ଇଜିଆଇ ସାମ୍ବାଦିକଙ୍କ ସୁରକ୍ଷା ଶୁକ୍ରବାର ପର୍ଯ୍ୟନ୍ତ ବଢିଲା


ପ୍ରସାଦ ରାଓ
ନୂଆଦିଲ୍ଲୀ/ସେପ୍ଟେମ୍ବର ୧୧
ମଣିପୁର ହିଂସାକୁ ନେଇ ତଥ୍ୟମୂଳକ ଲେଖା ପ୍ରକାଶ କରିଥିବା ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ (ଇଜିଆଇ)ର ଚାରି ସାମ୍ବାଦିକଙ୍କୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ପୁଲିସ କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ମିଳିଛି । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ବେଂଚ ଆଜି ସେମାନଙ୍କ ସୁରକ୍ଷାକୁ ଶୁକ୍ରବାର ପର୍ଯ୍ୟନ୍ତ ବଢାଇ ମାମଲାର ପରବର୍ତ୍ତୀ ଶୁଣାଣୀ ଶୁକ୍ରବାର ହେବ ବୋଲି ଧାର୍ଯ୍ୟ କରିଛନ୍ତି । ବେଂଚରେ ଥିବା ଅନ୍ୟ ଦୁଇ ଜଣ ବିଚାରପତି ହେଉଛନ୍ତି ଜଷ୍ଟିସ ଜେ.ବି.ପରିଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ର ।
ମଣିପୁର ହିଂସା ଉପରେ ଇଜିଆଇ ସମ୍ବାଦିକଙ୍କ ଦ୍ୱାରା ପ୍ରସ୍ତୁତ ଓ ସେପ୍ଟେମ୍ବର ୨ ତାରିଖରେ ପ୍ରକଶିତ ରିପୋର୍ଟ ‘ଏକପାଖିଆ’ ଓ ‘ଦୁଇ ସଂପ୍ରଦାୟ ମଧ୍ୟରେ ଶତୃତା ବଢାଇବା ପାଇଁ ଉଦ୍ଦିଷ୍ଟ’ ବୋଲି ଦର୍ଶାଇ ରାଜ୍ୟ ପୁଲିସ ଇଜିଆଇର ଚାରି ଜଣ ସାମ୍ବାଦିକଙ୍କ ବିରୋଧରେ ଦୁଇଟି ଆପରାଧୀକ ମାମଲା ରୁଜୁ କରିଛନ୍ତି । ମଣିପୁର ସରକାର ଓ ପୁଲିସର ଏହି ପଦକ୍ଷେପ ବିରୋଧରେ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ପକ୍ଷରୁ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଛି । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ବେଂଚ୍ ଏହି ଆବେଦନକୁ ଶୁଣାଣୀ ପାଇଁ ଗ୍ରହଣ କରି ଶୁଣାଣୀ ତାରିଖ ସେପ୍ଟେମ୍ବର ୧୧କୁ ଧାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ଶୁଣାଣୀ ପର୍ଯ୍ୟନ୍ତ ସଂପୃକ୍ତ ସାମ୍ବାଦିକଙ୍କ ବିରୋଧରେ ମଣିପୁର ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବାକୁ ସେପ୍ଟେମ୍ବର ୬ ତାରିଖରେ ନିର୍ଦେଶ ଦେଇଥିଲେ । ପୂର୍ବରୁ ଧାର୍ଯ୍ୟ ତାରିଖ ଅନୁସାରେ ଆଜି ମୁଖ୍ୟ ବିଚାରପତିଙ୍କ ବେଂଚ୍ ସାମ୍ବାଦିକମାନଙ୍କ ଆବେଦନର ଶୁଣାଣୀ କରି ଶୁକ୍ରବାର ପର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷା ବଢାଇଛନ୍ତି ଓ ଶୁକ୍ରବାର ଦିନ ମାମଲାର ଶୁଣାଣୀ କରିବେ ବୋଲି ଧାର୍ଯ୍ୟ କରିଛନ୍ତି ।
ମଣିପୁର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଆଜି ସୁପ୍ରିମ କୋର୍ଟ ବେଂଚ୍ ସମ୍ମୁଖରେ ହାଜର ହୋଇ ଇଜିଆଇ ସାମ୍ବାଦିକଙ୍କୁ ଅଧିକ ଦିନ ସୁରକ୍ଷା ଦିଆଯିବା ଓ ଅନ୍ୟ ଆବେଦକକାରୀଙ୍କ ଭଳି ସେମାନଙ୍କୁ ମଧ୍ୟ ମଣିପୁର ହାଇକୋର୍ଟକୁ ଯାଇ ସୁରକ୍ଷା ପାଇଁ ଆବେଦନ କରିବାକୁ କୁହାଯିବା ସପକ୍ଷରେ ମତ ରଖିଥିଲେ । ଅନ୍ୟପକ୍ଷରେ, ଇଜିଆଇ ସାମ୍ବାଦିକଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ କପିଳ ସିବଲ୍ ଓ ଶ୍ୟାମ ଦିୱାନ ସୁପ୍ରମ କୋର୍ଟ ବେଚ ସମ୍ମୁଖରେ ଉପସ୍ଥିତ ରହି ଯେହେତୁ ଇଜିଆଇର ଫ୍ୟାକ୍ଟ୍ ଫାଇଣ୍ଡିଂ ଟିମ୍ ମଣିପୁରର ଦଂଗାଗ୍ରସ୍ତ ଅଂଚଳ ଗସ୍ତ କରି ପରିସ୍ଥିତିକୁ ଗଭୀର ଭାବେ ଅନୁଧ୍ୟାନ କରିବା ପରେ ରିପୋର୍ଟ ପ୍ରସ୍ତୁତ ଓ ପ୍ରକାଶ କରିଛନ୍ତି ଏବଂ ମଣିପୁର ପୁଲିସ ପ୍ରକାଶିତ ରିପୋର୍ଟ ‘ଏକପାଖିଆ’ ଓ ‘ଦୁଇ ଗୋଷ୍ଠୀ ମଧ୍ୟ ଶତୃତା ବୃଦ୍ଧି କଲା ଭଳି’ ବୋଲି ଅଭିଯୋଗ କରି ସାମ୍ବାଦିକଙ୍କ ବିରୋଧରେ ଦୁଇଟି ଆପରାଧୀକ ମାମଲା ରୁଜୁ କରିଛନ୍ତି, ଇଜିଆଇର ଆବେଦନ ଉପରେ ଦେଶର ସର୍ବୋଚ୍ଚ ନ୍ୟାୟପାଳିକାରେ ହିଁ ଶୁଣାଣୀ କରାଯିବା ଆବଶ୍ୟକ ବୋଲି ଯୁକ୍ତି ରଖି ଥିଲେ ।
ସୁପ୍ରିମ କୋର୍ଟ ବେଂଚ ଉଭୟ ପକ୍ଷଙ୍କୁ ଶୁଣିବା ପରେ ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ବୋଲି ନିର୍ଣ୍ଣୟ ନେବା ସହ ସେପର୍ଯ୍ୟନ୍ତ ସାମ୍ବାଦିକଙ୍କ ସୁରକ୍ଷାବୃଦ୍ଧି କରାଗଲା ବୋଲି ସୂଚିତ କରିଥିଲେ । ଆସନ୍ତା ଶୁଣାଣୀ ତାରିଖ ମଧ୍ୟରେ ମଣିପୁର ସରକାରଙ୍କୁ ଉତ୍ତର ରଖିବାକୁ କୁହାଯିବ ବୋଲି ମଧ୍ୟ ସୁପ୍ରିମ କୋର୍ଟ ବେଂଚ କହିଛନ୍ତି । ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହ ସେପ୍ଟେମ୍ବର ୪ ତାରିଖରେ ଦେଇଥିବା ବିବୃତିରେ ଇଜିଆଇ ଦ୍ୱାରା ପ୍ରକାଶିତ ରିପୋର୍ଟ ଗତ ମେ’ ମାସରୁ ମଣିପୁରରେ ଚାଲିଥିବା ସଂଘର୍ଷକୁ ଉସୁକାଇବା ଭଳି ହୋଇଛି ବୋଲି କହିଥିଲେ । ପୁଲିସରେ ହୋଇଥିବା ଅଭିଯୋଗ ଭିତ୍ତିରେ ଇଜିଆଇ ସଭାପତି ଓ ତିନି ଜଣ ସାମ୍ବାଦିକଙ୍କ ବିରୋଧରେ ଗୋଟିଏ ମାମଲା ରୁଜୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିବା ପରେ ସଂପୃକ୍ତ ସାମ୍ବାଦିକମାନେ ଗିରଫ ହେବା ଆଶଙ୍କା ବଢି ଯାଇଥିଲା । ପୁଲିସ ଦ୍ୱାରା ପଂଜୀକୃତ ଦ୍ୱିତୀୟ ମାମଲାରେ ‘ମାନହାନୀ’ ଅଭିଯୋଗ ଯୋଡା ଯାଇଥିବା ଜଣାପଡିଛି ।
ଏଠାରେ ସୂଚନାଯୋଗ୍ୟ, ମଣିପୁରର ସଂଖ୍ୟାଗରିଷ୍ଠ ମୈତେଇ ସଂପ୍ରଦାୟଙ୍କ ‘ଆଦିବାସୀ ମାନ୍ୟତା’ ଦାବିକୁ ନେଇ ରାଜ୍ୟର ମୈତେଇ ସଂପ୍ରଦାୟ ଓ ସଂଖ୍ୟାଲଘୁ ଆଦିବାସୀ କୁକି ସଂପ୍ରଦାୟ ମଧ୍ୟରେ ଗତ ମେ’ ୪ ତାରିଖରୁ ହିଂସାତ୍ମକ ସଂଘର୍ଷ ଲାଗି ରହିଛି । ହିଂସାକାଣ୍ଡ ଆରମ୍ଭ ହେବା ପରେ ପରେ ମଣିପୁରରେ ସରକାର ତୁରନ୍ତ ଇଂଟରନେଟ ସେବାକୁ ବନ୍ଦ କରି ଦେଇଥିଲେ । ଫଳରେ, ସେଠାରେ ଯାହା ସବୁ ଘଟୁଛି ସେନେଇ ବାହ୍ୟ ଜଗତ ସଂପୂଣ୍ଣ ଅନ୍ଧାରରେ ରହିଥିଲେ । ଯାହା କିଛି ଖବର ପ୍ରକାଶ ପାଉଥିଲା ସେସବୁ ସେଠାକାର ଆଂଚଳିକସ୍ତରର ସାମ୍ବାଦିକଙ୍କ ରିପୋର୍ଟ ଉପରେ ପର୍ଯ୍ୟବସିତ ରହୁଥିଲା । ଏହି ଜାତିଗତ ହିଂସାରେ ଶତାଧିକ ମୃତ୍ୟୁ ଘଟିଛି । ହଜାର ହଜାର ସଂଖ୍ୟାରେ ଘର ଓ ସଂପତ୍ତି ଜଳିପୋଡି ଛାରଖାର ହୋଇଯାଇଛି । ୫୦ ହଜାରରୁ ଅଧିକ କୁକି ଆଦିବାସୀ ବାସହରା ହୋଇ ବିଭିନ୍ନ ଆଶ୍ରୟସ୍ଥଳରେ ଆଶ୍ରୟ ନେଇଛନ୍ତି ।
ମେ’ ୪ ତାରିଖରେ ଏକ ହିଂସ୍ର ଭିଡ ଦୁଇ ଜଣ କୁକି ଆଦିବାସୀ ମହିଳାଙ୍କୁ ସଂପୂର୍ଣ୍ଣ ନଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେଉଥିବା ଭିଡ଼ିଓ ଜୁଲାଇ ୧୯ ତାରିଖରେ ଭାଇରାଲ ହେବା ପରେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଗଭୀର ପୀଡା ବ୍ୟକ୍ତ କରି କେନ୍ଦ୍ର ସରକାର ଓ ମଣିପୁର ସରକାର ତୁରନ୍ତ କିଛି ନକଲେ ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡୁ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ଚେତାଇ ଦେଇଥିଲେ । ପରେ ମଣିପୁର ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଏତଲା ରୁଜୁ କରିବା ସହ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ହିଂସା ସମୟରେ ଏକାଧିକ ଗଣଦୁଷ୍କର୍ମ ଘଟଣା ଘଟିଥିବା ମଧ୍ୟ ଅଭିଯୋଗ ହୋଇଛି । ବିଳମ୍ବରେ ହେଲେ ସୁଦ୍ଧା କେନ୍ଦ୍ର ସରକାରଙ୍କ ନିର୍ଦେଶରେ ସିବିଆଇ ଏସବୁ ଅଭିଯୋଗର ତଦନ୍ତ କରୁଛନ୍ତି ।
ଇଜିଆଇର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ (ସାମ୍ବାଦିକ ଦଳ) ମଣିପୁରର ହିଂସାଗ୍ରସ୍ତ ଚୂଡାଚାନ୍ଦପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଆଶ୍ରୟସ୍ଥଳରେ ଆଶ୍ରୟ ନେଇଥିବା ପୀଡିତଙ୍କୁ ଭେଟିବା ସହ ସେମାନଙ୍କଠାରୁ ସଂଗୃହୀତ ତଥ୍ୟ ଓ ସାକ୍ଷାତକାର ଭିତ୍ତିରେ ସେପ୍ଟେମ୍ବର ୨ ତାରିଖରେ ରିପୋର୍ଟ ପ୍ରକାଶ କରିଥିଲେ । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ମଣିପୁର ପୁଲିସ ଇଜିଆଇ ସଭାପତି ଥିବା ବରିଷ୍ଠ ସାମ୍ବାଦିକା ସୀମା ମୁସ୍ତାଫା, ସାମ୍ବାଦିକ ସଂଜୟ କପୁର, ସୀମା ଗୁହା ଓ ଭାରତ ଭୂଷଣଙ୍କ ବିରୋଧରେ ଦୁଇଟି ଆପରାଧୀକ ମାମଲା ରୁଜୁ କରିଛନ୍ତି । ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହ ଏଭଳି ତଥ୍ୟ ପରିବେଷଣ କରିଥିବା ଲୋକମାନେ ରାଜ୍ୟ ବିରୋଧୀ, ଦେଶ ବିରୋଧୀ ଓ ସରକାର ବିରୋଧୀ ବୋଲି କହି ଏଭଳି ହେବ ଜାଣିଥିଲେ ସେ ସେମାନଙ୍କୁ ରାଜ୍ୟ ଭିତରେ ପୁରାଇ ଦେଇନଥା’ନ୍ତେ ବୋଲି ମନ୍ତବ୍ୟ ଦେବା ପରେ ଇଜିଆଇ ସାମ୍ବାଦିକମାନଙ୍କ ଗିରଫ ହେବା ଭୟରେ ବଢି ଯାଇଛି ।
ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ସେପ୍ଟେମ୍ବର ୬ ତାରିଖରେ ପ୍ରଥମେ ସେମାନଙ୍କୁ ପ୍ରଶ୍ନ କରିଥିଲେ, ସେମାନେ ମଣିପୁର ହାଇକୋର୍ଟକୁ ନଯାଇ ସୁଧାସଳଖ ସୁପ୍ରିମ କୋର୍ଟକୁ ଆସିଲେ କାହିଁକି ? ତେବେ, ଆବେଦନକାରୀଙ୍କ ଓକିଲ ଶ୍ୟାମ ଦିୱାନ ମୁଖ୍ୟ ବିଚାରପତିଙ୍କୁ ବାସ୍ତବ ସ୍ଥିତି ଜଣାଇବା ପରେ ଆବେଦନର ଶୁଣାଣୀ ସୁପ୍ରିମ କୋର୍ଟରେ ହେବ ବୋଲି ସେ ନିଷ୍ପତ୍ତି ନେଇ ତାହା ପଂଜୀକୃତ କରିବାକୁ ନିର୍ଦେଶ ଦେଇଥିଲେ ଓ ଆବେଦନକାରୀଙ୍କୁ ୧୧ ତାରିଖ ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିଥିଲେ । ଆବେଦନକାରୀଙ୍କ ଓକିଲ ସୁପ୍ରିମ କୋର୍ଟକୁ ଜଣାଇଛନ୍ତି ଯେ, ଯେଉଁ ସମୟରେ ଇଜିଆଇ ସାମ୍ବାଦିକମାନେ ତଥ୍ୟ ସଂଗ୍ରହ ପାଇଁ ମଣିପୁର ଗସ୍ତରେ ଯାଇଥିଲେ ସେହି ସମୟରେ ରାଜ୍ୟରେ ଇଂଟରନେଟ୍ ସେବା ବନ୍ଦ ଥିଲା । ତେଣୁ, ମିଳିଥିବା ତଥ୍ୟକୁ ସରକାର, ପ୍ରଶାସନ ବା ନିରାପତ୍ତା ବାହିନୀ ଅଧିକାରୀଙ୍କ ସହ କ୍ରସ୍ ଚେକ୍ କରିବା ସମ୍ଭବ ନଥିଲା । ତଥାପି ରିପୋର୍ଟରେ ଯାହା କିଛି ସାମାନ୍ୟତମ ତୃଟି ଥିଲା ତାହା ତୁରନ୍ତ ସଂଶୋଧନ କରାଯାଇଛି । ସୁପ୍ରିମ କୋର୍ଟ ଆବେଦନକାରୀଙ୍କୁ ମଣିପୁର ହାଇକୋର୍ଟକୁ ନ ପଠାଇ ଆସନ୍ତା ଶୁକ୍ରବାର ପରବର୍ତ୍ତୀ ଶୁଣାଣୀ ପାଇଁ ତାରିଖ ଧାର୍ଯ୍ୟ କରିଥିବାରୁ ଇଜିଆଇ ଆଶ୍ୱସ୍ତ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS