୧୪ ଟିଭି ଆଙ୍କର୍ ଓ ବିତର୍କ କାର୍ଯ୍ୟକ୍ରମକୁ ବର୍ଜନ କରିବ ‘ଇଣ୍ଡିଆ’ ମେଂଟ !


ପ୍ରସାଦ ରାଓ
ନୂଆଦିଲ୍ଲୀ
ସେପ୍ଟେମ୍ବର ୧୪
ଗତକାଲି ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବାସଭବନରେ ଅନୁଷ୍ଠିତ ବିରୋଧୀ ‘ଆଇଏନଡିଆଇଏ’ (ଇଣ୍ଡିଆ) ମେଂଟ ସମନ୍ୱୟ କମିଟି ବୈଠକରେ କିଛି ଗଣମାଧ୍ୟମ ଆଙ୍କର୍ ଓ ସେମାନଙ୍କ ଦ୍ୱାରା ଆୟୋଜନ ହେଉଥିବା ଟିଭି ବିତର୍କ କାର୍ଯ୍ୟକ୍ରମ (ସୋ)କୁ ବର୍ଜନ କରାଯିବା ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କିଛି ଜାତୀୟ ଗଣମାଧ୍ୟମ, ବିଶେଷକରି ବୈଦ୍ୟୁତିକ ଗଣମାଧ୍ୟମର ଆଙ୍କର୍ ଓ ସେମାନଙ୍କ ଦ୍ୱାରା ପରିବେଷଣ କରାଯାଉଥିବା ବିତର୍କ କାର୍ଯ୍ୟକ୍ରମରେ ବିରୋଧୀ ମେଂଟକୁ ଅତ୍ୟନ୍ତ ଦୁର୍ବଳ ଭାବେ ପ୍ରଦର୍ଶନ କରାଯାଉଥିବାରୁ ବିରୋଧୀ ମେଂଟ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ତେବେ, କେଉଁ ଆଙ୍କର୍ ଓ ସେମାନଙ୍କ ବିତର୍କ କାର୍ଯ୍ୟକ୍ରମକୁ ବିରୋଧୀ ନେତାମାନେ ବର୍ଜନ କରିବେ ତାହାର ତାଲିକା ପ୍ରସ୍ତୁତ ହୋଇଛି । ‘ଇଣ୍ଡିଆ’ ମେଂଟ ସମନ୍ୱୟ କମିଟିର ମିଡ଼ିଆ ‘ସବ୍-ଗୃପ୍’ ଦ୍ୱାରା ପ୍ରସ୍ତୁତ ତାଲିକାରେ ୧୪ ଜଣ ମିଡ଼ିଆ ଆଂକର ଅଛନ୍ତି । ‘ଆଜତକ୍’ର ଚିତ୍ରା ତ୍ରିପାଠୀଙ୍କ ସମତେ ଅନ୍ୟ ଆଙ୍କର୍ ହେଉଛନ୍ତି, ଅଦିତି ତ୍ୟାଗୀ, ଅମନ ଚୋପ୍ରା, ଅମିଶ ଦେବଗଣ, ଆନନ୍ଦ ନରସିଂହନ, ଅର୍ଣ୍ଣବ ଗୋସ୍ୱାମୀ, ଅଶୋକ ଶ୍ରୀବାସ୍ତବ, ଗୌରବ ସାୱନ୍ତ, ନଭିକା କୁମାର, ପ୍ରାଚୀ ପରାସର, ରୁବିକା ଲିୟାକତ, ଶିବ ଆରୁର, ସୁଧୀର ଚୌଧୁରୀ ଓ ସୁଶାନ୍ତ ସିହ୍ନା । ଏହି ବର୍ଜନ ସଂପର୍କରେ ଗତକାଲି ମେଂଟ ସମନ୍ୱୟ କମିଟି ନିଷ୍ପତ୍ତି ନେଇଥିବା ସଂପର୍କରେ ଆଜି ସକାଳେ ଏକ ବିବୃତିରେ ଗଣମାଧ୍ୟମକୁ ସୂଚିତ କରାଯାଇଥିଲା ।
ଗତକାଲିର ବୈଠକ ଥିଲା ନବଗଠିତ ବିରୋଧୀ ମେଂଟ ସମନ୍ୱୟ କମିଟିର ପ୍ରଥମ ବୈଠକ । ଗୋଟିଏ ଗୋଷ୍ଠୀ ମିଡ଼ିଆ ବିରୋଧୀ ନେତାମାନଙ୍କ ପ୍ରତି ବିମୁଖ ଥିଲା ଭଳି ଆଚରଣ ପ୍ରଦର୍ଶନ କରୁଥିବା ବାରମ୍ବାର ବିରୋଧୀ ନେତାଙ୍କ ପକ୍ଷରୁ ଅଭିଯୋଗ ହୋଇଆସୁଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କନ୍ୟାକୁମାରୀରୁ କଶ୍ମୀର ପଦଯାତ୍ରା ସମୟରେ ମଧ୍ୟ କିଛି ଜାତୀୟ ଗଣମାଧ୍ୟମ ଓ ତାହାର ଆଂଙ୍କର୍ କଂଗ୍ରେସ ପଦଯାତ୍ରାର ଉପଯୁକ୍ତ କଭରେଜ୍ ନଦେଇ ଗୌଣ ଭାବେ ତାହା ପ୍ରଦର୍ଶନ କରୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିଲା । ତେବେ, କଂଗ୍ରେସର ପଦଯାତ୍ରା ସମୟରେ ବହୁ ସଂଖ୍ୟାରେ ଜନତା ବିଭିନ୍ନ ସ୍ଥାନରେ ରାହୁଲଙ୍କ ସହ ସାମିଲ ହୋଇ ଉତ୍ସାହିତ କରିଥିଲେ । ସାମାଜିକ ଗଣମାଧ୍ୟମ ମଧ୍ୟ ଏହି ପଦଯାତ୍ରାର ପୂର୍ଣ୍ଣମାତ୍ରାରେ କଭରେଜ୍ ଦେଇଥିଲା । କିନ୍ତୁ, ମୁଖ୍ୟସ୍ରୋତ ଗଣମାଧ୍ୟମ ରାହୁଲଙ୍କ ପଦଯାତ୍ରାକୁ ଯେଭଳି ଭାବେ ପ୍ରସାରିତ କରିବା କଥା ନକରି ତାହାକୁ ଏକ ପ୍ରକାର ବର୍ଜନ କଲା ଭଳି ଆଚରଣ ପ୍ରଦର୍ଶନ କରିଥିଲା ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ଅଭିଯୋଗ କରିଛନ୍ତି । କିଛି ବିରୋଧୀ ନେତା ମୁଖ୍ୟସ୍ରୋତ ମିଡ଼ିଆର ଏଭଳି ଆଚରଣର ଉଚିତ ଜବାବ ଦେବା ସକାଶେ ମନ ସ୍ଥିର କରି ଥିବା ବିରୋଧୀ ମେଂଟ ଭିତରୁ ଖବର ମିଳିଛି ।
ଗେହେଲୋଟ କହିଛନ୍ତି, ତାଙ୍କ ବ୍ୟକ୍ତିଗତ ଅନୁଧ୍ୟାନ ଓ ଅଭିଯୋଗ ହେଉଛି, ରାହୁଲ ଗାନ୍ଧୀଙ୍କ ପଦଯାତ୍ରାରେ ଲକ୍ଷାଧିକ ଜନସମାବେଶ ହେଉଥିବା ବେଳେ କିଛି ଗଣମାଧ୍ୟମ ସଂପାଦକ ଏହି ପଦଯାତ୍ରାକୁ ବର୍ଜନ କଲା ଭଳି ବ୍ୟବହାର ପ୍ରଦର୍ଶନ କରିଥିଲେ । କଂଗ୍ରେସର ଏତେ ବଡ କାର୍ଯ୍ୟକ୍ରମ ଜାତୀୟ ଗଣମାଧ୍ୟମରେ ଯେଭଳି ଭାବେ ପ୍ରସାରିତ ହେବା କଥା ସେଭଳି ସୁଯୋଗ ପାଇ ନଥିଲା । ୨୦୧୯ରେ ମଧ୍ୟ କଂଗ୍ରେସ ଦଳ ଗଣମାଧ୍ୟମର ଏଭଳି ଆଚରଣକୁ ବିରୋଧ କରି ଗୋଟିଏ ମାସ ପାଇଁ ଟେଲିଭିଜନ ସୋ’ ବର୍ଜନ କରିଥିଲା । କଂଗ୍ରେସ ତାହାର ମୁଖପାତ୍ରଙ୍କୁ ଗୋଟିଏ ମାସ ପାଇଁ ଟିଭି ବିତର୍କକୁ ପଠାଇବ ନାହିଁ । ଟିଭି ଚ୍ୟାନେଲ ଓ ତାହାର ସଂପାଦକମାନେ ସେମାନଙ୍କ ବିତର୍କ କାର୍ଯ୍ୟକ୍ରମକୁ କଂଗ୍ରେସ ମୁଖପାତ୍ରଙ୍କୁ ଆମନ୍ତ୍ରଣ କରନ୍ତୁ ନାହିଁ ବୋଲି ବରିଷ୍ଠ କଗ୍ରେସ ନେତା ରଣଦୀପ ସୁରଜେୱାଲ ସେତେବେଳେ ଏକ ଟ୍ୱିଟ୍ ମାଧ୍ୟମରେ ସେମାନଙ୍କୁ ଅନୁରୋଧ କରିଥିଲେ । ଏବେ, ବିରୋଧୀ ରାଜନୈତିକ ଦଳଙ୍କ ମେଂଟ ‘ଇଣ୍ଡିଆ’ ତାହାର ପ୍ରଥମ ସମନ୍ୱୟ କମିଟିରେ କିଛି ଟିଭି ଚ୍ୟାନେଲ ଆଙ୍କର୍ ଓ ସେମାନଙ୍କ ବିତର୍କ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ।
ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ବିରୋଧୀ ମେଂଟରେ ଥିବା ଦଳମାନଙ୍କ ମଧ୍ୟରେ ଆସନ ବୁଝାମଣା ପ୍ରୋସେସ୍ ତୁରନ୍ତ ଆରମ୍ଭ କରିବାକୁ ମଧ୍ୟ ଗତକାଲିର ବୈଠକର ନିଷ୍ପତ୍ତି ନିଆଯାଇଛି । ସମନ୍ୱୟ କମିଟିର ପରବର୍ତ୍ତୀ ବୈଠକ ଅକ୍ଟୋବର ମାସରେ ମଧ୍ୟ ପ୍ରଦେଶର ଭୋପାଲ ଠାରେ ବସିବ ବୋଲି ମଧ୍ୟ ଗତକାଲି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ଦେଶର ୨୮ଟି ବିରୋଧୀ ଦଳ ମିଳିତ ଭାବେ ଆଇଏନଡିଆଇଏ ବା ଇଣ୍ଡିଆ ମେଂଟ ଗଠନ କରିଛନ୍ତି । ବେଂଗାଲୁରୁରେ ଅନୁଷ୍ଠିତ ମେଂଟର ଦ୍ୱିତୀୟ ବୈଠକରେ ମେଂଟର ନାମକରଣ ‘ଇଣ୍ଡିଆ’ ରଖା ଯାଇଥିଲା । ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ଦୁଇ ଦିନିଆ ତୃତୀୟ ଆନୁଷ୍ଠାନିକ ବୈଠକରେ ବିରୋଧୀ ମେଂଟର ନେତାମାନେ ‘ଯଥା ସମ୍ଭବ’ ଏକାଠି ୨୦୨୪ ସାଧାରଣ ନିର୍ବାଚନ ଲଢିବେ ବୋଲି ନିଷ୍ପତ୍ତି ଘୋଷଣା କରିଥିଲେ । ମୁମ୍ବାଇ ବୈଠକରେ ବିରୋଧୀ ମେଂଟ ତାହାର ୧୪ ଜଣିଆ ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସମନ୍ୱୟ କମିଟି ଗଠନ କରି ସଦସ୍ୟମାନଙ୍କ ନାମ ଘୋଷଣା କରିଥିଲା ଓ ଦିଲ୍ଲୀରେ ତାହାର ମୁଖ୍ୟାଳୟ ରହିବ ବୋଲି କହିଥିଲା ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS