କିଏ କାହା ମୁହଁରେ କଳା ବୋଳୁଛି ? ସୌମ୍ୟ ନା ପାଣ୍ଡିଆନ ??
ପ୍ରସାଦ ରାଓ
ଭୁବନେଶ୍ୱର
ସେପ୍ଟେମ୍ବର ୧୯
ଅଭିଯୋଗ ହେଉଛି ଋଣ ଜାଲିଆତି । ଇଷ୍ଟର୍ଣ୍ଣ ମିିଡ଼ିଆ ଗୃପ୍ ଅଧ୍ୟକ୍ଷ, ‘ସମ୍ବାଦ’ ସଂପାଦକ ତଥା ଶାସକ ବିଜେଡ଼ି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ (ଖଣ୍ଡପଡା) ଓ ସଂସ୍ଥାର କିଛି ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଅସୀମ ମହାପାତ୍ର ନାମକ ଜଣେ ପୂର୍ବତନ କର୍ମଚାରୀଙ୍କ ଏତଲା ଭିତ୍ତିରେ ରାଜ୍ୟ ପୁଲିସର ଇକୋନୋମିକ ଅଫେନ୍ସେସ୍ ୱିଙ୍ଗ (ଇଓଡବ୍ଲୁ) ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ତଦନ୍ତର ଅଂଶ ସ୍ୱରୂପ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟରେ ଚଢାଉ କରାଯାଇ ବିଭିନ୍ନ କାଗଜପତ୍ର ଜବତ କରାଯାଇଛି ଓ କିଛି ଅଧିକାରୀଙ୍କୁ ଜେରା କରାଯାଇଛି । ସାଧାରଣତଃ ଆପରାଧିକ ମାମଲା ହେଲେ ପୁଲିସ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥାଏ । ଯେହେତୁ ଇଷ୍ଟର୍ଣ୍ଣ ମିଡ଼ିଆ ଗୃପ୍ ହେଉଛି ଏକ ଗଣମାଧ୍ୟମ ପ୍ରତିଷ୍ଠାନ ଏବଂ ଗୃପ୍ ଅଧିନରେ ଦୈନିକ ଖବରକାଗଜ ‘ସମ୍ବାଦ’, ବୈଦ୍ୟୁତିକ ଗଣମାଧ୍ୟମ କନକ ଟିଭି, ରେଡିଓ ଚକ୍ଲେଟ ଭଳି ବିଭିନ୍ନ ଗଣମାଧ୍ୟମ ରହିଛି ଇଓଡବ୍ଲୁର ଚଢାଉକୁ ନେଇ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହେବା ସ୍ୱାଭାବିକ ।
ତାହା ହିଁ ଚାଲିଛି ଦୁଇ ଦିନ ହେଲା । ମହାପାତ୍ରଙ୍କ ଲିଖିତ ଏତଲା ପଂଜୀକୃତ କରିବା ପରେ ଇଓଡବ୍ଲୁ ଅଧିକାରୀମାନେ ପ୍ରଥମେ ଇଷ୍ଟର୍ଣ୍ଣ ମିଡ଼ିଆ ଗୃପ୍ ସିଓଓ କମଳାକାନ୍ତ ମହାପାତ୍ରଙ୍କୁ ନିଜ କାର୍ଯ୍ୟାଳୟକୁ ଡକାଇ ଦୀର୍ଘ ସମୟ ଜେରା କରିଥିଲ । ପରେ, ‘ସମ୍ବାଦ’ର ମାନବସମ୍ବଳ ବିଭାଗ ମୁଖ୍ୟ ବୈଜୟନ୍ତୀ କରଙ୍କୁ ଜେରା କରାଯାଇଛି । ଗତକାଲି ଇଓଡବ୍ଲୁର ଏକ ୧୧ ଜଣିଆ ଟିମ୍ ଇଷ୍ଟର୍ଣ୍ଣ ମିଡ଼ିଆ ମୁଖ୍ୟ କାର୍ଯ୍ୟାଳୟରେ ଚଢାଉ କରି କିଛି କର୍ମଚାରୀଙ୍କୁ ଜେରା କରିବା ସହ ବିଭିନ୍ନ କାଗଜପତ୍ର ଜବତ କରିଛନ୍ତି । ପୁଲିସର କାର୍ଯ୍ୟାନୁଷ୍ଠାନକୁ ଆକ୍ରୋଶମୂଳକ ଦର୍ଶାଇ ଗୃପ୍ ପକ୍ଷରୁ ଗତକାଲି ‘କଳା ଦିବସ’ ପାଳନ କରାଯାଇଥିବା ବେଳେ ବିଭିନ୍ନ ବିରେଧୀ ରାଜନୈତିକ ଦଳ ଓ ଗଣମାଧ୍ୟମ ପ୍ରତିନିଧି ପୁଲିସ କାର୍ଯ୍ୟାନୁଷ୍ଠାନର ନିନ୍ଦା କରି ଗଣମାଧ୍ୟମ ଉପରେ ଏହା ସରକାରଙ୍କ ନଗ୍ନ ଆକ୍ରମଣ ବୋଲି ବିବୃତି ଜାରି କରିବା କୋଳାହଳକୁ ବଢାଇ ଦେଇଛି ।
ବର୍ତ୍ତମାନ ଦୈନକ ‘ସକାଳ’ରେ କାର୍ଯ୍ୟରତ ଅସୀମଙ୍କ ଅଭିଯୋଗ ହେଉଛି, ୨୦୧୫ରେ ମସିହାରେ ସେ ‘ସମ୍ବାଦ’ରେ କାର୍ଯ୍ୟ କରୁଥିବା ବେଳେ ଇଷ୍ଟର୍ଣ୍ଣ ମିଡ଼ିଆ ଗୃପ୍ ମୁଖ୍ୟ ପଟ୍ଟନାୟକ ଓ ‘ସମ୍ବାଦ’ର ମାନବସମ୍ବଳ ବିଭାଗ ମୁଖ୍ୟ ଶ୍ରୀମତୀ କର ତାଙ୍କ ଉପରେ ଚାପ ପକାଇ ଏକ ପାଂଚ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ କରାଇଥିଲେ ଓ ତାଙ୍କଠାରୁ ଏକାଧିକ ବ୍ଲାଙ୍କ୍ ଚେକ୍ ଦସ୍ତଖତ କରାଇ ନେଇ ସେହି ଟଙ୍କା ଉଠାଇ ନେଇଥିଲେ । ତାଙ୍କୁ ନାମକ ମାତ୍ର କିଛି ଟଙ୍କା ଦିଆଯାଇ ପରେ ତାଙ୍କ ଦରମାରୁ କିସ୍ତିୱାରୀ କାଟି ନିଆଯାଇଥିଲା । ସେ ପ୍ରତିବାଦ କରିବା ସତ୍ତ୍ୱେ କେହି ଗୁରୁତ୍ୱ ଦେଇ ନଥିଲେ । ଏକା ତାଙ୍କର ନୁହେଁ ‘ସମ୍ବାଦ’ରେ କାର୍ଯ୍ୟରତ ଅଧିକାଂଶ କର୍ମଚାରୀଙ୍କ ନାମରେ ଏଭଳି ବିଭିନ୍ନ ବ୍ୟାଙ୍କ ଋଣ କରାଯାଇ କଂପାନୀରେ ବିନିଯୋଗ କରାଯାଇଛି । କର୍ମଚାରୀଙ୍କ ନାମରେ ଯେପରି ସର୍ବାଧିକ ପରିମାଣର ଋଣ ଉଠାଇ ହେବ ସେଥି ସକାଶେ ସେମାନଙ୍କ ଦରମା ସ୍ଲିପ୍ ରେ ମଧ୍ୟ ଜାଲିଆତି ହୋଇଛି । ବର୍ଷ ବର୍ଷ ଧରି ଏଭଳି ଚାଲିଛି ଏବଂ ଏଥିରେ ବିଭିନ୍ନ ବ୍ୟାଙ୍କର ଅଧିକାରୀମାନଙ୍କ ହାତ ରହିଛି ।
ଅସୀମଙ୍କ ଅଭିଯୋଗକୁ ଖଣ୍ଡନ କରି ଇଷ୍ଟର୍ଣ୍ଣ ମିଡ଼ିଆ ପକ୍ଷରୁ କୁହାଯାଇଛି, ତାଙ୍କ ନାମରେ ଯେଉଁ ବ୍ୟାଙ୍କ ଋଣ ହୋଇଥିଲା ତାହା ପରିଶୋଧ ହୋଇ ସାରିଛି । ସଂସ୍ଥା କୌଣସି କର୍ମଚାରୀଙ୍କ ଉପରେ ଚାପ ସୃଷ୍ଟି କରି ବ୍ୟାଙ୍କ ଋଣ ହାତେଇ ନାହିଁ । ‘ସମ୍ବାଦ’ ସଂପାଦକ ପଟ୍ଟନାୟକ ଓଡ଼ିଶା ଶାସନରେ ଜଣେ ଆଇଏଏସ୍ ଅଧିକାରୀଙ୍କ ଅଯଥା ହସ୍ତକ୍ଷେପକୁ ବିରୋଧ କରି ତାଙ୍କ ମାଲିକାନାରେ ଥିବା ଖବରକାଗଜରେ ଦୁଇଟି ପ୍ରଥମ ପୃଷ୍ଠା ସମ୍ପାଦକୀୟ ଲେଖିଥିବାରୁ ସରକାରଙ୍କ ଆଡୁ ଏଭଳି ଆକ୍ରୋଶର ଶିକାର ହୋଇଛନ୍ତି । ସଂପୃକ୍ତ ଆଇଏଏସ୍ ଅଧିକାରୀ ଛାୟା ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାରେ ଶାସକ ଦଳ ଓ ସରକାରଙ୍କୁ ନିୟନ୍ତ୍ରଣ କରୁଥିବା ଗଣତନ୍ତ୍ର ବିରୋଧୀ ଦର୍ଶାଇ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛନ୍ତି ।
ଯେଉଁ ଅଧକାରୀଙ୍କ ବିରୋଧରେ ସୌମ୍ୟ ତାଙ୍କ ସଂପାଦକୀୟରେ ପ୍ରଶ୍ନ ଉଠାଇଛନ୍ତି ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ । ଗଲା ପ୍ରାୟ ଏକ ବର୍ଷ ହେଲା ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କ ନାମରେ ସଭା ସମିତି କରିବା ସହ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ କରୁଛନ୍ତି ଏବଂ ଅଭିଯୋଗପତ୍ର ସବୁ ସଂଗ୍ରହ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ କରି ସେସବୁର ସମାଧାନ ଦିଗରେ ଉଦ୍ୟମ କରୁଥିବା ସରକାରୀ ଭାବେ କୁହାଯାଉଛି । ଏହା ପଛରେ ମୁଖ୍ୟମନ୍ତ୍ରୀଙ୍କ ସହମତି ଓ ନିର୍ଦେଶ ରହିଥିବା ପାଣ୍ଡିଆନ କହୁଥିବା ବେଳେ ସେଭଳି କିଛି ଲିଖିତ ଆଦେଶ ରହିଛି କି ବୋଲି ବିରୋଧୀ ଜାଣିବାକୁ ଚାହୁଁଛନ୍ତି । ପାଣ୍ଡିଆନ ଛାୟା ମୁଖ୍ୟମନ୍ତ୍ରୀ ହୋଇ ହେଲିକପଟରରେ ବିଭିନ୍ନ ଜିଲ୍ଲା ଗସ୍ତ କରିବାରେ ଯେଉଁ ଶତାଧିକ କୋଟି ଟଙ୍କା ଖର୍ଚ୍ଚ ହୋଇଛି ତାହା ସରକାରୀ ତହବିଲରୁ ଯାଇଛି ନା କିଏ ଦେଇଛି, ସେନେଇ ବିରୋଧୀ ନେତାଙ୍କ ଭଳି ସୌମ୍ୟ ପ୍ରଶ୍ନ ଉଠାଇଛନ୍ତି ।
ରାଜ୍ୟରେ ନିର୍ବାଚିତ ମନ୍ତ୍ରୀ, ବିଧାୟକଙ୍କ ସମେତ ପ୍ରଶାସନରେ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମନ୍ତ୍ରଣାଳୟ ସଚିବ ଥିବା ବେଳେ ମୁଖ୍ୟମନ୍ତ୍ରୀ ଏକା ପାଣ୍ଡିଆନଙ୍କ ଉପରେ ଭରସା କରିବା ଏବଂ ତାଙ୍କୁ ଛାୟା ମୁଖ୍ୟମନ୍ତ୍ରୀ ଭାବେ ବ୍ୟବହାର କରିବା ରାଜ୍ୟବାସୀ ଗ୍ରହଣ କରିପାରୁ ନାହାନ୍ତି । ମୁଖ୍ୟମନ୍ତ୍ରୀ ଏନେଇ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସୌମ୍ୟ ତାଙ୍କ ଲେଖା ମାଧ୍ୟମରେ ଦାବି ଉପସ୍ଥାପନ କରି ବିଜେଡ଼ି ସରକାରଙ୍କୁ ଅଡୁଆରେ ପକାଇ ଥିଲେ । ସୌମ୍ୟଙ୍କ ଦୁଇଟି ପ୍ରଥମ ପୃଷ୍ଠା ସମ୍ପାଦକୀୟ ପ୍ରକାଶ ପାଇବା ପରେ ରାଜ୍ୟବ୍ୟାପୀ ଆଲୋଡନ ସୃଷ୍ଟି ହୋଇଥିଲା । ସେ ଜଣେ ବିଜେଡ଼ି ବିଧାୟକ ହୋଇଥିବାରୁ ଦଳୀୟ ଶୃଙ୍ଖଳା ଭିତରେ ରହିବା ଆବଶ୍ୟକ, ନହେଲେ ଦଳ ଛାଡି ସଂପାଦକ ଭାବେ ସଂପାଦକୀୟ ଲେଖନ୍ତୁ ବୋଲି ରାଜ୍ୟ ବିଜେଡ଼ିର ବରିଷ୍ଠ ନେତା ତଥା ମନ୍ତ୍ରୀ ପ୍ରତାପ ଦେବ ସୌମ୍ୟଙ୍କୁ ଚେତାବନୀ ଦେଇଥିଲେ । ଚେତାବନୀ ସତ୍ତ୍ୱେ ସୌମ୍ୟ ପାଣ୍ଡିଆନଙ୍କ ସହ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ପ୍ରତି ଆକ୍ରମଣ ଚାଲୁ ରଖିବାରୁ ତାଙ୍କୁ ନିକଟରେ ବିଜେଡ଼ିରୁ ନହେଲେ ମଧ୍ୟ ବିଜେଡ଼ି ଉପ ସଭାପତି ପଦରୁ ବହିଷ୍କାର କରାଯାଇଛି । ଦଳରୁ ବହିଷ୍କାର ଆଶଙ୍କା ମଧ୍ୟ ଦୃଢ ହେବାରେ ଲାଗିଛି ।
କେବଳ ଦଳର ଉପସଭାପତି ପଦରୁ ସୌମ୍ୟଙ୍କୁ ବହିଷ୍କାର କରିବାରେ ବିଜେଡ଼ି ମୁଖ୍ୟଙ୍କ କାର୍ଯ୍ୟାନୁଷ୍ଠାନ ସୀମିତ ରହି ନାହିଁ, ସରକାର ସୌମ୍ୟଙ୍କ ମାଲିକାନାରେ ଥିବା ‘ସମ୍ବାଦ’ ଖବରକାଗଜ, କନକ ଟିଭି ଓ ରେଡିଓ ଚକଲେଟକୁ ବିଜ୍ଞାପନ ଦେବା ବନ୍ଦ କରିଛନ୍ତି, ଯାହା ସୌମ୍ୟଙ୍କ ସ୍ୱାଭିମାନକୁ ଆଘାତ ଦେଇଛି । ସେ ଏହାର ବିରୋଧ କରୁଥିବା ବେଳେ ତାଙ୍କ ବିରୋଧରେ ଇଓଡବ୍ଲୁ ପକ୍ଷରୁ ବ୍ୟାଙ୍କ ଋଣ ଜାଲିଆତି ମାମଲା ହୋଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି । ବିଜେଡ଼ିରେ ଥାଇ ସୁଦ୍ଧା ସୌମ୍ୟ ଦଳର ନେତୃତ୍ୱ ବିରୋଧରେ ସ୍ୱର ଉଠାଇବା, ନିଜ ମାଲିକାନାରେ ଥିବା ଖବରକାଗଜରେ ସଂପାଦକୀୟ ଲେଖି ସରକାରଙ୍କୁ ଅଡୁଆରେ ପକାଇବା ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ସତ୍ତ୍ୱେ ପାଣ୍ଡିଆନଙ୍କୁ ‘ଛାୟା ମୁଖ୍ୟମନ୍ତ୍ରୀ’ ଭାବେ ଚିତ୍ରଣ କରି ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତୀକୁ ଜନସାଧାରଣରେ ନିନ୍ଦିତ କରିବାକୁ ଉଦ୍ୟମ କରିବା ବିଜେଡ଼ିର ଆଭ୍ୟନ୍ତରୀଣ ରାଜନୀତି ହୋଇପାରେ । ତେବେ, ‘ସମ୍ବାଦ’ର ଜଣେ ପୂର୍ବତନ କର୍ମଚାରୀଙ୍କ ଏତଲା ଭିତ୍ତିରେ ସୌମ୍ୟ ଓ ତାଙ୍କ ବରିଷ୍ଠ ସହଯୋଗୀଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରି ଇଓଡବ୍ଲୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ଗଣମାଧ୍ୟମର କଂଠରୋଧ କୁହାଯାଉଛି ।
ଇଓଡବ୍ଲୁ ବ୍ୟାଙ୍କ ଋଣ ଜାଲିଆତି ଅଭିଯୋଗକୁ ନେଇ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରି ସୌମ୍ୟ ଓ ତାଙ୍କ ବରିଷ୍ଠ ସହଯୋଗୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି । ଅଭିଯୋଗକାରୀ ଅସୀମ ମହାପାତ୍ର ସଂପ୍ରତ୍ତି ଶାସକ ଦଳ ନିୟନ୍ତ୍ରଣାଧୀନ ଥିବା ଏକ ଦୈନିକ ସମ୍ବାଦପତ୍ରରେ କାର୍ଯ୍ୟରତ ଥିବାରୁ ମାମଲାଟି ସରକାରୀ ପ୍ରୟୋଜିତ କହି ବିରୋଧୀ ଓ ବରିଷ୍ଠ ସାମ୍ବାଦିକମାନେ ସରକାରଙ୍କୁ ଟାର୍ଗେଟ୍ କରିବା ସୁଯୋଗ ପାଇଛନ୍ତି । ସୌମ୍ୟ-ପାଣ୍ଡିଆନ ବିବାଦରୁ ଯେଉଁ ଆପରାଧିକ ମାମଲାର ସୂତ୍ରପାତ ହୋଇଛି ତାହା ଏବେ ସରକାର ସପକ୍ଷବାଦୀ ଓ ବିରୋଧୀ ଗଣମାଧ୍ୟମ ପାଇଁ ଖୋଲା ଯୁଦ୍ଧର ମଇଦାନରେ ପରିଣତ ହୋଇଥିବା ଦେଖିବାକୁ ମିଳୁଛି । ‘ସମ୍ବାଦ’ ସଂପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ‘ଗଣମାଧ୍ୟମର କଂଠରୋଧ’ ବା ‘ଗଣତନ୍ତ୍ର ଉପରେ ନଗ୍ନ ଆକ୍ରମଣ’ ବୋଲି ରାଜ୍ୟର ବହୁ ବରିଷ୍ଠ ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥା ମତ ଦେଇଛନ୍ତି । ସୌମ୍ୟଙ୍କ ସମର୍ଥନରେ ସେମାନେ ଏକାଠି ହେଉଥିବା ବେଳେ ପାଣ୍ଡିଆନଙ୍କ ସମର୍ଥନରେ ଶାସକ ଦଳ ସମର୍ଥକ ଏକାଠି ହେଉଥିବାରୁ ଦ୍ୱନ୍ଦ୍ୱଯୁଦ୍ଧର ପରିଣତି କଣ ହେବ ଦେଖିବାକୁ ସବୁଠି ଉତ୍କଂଠା ରହିଛି ।
‘ସମ୍ବାଦ’ କର୍ମଚାରୀଙ୍କ ନାମରେ ବ୍ୟାଙ୍କ ଋଣ ଉଠାଣ କିଛି ନୂଆ ନୁହେଁ । ବର୍ଷ ବର୍ଷ ଧରି ଏହା ଚାଲି ଆସିଛି । ଦିନ ଥିଲା ‘ସମ୍ବାଦ’ ଆର୍ଥକ ଦୃଷ୍ଟିରୁ ଦୁର୍ବଳ ଥିଲା । ଦୈନିକ ନ୍ୟୁଜପ୍ରିଂଟ୍ ଆବଶ୍ୟକତା ମେଂଟାଇବାକୁ ମଧ୍ୟ ସକ୍ଷମ ନଥିଲା । କର୍ମଚାରୀଙ୍କ ଅକୁଣ୍ଠ ସହଯୋଗରୁ ସଂସ୍ଥା ନିଜ ଗୋଡରେ ଠିଆ ହେବାକୁ ସକ୍ଷମ ହୋଇଛି । ଗୋଷ୍ଠୀଗତ ବ୍ୟାଙ୍କ ଋଣ ମାଧ୍ୟମରେ ହେଉ ବା ଅନ୍ୟ ବାଟରେ ‘ସମ୍ବାଦ’ ଓ ଇଷ୍ଟର୍ଣ୍ଣ ମିଡ଼ିଆ ଗୃପ୍ ଆଜି ଯେଉଁ ସ୍ୱଚ୍ଛଳତାରେ ପହଂଚିଛନ୍ତି ସେଥିରେ ସଂସ୍ଥାରେ ଥିବା ଓ ବିଦାୟ ହୋଇ ସାରିଥିବା ସବୁ ଶ୍ରେଣୀର କର୍ମଚାରୀଙ୍କ ଯଥେଷ୍ଟ ଯୋଗଦାନ ରହିଛି । ସୌମ୍ୟ ବାବୁ ଏହାକୁ ଅସ୍ୱୀକାର କରି ପାରିବେ ନାହିଁ । ସଂସ୍ଥାକୁ ଆର୍ଥିକ ସ୍ୱଚ୍ଛଳ କରିବାରେ ଯେଉଁମାନଙ୍କ ଭୂମିକା ରହିଛି ସେଥିରୁ ଅଧିକାଂଶ ଏବେ ସଂସ୍ଥାରେ ନାହାନ୍ତି ବା ସଂସ୍ଥା ପାଇଁ ଅଲୋଡା । ଏଭଳି ଏକ ସ୍ଥିତିରେ ଅସୀମ ମହାପାତ୍ରଙ୍କ ଅଭିଯୋଗ ଓ ଇଓଡବ୍ଲୁ କାର୍ଯ୍ୟାନୁଷ୍ଠାନ ପୁରୁଣା କଥା ମନେ ପକାଇବାର ସୁଯୋଗ ସୃଷ୍ଟି କରିଛି । ଇଓଡବ୍ଲୁ ଅଭିଯୋଗର ଜଡରେ ପହଂଚି ପାରିବ କି ନା – ଆମେ ଜାଣି ନାହୁଁ । ସରକାରୀ ଅସୂୟା ବା ଆକ୍ରୋଶ ରଖି ମହାପାତ୍ରଙ୍କୁ ବ୍ୟବହାର କରିଥିବା ଅଭିଯୋଗର ସତ୍ୟତା ସଂପର୍କରେ ମଧ୍ୟ ଆମେ ଅଜ୍ଞ । ତେବେ, ସମ୍ବାଦପତ୍ର ସ୍ୱାଧୀନତା ନାମରେ ଅଭିଯୋଗକାରୀଙ୍କ ସ୍ୱର ଚପାଇ ଦେବାକୁ ଉଦ୍ୟମ ହେବା ଅଗଣତାନ୍ତ୍ରିକ, ତାହା ଆମେ ଏଠାରେ କହିବାକୁ ଚାହୁଁଛୁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS