ମହିଳା ଖୁସି, କିନ୍ତୁ ଅପେକ୍ଷା କରିବାକୁ ପଡିବ ୨୦୨୯ ପର୍ଯ୍ୟନ୍ତ !
ପ୍ରସାଦ ରାଓ
ନୂଆଦିଲ୍ଲୀ/ସେପ୍ଟେମ୍ବର ୨୧
କେନ୍ଦ୍ର ସରକାର ସଂସଦର ଏକ ପାଂଚ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକି ଗତକାଲି ଲୋକସଭାରେ ଉପସ୍ଥାପନ କରିଥିବା ‘ନାରୀ ଶକ୍ତି ବନ୍ଦନା ଅଧିନିୟମ,୨୦୨୩’ ଗତକାଲି ବହୁମତରେ ପାରିତ ହୋଇଯାଇଛି । ଲୋକସଭାରେ ଉପସ୍ଥିତି ସଦସ୍ୟଙ୍କ ମଧ୍ୟରୁ ୪୫୪ ଜଣ ଏହି ଅଧିନିୟମ ସପକ୍ଷରେ ଭୋଟ ଦେଇଥିବା ବେଳେ ବିଲ୍ ବିରୋଧରେ ମାତ୍ର ଦୁଇ ଜଣ ଭୋଟ ଦେଇଥିଲେ । କେଉଁ ଦୁଇ ଜଣ ସଦସ୍ୟ ଲୋକସଭାରେ ଏହି ବିଲ୍ କୁ ବିରୋଧ କରିଛନ୍ତି ତାହା ତୁରନ୍ତ ସ୍ପଷ୍ଟ ହୋଇନାହିଁ । ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ରାଜ୍ୟସଭାରେ ଏହି ବିଲ୍ ଉପସ୍ଥାପନ କରିଛନ୍ତି ଏବଂ ବିଲ୍ ଉପରେ ରାଜ୍ୟସଭାରେ ବିତର୍କ ଚାଲିଛି । କଂଗ୍ରେସ ସମେତ ଅଧିକାଂଶ ବିରୋଧୀ ଦଳ କେତେକ ସଂଶୋଧନ ପ୍ରସ୍ତାବ ରଖିଥିଲେ ମଧ୍ୟ କେନ୍ଦ୍ର ସରକାର ଆଣିଥିବା ଅଧିନିୟମକୁ ସମର୍ଥନ କରୁଥିବା ପୂର୍ବରୁ ଘୋଷଣା କରି ଥିବାରୁ ରାଜ୍ୟସଭାରେ ମଧ୍ୟ ଏହି ବିଲ୍ ବହୁମତରେ ପାରିତ ହେବା ନିଶ୍ଚିତ ହୋଇଯାଇଛି ।
ଦୀର୍ଘ ୨୫ ବର୍ଷ ଧରି ଅନିଶ୍ଚିତ ଦେଇ ଗତି କରୁଥିବା ମହିଳା ଆରକ୍ଷଣ ବିଲ୍ ଏବେ ସଂସଦର ଉଭୟ ଗୃହରେ ପାରିତ ହୋଇ ବିଧେୟକରେ ପରିଣତ ହେବା ଦିଗରେ ଗୋଟି ପାଦ ଆଗକୁ ଯାଇଥିବାରୁ ଦଳମତ ନିର୍ବିଶେଷରେ ଦେଶର ମହିଳାଙ୍କ ମଧ୍ୟରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ବିଳମ୍ବରେ ହେଲେ ମଧ୍ୟ ସଂସଦ ଓ ରାଜ୍ୟ ବିଧାନସଭାଗୁଡିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ହେବାକୁ ଯାଉଥିବାରୁ ଦେଶର ଜନସଂଖ୍ୟାର ୫୦ ପ୍ରତିଶତ ଥିବା ମହିଳାମାନେ ଖୁସିରେ ଝୁମିବା ସ୍ୱାଭାବିକ । ତେବେ, ଏହି ସମ୍ବିଧାନ ସଂଶୋଧନ ବିଲ୍ ସଂସଦରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଲେ ମଧ୍ୟ ଆଗାମୀ ଜନଗଣନା ଓ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପରେ ହିଁ କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଥିବାରୁ ଦେଶର ମହିଳାଙ୍କୁ କେବେ ଏହି ନାରୀ ସଶକ୍ତିକରଣର ସୁଯୋଗ ମିଳିବେ ସେନେଇ ଅନିଶ୍ଚିତତା ଦୂର ହୋଇ ନାହିଁ ।
ସରକାରଙ୍କ ସ୍ପଷ୍ଟୋକ୍ତି ହେଉଛି, ୨୦୨୪ ସାଧାରଣ ନିର୍ବାଚନରେ ନୁହେଁ, ୨୦୨୯ ନିର୍ବାଚନରେ ହିଁ ମହିଳାଙ୍କୁ ଉଭୟ ସଂସଦ ଓ ରାଜ୍ୟ ବିଧାନସଭାଗୁଡିକରେ ୩୩ ପ୍ରତିଶତ ଆସନ ସଂରକ୍ଷଣର ସୁବିଧା ମିଳିବ । କାରଣ, ୨୦୨୧ରେ ହେବାକୁ ଥିବା ଜନଗଣନା କୋଭିଡ଼ ମହାମାରୀ କାରଣରୁ ବନ୍ଦ ରହିଥିଲା । ୨୦୨୪ ସାଧାରଣ ନିର୍ବାଚନ ପରେ ହିଁ ଦେଶରେ ଜନଗଣନା ଓ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ଦିଗରେ ପଦକ୍ଷେପ ନେବା ସମ୍ଭବ ହେବ । ଜନଗଣନା ସାରିବାକୁ ପୂର୍ବରୁ ଅଢେଇ ବର୍ଷ ସମୟ ଲାଗୁ ଥିଲା । ଏବେ ସବୁ କିଛି ଡିଜିଟାଲାଇଜ୍ ହୋଇସାରିଛି । ଜନଗଣନା ଆରମ୍ଭ ହେବାର ଦୁଇ ବର୍ଷ ମଧ୍ୟରେ ତାହା ସରିଲେ ୨୦୨୯ ସାଧାରଣ ନିର୍ବାଚନରେ ମହିଳାଙ୍କୁ ୩୩ ପ୍ରତିଶତ ଆସନ ଆରକ୍ଷଣ ସୁବିଧା ମିଳିବ । ସେପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିବ । ଏହି ସମୟସୀମାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଉଚ୍ଚବାଚ ଚାଲିଛି ।
କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଚାହିଁଛନ୍ତି, ଜନଗଣନା ଓ ସୀମା ପୁନର୍ଗଠନକୁ ପଛରେ ପକାଇ ସରକାର ଏହି ଆଇନକୁ କାର୍ଯ୍ୟକାରୀ କରନ୍ତୁ ଓ ମହିଳାଙ୍କୁ ତୁରନ୍ତ ସ୍ଥାନ ସଂରକ୍ଷଣ ସୁବିଧା ଦିଅନ୍ତୁ । ନହେଲେ, ‘ଚକ ଗଡିଲେ ବାର ହାତ’ ନ୍ୟାୟରେ ସବୁ କିଛି ଘୁଂଚିବ ଓ ମହିଳାଙ୍କୁ ଚାତକ ଭଳି ଆକାଶକୁ ଚାହିଁବାକୁ ପଡିବ । ସଂସଦରେ ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିତର୍କ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ଥରେ ଏହି ମହିଳା ସ୍ଥାନ ସଂରକ୍ଷଣ ବିଲ୍ ସଂସଦରେ ପାରିତ ହେବାକୁ ଦିଅ, ତାହା ପରେ ଆପେ ଆପେ ସବୁ କିଛି ହୋଇଯିବ । ଦେଶର ମହିଳାଙ୍କୁ ୩୩ ପ୍ରତିଶତ ଆରକ୍ଷଣ ସୁବିଧା ଦେବାକୁ ବିଜେପି ୨୦୧୪ରେ ସଂକଳ୍ପ ନେଇଥିଲା ଓ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ତାହାକୁ ନିଜର ନିର୍ବାଚନ ପ୍ରତିଶ୍ରୁତିରେ ଉଲ୍ଳେଖ କରିଥିଲା । ଆଜି ଦିନରେ ଏହି ପ୍ରତିଶ୍ରୁତି ପୂରଣ ହେବାକୁ ଯାଉଥିବା ସମସ୍ତଙ୍କ ପାଇଁ ଗୌରବର ବିଷୟ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିରୋଧୀଙ୍କୁ ଚକିତ କଲା ଭଳି ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ପାଂଚ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିବା ସମୟରେ ସଂସଦରେ ‘ନାରୀ ଶକ୍ତି ବନ୍ଦନା ଅଧିନିୟମ’ ବିଲ୍ ଉପସ୍ଥାପନ କରୁଥିବା ନେଇ ସାମାନ୍ୟତମ ଆଭାସ ମଧ୍ୟ ଦେଇ ନଥିଲେ । ପ୍ରଧାନମନ୍ତ୍ରୀ ଦେଶରେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’, ସମାନ ନାଗରିକ ସଂହିତା (ୟୁସିସି) ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ରହସ୍ୟ ଘେରରେ ରଖିଥିଲେ । ତେବେ, ୧୭ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ବୈଠକରେ ମହିଳାଙ୍କ ପାଇଁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିଷ୍ପତ୍ତିକୁ ମଂଜୁରୀ ମିଳିବା ପରେ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ଉପସ୍ଥାପନ ହେଉଥିବା ସ୍ପଷ୍ଟ ହୋଇଥିଲା ।
ମୋଦୀ ସରକାର ସେପ୍ଟେମ୍ବର ୧୯ ତାରିଖ ଦିନ ନୂତନ ସଂସଦ ଭବନରେ କାର୍ଯ୍ୟ ଆରମ୍ଭ କରି ‘ନାରୀ ଶକ୍ତି ବନ୍ଦନା ଅଧିନିୟମ’ ବିଲ୍ ଉପସ୍ଥାପନ କରିଛନ୍ତି ଓ ବିରୋଧୀଙ୍କୁ ହରଡଘଣାରେ ପକାଇଛନ୍ତି । ଥିଲେ । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ୧୯ ତାରିଖ ଲୋକସଭାରେ ଏହି ସମ୍ବିଧାନ ସଂଶୋଧନ ବିଲ୍ ଉପସ୍ଥାପନ କରି ଦଳମତ ନିର୍ବିଶେଷରେ ସମସ୍ତ ସାଂସଦ ତାହାକୁ ସମର୍ଥନ କରିବାକୁ ଆହ୍ୱାନ ଦେଇଥିଲେ । ବିଲ୍ ସଂସଦରେ ବହୁମତରେ ପାରିତ ହେଲେ ମଧ୍ୟ ରାଜ୍ୟ ବିଧାନସଭାଗୁଡିକରେ ମଧ୍ୟ ପାରିତ ହେବାର ଆବଶ୍ୟକତା ରହିଛି । ଅନ୍ୟୁନ ୫୦ ପ୍ରତିଶତ ରାଜ୍ୟ ବିଧାନସଭାରୁ ବିଲ୍ କୁ ସମର୍ଥନ ମିଳିବା ଆବଶ୍ୟକ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଅଧିନିୟମ ଆଇନରେ ପରିଣତ ହେବ । ‘ନାରୀ ଶକ୍ତି ବନ୍ଦନା ଅଧିନିୟମ’ ବିଲ୍ ଆଇନରେ ପରିଣତ କରିବାକୁ ସରକାର ଅଂଟା ଭିଡି ଥିବା ବେଳେ କଂଗ୍ରେସ ସମେତ ବିରୋଧୀ ମେଂଟର ସମସ୍ତ ସଦସ୍ୟ ରାଜନୈତିକ ଦଳ ସମର୍ଥନ କରୁଥିବାରୁ ବିଲ୍ ପାସ୍ ହୋଇ ଆଇନରେ ପରିଣତ ହେବା ନିଶ୍ଚିତ ।
ସଫଳତାର ଶ୍ରେୟ ନିଶ୍ଚିତ ବିଜେପିକୁ ଯିବ, ଏଥିରେ କିଛି ସନ୍ଦେହ ନାହିଁ । ତେବେ, କଂଗ୍ରେସ ଦଳ ଏହି ଶ୍ରେୟର ଦାବିଦାର ହୋଇଛି । କାରଣ, ୨୦୦୯ରୁ ୨୦୧୪ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ୟୁପିଏ-୨ ସରକାର ଥିବା ସମୟରେ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବିଲ୍ ଆଗତ ହୋଇଥିଲା ଓ ୨୦୧୦ରେ ତାହା ରାଜ୍ୟସଭାରେ ଗୃହୀତ ହୋଇଥିଲା । କିନ୍ତୁ, କଂଗ୍ରେସ ସହ ମେଂଟରେ ଥିବା ଆରଜେଡ଼ି ଓ ସମାଜବାଦୀ ପାର୍ଟି ସଦସ୍ୟମାନେ ମହିଳାଙ୍କ ପାଇଁ ଆରକ୍ଷଣ ବିଲ୍ କୁ ବିରୋଧ କରିବାରୁ ଲୋକସଭାରେ ତାହା ଆଗତ ହୋଇନପାରି ଅକାମୀ ଅବସ୍ଥାରେ ରହି ଯାଇଥିଲା । ଏବେ, ବିଜେପି ସରକାର ସଂରକ୍ଷଣ ବିଲ୍ କୁ ଗୃହୀତ କରାଇ ଶ୍ରେୟ ନେବାକୁ ଚାହୁଁଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅଧୁରା ସ୍ୱପ୍ନ ପୂରଣ ହେଉଥିବା ଦର୍ଶାଇ କଂଗ୍ରେସ ଶ୍ରେୟର ଦାବିଦାର ହୋଇଛି ।
କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଗତକାଲି ଲୋକସଭାରେ ବିତର୍କରେ ଭାଗ ନେଇ ବିଲ୍ ପ୍ରତି କଂଗ୍ରେସର ସମର୍ଥନ ଘୋଷଣା କରିଥିବା ବେଳେ ତୁରନ୍ତ ତାହା ଆଇନରେ ପରିଣତ ହୋଇ କାର୍ଯ୍ୟକାରୀ ହେବା ଦାବି କରିଛନ୍ତି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଆଜି ରାଜ୍ୟସଭାରେ ଅନୁରୂପ ଦାବି ରଖିଛନ୍ତି । ଦେଶର ମହିଳାମାନ ଏହି ସଂରକ୍ଷଣ ସୁଯୋଗ ପାଇବାକୁ ଗଲା ୧୩ ବର୍ଷ ହେଲା ଅପେକ୍ଷା କରିଛନ୍ତି । ଜନଗଣନା ଓ ସୀମା ପୁନଃ ନିର୍ଦ୍ଧାରଣ ନାମରେ ସେମାନଙ୍କୁ ଆଉ କେତେ ବର୍ଷ ଅପେକ୍ଷା କରିବାକୁ କୁହାଯିବ (?) ବୋଲି ଦୁହେଁ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଆଇନ ତୁରନ୍ତ ଲାଗୁ ହେବା ଏବଂ ଏଥିନିମନ୍ତେ ଆବଶ୍ୟକ ଜାତି ଜନଗଣନା କରାଯାଇ ସଂଖ୍ୟାଲଘୁ ଜାତି, ଜନଜାତି ଓ ଓବିସିଙ୍କ ପାଇଁ ଏଥିରେ ଉପ-ସଂରକ୍ଷଣ ବ୍ୟବସ୍ଥା ରଖାଯିବା ପାଇଁ କଂଗ୍ରେସ ଦାବି କରିଛି । ଏଥିରେ ବିଳମ୍ବ ହେଲେ ଭାରତୀୟ ନାରୀଙ୍କ ପ୍ରତି ଅନ୍ୟାୟ ହେବ ବୋଲି ସୋନିଆ ଯୁକ୍ତି ଦର୍ଶାଇ ଥିଲେ ।
ମହିଳାଙ୍କ ପାଇଁ ଗ୍ରାମାଂଚଳ ଓ ସହରାଂଚଳ ନିର୍ବାଚନରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଉଦ୍ୟମ ୧୯୮୬ରେ ରାଜୀବ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ଆରମ୍ଭ ହୋଇଥିଲା । ଏଥିସକାଶେ ସରକାର ଯେଉଁ ସମ୍ବିଧାନ ସଂଶୋଧନ ବିଲ୍ ଆଣିଥିଲେ ତାହା ରାଜ୍ୟସଭାରେ ମାତ୍ର ୭ଟି କମ୍ ଭୋଟ ପାଇବାରୁ ଗୃହୀତ ହୋଇପାରିନଥିଲା । ରାଜୀବଙ୍କ ଦେହାନ୍ତ ପରେ ବରିଷ୍ଠ କଂଗ୍ରେସ ନେତା ପି.ଭି.ନରସିଂହ ରାଓ ପ୍ରଧାନମନ୍ତ୍ରୀ ହେଲେ ଏବଂ ସଂସଦରେ ମହିଳା ସଂରକ୍ଷଣ ବିଲ୍ ଆଣି ରାଜ୍ୟସଭାରେ ତାହାକୁ ଗୃହୀତ କରାଇ ଥିଲେ । ଆଜି ଦିନରେ ଦେଶର ଗ୍ରାମାଂଚଳ ଓ ସହରାଂଚଳରେ ୧୫ ଲକ୍ଷ ମହିଳା ନିର୍ବାଚିତ ପ୍ରତିନିଧି ରହିଛନ୍ତି, ଯାହାକି କଂଗ୍ରେସର ଅବଦାନ । ଲୋକସଭା ଓ ବିଧାନସଭାରେ ମଧ୍ୟ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂଣକ୍ଷଣ ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ ଥିଲା । ୟୁପିଏ-୨ ସରକାରରେ ସଫଳତା ମିଳି ନଥିଲେ ମଧ୍ୟ ୨୦୨୩ରେ ବିଜେପି ସରକାର ସଫଳ ହୋଇଛନ୍ତି । ତେବେ, ଶ୍ରେୟ ରାଜୀବ ଗାନ୍ଧୀ ଓ କେଂଗ୍ରେସକୁ ଯାଉଛି ବୋଲି ସୋନିଆ ଗାନ୍ଧୀ ଯୁକ୍ତି କରୁଥିବା ବେଳେ ‘ଭଗବାନ ସବୁ ଭଲ କାମ ତାଙ୍କ ଦ୍ୱାରା କରାଇବାକୁ ଚାହୁଁଥିବା ତାଙ୍କ ସୌଭାଗ୍ୟ’ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ମୋଦୀ ‘ନାରୀ ବନ୍ଦନା ଅଧିନିୟମ’ର ଶ୍ରେୟ ନେବାକୁ ପଛାଇ ନାହାନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ପଶ୍ଚିମ ବଂଗରୁ ସାତ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ସିପିଆଇ ନେତ୍ରୀ ସ୍ୱର୍ଗତ ଗୀତା ମୁଖାର୍ଜୀ ୧୯୯୬ ସେପ୍ଟେମ୍ବର ୧୨ ତାରିଖରେ ପ୍ରଥମେ ଲୋକସଭାରେ ଏକ ପ୍ରଇଭେଟ ମେମ୍ବର ବିଲ୍ ଉପସ୍ଥାପନ କରି ଲୋକସଭା ଓ ରାଜ୍ୟ ବିଧାନସଭାଗୁଡିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବି ଉପସ୍ଥାପନ କରିଥିଲେ । ୨୭ ବର୍ଷ ପରେ ମୋଦୀ ସରକାର ‘ନାରୀ ଶକ୍ତି ବନ୍ଦନା ଅଧିନିୟମ’ ବିଲ୍ ସଂସଦରେ ଗୃହୀତ କରାଇଛନ୍ତି । ପୂର୍ବରୁ ଏଚଡି ଦେବେଗୌଡା, ଅଟଳ ବିହାରୀ ବାଜପେୟୀଙ୍କ ସମେତ ବିଭିନ୍ନ ପ୍ରଧାନମନ୍ତ୍ରୀ ବିଭିନ୍ନ ସମୟରେ ମହିଳା ଆରକ୍ଷଣ ବିଲ୍ ସଂସଦରେ ଆଣିଥିଲେ ମଧ୍ୟ ବିଭିନ୍ନ କାରଣରୁ ତାହା ପାରିତ କରାଇବାରେ ବିଫଳ ହୋଇଥିଲେ । ଡକ୍ଟର ମନମୋହନ ସିଂହ ସରକାର ମଧ୍ୟ ୨୦୧୦ରେ ରାଜ୍ୟସଭାରେ ବିଲ୍ ପାରିତ କରାଇ ଲୋକସଭାରେ ଭୋଟିଂ ପାଇଁ ଉପସ୍ଥାପନ କରିବାରେ ବିଫଳ ହୋଇଥିଲେ ।
ରାଜୀବ ଗାନ୍ଧୀ ୧୯୮୭ରେ ପଂଚାୟତ ଓ ସହରାଂଚଳ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଇବାକୁ ଆବଶ୍ୟକ ସୁପାରିଶ ପାଇଁ କଂଗ୍ରେସ ନେତ୍ରୀ ତଥା ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ମାର୍ଗାରେଟ ଆଲଭାଙ୍କ ନେତୃତ୍ୱରେ ଏକ ୧୪ ଜଣିଆ କମିଟି ଗଠନ କରିଥିଲେ । କମିଟି ସୁପାରିଶ ପରେ ସଂସଦରେ ସମ୍ବିଧାନ ସଂଶୋଧନ ବିଲ୍ ଆସିଥିଲା । ଲୋକସଭାରେ ବିଲ୍ ପାସ୍ ହୋଇଥିଲେ ମଧ୍ୟ ୧୯୮୯ରେ ରାଜ୍ୟସଭାରେ ତାହା ଗୃହୀତ ହୋଇପାରିନଥିଲା । ୧୯୯୨ରେ ପିଭି ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିବା ସମୟରେ ୭୩ତମ ଓ ୭୪ତମ ସଂବିଧାନ ସଂଶୋଧନ ବିଲ୍ ଆଣି ଗୃହୀତ କରାଇବାରୁ ଗ୍ରାମ ପଂଚାୟତରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ସମ୍ଭବ ହେଲା । ୧୯୯୩ରେ ସମ୍ବିଧାନ ସଂଶୋଧନରେ ଗ୍ରାମାଂଚଳରେ ସରପଂଚ ଓ ଗ୍ରାମ ପଂଚାୟତରେ ମହିଳାମାନେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ସୁବିଧା ପାଇଲେ ।
ତେବେ, ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବିଲ୍ ପାରିତ କରାଇବାରେ ମୋଦୀ ସରକାର ଲୋକସଭାରେ ଥିବା ଏକକ ସଂଖ୍ୟାଗରିଷ୍ଠତା ଓ ବିରୋଧୀଙ୍କ ସମର୍ଥନ ଯୋଗୁଁ ସଫଳ ହୋଇଛନ୍ତି । ‘ନାରୀ ଶକ୍ତି ବନ୍ଦନା ଅଧିନିୟମ’ ସଂସଦରେ ପାରିତ ହେବାର ଶ୍ରେୟ ବିଜେପି ନେଉ ବା କଂଗ୍ରେସ, ଏହା କାର୍ଯ୍ୟକାରୀ ହେଲେ ଅିକରୁ ଅଧିକ ସଂଖ୍ୟକ ମହିଳା ଲୋକସଭା ଓ ବିଧାନସଭା ନିର୍ବାଚନରେ ଭାଗ ନେଇ ପାରିବେ । ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ୮୨ରୁ ୧୮୧କୁ ବୃଦ୍ଧି ପାଇବ । ୨୦୨୪ ସାଧାରଣ ନିର୍ବାଚନରେ ଦେଶର ମହିଳାମାନଙ୍କୁ ଏହି ସଂରକ୍ଷଣ ସୁବିଧା ମିଳୁ ନଥିଲେ ମଧ୍ୟ ଭବିଷ୍ୟତରେ ମିଳିବ । ଦରଦାମ ବୃଦ୍ଧି ଠାରୁ ଆରମ୍ଭ କରି ମହିଳା କୁସ୍ତିଯୋଦ୍ଧାଙ୍କ ପ୍ରତି ଜଣେ ବିଜେପି ସାଂସଦଙ୍କ ଆଡୁ ହୋଇଥିବା କଥିତ ଅସଦାଚରଣ ଅଭିଯୋଗକୁ ନେଇ ମୋଦୀ ସରକାର କିଛି ମାସ ମହିଳାଙ୍କ ଆକ୍ରୋଶର ଶିକାର ଥିଲେ । ଏବେ, ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆରକ୍ଷଣ ବିଲ୍ ପାରିତ କରାଇ ସେମାନଙ୍କ ମନରେ ଥିବା ଆକ୍ରୋଶକୁ ଦୂର କରିବା ସହ ୨୦୨୪ ନିର୍ବାଚନ ବୈତରଣୀ ପାରି ହୋଇଯିବ ବୋଲି ଆଶା ରଖିଛନ୍ତି । ‘ଇଣ୍ଡିଆ’ ମେଂଟ ଏହି ନୂତନ ରଣନୀତିର କିଭଳି ମୁକାବିଲା କରିବ ତାହା ସମୟ କହିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS