ବିଜେପିର ‘ସନାତନୀ’ ଜାଲରେ ଫସ ନାହିଁ, କଂଗ୍ରେସ ନେତାଙ୍କୁ ରାହୁଲଙ୍କ ଚେତାବନୀ


ପ୍ରସାଦ ରାଓ
ସେପ୍ଟେମ୍ବର ୧୭
ସନାତନ ଧର୍ମକୁ ନେଇ ଦେଶରେ ଏବେ ଯେଉଁ ରାଜନୀତି ଚାଲିଛି ସେଥିରୁ କଂଗ୍ରେସ ନେତାମାନେ ନିଜକୁ ଦୂରେଇ ରଖିବାକୁ ଦଳର ନେତୃତ୍ୱ ପରାମର୍ଶ ଦେଇଛନ୍ତି । ତେଲେଙ୍ଗାନାର ହାଇଦ୍ରାବାଦ ସହରରେ ଗତକାଲିଠାରୁ ଚାଲିଥିବା କଂଗ୍ରେସର ଦୁଇ ଦିନିଆ ସଂପ୍ରସାରିତ କାର୍ଯ୍ୟକାରୀଣୀ ବୈଠକରେ ଦଳର ନେତୃତ୍ୱ ଏହି ପରାମର୍ଶ ଦେଇଥିବା ଜଣାପଡିଛି । ବିରୋଧୀ ମେଂଟ ‘ଇଣ୍ଡିଆ’ରେ ଡିଏମକେ ରହିଛି । ଡିଏମକେର ଅନ୍ୟତମ ପ୍ରମୁଖ ନେତା ଉଦୟନିଧି ଷ୍ଟାଲିନ ନିକଟରେ ସନାତନ ଧର୍ମକୁ ଆକ୍ଷେପ କରି ସଭାରେ ମନ୍ତବ୍ୟ ଦେଇଥିବା ଘଟଣାକୁ ନେଇ ଦେଶର ରାଜନୀତି ସରଗରମ ରହିଛି । ସନାତମ ଧର୍ମ ହେଉଛି ଏକ ‘ବ୍ୟାଧି’ । ଏହାକୁ ମୂଳପୋଛ କରିବା ସମସ୍ତଙ୍କ ଦାୟିତ୍ୱ ବୋଲି ଉଦୟନିଧି କୁଆଡେ ମନ୍ତବ୍ୟ ଦେଇଥିଲେ । ତାହାକୁ ନେଇ ହିନ୍ଦୁ ନେତାମନେ ଓ ବିଜେପି କ୍ଷୁବ୍ଧ । ସନାତନ ଧର୍ମ ଉପରେ ଏହା ବିରୋଧୀ ମେଂଟର ପ୍ରତ୍ୟକ୍ଷ ଆକ୍ରମଣ ବୋଲି ଦର୍ଶାଇ ବିଜେପିର ତୁଙ୍ଗ ନେତାମାନେ ବିରେଧୀ ମେଂଟକୁ ଜୋରଦାର ଆକ୍ରମଣ କରିବା ସହ ଏହି ପ୍ରସଙ୍ଗରେ କଂଗ୍ରେସ ଦଳ ତାହାର ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ବିଜେପି ଦାବି କରୁଛି । ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ଚାରିଟି ପ୍ରମୁଖ ରାଜ୍ୟର ବିଧାନସଭା ନିର୍ବାଚନ ଓ ୨୦୨୪ ଲୋକସଭା ନିର୍ବାଚନରେ ଏହାକୁ ଅନ୍ୟତମ ମୁଖ୍ୟ ପ୍ରସଙ୍ଗ କରି ବିରୋଧୀଙ୍କୁ ଘେରିବାକୁ ବିଜେପି ଯେଉଁ ଜାଲ ବିଛାଇଛି ସେଥିରେ କଂଗ୍ରେସ ନେତାମାନେ ନ ଫସିବାକୁ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚେତାଇ ଦେଇଥିବା ଦଳର ଜାତୀୟ ମୁଖପାତ୍ର ପବନ ଖେରା ଆଜି ହାଇଦ୍ରାବାଦରେ ଗଣମାଧ୍ୟମକୁ କହିଛନ୍ତି । କଂଗ୍ରେସ ଦଳ ତାହାର ମୂଳ ବିଚାରଧାରା ସହ ଦରବୃଦ୍ଧି, ବେକାରୀ, ବର୍ତ୍ତମାନର ସରକାରଙ୍କ ଦ୍ୱାରା ଚାଲିଥିବା ଗଣତନ୍ତ୍ରର ହତ୍ୟା, ସାମ୍ବିଧାନିକ ଅନୁଷ୍ଠାନଗୁଡିକୁ ପଂଗୁକରି ଦିଆଯିବା ପ୍ରଭୃତି ପ୍ରସଙ୍ଗକୁ ନେଇ ସାଧାରଣଜନତାଙ୍କ ନିକଟକୁ ଯିବାକୁ ଏବଂ ନେତାମାନେ ‘ସନାତନୀ’ ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିବାକୁ ରାହୁଲ ଚେତାଇ ଦେଇଥିବା ଖେରା କହିଛନ୍ତି । ନିକଟରେ, ତାମିଲନାଡୁରେ ଏକ ସଭାରେ ସନାତନ ଧର୍ମକୁ ଆକ୍ଷେପ କରିଥିବା ଉଦୟନିଧି ଷ୍ଟାଲିନ ହେଉଛନ୍ତି ତାମିଲନାଡୁର ଜଣେ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନଙ୍କ ପୁତ୍ର ତେଣୁ, ବିଜେପି ଏହାକୁ ଗୁରୁତ୍ୱର ସହ ନେଇଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଯେହେତୁ ବିରୋଧୀ ମେଂଟ ‘ଇଣ୍ଡିଆ’ର ଜଣେ ପ୍ରମୁଖ ନେତା ତାଙ୍କ ପୁଅ ଉଦୟନିଧିଙ୍କ ସନାତନ ଧର୍ମ ବିରୋଧୀ ଆକ୍ଷେପ ବିରୋଧୀ ମେଂଟର ଆକ୍ଷେପ ବୋଲି ଧାରଣା ସୃଷ୍ଟି କରିବାକୁ ବିଜେପି ନେତୃବର୍ଗ ଉଦ୍ୟମ କରୁଛନ୍ତି । ଏପରିକି, କିଛି ହିନ୍ଦୁ ସାଧୁ ସନ୍ଥ ଉଦୟନିଧିଙ୍କ ମୁଣ୍ଡ ଯିଏ କାଟି ଆଣିବ ମୋଟା ଅଂକର ପୁରସ୍କାର ଦିଆଯିବ ବୋଲି ଘୋଷଣା କରି ବିବାଦକୁ ଅଧିକ ଘନିଭୂତ କରିଛନ୍ତି । କେବଳ ଉଦୟନିଧି ନୁହନ୍ତି, ଡ଼ିଏମକେର ଆଉ ଜଣେ ପ୍ରମୁଖ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.ରାଜା ମଧ୍ୟ ନିକଟରେ ସନାତନ ଧର୍ମକୁ ଏକ ବ୍ୟାଧି ବୋଲି ମନ୍ତବ୍ୟ ଦେଇ ବିରୋଧୀ ମେଂଟର ଅଡୁଆ ବଢାଇ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଡିଏମକେ ନେତାଙ୍କ ସନାତନ ଧର୍ମ ବିରୋଧୀ ଆକ୍ଷେପର କଡା ଜବାବ ଦେବାକୁ ଏବଂ ଏହାକୁ ଏକ ଜାତୀୟ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯିବାକୁ ଅଂଟା ଭିଡି ଥିବାରୁ କଂଗ୍ରେସ ନେତୃତ୍ୱ ସତର୍କ ହୋଇଯାଇଥିବା ରାହୁଲ ଚେତାବନୀରୁ ସ୍ପଷ୍ଟ ହେଉଛି । ଆଜି କଂଗ୍ରେସର ଜାତୀୟ ମୁଖପାତ୍ର ଖେରା ସିଡବ୍ଲୁସି ବୈଠକର ଦ୍ୱିତୀୟ ଦିବସରେ ଅୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କଂଗ୍ରେସ ତାହାର ଆଭିମୁଖ୍ୟକୁ ସ୍ପଷ୍ଟ ରଖି ଜନତା ଦରବାରକୁ ଯିବା ରାହୁଲ ଚାହୁଁଛନ୍ତି । ଗତକାଲି ବୈଠକ ପ୍ରାରମ୍ଭ ଦିବସରେ ସେ ତାହା ସ୍ପଷ୍ଟ କରିଛନ୍ତି । ‘ଭାରତ ମାତା’ ପ୍ରସଙ୍ଗରୁ ଦଳ ଦୂରେଇ ରହି ବାସ୍ତବରେ ଜନସାଧାରଣ ସାମ୍ନା କରୁଥିବା ସମସ୍ୟାକୁ ନେଇ କଂଗ୍ରେସ ଦଳ ଆଗକୁ ଯିବା ଆବଶ୍ୟକ ବୋଲି ରାହୁଲ କୁଆଡେ କହିଛନ୍ତି । ଉଦୟନିଧି ଓ ରାଜାଙ୍କ ସନାତନ ଧର୍ମ ବିରୋଧୀ ମନ୍ତବ୍ୟକୁ ନେଇ ଦେଶରେ ଯେଉଁ ରାଜନୈତିକ ବିବାଦର ସୂତ୍ରପାତ ହୋଇଛି ତାହାକୁ ନେଇ ଗତକାଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା, ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ଭଳି ବହୁ ନେତା ସିଡବ୍ଲୁସି ବୈଠକରେ ଉଦ୍ବେଗ ପ୍ରକାଶ କରି ସନାତନ ଧର୍ମକୁ ନେଇ ବିଜେପି ବିଛାଇ ଥିବା ଜାଲରୁ କଂଗ୍ରେସ ଦୂରେଇ ରହିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ । କଂଗ୍ରେସ ଏକ ସଂଗଠନ-ଭିତ୍ତିକ ଦଳ ନୁହେଁ, ଏହା ଏକ ଆନ୍ଦୋଳନ । ଏହି ଆନ୍ଦୋଳନ ଦଳକୁ ଆଗକୁ ନେଉଛି । ଅନ୍ୟ ରାଜନୈତିକ ଦଳଠାରୁ କଂଗ୍ରେସ ଯେ ଭିନ୍ନ, ତାହା ଏଥିରୁ ପ୍ରତିପାଦିତ ହେଉଛି ବୋଲି ରାହୁଲ କଂଗ୍ରେସ କାର୍ଯ୍ୟକାରୀଣୀ ବୈଠକରେ କହିଥିବା ଦଳର ଜାତୀୟ ମୁଖପାତ୍ର ପବନ ଖୋରା ଗଣମାଧ୍ୟମକୁ କହିଛନ୍ତି । ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ କଂଗ୍ରେସ ନେତାମାନଙ୍କୁ ଆଭ୍ୟନ୍ତରୀଣ ଓ ବାହ୍ୟ ବିବାଦରୁ ଦୂରେଇ ରହି ସଂଗଠିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ୨୦୨୪ ନିର୍ବାଚନରେ ଦେଶକୁ ବିଭାଜନକାରୀ ଶକ୍ତିଙ୍କ ହାତରୁ ମୁକ୍ତ କରିବା ସକାଶେ ବିରୋଧୀ ମେଂଟ ମିଳିତ ଭାବେ କାର୍ଯ୍ୟ କରିବ । ସମସ୍ତେ କଂଗ୍ରେସ ନେତା ଓ କର୍ମୀ ସେଥିରେ ସମ୍ମିଳିତ ଭାବେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି । ଖାର୍ଗେ କଂଗ୍ରେସ ସଭାପତି ହେବା ପରେ ପୁନର୍ଗଠିତ ସିଡବ୍ଲୁସିର ଏହା ଥିଲା ପ୍ରଥମ ବୈଠକ । ଦୀର୍ଘ ପ୍ରାୟ ପାଂଚ ଘଂଟାର ଆଲୋଚନା ପରେ କଂଗ୍ରେସ କାର୍ଯ୍ୟକାରୀଣୀ ପକ୍ଷରୁ ଆସନ୍ତା କାଲିଠାରୁ ଆରମ୍ଭ ହେଉଥିବା ସଂସଦର ପାଂଚ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ବିଲ୍ ପାରିତ କରାଇବାକୁ, ଜାତିଗତ ଜନଗଣନା କରାଇବାକୁ ଏବଂ ସଂଖ୍ୟାଲଘୁ ଜାତି, ଜନଜାତି ଓ ଓବିସିଙ୍କ ପାଇଁ ବର୍ତ୍ତମାନ ଥିବା ସ୍ଥାନ ସଂରକ୍ଷଣ ପରିମାଣରେ ବୃଦ୍ଧି କରିବାକୁ ଆହ୍ୱାନ ଦିଆଯାଇଛି । ଏନେଇ କଂଗ୍ରେସ କାର୍ଯ୍ୟକାରୀଣୀ ବୈଠକରେ ପ୍ରସ୍ତାବ ଗୃହୀତ କରାଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଚିନ୍ତାଧାରାକୁ ନିକଚ କରାଯାଇଛି । ଏହା ସଂଘୀୟ ବ୍ୟବସ୍ଥାର ବିରୋଧୀ ବୋଲି ଦଳ କହିଛି । ଆଦାନୀ ଗୃପ୍ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା କରାଯିବାକୁ କଂଗ୍ରେସ କାର୍ଯ୍ୟକାରୀଣୀ ବୈଠକରେ ଦାବି ହୋଇଥିବା ବେଳେ ସଂବିଧାନରେ ସଂଶୋଧନ ପାଇଁ ସରକାରଙ୍କ ଯେ କୌଣସି ଉଦ୍ୟମକୁ ବିରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ମଣିପୁରରେ ହିଂସା ରୋକିବାରେ ସରକାରଙ୍କ ବିଫଳତାକୁ ମଧ୍ୟ ସିଡବ୍ଲୁସି ବୈଠକରେ ନିନ୍ଦା କରାଯିବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ବିରେନ ସିଂହଙ୍କ ସରକାରଙ୍କୁ ବହିଷ୍କାର କରାଯିବାକୁ ଓ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବାକୁ କଂଗ୍ରେସ ଦାବି କରିଛି । କଂଗ୍ରେସ ସଭାପତି ଖାର୍ଗେ ଗତ ଅଗଷ୍ଟ ୨୦ ତାରିଖ ଦିନ ସିଡବ୍ଲୁସିରେ ପୁନର୍ଗଠନ କରି ପୁରୁଣା ଓ ଯୁବ ସଦସ୍ୟଙ୍କୁ ନେଇ ୮୪ ଜଣିଆ ନୂତନ କମିଟି ଗଠନ କରିଛନ୍ତି । ସେଥିରେ ୩୯ଜଣ ସ୍ଥାୟୀ ସଦସ୍ୟ, ୩୨ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଓ ୧୩ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରହିଛନ୍ତି । ୧୫ ଜଣ ମହିଳା ପୁନର୍ଗଠିତ ସିଡବ୍ଲୁସିରେ ସ୍ଥାନ ପାଇଛନ୍ତି । ସିଡବ୍ଲୁସିର ପୁନର୍ଗଠନ ପରେ ଏହା ଥିଲା ପ୍ରଥମ ବୈଠକ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS