ଅକ୍ଟୋବରରେ ବାତ୍ୟା ସମ୍ଭାବନା ନେଇ କୌଣସି ପୂର୍ବାନୁମାନ ନାହିଁ: ଆଇଏମଡି
ପ୍ରସାଦ ରାଓ
ନୂଆଦିଲ୍ଲୀ/ସେପ୍ଟେମ୍ବର ୨୨
ଚଳିତ ମାସ ଶେଷ ଆଡକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ତାହା ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି । ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ତେବେ, ଲଘୁଚାପ ବାତ୍ୟାରେ ପରିଣତ ହେବା ନେଇ ଏପର୍ଯ୍ୟନ୍ତ ଆଇଏମଡି (ଭାରତୀୟ ପାଣିପାଗ ବିଭାଗ) ଏପର୍ଯ୍ୟନ୍ତ କୌଣସି ପୂର୍ବାନୁମାନ କରି ନାହିଁ ବୋଲି ଆଇଏମଡିର ଡାଇରେକ୍ଟର ଜେନେରାଲ ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଗଣମାଧ୍ୟମକୁ ସୂଚିତ କରିଛନ୍ତି । ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶା ଏକ ସମ୍ଭାବ୍ୟ ବାତ୍ୟାର ସାମ୍ନା କରିବାକୁ ଯାଉଥିବା ନେଇ ଯେଉଁ ପ୍ରଚାର ହେଉଛି ତାହା ଉପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ମହାପାତ୍ର ଏହା କହିଛନ୍ତି । ସେ କହିଛନ୍ତି, ବାତ୍ୟା ହେବା ନେଇ ଆଇଏମଡିର ଏପର୍ଯ୍ୟନ୍ତ କୌଣସି ପୂର୍ବାନୁମାନ ନାହିଁ । ସାଧାରଣତଃ ଓଡ଼ିଶାରେ ଅକ୍ଟୋବରକୁ ବାତ୍ୟାର ମାସ ବୋଲି ଧରି ନିଆଯାଏ । କାରଣ, ଅକ୍ଟୋବର ମାସରେ ବଙ୍ଗୋପସାଗରରେ ଏକାଧିକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସେସବୁ ଲଘୁଚାପରେ ପରିଣତ ହେବା ସହ ବାତ୍ୟା ଆଶଙ୍କା ସୃଷ୍ଟି କରିଥାଏ । ଚଳିତ ମାସ ଶେଷ ଆଡକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଯେଉଁ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ତାହା ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପରେ ପରିଣତ ହୋଇ ଗଭୀର ଅବପାତର ରୂପ ନେବା ଅନୁମାନ କରାଯାଉଥିବା ବେଳେ ବାତ୍ୟାକୁ ନେଇ ଆଇଏମଡିର ଏପର୍ଯ୍ୟନ୍ତ କୌଣସି ପୂର୍ବାନୁମାନ ନାହିଁ । ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଉପରେ ଆଇଏମଡିର ସତର୍କ ଦୃଷ୍ଟି ରହିବ ଏବଂ ଯେତେବେଳେ ଯେଉଁ ଆକଳନ ହେବ ତାହା ଗଣମାଧ୍ୟମକୁ ଜଣାଇ ଦିଆଯିବ ବୋଲି ମହାପାତ୍ର କହିଛନ୍ତି । ବର୍ତ୍ତମାନ ସୁଦ୍ଧା ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମଡି ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇ ନଥିବାରୁ ଜନସାଧାରଣ ଗୁଜବକୁ ଗୁରୁତ୍ୱ ନଦେଇ ଆଇଏମଡି ଦ୍ୱାରା ପ୍ରସାରିତ ହେଉଥିବା ପାଣିପାଗ ସୂଚନା ଉପରେ ନଜର ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ଯେଉଁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି ତାହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ମଧ୍ୟ କମ୍ ରହିଛି । ସମ୍ଭାବ୍ୟ ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିପାରେ । ତେବେ, ଏହା କେବେ ସ୍ଥଳଭାଗ ଛୁଇଁବ ତାହା ଏପର୍ଯ୍ୟନ୍ତ ଅନୁମାନ କରାଯାଇନାହିଁ । ଏଠାରେ ସୂଚନାଯୋଗ୍ୟ ଯେ, ୧୯୯୯ ମହାବାତ୍ୟା ପରଠାରୁ ଅକ୍ଟୋବର ମାସରେ ଓଡ଼ିଶାକୁ ସର୍ବଦା ବାତ୍ୟା ଭୟ ରହି ଆସିଛି । ମହାବାତ୍ୟା ପରେ ମଧ୍ୟ ଓଡ଼ିଶା ୨୦୧୩ର ଫାଇଲିନ୍ ଭଳି ଏକାଧିକ ବଡ ବାତ୍ୟାର ସମ୍ମୁଖୀନ ହୋଇ ଆସିଛି । ତେଣୁ, ଅକ୍ଟୋବର ମାସରେ ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଓଡ଼ିଶାବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS