ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବଳୟ ବ୍ୟବସ୍ଥାର ରହସ୍ୟ କଣ ?


ପ୍ରସାଦ ରାଓ
ଭୁବନେଶ୍ୱର/ସେପ୍ଟେମ୍ବର ୧୮
ସମଗ୍ର ଦେଶ ଜାଣେ ଓଡ଼ିଶା ହେଉଛି ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ । ରାଜ୍ୟରେ ଏପର୍ଯ୍ୟନ୍ତ ଆଂତକବାଦ ବା ଉଗ୍ରବାଦର ଛାଇ ପଡି ନାହିଁ । କାଁ ଭାଁ କିଛି ସାଂପ୍ରଦାୟିକ ସଂଘର୍ଷ ଘଟଣା ବ୍ୟତୀତ ରାଜ୍ୟରେ ବିଭିନ୍ନ ସଂପ୍ରଦାୟ ମଧ୍ୟରେ ଭାଇଚାରା ଭାବ ରହି ଆସିଥିବା ସମଗ୍ର ଦେଶ ଜାଣେ ଓ ଏକ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟଙ୍କ ପାଇଁ ଏକ ମିଶାଲ ହୋଇ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଲା ୨୩ ବର୍ଷ ହେଲା କ୍ଷମତାରେ ଅଛନ୍ତି । ବର୍ତ୍ତମାନ ୨୪ତମ ବର୍ଷ ଚାଲିଛି । ତଥାପି, ନବୀନଙ୍କ ଭାବମୂର୍ତ୍ତୀ ମଳିନ ପଡି ନାହିଁ ବା ଜନସାଧାରଣରେ ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନରେ କାଣିଚାଏ ଉଣା ହୋଇ ନାହିଁ । ମୁଖ୍ୟମନ୍ତ୍ରୀ ଭାବେ ସେ ରାଜ୍ୟରେ ଲୋକପ୍ରିୟ, ଏକଥା ବିରୋଧୀ ମଧ୍ୟ ସ୍ୱୀକାର କରନ୍ତି । ରାଜ୍ୟବାସୀ ଏଯାବତ୍ ବିରୋଧୀ ନେତାଙ୍କ ମଧ୍ୟରୁ ନବୀନଙ୍କ ବିକଳ୍ପ ଖୋଜି ପାଇନଥିବାରୁ ୨୦୦୦ ମସିହାରୁ ଲଗାତର ପାଂଚ ଥର ବହୁ ସଂଖ୍ୟାରେ ମତଦାନ କରି ବିଜେଡ଼ିକୁ କ୍ଷମତାକୁ ଆଣିଛନ୍ତି ଏବଂ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି । ୨୦୨୪ରେ ମଧ୍ୟ ନବୀନଙ୍କ ନେତୃତ୍ୱରେ ବିଜେଡ଼ି ଲଗାତର ଷଷ୍ଠ ଥର ପାଇଁ କ୍ଷମତାକୁ ଫେରିବ ଓ ନବୀନ ମୁଖ୍ୟମନ୍ତ୍ରୀ ହୋଇ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବାର ପୂର୍ବରୁ ଥିବା ରେକର୍ଡ ଭଂଗ କରି ନୂଆ ରେକର୍ଡ ସୃଷ୍ଟି କରିବେ ବୋଲି ରାଜ୍ୟବାସୀଙ୍କ ଦୃଢ ବିଶ୍ୱାସ ଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଏବେ ସରକାରଙ୍କ ପକ୍ଷରୁ ଯେଭଳି ଚିନ୍ତା ବ୍ୟକ୍ତ କରାଯାଇଛି ତାହା ଜନସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବେ ତ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ଅପହଂଚ ଅଛନ୍ତି ! ତାଙ୍କ ସୁରକ୍ଷା ବଳୟକୁ ତୃତୀୟ ମହଲାର କିଛି ଅଧିକାରୀଙ୍କ ବ୍ୟତୀତ ଆଉ କେହି ଭେଦିପାରୁ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ‘ନବୀନ ନିବାସ’ ସାଧାରଣ ଜନତା ପାଇଁ ଅଭଦ୍ୟ ଦୁର୍ଗ ହୋଇ ରହିଛି । ସରକାରଙ୍କୁ ଆଉ କଣ ଲୋଡା ଯେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଆହୁରି କଡାକଡି କରିବାର ଆବଶ୍ୟକତା ପଡୁଛି (?) – ତାହା ସେପ୍ଟେମ୍ବର ୧୪ତାରିଖରେ ସରକାରୀ ନିର୍ଦେଶନାମା ପ୍ରକାଶ ପାଇବା ପରେ ତଥ୍ୟାଭିଜ୍ଞ ମହଲରେ ପ୍ରଶ୍ନ ହେଉଛି । ସରକାର କିଛି ଗୁଇନ୍ଦା ରିପୋର୍ଟ ଆଧାରେ ଏଭଳି ନିଷ୍ପତ୍ତି ହୋଇଛି କି ଏହା ଏକ ରୁଟିନ ପ୍ରକ୍ରିୟା – ସେନେଇ କୌଣସି ସରକାରୀ ଅଧିକାରୀ ମୁହଁ ଖୋଲୁ ନାହାନ୍ତି । ତେବେ, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ସକାଶେ ଏକ ସ୍ୱତନ୍ତ୍ର ଆଂଟି-ସାବୋଟେଜ୍ ସ୍କ୍ୱାଡ ଗଠନ କରାଯାଇ ସେଥି ନିମନ୍ତେ ୯୧ଟି ନୂତନ ପଦବୀ ସୃଷ୍ଟି କରାଯାଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ସଭା, ସମିତିକୁ ଯିବା ବେଳେ କେବଳ ନୁହେଁ, ତାଙ୍କ ବାସଭବନ ‘ନବୀନ ନିବାସ’ରେ ଥିବା ସମୟରେ ମଧ୍ୟ କଡା ସୁରକ୍ଷା ବଳୟରେ ରହିବେ । ୨୦୨୩ ଜାନୁୟାରୀ ୨୯ରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗସ୍ତରେ ଯାଇଥିବା ସେହି ସମୟର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗାନ୍ଧୀ ଛକରେ ଜଣେ ପୁଲିସ ଏଏସଆଇ ସ୍ପଷ୍ଟ ଦିବାଲୋକରେ ଗୁଳି ମାରି ହତ୍ୟା କରି ଥିଲେ । ତେଣୁ, ରାଜ୍ୟର ଭିଭିଆଇପିଙ୍କ ଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଥିବା କୁହାଯାଉଥିଲେ ମଧ୍ୟ ଏଭଳି ଏକ ନିଷ୍ପତ୍ତି ନେବାକୁ ସରକାରଙ୍କୁ ଏତେ ଦିନ କାହିଁକି ଲାଗିଲା ବୋଲି ମଧ୍ୟ ପ୍ରଶ୍ନ ହେଉଛି । ଏମିତି ମୁଖ୍ୟମନ୍ତ୍ରୀ ଜେଡ୍-ପ୍ଲସ୍ ସୁରକ୍ଷା ପାୁଛନ୍ତି । ଏବେ, ସରକାରଙ୍କ ସେପ୍ଟେମ୍ବର ୧୪ ତାରିଖ ନିର୍ଦେଶନାମା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଗଠିତ ସ୍ୱତନ୍ତ୍ର ଆଂଟି-ସାବୋଟେଜ୍ ସ୍କ୍ୱାଡରେ ବିଭିନ୍ନ ର୍ୟାଂକର ୨୬ଟି ପଦବୀ ସୃଷ୍ଟି ହୋଇଛି । ଏହାକୁ ଆଡଭାନ୍ସ ସିକ୍ୟୁରିଟି ଲିଆସନ୍ ସ୍କ୍ୱାଡ୍ କୁହାଯାଉଛି । ସ୍କ୍ୱାଡ୍ ରେ ଦୁଇ ଜଣ ଡେପୁଟି କମାଂଡେଂଟ୍, ଆସିଷ୍ଟାଂଟ୍ କମାଣ୍ଡେଂଟ୍, ଇନିସପେକ୍ଟର (ସମସ୍ତେ ସଶସ୍ତ୍ର), ଚାରି ଜଣ ସବ୍ ଇନିସପେକ୍ଟର (ସଶସ୍ତ୍ର), ଦୁଇ ଜଣ ଏଏସଆଇ (ସଶସ୍ତ୍ର), ଚାରି ଜଣ ହାବିଲଦାର, ଦୁଇ ଜଣ ଡ୍ରାଇଭର ହାବିଲଦାର, ଛଅ ଜଣ କନେଷ୍ଟବଳ ଓ ଦୁଇ ଜଣ ଡ୍ରାଇଭର ରହିବେ । ଆଜି ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାର ଅନ୍ୟ ଭିଭିଆଇପିଙ୍କୁ ମିଳୁଥିବା ଆଂଟି ସାବେଟେଜ୍ ଟିମ୍ ସୁରକ୍ଷା ଭଳି ସୁରକ୍ଷା ମିଳୁଛି । ସ୍ୱତନ୍ତ୍ର ଆଂଟି-ସାବୋଟେଜ୍ ଟିମ୍ ଗଠନ ନିମନ୍ତେ ସରକାରଙ୍କ ଅନୁମୋଦନ ମିଳି ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଅଧିକ କଡାକଡି ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ପାଇଁ ଗଠନ ହେଉଥିବା ସ୍ୱତନ୍ତ୍ର ଆଂଟି-ସେବୋଟେଜ୍ ଟିମ୍ ସଦସ୍ୟଙ୍କୁ କୌଣସି ପ୍ରକାର ଷଡଯନ୍ତ୍ର ପଣ୍ଡ କଲା ଭଳି କୌଶଳ ନେଇ ନୂତନ ଭାବେ ପ୍ରତିଷ୍ଠିତ ସୁକ୍ୟୁରିଟି ଟ୍ରେନିଂ ସେଂଟରରେ ତାଲିମ ଦିଆଯିବ । ବୋମାକୁ ଖୋଜି ବାହାର କରିବା କୌଶଳ ସଂପର୍କରେ ବମ୍ ଡ଼ିଟେକ୍ସନ୍ ଓ ଡଗ୍ ସ୍କ୍ୱାଡ ସହାୟତାରେ ଏହି ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ । ସିକ୍ୟୁରିଟି ଟ୍ରେନିଂ ସେଂଟର ପାଇଁ ସରକାର ଆଡୁ ୧୪ଟି ପଦବୀ ମଂଜୁର ହୋିଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ଯେକୌଣସି ସଭା ସମିତିକୁ ଯିବେ ସ୍ୱତନ୍ତ୍ର ଆଂଟି-ସାବୋଟେଜ୍ ସ୍କ୍ୱାଡ୍ ମୁଖ୍ୟମନ୍ତ୍ରୀ ଗସ୍ତରେ ଯିବା ପାଇଁ ଧାର୍ଯ୍ୟ ସମୟର ଦୁଇ ଘଂଟା ପୂର୍ବରୁ ଆୟୋଜନ ସ୍ଥଳରେ ପହଂଚି ସଂପୃକ୍ତ ସ୍ଥାନକୁ ସ୍କ୍ରିନିଂ ଓ ସାନିଟାଇଜ୍ କରିବେ । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସୁଥିବା ଫୁଲମାଳ ଓ ବୁକେ (ପୁଷ୍ପଗୁଚ୍ଛ)କୁ ମଧ୍ୟ ସ୍କାନ୍ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ‘ନବୀନ ନିବାସ’ରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଅଧିକ କଡାକଡି ହେଉଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ନିକଟରେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରିବା ସମୟରେ ତାଙ୍କ ଉପରେ ହୋଇଥିବା କାଳି ଓ ଅଣ୍ଡା ମାଡ ଏବଂ ବିରୋଧୀଙ୍କ ବିକ୍ଷୋଭ ବୋଦହୁଏ ସରକାରଙ୍କ ଚିନ୍ତା ବଢାଇଛି । ବିଜେଡ଼ି ଭିତରୁ ମଧ୍ୟ କିଛି ନେତା ପାଣ୍ଡିଆନଙ୍କୁ ବିରୋଧ କରିବା ଆଳରେ ମୁଖ୍ୟମନ୍ତ୍ରୀଙ୍କୁ ଘେରିବା ଆରମ୍ଭ କଲେଣି । ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ସହ ଓଡ଼ିଶା ବିଦାନସଭା ପାଇଁ ନିର୍ବାଚନ ହେବାକୁ ରହିଛି । ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତରେ ବାହାରିବା ସହ ନିର୍ବାଚନ ସମୟରେ ବିଭିନ୍ନ ସଭା ସମିତିରେ ଯୋଗ ଦେବାକୁ ବାହାରିବେ ବୋଲି ଆଶା କରାଯାଉଛି । ତେଣୁ, ସରକାର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଳୟକୁ ଅଧିକ ସୁଦୃଢ କରିବ ସକାଶେ ସ୍ୱତନ୍ତ୍ର ଆଂଟି-ସାବୋଟେଜ୍ ସ୍କ୍ୱାଡ୍ ଗଠନ କରୁଥିବା ଅନୁମାନ କରାଯାଇପାରେ । ତେବେ, ମୁଖ୍ୟମନ୍ତ୍ରୀଙ୍କୁ ନେଇ ଯଦି ଅନ୍ୟ କିଛି ସୁରକ୍ଷା ଚିନ୍ତା ରହିଛି ତାହା ରାଜ୍ୟବାସୀ ଜାଣିବା ଉଚିତ ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS