ଝଡ ପୂର୍ବର ନିରବତା.. !
ପ୍ରସାଦ ରାଓ
ଭୁବନେଶ୍ୱର/ସେପ୍ଟେମ୍ବର ୧୨
ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖଣ୍ଡପଡା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ବିଜେଡ଼ି ଉପ ସଭାପତି ପଦରୁ ବହିଷ୍କାର କରିଛନ୍ତି । ସୌମ୍ୟ କିଛି ଦିନ ହେଲା ଯେପରି ଦଳର ନେତୃତ୍ୱ ବିରୋଧରେ ମନ୍ତବ୍ୟ ରଖୁଥିଲେ ନବୀନ ତାଙ୍କୁ ଅତିଶୀଘ୍ର ଦଳରୁ ବହିଷ୍କାର କରିପାରନ୍ତି ବୋଲି ଗଣମାଧ୍ୟମରେ ଆଲୋଚନା ଚାଲି ଥିଲା । ତେବେ, ସୌମ୍ୟଙ୍କୁ ଦଳରୁ ବହିଷ୍କାର କରାନଯାଇ କେବଳ ଦଳର ଉପ ସଭାପତି ପଦରୁ ବହିଷ୍କାର କରିବାରେ ନବୀନଙ୍କ କାର୍ଯ୍ୟାନୁଷ୍ଠାନ ସୀମିତ ରହିବା ରାଜନୈତିକ ମହଲକୁ ଦ୍ୱନ୍ଦ୍ୱରେ ପକାଇଛି । ୨୦୧୯ ପରେ ଯେତେ ସବୁ ନେତା ବା କର୍ମୀଙ୍କୁ ଦଳର ନିଲମ୍ବନ ବା ବହିଷ୍କାର କରାଯାଇଛି ସବୁ ଚିଠିରେ ଦଳର ସଂଗଠନ ସଂପାଦକ ଅବା ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ଦସ୍ତଖତ ରହୁଥିବା ବେଳେ ସୌମ୍ୟଙ୍କ ବହିଷ୍କାର ଚିଠିରେ ବିଜେଡ଼ି ସଭାପତିଙ୍କ ଦସ୍ତଖତ ରହିଛି । କିନ୍ତୁ, ବିହିଷ୍କାର କରିବାର କୌଣସି କାରଣ ଦର୍ଶାଯାଇନାହିଁ ।
ସୌମ୍ୟଙ୍କୁ ଦଳର ଉପ ସଭାପତି ପଦରୁ ବହିଷ୍କାର କରାଗଲା ବୋଲି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱାକ୍ଷରିତ ଚିଠି ଆଜି ଗଣମାଧ୍ୟମର ହସ୍ତଗତ ହେବା ପରେ ବିଭିନ୍ନ ପ୍ରକାର ଆଲୋଚନା ହେଉଛି । ଏହା ‘ଝଡ ପୂର୍ବର ନିରବତା’ ବୋଲି କିଛି କହୁଥିବା ବେଳେ ଆଉ କିଛି କହୁଛନ୍ତି ଦଳରୁ ବହିଷ୍କାର କରିବାକୁ ନବୀନଙ୍କ ସାହାସ ନକୁଳାଇବାରୁ ସୌମ୍ୟଙ୍କୁ କେବଳ ଦଳର ଉପସଭାପତି ପଦରୁ ବହିଷ୍କାର କରିବାରେ କାର୍ଯ୍ୟାନୁଷ୍ଠାନ ସୀମିତ ରଖା ଯାଇଛି । ପରବର୍ତ୍ତୀ ସମୟରେ ରାଜନୈତିକ ପାଣିପାଗ ଦେଖି ନବୀନ ଅଧିକ କଠୋର ହୋଇପାରନ୍ତି । ଖଣ୍ଡପଡା ବିଧାୟକ ସୌମ୍ୟ ରଂଜନ ଗଲା କିଛି ଦିନ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡ଼ି ଓ ସରକାରଙ୍କୁ କଠୋର ସମାଲୋଚନ କରି ରାଜ୍ୟରେ ଏକ ରାଜନୈତିକ ଝଡର ସୂତ୍ରପାତ କରିଥିଲେ । ସୌମ୍ୟଙ୍କ ଆକ୍ରମଣର କେନ୍ଦ୍ରବିନ୍ଦୁ ଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ । ସମାଲୋଚନା ଏପରି ଏକ ସ୍ତରରେ ପହଂଚିଛି ଯେ ନବୀନ ସୌମ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପର୍ଯ୍ୟନ୍ତ କଥା ଯାଇଛି ।
ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଲଗାତର ପଂଚମ ଥର ପାଇଁ ଓଡ଼ିଶାର ଶାସନ ଭାର ସମ୍ଭାଳିବା ପରେ ଦଳରେ ମନ୍ତ୍ରୀ, ବିଧାୟକ ଓ ଦଳୀୟ ନେତାଙ୍କ ଗୁରୁତ୍ୱ ଧୀରେ ଧୀରେ କମିଛି ଏବଂ ଦଳ ଓ ସରକାର ସଂପୂର୍ଣ୍ଣ ଭାବେ ଜଣେ ସରକାରୀ ଅଧିକାରୀ ବା ପ୍ରଶାସକଙ୍କ ନିୟନ୍ତ୍ରଣକୁ ଚାଲି ଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଆଇଏଏସ୍ ଭି.କାର୍ତ୍ତିକେୟନ ପାଣ୍ଡିଆନ ଗଲା ଏକ ବର୍ଷ ହେବ ପ୍ରତ୍ୟକ୍ଷ ଭାବେ ଦଳ ଓ ସରକାରଙ୍କୁ ନିୟନ୍ତ୍ରଣ କରୁଛନ୍ତି । ଦଳର ମନ୍ତ୍ରୀ, ବିଧାୟକ, ନେତା ଓ କର୍ମୀମାନେ ଏହି ସରକାରୀ ଅଧିକାରୀଙ୍କ ଜିଲ୍ଲା ଗସ୍ତର ଆୟୋଜନ କରିବା ସହ ଫୁଲମାଳ ଧରି ତାଙ୍କୁ ସ୍ୱାଗତ କରୁଛନ୍ତି ଓ ମଂଚ ତଳେ ଉପସ୍ଥିତ ରହି ଆଜ୍ଞା ପାଳନରେ ସୀମିତ ରହୁଛନ୍ତି । ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତରେ କେତେ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏବଂ ଏହି ଟଙ୍କା କେଉଁଠୁ ଆସିଛି ବା କିଏ ଦେଇଛି ସେନେଇ କୌଣସି ତଥ୍ୟ ସରକାରଙ୍କ ନିକଟରେ ଉପଲବ୍ଧ ନାହିଁ । ଏହା ହିଁ ହେଉଛି ସୌମ୍ୟଙ୍କ ଅଭିଯୋଗ ।
ସୌମ୍ୟ କେବଳ ଖଣ୍ଡପଡା ବିଧାୟକ ନାହାନ୍ତି, ଦୈନିକ ‘ସମ୍ବାଦ’ର ସଂପାଦକ ମଧ୍ୟ ଅଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେଡ଼ିରେ ଯୋଗ ଦେବା ସହ ତାଙ୍କ ଦ୍ୱାରା ଗଠିତ ରଜନୈତିକ ଦଳ ‘ଆମ ଓଡ଼ିଶା’କୁ ସେଥିରେ ବିଲିନ କରି ଦେଇଥିଲେ । ପୂର୍ବରୁ ସେ ଏକାଧିକ ଥର ଖଣ୍ଡପଡା ବିଧାନସଭା ଆସନରୁ ନିର୍ବାଚନ ଲଢି ହାରି ଥିଲେ ମଧ୍ୟ ବିଜେଡ଼ିରେ ଯୋଗଦେବା ପରେ ପ୍ରଥମେ ରାଜ୍ୟସଭାକୁ ଗଲେ ଓ ପରେ ୨୦୧୯ ବିଧାନସଭା ନିର୍ବାଚନରେ ଖଣ୍ଡପଡାରୁ ବିଧାୟକ ନିର୍ବାଚିତ ହେଲେ । ସୌମ୍ୟ ବିଜେଡ଼ିରେ ଯୋଗଦେବା କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୌମ୍ୟଙ୍କୁ ବିଜେଡ଼ିରେ ନେବା ପଛରେ ଯାହା ବି ଉଦ୍ଦେଶ୍ୟ ଥାଉ ନା କାହିଁକି ଗତ ଚାରି ବର୍ଷରୁ ଅଧିକ ସମୟ ମଧ୍ୟରେ ସୌମ୍ୟ ଦଳରେ ରହି ଅଣନିଶ୍ୱାସୀ ହୋଇପଡିଥିବା ‘ସମ୍ବାଦ’ରେ ପ୍ରକାଶିତ ତାଙ୍କ ଦୁଇଟି ପ୍ରଥମ ପୃଷ୍ଠା ସଂପାଦକୀୟରୁ ସ୍ପଷ୍ଟ ହେଉଛି । ଏଥିରୁ ଗୋଟିଏ ସଂପାଦକୀୟ ସେ ତାଙ୍କ ଜନ୍ମ ଦିନ ପୂର୍ବରୁ ଲେଖି ଥିବା ବେଳେ ଦ୍ୱିତୀୟଟି ଲେଖିଛନ୍ତି ଜନ୍ମ ଦିନ ଅବସରରେ ।
ଦୁଇଟି ଯାକ ସଂପାଦକୀୟରେ ସୌମ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତ୍ୟକ୍ଷ ସମାଲୋଚନା ନକରି ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କୁ ତୀବ୍ର ଆକ୍ରମଣ କରିଥିଲେ । ପାଣ୍ଡିଆନ ଜଣେ ସରକାରୀ ଅଧିକାରୀ ହୋଇ ଓ ଚାକିରୀରେ ଥାଇ ଦଳୀୟ ରାଜନୀତିରେ ସାମିଲ ହେବା, ସରକାର ଓ ଦଳକୁ ନିୟନ୍ତ୍ରଣ କରିବା, ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କୁ କ୍ରୀତଦାସ ଭଳି ସଭା ସମିତି ଆୟୋଜନରେ ବ୍ୟବହାର କରିବା ଗ୍ରହଣୀୟ ନୁହେଁ ବୋଲି ସେ ଲେଖି ଥିଲେ । ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ନାମରେ ଦଳ ଓ ସରକାରଙ୍କ କ୍ଷମତା ଅପହରଣ କରି ନେଇଥିବା ଫଳରେ ଦଳରେ ନିର୍ବାଚିତ ପ୍ରତିନିଧିମାନଙ୍କ ଭୂମିକା ଗୌଣ ହୋଇଯାଇଛି । ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ ନାମରେ ପାଣ୍ଡିଆନ ବର୍ଷେ ହେଲା ସରକାରୀ ଖର୍ଚ୍ଚରେ ବିମାନରେ ଜିଲ୍ଲା ଗସ୍ତ କରିବା ଯୋଗୁଁ ସରକାରୀ ତହବିଲରୁ ଯେଉଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ତାହାର ହିସାବ ସରକାରଙ୍କ ନିକଟରେ ନାହିଁ । ତଥାପି, ବିଜେଡ଼ି ମନ୍ତ୍ରୀ, ବିଧାୟକ ଓ ନେତାମାନେ ଆଖିବୁଜି ତାଙ୍କୁ ସମର୍ଥନ କରୁଥିବା କ୍ଷୋଭର ବିଷୟ ବୋଲି ସୌମ୍ୟ ତାଙ୍କ ସଂପାଦକୀୟରେ ଅଭିଯୋଗ କରିବା ସହ ଜଣେ ସରକାରୀ ଅଫିସରଙ୍କ ଏଭଳି କ୍ଷମତା ଅପହରଣ କରିବା ଗ୍ରହଣ କରାଯାଇନପାରେ ବୋଲି ମନ୍ତବ୍ୟ ଦେଇଛନ୍ତି । ସୌମ୍ୟଙ୍କ ଆକ୍ଷେପ ପ୍ରତି ଦଳ ଭିତରେ କେତେ ସମର୍ଥନ ରହିଛି, ତାହା ବାହାରକୁ ଦିଶୁ ନାହିଁ । ତେବେ, ଦଳ ଓ ସରକାରଙ୍କ ଉପରେ ପାଣ୍ଡିଆନଙ୍କ ନିୟନ୍ତ୍ରଣକୁ ନେଇ ସୌମ୍ୟଙ୍କ ଲେଖା ଓ ବକ୍ତବ୍ୟକୁ ବିଜେଡ଼ି ନେତା, ମନ୍ତ୍ରୀ, ବିଧାୟକମାନେ ବାହାରକୁ ବିରୋଧ କରିବା ଦଳ ଉପରେ ପାଣ୍ଡିଆନଙ୍କ ନିରଙ୍କୁଶ ପ୍ରଭାବକୁ ପ୍ରତିଫଳିତ କରୁଛି ।
ସୌମ୍ୟ ତାଙ୍କ ଦୁଇଟି ସଂପାଦକୀୟରେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ସମାଲୋଚନା କରିନଥିଲେ ମଧ୍ୟ ପରୋକ୍ଷରେ ନେତୃତ୍ୱର ଅପାରଗତାକୁ ସମାଲୋଚନା କରିଥିଲେ । ତେବେ, ବିଜେଡ଼ିର ଚାରି ଜଣ ମନ୍ତ୍ରୀ ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ଯାଇ ସୌମ୍ୟଙ୍କୁ ଆକ୍ରମଣ କରିବାରୁ ସୌମ୍ୟ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିବାକୁ ପଛାଇ ନାହାନ୍ତି । ସୌମ୍ୟ ଦଳକୁ ‘ବ୍ଲାକମେଲ୍’ କରୁଛନ୍ତି । ସେ ଦଳରେ ରହିଲେ ଶୃଙ୍ଖଳା ଭିତରେ ରୁହନ୍ତୁ, ଦଳ ବିରୋଧରେ ସଂପାଦକୀୟ ଲେଖିବାକୁ ଚାହିଁଲେ ଦଳ ଛାଡନ୍ତୁ ବୋଲି ବରିଷ୍ଠ ବିଜେଡ଼ି ନେତା ଓ ମନ୍ତ୍ରୀ ପ୍ରତାପ ଦେବଙ୍କ ଗଣମାଧ୍ୟମ ବିବୃତିରେ ସୌମ୍ୟ କ୍ଷୁବ୍ଧ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ବିଜେଡ଼ି ଦଳ ଓ ସରକାରକୁ ଅପହରଣ କରି ନେଇ ନିଜ ସଂପତ୍ତି ଭଳି ବ୍ୟବହାର କରୁଥବାରୁ ଯେଉଁ ଅବିଶ୍ୱାସ ଭାବ ସୃଷ୍ଟି ହୋଇଛି ଏବଂ ଜନସାଧାରଣରେ ଯେଭଳି ନକାରାତ୍ମକ ପ୍ରତକ୍ରିୟା ପ୍ରକାଶ ପାଉଛି ସେନେଇ ବିଜେଡ଼ି ମୁଖ୍ୟଙ୍କୁ ସଂପାଦକୀୟ ମାଧ୍ୟମରେ ସଚେତ କରାଇବା ତାଙ୍କ ଉଦ୍ଦେଶ୍ୟ ଥିଲା ବୋଲି ସୌମ୍ୟ କହିଛନ୍ତି । ସୌମ୍ୟଙ୍କୁ ନିଜ ସମ୍ବାଦପତ୍ରରେ ସଂପାଦକୀୟ ଲେଖିବାକୁ ମନା ନାହିଁ, ତେବେ ସେ ଦଳ ଛାଡି ଏହା କରନ୍ତୁ ବୋଲି ମନ୍ତ୍ରୀ ପ୍ରତାପ ଦେବଙ୍କ ବିବୃତି ସୌମ୍ୟଙ୍କୁ ଘାଇଲା କରିଛି । ପ୍ରତିକ୍ରିୟାରେ ସେ କହିଛନ୍ତି, ବିଜେଡ଼ି କାହାରି ପୈତୃକ ସଂପତ୍ତି ନୁହେଁ ଯେ କିଏ କହି ଦେଲେ ସେ ଦଳ ଛାଡି ଦେବେ ।
ରାଜନୀତିରେ ସେ ବାରମ୍ବାର ନିଷ୍ପତ୍ତି ବଦଳାଇ ଥିବା ନେଇ ବିଜେଡ଼ି ମନ୍ତ୍ରୀ ଓ ନେତାମାନେ ଯେଉଁ ଆକ୍ଷେପ କରିଛନ୍ତି ତାହା ଉପରେ ମଧ୍ୟ ସୌମ୍ୟ ଉତ୍ତର ରଖିଛନ୍ତି । ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମଧ୍ୟ ବାରମ୍ବାର ନିଷ୍ପତ୍ତି ବଦଳାଇ ଥିବା ନଜିର ରହିଛି । ବିଜେଡ଼ି କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାରଙ୍କ ବିରୋଧ କରିବାକୁ କିଛି ଦିନ ତଳେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଦଳୀୟ ନେତାଙ୍କ ବୈଠକରେ ପରାମର୍ଶ ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ଦିଲ୍ଲୀ ବିଲ୍ ସମେତ ଅନ୍ୟାନ୍ୟ ବିଲ୍ ଗୃହୀତ କରାଇବାରେ ସଂସଦରେ ଦଳ ବିଜେପି ସରକାରଙ୍କୁ ସମର୍ଥନ ଦେବା କଣ ମତ ବଦଳାଇବା ନୁହେଁ କି (?) ବୋଲି ସୌମ୍ୟ ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀଙ୍କ ଆଡକୁ ଆଂଗୁଠି ଦେଖାଇଛନ୍ତି । ବିଜେଡ଼ି ନେତା ଓ ଦଳର ବିଧାୟକ ସୌମ୍ୟ ରଂଜନଙ୍କ ମଧ୍ୟରେ ଗଲା କିଛି ଦିନ ହେଲା ଯେଉଁ ବୟାନବାଜୀ ଚାଲିଛି ତାହା ବିଜେଡ଼ି ସରକାରକୁ ଅଡୁଆରେ ପାଇବା ସହ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।
ସୌମ୍ୟ ପାଣ୍ଡିଆନଙ୍କୁ ସାମ୍ନାରେ ରଖି ବିଜେଡ଼ି ନେତୃତ୍ୱକୁ ଯେଉଁ ତୀର ମାରିଛନ୍ତି ତାହା ପଛରେ ଥିବା ରାଜନୈତିକ ଉଦ୍ଦେଶ୍ୟ କାହାରିକୁ ଅଛପା ନାହିଁ । ମନରେ କିଛି ଆଶା ଓ ଅଭିଳାଷ ନେଇ ସେ ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେଡ଼ିରେ ଯୋଗ ଦେଇଥିଲେ । ଦଳର ମୁଖ୍ୟ ତାଙ୍କୁ ତୁରନ୍ତ ରାଜ୍ୟସଭାକୁ ପଠାଇ ଅଭିଳାଷରୁ କାଣିଚାଏ ପୂରଣ କରିଥିଲେ ମଧ୍ୟ ସେ ଖଣ୍ଡପଡାରୁ ବିଧାୟକ ନିର୍ବାଚିତ ହେବା ପରେ ମନ୍ତ୍ରୀ ହେବାର ଯେଉଁ ଆଶା ରଖି ଥିଲେ ତାହା ଗତ ଚାରି ବର୍ଷରେ ମଧ୍ୟରେ ପୂରଣ ହେଲା ନାହିଁ । ରାଜ୍ୟରେ ଆଉ କିଛି ମାସ ପରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ତେଣୁ, ଏଇ କିଛି ମାସ ଭିତରେ ତାଙ୍କ ଅଭିଳାଷ ପୂରଣ ହେବାର ନାହିଁ ତାହା ସେ ଜାଣନ୍ତି । ଦଳରେରେ ରହି ପାଣ୍ଡିଆନଙ୍କ ନେତୃତ୍ୱରେ ମୁଣ୍ଡ ଟୁଙ୍ଗରିବା ଅପେକ୍ଷା ଦଳରୁ ତଡା ଖାଇ ରାଜନୈତିକ ଅଭିଳାଷ ପୂରଣ କରିବାକୁ ଅନ୍ୟ ବିକଳ୍ପ ଖୋଜିବା ଅଧିକ ବୁଦ୍ଧିମତ୍ତା ହେବ ବୋଲି ବୋଧହୁଏ ସେ ବିଚାର କରୁଥିବାରୁ ବିଜେଡ଼ି ନେତୃତ୍ୱ ପ୍ରତି ଆକ୍ରମଣକୁ ଶାଣିତ କରିଛନ୍ତି । ବିଜେଡ଼ି ନେତୃତ୍ୱ ଆଜି ତାଙ୍କୁ ଦଳରୁ ବହିଷ୍କାର କରିଥିଲେ ବୋଧହୁଏ ସୌମ୍ୟ ବିସ୍ମିତ ହୋଇନଥା’ନ୍ତେ ।
ସେ ଭଲରେ ଜାଣନ୍ତି ବିଜେଡ଼ି ତାଙ୍କୁ ବହିଷ୍କାର କରୁ କରୁ ତାଙ୍କୁ ଝାଂପି ନେବାକୁ ଅନ୍ୟ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଛକାପଂଝା ଆରମ୍ଭ କରି ସାରିଛନ୍ତି । ନେତୃତ୍ୱ ଅପେକ୍ଷା ଗଣମାଧ୍ୟମ ମାଲିକାନା ତାଙ୍କ ପାଇଁ ବଡ ଅସ୍ତ୍ର ହୋଇଛି । ବିଜେଡ଼ି ନେତୃତ୍ୱ ମଧ୍ୟ ବୋକା ନୁହେଁ । ଆଜି ଜାଣିଶୁଣି ତାଙ୍କୁ ଝୁଲାଇ ରଖିବାର ରାଜନୈତିକ ଖେଳ ଖେଳିଛି । ସୌମ୍ୟଙ୍କୁ ଦଳରୁ ବହିଷ୍କାର କରାଯାଇନି, କେବଳ ଦଳର ଉପ ସଭାପତି ପଦରୁ ହଟାଇ ଦିଆଯାଇଛି । ସୌମ୍ୟଙ୍କ ପରବର୍ତ୍ତୀ ଗୋଟିଚାଳନାକୁ ବିଜେଡ଼ି ନେତୃତ୍ୱ ଅପେକ୍ଷା କରୁଥିବା ଏଥିରୁ ସ୍ପଷ୍ଟ ହେଉଛି । ବିଜେଡ଼ି ମୁଖ୍ୟଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ କିଛି ଭାବୁଛନ୍ତି, ନବୀନଙ୍କ ମନରେ ଏବେ ବି ସୌମ୍ୟଙ୍କ ପ୍ରତି ଭୟ ବା ଶ୍ରଦ୍ଧା ରହିଛି । ତେଣୁ, ତାଙ୍କୁ ଦଳରୁ ବହିଷ୍କାର କରାନଯାଇ ଉପ ସଭାପତି ପଦରୁ ବିଦା କରାଯାଇଛି । ତେବେ, ବିଜେଡ଼ି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଆଜି ଯେଉଁ ପ୍ରତିକ୍ରିୟା ରଖିଛନ୍ତି, ତାହା ତର୍ଜମାର ବିଷୟ । ‘କୃତଜ୍ଞତା ହେଉଛି ଯେ କୌଣସି ପ୍ରାର୍ଥନାର ଉପଯୁକ୍ତ ମାଧ୍ୟମ । ଯେଉଁଠି କୃତଜ୍ଞତା ନାହିଁ, ସେଠି ଭଗବାନ ମଧ୍ୟ ସହାୟତା ପାଇଁ ଆଗକୁ ଆସନ୍ତି ନାହିଁ ।’ – ଏହା ହେଉଛି ବବି ବାବୁଙ୍କ ପ୍ରତିକ୍ରିୟା । ଏଠାରେ କାହା ପ୍ରତି କୃତଜ୍ଞତା କଥା ବବି ବାବୁ କହିଛନ୍ତି ତାହା ବୋଧହୁଏ ପାଠକ ବୁଝି ପାରୁଥିବେ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS