍ଦା କରୁଥିବା ସମୟରେ ଅନ୍ୟମାନେ ବ୍ୟାପକ ଅର୍ଥନୈତିକ ପ୍ରସଙ୍ଗ ଉପରେ ଅଧିକ ଧ୍ୟାନ ଦିଆଯିବାକୁ ଗୁରୁତ୍ୱ ଦେଉଛନ୍ତି । କୌଣସି ପ୍ରକାର ମତଭେଦର ସମାଧାନ ରାସ୍ତା ଯୁଦ୍ଧ ନୁହେଁ, କୁଟନୈତିକ ଆଲୋଚନା ମାଧ୍ୟମରେ ସମାଧାନ ପନ୍ଥା ବାହାର କରାଯିବା ଆବଶ୍ୟକ ବୋଲି ମୋଦୀ କହିଥିଲେ । ପ୍ରଥମେ ୟୁକ୍ରେନ ପ୍ରସଙ୍ଗକୁ ନେଇ ଶିଖର ସମ୍ମିଳନୀରେ ସହମତିର ଅଭାବ ଦେଖିବାକୁ ମିଳିଥିଲା । ତେବେ, ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନରେ ବିଶ୍ୱନେତାମାନେ ସବୁ ପ୍ରସଙ୍ଗରେ ଶତପ୍ରତିଶତ ସହମତି ହୋଇ ଘୋଷଣାନାମା ଜାରି କରିଥିବା ସେର୍ପା ଅମିତାଭ କାନ୍ତ ସୂଚନା ଦେଇଛନ୍ତି ।
ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଗତକାଲି ରାତିରେ ‘ଭାରତ ମଣ୍ଡପମ୍’ରେ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ବିଶ୍ୱନେତା, ବିଭିନ୍ନ ଆନ୍ତର୍ଜାତିକ ସଂଗଠନ ଓ ଅନୁଷ୍ଠାନର ମୁଖ୍ୟ, ସେମାନଙ୍କ ସହ ଆସିଥିବା ପ୍ରତିନିଧି ଦଳ, କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ, ବିଭିନ୍ନ ମନ୍ତ୍ରଣାଳୟର ସଚିବ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସକାଶେ ଏକ ନୈଶଭୋଜିର ଆୟୋଜନ ହୋଇଥିଲା । ତେବେ, ରାଷ୍ଟ୍ରପତି ଏହି ନୈଶଭୋଜିକୁ ଏଆଇସିସି ସଭାପତି ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ନିମନ୍ତ୍ରଣ କରିନଥିବା ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସକୁ କ୍ଷୁବ୍ଧ କରିଛି । କଂଗ୍ରେସର କ୍ଷୋଭକୁ ନେଇ ବିରୋଧୀ ମହଲରେ ଆଲୋଚନା ହେଉଥିଲେ ମଧ୍ୟ ଶାସକ ଦଳ ବା ଜାତୀୟ ଗଣମାଧ୍ୟମ ଏହାକୁ ଗୁରୁତ୍ୱ ଦେଇ ନାହାନ୍ତି । ଗତକାଲି ଓ ଆଜି ଗଣମାଧ୍ୟମର ସଂପୂର୍ଣ୍ଣ ଫୋକସ୍ ପ୍ରଧାନମନ୍ତ୍ରୀ ମୋଦୀ ଓ ଜି-୨୦ ସମ୍ମିଳନୀରେ ଯୋଗଦେଇଥିବା ବିଶ୍ୱନେତାଙ୍କ ଉପରେ ଥିଲା ।
ତେବେ, ରାଷ୍ଟ୍ରପତିଙ୍କ ନୈଶଭୋଜିକୁ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ଯୋଗ ଦେଲେ ନାହିଁ । ସେମାନଙ୍କ ମଧ୍ୟରୁ କେତେକ ସେମାନଙ୍କ ଅନୁପସ୍ଥିତିର କାରଣ ଜଣାଇଥିଲେ ମଧ୍ୟ ଅନ୍ୟ କେତେକ ତାହା ଜଣାଇ ନାହାନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ରାଜନୀତିରେ ବିଜେପି ସହ ଘନିଷ୍ଟ ଥିଲେ ମଧ୍ୟ ଗତକାଲି ରାଷ୍ଟ୍ରପତି ମୁର୍ମୁଙ୍କ ନୈଶଭୋଜିରେ ଯୋଗ ନଦେବା ଓଡ଼ିଶାରେ ଚର୍ଚ୍ଚାର ବିଷୟ ହୋଇଛି । ଏହାକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ପ୍ରକାର ଆଲୋଚନା ହେଉଥିବା ବେଳେ ସିଏମଓ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସି ନାହିଁ । ଯାହାକି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆଲୋଚନା ଓ କଳ୍ପନାଜଳ୍ପନାର ସୁଯୋଗ ସୃଷ୍ଟି କରିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS