ବିରୋଧୀଙ୍କ ରଣହୁଙ୍କାର ଗଣମାଧ୍ୟମ ନା ସରକାର ବିରୋଧରେ ?


ପ୍ରସାଦ ରାଓ
ନୂଆଦିଲ୍ଲୀ
ସେପ୍ଟେମ୍ବର ୧୬
୨୮ ବିରୋଧୀ ଦଳର ମେଂଟ ‘ଆଇଏନଡିଆଇଏ’ ବା ଇଣ୍ଡିଆ ଦେଶର ଗଣାଧ୍ୟମ ଜଗତକୁ ଚମକାଇ ଦେଲା ଭଳି ଏକ ନିଷ୍ପତ୍ତି ନେଇ ଦେଶବ୍ୟାପୀ ଚର୍ଚ୍ଚାର ବାତାବରଣ ସୃଷ୍ଟି କରିଛି । ସେପ୍ଟେମ୍ବର ୧୩ ତାରିଖ ଦିନ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବାସଭବନରେ ଅନୁଷ୍ଠିତ ମେଂଟ ସମନ୍ୱୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ଏବଂ ୧୪ ତାରିଖ ଦିନ ମେଂଟ ବର୍ଜନ କରିବାକୁ ଥିବା ନଅଟି ଜାତୀୟ ଟିଭି ଚ୍ୟାନେଲର ୧୪ଜଣ ପ୍ରତିଷ୍ଠିତ ଆଙ୍କର (ସାମ୍ବାଦିକ)ଙ୍କ ତାଲିକା ମଧ୍ୟ ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପନ ହୋଇଥିଲା । ଚଳିତ ବର୍ଷ ଶେଷ ଆଡକୁ କିଛି ପ୍ରମୁଖ ରାଜ୍ୟରେ ବିଧାନସଭା ନିର୍ବାଚନ ଓ ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ‘ଇଣ୍ଡିଆ’ ମେଂଟର ଗଣମାଧ୍ୟମ ବିରୋଧୀ ରଣହୁଙ୍କାର ‘କାପୁରୁଷତା’ ଏବଂ ଏହା ମେଂଟ ଅଂଶୀଦାରଙ୍କ ପାଇଁ ‘ଆତ୍ମଘାତୀ’ ହୋଇପାରେ ବୋଲି ଆକଳନ କରୁଥିବା ବେଳେ ଆଉ କିଛି ‘କେଳାଶ୍ରିତ’ ଗଣମାଧ୍ୟମର ପକ୍ଷପାତକୁ ଦାୟି କରୁଛନ୍ତି । ବିଶେଷକରି, ଶାସକ ବିଜେପି ବିରୋଧୀ ମେଂଟର ଘୋଷଣାକୁ ନକାରାତ୍ମକ ଦୃଷ୍ଟିରେ ଦେଖୁଥିବା ନେତାମାନଙ୍କ ବୟାନବାଜୀରୁ ସ୍ପଷ୍ଟ ହେଉଛି । ଗଣମାଧ୍ୟମକୁ ଉସୁକାଇବା ପାଇଁ ଶାସକ ଦଳ ୧୯୭୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଜାରି କରିଥିବା ଜରୁରୀକାଳୀନ ପରିସ୍ଥିତି ଓ ଗଣମାଧ୍ୟମର କଂଠରୋଧ କଥା ମନେ ପକାଇ ଦେଇଛି ।
‘ଇଣ୍ଡିଆ’ ମେଂଟର ନିଷ୍ପତ୍ତିକୁ ନେଇ ବିଜେପି ନେତୃବର୍ଗଙ୍କ ବ୍ୟାଖ୍ୟାୟନ (ନ୍ୟାରେଟିଭ) ଯାହା ହୋଇଥାଉନା କାହିଁକି ସରକାରଙ୍କ ଚାଟୁକାର ସାଜିଥିବା କିଛି ଗଣମାଧ୍ୟମ ଓ ତାହାର ‘ଆଙ୍କର୍’ ବା ବିତର୍କ ପରିଚାଳକମାନେ ଗଲା କିଛି ବର୍ଷ ହେଲା ଖବର ପରିବେଷଣରେ ଯେଭଳି ଏକପାଖିଆ ନୀତିକୁ ଆପଣେଇଛନ୍ତି ଓ ବିରୋଧୀଙ୍କୁ ନ୍ୟୁନ କରି ସେମାନଙ୍କ ଖବର ପରିବେଷଣ କରୁଛନ୍ତି ତାହା ବିରୋଧୀ ରାଜନୈତିକ ଦଳ ନେତାମାନଙ୍କୁ ବିଚଳିତ କରୁଥିବାରୁ ସେମାନେ ଏଭଳି ଏକ ଅପ୍ରିତିକର ନିଷ୍ପତ୍ତି ନେଇଥିବା ବୁଝି ହେଉଛି । ୨୦୧୪ରେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର ପ୍ରତିଷ୍ଠା ହେବା ପରଠାରୁ ଅଧିକାଂଶ ଜାତୀୟ ଗଣମାଧ୍ୟମ ସରକାରଙ୍କୁ ସୁହାଇଲା ଭଳି ଖବର ପରିବେଷଣ କରୁଛନ୍ତି ଓ ସେହି ଅନୁସାରେ ଟିଭି ବିତର୍କକୁ ମଧ୍ୟ ନିୟନ୍ତ୍ରଣ କରାଯାଉଛି । ସଂପୃକ୍ତ ଟିଭି ଚ୍ୟାନେଲର ଖବର ପରିବେଷକ ବା ‘ଆଙ୍କର୍’ମାନେ ମାଲିକ ତଥା ସଂପାଦକଙ୍କ ରାଜନୈତିକ ଉଦ୍ଦେଶ୍ୟକୁ ସୁରକ୍ଷା ଦେବାକୁ ଯାଇ ମାତ୍ରାଧିକ ଉତ୍ସାହ ପ୍ରଦର୍ଶନ କରୁଥିବା ଏବଂ ବିରୋଧୀଙ୍କ ଖବରକୁ ଗୌଣ କରି ସରକାରଙ୍କ ପ୍ରଚାରକୁ ପ୍ରଧାନ୍ୟ ଦେବା ଏବେ ବିରୋଧୀ ମେଂଟ ଓ କୋଳାଶ୍ରିତ ଗଣମାଧ୍ୟମ ମଧ୍ୟରେ ତୀକ୍ତତା ବଢିବାର କାରଣ ହୋଇଛି ।
୨୮ ଦଳିଆ ବିରୋଧୀ ମେଂଟର ସମନ୍ୱୟ କମିଟି ବିଭିନ୍ନ ଟିଭି ଚ୍ୟାନେଲର ୧୪ ଜଣ ଆଂକରଙ୍କୁ ବର୍ଜନ କରିବାକୁ ନିଷ୍ପତ୍ତି ନେବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କନ୍ୟାକୁମାରୀରୁ କଶ୍ମୀର ଦୀର୍ଘ ପଦଯାତ୍ରର ମିଡ଼ିଆ କଭରେଜ୍ ରେ ହୋଇଥିବା ପକ୍ଷପାତିତାକୁ ନେଇ ଆଲୋଚନା କରିଥିବା ଜଣାପଡିଛି । ରାହୁଲଙ୍କ ପଦଯାତ୍ରା ଯେଉଁ ସବୁ ରାଜ୍ୟ ଦେଇ ଅତିକ୍ରମ କରିଛି ସବୁଠି ଲକ୍ଷାଧିକ ସମର୍ଥକ ଓ ଶୁଭେଚ୍ଛୁ ତାଙ୍କ ସହ ଯୋଡି ହୋଇ ପଦଯାତ୍ରାରେ ଭାଗ ନେଇଥିଲେ ମଧ୍ୟ ମୁଖ୍ୟସ୍ରୋତ ଗଣମାଧ୍ୟମ ଯେଭଳି ଭାବେ ତାହା ଲୋକଙ୍କ ନିକଟରେ ପହଂଚାଇବା କଥା କରି ନାହାନ୍ତି । ସାମାଜିକ ଗଣମାଧ୍ୟମ ମାତ୍ରାଧିକ ସକ୍ରିୟତା ପ୍ରକାଶ କରି ଏହି ଖବର ଦେଶବାସୀଙ୍କ ନିକଟରେ ପହଂଚାଇ ଥିଲେ । ପରବର୍ତ୍ତୀ ସମୟରେ ମଧ୍ୟ ବିରୋଧୀ ରାଜନୈତିକ ଦଳମାନେ ଯାହା ସବୁ କାର୍ଯ୍ୟକ୍ରମ କରିଛନ୍ତି ସେସବୁର ଖବର ପରିବେଷଣକୁ ଗୌଣ କରି ଦେଇ ମିଡ଼ିଆ ପ୍ରଧାନମନ୍ତ୍ରୀ ଓ ତାଙ୍କ ଦଳର ନେତାମାନଙ୍କ ପ୍ରଚାରକୁ ପ୍ରଧାନ୍ୟ ଦେଇଥିବା ବିରୋଧୀଙ୍କୁ କ୍ଷୁବ୍ଧ କରିଛି । ଏହାଛଡା, କୋଳାଶ୍ରିତ ଗଣମାଧ୍ୟମରେ ଯେଭଳି ଭାବେ ଘୃଣାର ପ୍ରସାର କରାଯାଉଛି ତାହା ବିରୋଧୀଙ୍କୁ ଏଭଳି ଏକ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ କରିଥିବା କୁହାଯାଉଛି ।
ବିରୋଧୀ ମେଂଟ ଦ୍ୱାରା ବର୍ଜନ ପାଇଁ ପ୍ରକାଶ ପାଇଥିବା ତାଲିକାରେ ‘ଆଜତକ୍’ର ଆଙ୍କର୍ ଚିତ୍ରା ତ୍ରିପାଠୀ ଓ ସୁଧୀର ଚୌଧୁରୀ, ‘ନ୍ୟୁଜ୍ ୧୮’ର ଅମନ ଚୋପ୍ରା, ଅମିଶ ଦେବଗଣ ଓ ଆନନ୍ଦ ନରସିଂହା, ‘ଭାରତ ଏକ୍ସପ୍ରେସ୍’ର ଅଦିତି ତ୍ୟାଗୀ, ‘ରିପବ୍ଲିକ ଭାରତ ଟିଭି’ର ଅର୍ଣ୍ଣବ ଗୋସ୍ୱାମୀ, ‘ଡିଡି ନ୍ୟୁଜ୍’ର ଅଶୋକ ଶ୍ରୀବାସ୍ତବ, ‘ଇଣ୍ଡିଆ ଟୁଡେ’ର ଗୌରବ ସାୱନ୍ତ ଓ ଶିବ ଆରୁର, ‘ଟାଇମ୍ସ ନାୱ’ ନବଭାରତର ନବୀକା କୁମାର ଓ ସୁଶାନ୍ତ ସିହ୍ନା, ‘ଇଣ୍ଡିଆ ଟିଭି’ର ପ୍ରାଚୀ ପରାସର, ‘ଭାରତ ୨୪’ର ରୁବିକା ଲିୟାକତଙ୍କ ନାମ ରହିଛି । ‘ଆଜତକ୍’ର ‘ପ୍ରଇମ୍ ଟାଇମ୍’ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଅଂଜନା ଓମ୍ କାଶ୍ୟପ ଓ ଶ୍ୱେତା ସିଂହଙ୍କ ନାମ ଏହି ତାଲିକାରେ ସ୍ଥାନ ପାଇ ନଥିବା ଅନେକଙ୍କୁ ବିସ୍ମିତ କରିଛି । ତେବେ, ଅଂଜନା ଓ ଶ୍ୱେତା ଶାସକ ଦଳର ପ୍ରଚାରକୁ ପ୍ରଧାନ୍ୟ ଦେଉଥିଲେ ମଧ୍ୟ ଘୃଣାର ପ୍ରସାର କ୍ଷେତ୍ରରେ ଅନ୍ୟମାନଙ୍କ ତୁଳନାରେ କମ୍ ଥିବାରୁ ବିରୋଧୀ ମେଂଟ ଏହି ଦୁଇ ଆଂକର୍ ଙ୍କୁ ତାଲିକାରୁ ଦୂରେଇ ରଖିଥିବା ଅନୁମାନ କରାଯାଇପାରେ । ତେବେ, ଏଠି ପ୍ରଶ୍ନ ଉଠୁଛି, ବିରୋଧୀ ମେଂଟ କିଛି ଆଂକର୍ ଙ୍କୁ ଘୃଣାର ସଉଦାଗର କହି ସେମାନଙ୍କୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇ ଗଲେ ଟିଭି ମାଧ୍ୟମରେ ଘୃଣାର ପ୍ରସାର ବନ୍ଦ ହୋଇଯିବ କି ?
ଏଭଳି ପ୍ରଶ୍ନ ମନକୁ ଆସିବା କାରଣ ହେଉଛି, ଯେକୌଣସି ଜାତୀୟ ବା ଆଂଚଳିକ ଗଣମାଧ୍ୟମ, ବିଶେଷକରି ବୈଦ୍ୟୁତିକ ଗଣମାଧ୍ୟମରେ ସଂପାଦକୀୟ ନୀତି କଣ ରହିବ, ତାହା ସେହି ସଂସ୍ଥାର ମାଲିକମାନେ ନିର୍ଦ୍ଧାରିତ କରିଥା’ନ୍ତି । ସଂପାଦକମାନେ ତାହାକୁ କେବଳ କାର୍ଯ୍ୟକାରୀ କରିଥା’ନ୍ତି । ଆଂକରମାନଙ୍କ ଭୂମିକା ଗୌଣ । ସଂପାଦକମଣ୍ଡଳୀ ସେମାନଙ୍କୁ ଯେଭଳି ଭାବେ ଖବର ପରିବେଷଣ ଓ ବିତର୍କ ପରିଚାଳନା ପାଇଁ ନିର୍ଦେଶ ଦେଇ ଥାଆନ୍ତି ସେହି ଅନୁସାରେ ସେମାନେ କାର୍ଯ୍ୟ କରିବାକୁ ବାଧ୍ୟ । ତେବେ, କିଛି ଅଭିଜ୍ଞ ଆଂକର୍ ମାତ୍ରାଧିକ ଉତ୍ସାହିତ ହୋଇ ସେମାନଙ୍କ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବୀ କରିବାକୁ (ପକ୍ଷଭୁକ୍ତ ହେଲେ ମଧ୍ୟ ଚଳିବ) ନିଜ ଅଭିଜ୍ଞତାର ବ୍ୟବହାର କରିଥାନ୍ତି । ଫଳରେ, ଦର୍ଶକ ସମ୍ମୁଖରେ ସଂପୃକ୍ତ ଗଣମାଧ୍ୟମର ସଂପାଦକୀୟ ନୀତି ଉହ୍ୟ ରହିଥାଏ ଓ ଆଂକର୍ ଜଣକ ମୁଖରତା ପ୍ରକାଶ କରି ବିରୋଧର ସମ୍ମୁଖୀନ ହୋଇଥା’ନ୍ତି । ଅର୍ଣ୍ଣବ ଗୋସ୍ୱାମୀ, ସୁଧୀର ଚୌଧୁରୀଙ୍କ ଭଳି ଅଭିଜ୍ଞ ଆଂକର୍ ସେମାନଙ୍କ ବିଜେପି ସପକ୍ଷବାଦୀ କାର୍ଯ୍ୟକ୍ରମ ପାଇଁ ମୂଳରୁ ଜଣାଶୁଣା । ତେବେ, ଚିତ୍ରା ତ୍ରିପାଠୀଙ୍କ ଭଳି ଆଂକରମାନେ ସଂପୃକ୍ତ ଟିଭି ଚ୍ୟାନେଲର ସଂପାଦକୀୟ ନୀତି ଦ୍ୱାରା ପରିଚାଳିତ ହୋଇ ମାତ୍ରାଧିକ ଉତ୍ସାହ ଦେଖାଇବାରୁ ଆଜି ବିରୋଧର ଶରବ୍ୟ ହୋଇଛନ୍ତି ।
ଆମେ ଏଠାରେ ଏନଡିଟିଭିର ପୂର୍ବତନ ବରିଷ୍ଠ ସମ୍ବାଦ ପରିବେଷକ ରବିଶ କୁମାରଙ୍କୁ ଉଦାହରଣ ଭାବେ ନେଇ ପାରିବା । ଏନଡିଟିଭିର ମାଲିକାନା ପ୍ରଣୟ ରାୟଙ୍କ ନିୟନ୍ତ୍ରଣରେ ଥିବା ପର୍ଯ୍ୟନ୍ତ ରବିଶ କୁମାର ସ୍ୱାଧୀନ ଭାବେ ନିଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପରିଚାଳନା କରୁଥିଲେ । ମୋଦୀ ସରକାରଙ୍କୁ କଠୋର ଭାବେ ସମାଲୋଚନା କରୁଥିଲେ ଏବଂ ଟିଭି ଦର୍ଶକ ତାଙ୍କ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇ ଦେଖୁଥିଲେ । ଏହି ଟିଭି ଚ୍ୟାନେଲ ଶିଳ୍ପପତି ଗୌତମ ଆଦାନୀଙ୍କ ନିୟନ୍ତ୍ରଣକୁ ଚାଲିଯିବା ପରେ ଦେଶର ଏକମାତ୍ର ନିଷ୍ପକ୍ଷ ଜାତୀୟ ଟିଭି ଚ୍ୟାନେଲ ଭାବେ ଗ୍ରହଣୀୟ ହୋଇଥିବା ଏନଡିଟିଭିର ସଂପାଦକୀୟ ନୀତି ବଦଳି ଯାଇଛି ଏବଂ ରବିଶ କୁମାର ଏତେ ଅଭିଜ୍ଞତା ଥାଇ ମଧ୍ୟ ପରିବର୍ତ୍ତିତ ସଂପାଦକୀୟ ନୀତି ସହ ନିଜକୁ ଖାପ ଖୁଆଇ ପାରିବେ ନାହିଁ ଜାଣି ଏନଡିଟିଭିରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ସେ ଯେଉଁ ନୂତନ ଚ୍ୟାନେଲ ମାଧ୍ୟମରେ ନିଜ କଥା ରଖୁଛନ୍ତି ତାହା ଏନଡିଟିଭି ଭଳି ବହୁଳ ଭାବେ ପ୍ରସାରିତ ନଥିଲେ ମଧ୍ୟ ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ୍ ସବୁ ଆଦୃତ ହେଉଛି ଏବଂ ଲକ୍ଷାଧିକ ପ୍ରଶଂସକ ତାଙ୍କ ସହ ଯୋଡି ହୋଇ ରହିଛନ୍ତି ।
ରବିଶ କୁମାର ଶାସକ ବିଜେପିର କଠୋର ସମାଲୋଚକ, ଏଥିରେ କିଛି ସନ୍ଦେହ ନାହିଁ । ତେବେ, ତାଙ୍କୁ ଜାତୀୟତା ବିରୋଧୀ ବା ଦେଶ ବିରୋଧୀ ବୋଲି କେହି କହି ପାରିବ ନାହିଁ । ଅପରପକ୍ଷରେ, ‘ରିପବ୍ଲିକାନ ଟିଭି’ର ଅର୍ଣ୍ଣବ ଗୋସ୍ୱାମୀ, ‘ଆଜତକ୍’ର ସୁଧୀର ଚୌଧୁରୀ ପ୍ରମୁଖ ଦେଶର ଜଣାଶୁଣା ଆଂକର୍ ହୋଇଥାଇପାରନ୍ତି, କିନ୍ତୁ ସେମାନଙ୍କ ତଥ୍ୟ ଉପସ୍ଥାପନ (କଂଟେଂଟ୍) ଓ ପରିବେଷଣ ଶୈଳୀ ଯେ ମୋଦୀ ସରକାରଙ୍କୁ ଗୌରବାନ୍ୱୀତ କଲା ଭଳି, ତାହା ଯେକେହି ଆଖିବୁଜି କହିପାରିବ । ବିରୋଧୀ ମେଂଟ ୯ଟି ଜାତୀୟ ଗଣମାଧ୍ୟମର ଏଭଳି ୧୪ ଜଣ ଆଂକରଙ୍କୁ ଚିହ୍ନଟ କରି ସେମାନଙ୍କୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ସେମାନଙ୍କ ହତାଶାଭାବ ନୁହେଁ, ଆକ୍ରୋଶକୁ ପ୍ରତିଫଳିତ କରୁଛି । ବିରୋଧୀ ମେଂଟର ସମନ୍ୱୟ କମିଟି ଗତ ୧୩ ତାରିଖ ଦିନ ୧୪ ଆଂକରଙ୍କ ତାଲିକାପ୍ରସ୍ତୁତ କରି ସେମାନଙ୍କୁ ବର୍ଜନ କରିବାକୁ ନିଷ୍ପତ୍ତି ଘୋଷରା କରିବା ପରେ କଂଗ୍ରେସର ଜାତୀୟ ମୁଖପାତ୍ର ପୱନ ଖେଡାଙ୍କ ପ୍ରତିକ୍ରିୟା ହେଉଛି, ବିଗତ ନଅ ବର୍ଷ ହେଲା କିଛି ଟିଭି ଚ୍ୟାନେଲ ଯେଉଁ ଘୃଣାର ବଜାର ଖୋଲିଛନ୍ତି ଓ ସେମାନେ ଖବର ପରିବେଷଣ ନାମରେ ଯେଉଁ ସମାଜର ଅବକ୍ଷୟ ଘଟାଉଛନ୍ତି ତାହାକୁ ଇଣ୍ଡିଆ ମେଂଟ ନାପସନ୍ଦ କରୁଛି ଓ ସେମାନଙ୍କୁ ଅଧିକ ସୁଯୋଗ ଦେବାକୁ ଚାହୁଁ ନଥିବାରୁ ଏଭଳି ଏକ ବର୍ଜନ ନିଷ୍ପତ୍ତି ନେଇଛି । ସମାଜରେ ଘୃଣା ସୃଷ୍ଟି କରୁଥିବା କୌଣସି କାର୍ଯ୍ୟକ୍ରମରେ ‘ଇଣ୍ଡିଆ’ ମେଂଟ ପକ୍ଷଭୁକ୍ତ ହେବାକୁ ଚାହୁଁ ନାହିଁ ।
ଅପରପକ୍ଷରେ, ବିରୋଧୀ ମେଂଟର ନିଷ୍ପତ୍ତିକୁ ବିଜେପି ୧୯୭୫ରେ ଜାରି ଜରୁରୀକାଳୀନ ପରିସ୍ଥିତି ସମୟ ସହ ତୁଳନା କରିଛି । ବ୍ୟକ୍ତି ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବାକୁ ଏହା ବିରୋଧୀ ମେଂଟର ଉଦ୍ୟମ ବୋଲି ଆକ୍ଷେପ କରିଛି । ଗଣମାଧ୍ୟମକୁ ଅପମାନିତ କଲା ଭଳି କାର୍ଯ୍ୟ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି । ବିଜେପି ମୁଖ୍ୟ ଜେ.ପି.ନଡ୍ଡା ମଧ୍ୟ ବିରୋଧୀ ମେଂଟର ନିଷ୍ପତ୍ତି ଗଣମାଧ୍ୟମ ଓ ସାମ୍ବାଦିକଙ୍କୁ ଧମକାଇଲା ଭଳି ହୋଇଥିବା କହିଛନ୍ତି । ଭିନ୍ନ ମତ ରଖୁଥିବା ସାମ୍ବାଦିକଙ୍କୁ ନିରବ କରିବାକୁ ବିରୋଧୀ ମେଂଟ ଏଭଳି ଏକ ନିଷ୍ପତ୍ତି ନେଇଥିବା ସେ ମତ ଦେଇଛନ୍ତି । ବିଜେପିର ଜାତୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଏକ ବିବୃତିରେ ବିରୋଧୀ ମେଂଟକୁ ଭୟଭିତ ବୋଲି ଦର୍ଶାଛନ୍ତି । ଏବେ ଯଦି ଲୋକସଭା ନିର୍ବାଚନ ହୁଏ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିଜେପି ୩୦୬ଟି ଆସନ ପାଇ ପୁନର୍ବାର ସରକାର କରିବ ବୋଲି ‘ଇଣ୍ଡିଆ ଟୁଡେ’ର ‘ମୁଡ ଅଫ୍ ଦି ନେସନ୍’ ସର୍ଭେକୁ ଉଲ୍ଲେଖ କରି ବିରୋଧୀ ରାଜନୈତିକ ଦଳ ମୁଖ୍ୟପାତ୍ରମାନେ ଟିଭି ଚ୍ୟାନେଲ ଆଙ୍କରଙ୍କୁ ସାମ୍ନା କରିପାରୁ ନଥିବାରୁ ‘ବର୍ଜନ’ ପ୍ରହସନ କରୁଛନ୍ତି ବୋଲି ଆକ୍ଷେପ କରିଛନ୍ତି ।
ତେବେ, ଯେଉଁ ଟିଭି ଦର୍ଶକମାନେ ବିଭିନ୍ନ ଚ୍ୟାନେଲର ‘ପ୍ରାଇମ ଟାଇମ୍’ ବିତର୍କ କାର୍ଯ୍ୟକ୍ରମ ଦେଖୁଥିବେ ସେମାନେ ନିଶ୍ଚିତ ଅନୁଭବ କରୁଥିବେଆଜି ଦିନର ସାମ୍ବାଦିକତା କେଉଁ ସ୍ତରକୁ ଖସି ଆସିଛି । ଆଙ୍କରମାନେ ସାଧାରଣତଃ ଶାସକ ଦଳର ମୁଖପାତ୍ର ଭଳି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ବିରୋଧୀ ଦଳ ମୁଖପାତ୍ରଙ୍କ ଉପରେ ସେମାନେ ନିଜସ୍ୱ ମତ ଲଦିବାକୁ ପଛାଉ ନାହାନ୍ତି । ‘ପ୍ରାଇମ୍ ଟାଇମ୍’ ବିତର୍କରେ ଶାସକ ଦଳ ମୁଖପାତ୍ରଙ୍କୁ ଯେଭଳି ଗୁରୁତ୍ୱ ଦିଆଯାଉଛି ବିରୋଧୀ ଦଳରୁ ପ୍ରତିନିଧିତ୍ୱ କରୁଥିବା ମୁଖପାତ୍ରଙ୍କୁ ସେଭଳି ଗୁରୁତ୍ୱ ମିଳୁ ନାହିଁ । କୋଳାଶ୍ରିତ ମିଡ଼ିଆ ଚ୍ୟାନେଲରେ ବିରୋଧୀ ଦଳ ମୁଖପାତ୍ରଙ୍କୁ ଅପଦସ୍ତ ହେବାକୁ ପଡୁଥିଲେ ମଧ୍ୟ ଟିଭି ଚ୍ୟାନେଲର ଅନୁରୋଧକ୍ରମେ ସେମାନେ ନିଜ ଦଳର ମତ ରଖିବାକୁ ଷ୍ଟୁଡିଓକୁ ଯାଉଛନ୍ତି । ଆଙ୍କରଙ୍କ ଦ୍ୱାରା ଅପମାନିତ ହେବା କଥାକୁ ଗଣମାଧ୍ୟମ ସ୍ୱାଧୀନତା କହି ଟାଳି ଦେଇ ହେବ କି ?
ବିରୋଧୀ ମେଂଟର ନିଷ୍ପତ୍ତିକୁ ‘ନ୍ୟୁଜ୍ ବ୍ରଡକାଷ୍ଟର ଏଣ୍ଡ ଡିଜିଟାଲ ଆସୋସିଏସନ’ (ଏନବିଡିଏ) ‘ବିପଜ୍ଜନକ ନିଷ୍ପତ୍ତି’ ବୋଲି ସମାଲୋଚନା କରିଛି । ଟିଭି ନ୍ୟୁଜ୍ କାର୍ଯ୍ୟକ୍ରମରେ ବିରାଧୀ ଅଂଶ ଗ୍ରହଣ ନକରିବା ‘ଗଣତାନ୍ତ୍ରିକ ସଂସ୍କୃତିର ବିରୋଧୀ’ ବୋଲି କହିଛି । ‘ନ୍ୟାସନାଲ ବ୍ରଡକାଷ୍ଟିଂ ଫେଡେରେସନ୍’ (ଏନବିଏଫ) ଗଣମାଧ୍ୟମର ସ୍ୱର ଚାପି ଦେବା ଓ ସାମ୍ବାଦିକଙ୍କୁ ଡରାଇବା ପାଇଁ ବିରୋଧୀ ମେଂଟର ଏହା ଏକ ଉଦ୍ୟମ ବୋଲି ମତ ରଖିଛି । ସରକାରୀ ଅନୁଗ୍ରହ ଉପରେ ନିର୍ଭର କରୁଥିବା ସଂସ୍ଥାମାନେ ବିରୋଧୀ ମେଂଟର ନିଷ୍ପତ୍ତିକୁ ସମାଲୋଚନା କରିବା ସ୍ୱାଭାବିକ କଥା । ତେବେ, ବିରୋଧୀ ମେଂଟର ନିଷ୍ପତ୍ତିକୁ ନେଇ ସ୍ୱାଧୀନଚେତା ଗଣମାଧ୍ୟମ ଓ ନିରପେକ୍ଷ ଟିଭି ଦର୍ଶକ ଯେଉଁ ମତ ରଖିବେ ତାହା ଉପରେ ବିରୋଧୀ ମେଂଟର ଭବିଷ୍ୟତ ନିର୍ଭର କରୁଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିବ । ବିରୋଧୀଙ୍କ ରଣହୁଙ୍କାର ଗଣମାଧ୍ୟମ ବିରୋଧରେ ନା ସରକାରଙ୍କ ବିରୋଧରେ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS