ସମସ୍ତଙ୍କ ଗୋଟିଏ ପ୍ରଶ୍ନ – ଆଗକୁ କଣ ହେବ ?
ପ୍ରସାଦ ରାଓ
ଭୁବନେଶ୍ୱର
ସେପ୍ଟେମ୍ବର ୨୪
ଏବେ ସବୁଠି ଗୋଟିଏ ପ୍ରଶ୍ନ ହେଉଛି, ଆଗକୁ କଣ ହେବ ? ବିଜେଡ଼ିରୁ ବହିଷ୍କୃତ ଖଣ୍ଡପଡା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ବିରୋଧରେ ଓଡ଼ିଶା ପୁଲିସ ଆପରାଧୀକ ମାମଲା ରୁଜୁ କରିଥିବାରୁ ତାଙ୍କୁ ଗିରଫ କରିବ କି ? ସୌମ୍ୟଙ୍କୁ ଯଦି ଗିରଫ କରାଯାଏ ଓଡ଼ିଶା ରାଜନୀତିରେ ତାହାର କି ପ୍ରକାର ପ୍ରଭାବ ପଡିବ ? ‘ସମ୍ବାଦ’ର କିଛି ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ କ୍ରାଇମ୍ ବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ବା ଇକୋନୋମିକ ଅଫେନ୍ସେସ୍ ୱିଙ୍ଗ୍ (ଇଓଡବ୍ଲୁ) ‘ସମ୍ବାଦ’ ସଂପାଦକ ତଥା ଇଷ୍ଟର୍ଣ୍ଣ ମିଡ଼ିଆ ଗୃପ୍ ଅଧ୍ୟକ୍ଷ ପଟ୍ଟନାୟକ ଓ ସଂସ୍ଥାର କିଛି କର୍ମଚାରୀଙ୍କ ବିରୋଧରେ ‘ବ୍ୟାଙ୍କ ଋଣ ଜାଲିଆତି’ ଅଭିଯୋଗରେ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି । ଆଇପିସିର ୫୦୬, ୪୬୭, ୪୬୮, ୪୭୧, ୪୨୦ ଓ ୧୨୦ ‘ବି’ରେ ମାମଲା ରୁଜୁ ହୋଇଛି । ଇତିମଧ୍ୟରେ, ଇଓଡବ୍ଲୁ ପକ୍ଷରୁ ସଂସ୍ଥାର ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ଚଢାଉ କରାଯାଇ ବିତ୍ତ ବିଭାଗ ଓ ମାନବସମ୍ବଳ ବିଭାଗରୁ କିଛି କାଗଜପତ୍ର ଓ କଂପ୍ୟୁଟର ହାର୍ଡଡିସ୍କ୍ ଜବତ କରାଯିବା ସହ ସିଆରପିସିର ଧାରା ୧୬୪ରେ ଅଭିଯୋଗକାରୀଙ୍କ ବୟାନ ଲିପିବଦ୍ଧ କରାଯାଇଛି ।
ଆଜି ସୁଦ୍ଧା ଇଓଡବ୍ଲୁର ତଦନ୍ତ ଅଧିକାରୀ ସୌମ୍ୟଙ୍କ ନିକଟରେ ପହଂଚି ନଥିଲେ ମଧ୍ୟ ଇଷ୍ଟର୍ଣ୍ଣ ମିଡ଼ିଆ ଗୃପ୍ ସିଓଓ ଏବଂ ଅଭିଯୁକ୍ତ ତାଲିକାରେ ଥିବା ସଂସ୍ଥାର ମାନବସମ୍ବଳ ବିଭାଗ ମୁଖ୍ୟଙ୍କୁ ନିଜ କାର୍ଯ୍ୟାଳୟକୁ ଡକାଇ ଜେରା କରିସାରିଛନ୍ତି । ସଂସ୍ଥାର ମୁଖ୍ୟାଳୟରେ ଚଢାଉ ବେଳେ ଏହି ଦୁଇ ବିଭାଗର ଆଉ କିଛି ଅଧିକାରୀ ଓ କର୍ମଚାରୀଙ୍କୁ ଜେରା କରାଯାଇଥିବା ମଧ୍ୟ ସୂଚନା ମିଳିଛି । ତେବେ, ଇଓଡବ୍ଲୁର ଅଭିଯୋଗ ହେଉଛି, କର୍ମଚାରୀଙ୍କୁ ଜେରା ବେଳେ ଯେଭଳି ସହଯୋଗ ମିଳିବା କଥା ମିଳି ନାହିଁ । ଅପରପକ୍ଷରେ, ଇଷ୍ଟର୍ଣ୍ଣ ମିଡ଼ିଆ ପକ୍ଷରୁ କୁହାଯାଇଛି, ଇଓଡବ୍ଲୁର ତଦନ୍ତ ସମୟରେ ପୂର୍ଣ୍ଣ ସହଯୋଗ କରାଯାଇଛି । ଯେହେତୁ ସରକାରଙ୍କ ଆଡୁ ମାମଲା ହୋଇଛି ଓ ଇଷ୍ଟର୍ଣ୍ଣ ମିଡ଼ିଆ ଏହାକୁ ଏକ ପ୍ରୟୋଜିତ ମାମଲା କହୁଛି ଉଭୟ ପକ୍ଷ ମଧ୍ୟରେ ଅଭିଯୋଗ ଓ ପ୍ରତ୍ୟାଭିଯୋଗ ଚାଲିବା ସ୍ୱାଭାବିକ । ମାମଲାର ତଦନ୍ତ ଜାରି ଥିବାରୁ ଋଣ ଜାଲିଆତି ଅଭିଯୋଗକୁ ନେଇ କୌଣସି ମନ୍ତବ୍ୟ ଦେବା ଦାୟିତ୍ୱହୀନ ହେବ । ତେବେ, ଗୋଟିଏ ଦିଗକୁ ନେଇ ଆଲୋଚନା କରାଯାଇପାରେ । ସୌମ୍ୟଙ୍କୁ ଅଭିଯୁକ୍ତ ସାବ୍ୟସ୍ତ କରିବା ପାଇଁ ଶାସକ ଦଳ ଯେଭଳି ତତ୍ପରତା ଦେଖାଉଛି ତାହାର ପରିଣତି କଣ ହେବ ଏବଂ ଓଡ଼ିଶା ରାଜନୀତିକୁ ତାହା କିଭଳି ଭାବେ ପ୍ରଭାବ କରିବ ।
୧୯୮୪ରୁ ସୌମ୍ୟ ‘ସମ୍ବାଦ’ ଆରମ୍ଭ କରିବା ସହ ରାଜନୀତିରେ ମଧ୍ୟ ସକ୍ରୀୟ ଅଛନ୍ତି । କଂଗ୍ରେସ, ବିଜେପି, ଏନସିପି, ପୁଣି କଂଗ୍ରେସ, ପରେ ନିଜର ରାଜନୈତିକ ଦଳ ‘ଆମ ଓଡ଼ିଶା’ ଦେଇ ସେ ୨୦୧୮ରେ ବିଜେଡ଼ରେ ପହଂଚି ଥିଲେ । କମ୍ ଦିନ ପାଇଁ ହେଲେ ମଧ୍ୟ ସେ କଂଗ୍ରେସରୁ ଲୋକସଭାକୁ ଯିବାର ସୁଯୋଗ ପାଇଥିଲେ । କଂଗ୍ରେସ ଛାଡି ବିଜେପିକୁ ଯିବା ପରେ ଦଳର ରାଜ୍ୟ ଉପସଭାପତି ରହି ସଂଗଠନକୁ ତିଆରି କରିବା ଦାୟିତ୍ୱ ନେଇଥିଲେ । ଅତୀତରେ ସେ କଂଗ୍ରେସରେ ଥାଇ କମ୍ବଦନ୍ତୀ ରାଜନେତା ବିଜୁ ପଟ୍ଟନାୟକଙ୍କ ବିରୋଧରେ ମଧ୍ୟ ଲୋକସଭା ନିର୍ବାଚନ ଲଢି ଥିଲେ । ପରାଜିତ ହୋଇଥିଲେ ମଧ୍ୟ ବିଜୁଙ୍କ ବିରୋଧରେ ଲଢିବା ତାଙ୍କୁ ରାଜନୈତିକ ମାଇଲେଜ୍ ଦେଇଥିଲା । ବିଜେଡ଼ିରେ ଯୋଗଦେବା ପୂର୍ବରୁ ସେ ଏକାଧିକ ଥର ଖଣ୍ଡପଡା ବିଧାନସଭା ଆସନରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ତେବେ, ବିଜେଡ଼ି ହିଁ ତାଙ୍କୁ ବିଧାନସଭାକୁ ଯିବାକୁ ପ୍ରଥମ ସୁଯୋଗ ଦେଇଛି ।
୨୦୧୮ରେ ସୌମ୍ୟ ବାବୁ ବିଜେଡ଼ିରେ ଯୋଗ ଦେଇ ପ୍ରଥମେ ରାଜ୍ୟସଭାକୁ ଯାଇଥିଲେ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ରାଜ୍ୟସଭାରୁ ଫେରାଇ ଆଣି ନୟାଗଡ ଜିଲ୍ଲା ଖଣ୍ଡପଡା ବିଧାନସଭା ଆସନରୁ ପ୍ରାର୍ଥୀ ହେବାର ସୁଯୋଗ ଦେଇଥିଲେ । ନିଜର ସଂଗଠନ ଓ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ବଳରେ ସୌମ୍ୟ ଖଣ୍ଡପଡା ଆସନରୁ ସର୍ବାଧିକ ଭୋଟ ପାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏବେ ବିଜେପିର ଜାତୀୟ ଉପ ସଭାପତି ତଥା ଜାତୀୟ ମୁଖପାତ୍ର ଥିବା ବୈଜୟନ୍ତ ପଣ୍ଡା ଏକଦା ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଟ ସହଯୋଗୀ ଥିଲେ । ତାଙ୍କ ପରିବାରର ମାଲିକାନାରେ ଥିବା ଏକ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ବିଜେଡ଼ିକୁ ସହଯୋଗ କରିଆସୁଥିଲା । ତେବେ, କୌଣସି କାରଣରୁ ନବୀନ ଓ ବୈଜୟନ୍ତଙ୍କ ମଧ୍ୟରେ ସଂପର୍କ ତୀକ୍ତ ହେବାରୁ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗରେ ନବୀନ ବୈଜୟନ୍ତଙ୍କଚ ବିଜେଡ଼ିରୁ ବହିଷ୍କାର କରିଥିଲେ । ବୈଜୟନ୍ତ ବିଜେଡ଼ିରୁ ବହିଷ୍କୃତ ହେବା ସୌମ୍ୟଙ୍କୁ ବିଜେଡ଼ିରେ ଯୋଗ ଦେବାର ବାଟ ଖୋଲି ଥିଲା ।
ସୌମ୍ୟଙ୍କ ମାଲିକାନାରେ ‘ସମ୍ବାଦ’, କନକ ଟିଭି ଭଳି ପ୍ରଭାବଶାଳୀ ଗଣମାଧ୍ୟମ ରହି ଥିବାରୁ ୨୦୧୯ ନିର୍ବାଚନରେ ସେ ବିଜେଡ଼ିର ସଂପଦ ହେବେ ବୋଲି ଦଳ ଆଶା କରିଥିଲା । ‘ଆମ ଓଡ଼ିଶା’ ଅଧ୍ୟକ୍ଷ ଥିବା ସୌମ୍ୟଙ୍କୁ ବିଜେଡ଼ିରେ ଯୋଗଦେବାକୁ ନିମନ୍ତ୍ରଣ ହୋଇଥିଲା । ଯେହେତୁ ନିଜ ହାତରେ ଶକ୍ତିଶାଳୀ ଗଣମାଧ୍ୟମ ଅଛି ଏବଂ ସେ ରାଜ୍ୟରେ ନିର୍ବାଚନ ରାଜନୀତିରେ ଅଛନ୍ତି ସୌମ୍ୟ ନବୀନଙ୍କ ଆଡୁ ମିଳିଥିବା ନିମନ୍ତ୍ରଣକୁ ଏକ ସୁଖଦ ଆଶୀର୍ବାଦ ଭାବେ ଗ୍ରହଣ କରି ୨୦୧୮ରେ ବିଜେଡ଼ିରେ ଯୋଗ ଦେଇଥିଲେ । କିଛି ବିଜେଡ଼ି ନେତାଙ୍କ କହିବା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ହିଁ ୨୦୧୮ରେ ସୌମ୍ୟଙ୍କୁ ‘ନବୀନ ନିବାସ’କୁ ଡକାଇ ବିଜେଡ଼ିରେ ଯୋଗ ଦେବାକୁ ପ୍ରସ୍ତାବ ଦେଇଥିଲେ । ଏହାକୁ ନେଇ ସୌମ୍ୟ ଓ ପାଣ୍ଡିଆନଙ୍କ ମଧ୍ୟରେ ଏକାଧିକ ବୈଠକ ହୋଇଥିଲା ।
ସେହି ସମୟରେ ଓଡ଼ିଶା ସରକାର ଭାରତୀୟ ହକି ଦଳର ପ୍ରୟୋଜକ ଦାୟିତ୍ୱ ନେଇଥା’ନ୍ତି ଏବଂ ଭାରତୀୟ ଟିମ୍ ପାଇଁ ‘ଓଡ଼ିଶା’ ଲେଖାଥିବା ଜର୍ସିର ଉନ୍ମୋଚନ କାର୍ଯ୍ୟକ୍ରମ ରାଜ୍ୟ ବାହାରେ ଆୟୋଜନ କରାଯାଇଥାଏ । ଏହି କାର୍ଯ୍ୟକ୍ରମକୁ ପାଣ୍ଡିଆନ ସୌମ୍ୟଙ୍କୁ ନିମନ୍ତ୍ରଣ କରିଥିଲେ । ଦୁହେଁ ଏକାଠି ଯାଇଥିଲେ ଓ ଏହି କାର୍ଯ୍ୟକ୍ରମ ଅବସରରେ ହିଁ ସୌମ୍ୟ ବିଜେଡ଼ିରେ ଯୋଗ ଦେବା ‘ଡିଲ୍’ ଚୂଡାନ୍ତ ହୋଇଥିଲା । ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭାକୁ ପଠାଇବାକୁ ଆଗ୍ରହୀ ବୋଲି ପାଣ୍ଡିଆନ ସୌମ୍ୟଙ୍କୁ ଜଣାଇ ଦେଇଥିଲେ । ଜର୍ସି ଉନ୍ମୋଚନ ଉତ୍ସବରୁ ଫେରିବା ପରେ ‘ସମ୍ବାଦ’ର ପ୍ରଥମ ପୃଷ୍ଠା ସଂପାଦକୀୟରେ ଓଡ଼ିଶା ସରକାରଙ୍କୁ ଭାରତୀୟ ହକି ଦଳର ଦାୟିତ୍ୱ ନେଇ ଥିବାରୁ ଭୁରି ଭୁରି ପ୍ରଶଂସା କରାଯାଇଥିଲା । ‘ଓଡ଼ିଶା’ ଲେଖାଥିବା ଜର୍ସି ପିନ୍ଧି ଭାରତୀୟ ହକି ଟିମ୍ ମଇଦାନକୁ ଯିବା ଫଳରେ ରାଜ୍ୟର ଗୌରବ ବୃଦ୍ଧି ହେବ ବୋଲି ସଂପାଦକୀୟରେ କୁହାଯିବା ସହ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଢେର ପ୍ରଶଂସା କରାଯାଇଥିଲା ।
‘ଡିଲ୍’ ଅନୁସାରେ ସୌମ୍ୟ ବିଜେଡ଼ିରେ ଯୋଗ ଦେଇ ରାଜ୍ୟସଭାକୁ ଗଲେ । ଠିକ୍ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭାରୁ ଫେରାଇ ଆଣି ଖଣ୍ଡପଡା ଆସନରୁ ବିଧାନସଭାକୁ ପ୍ରାର୍ଥୀ କଲେ । ସୌମ୍ୟ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହେଲେ । ସର୍ବାଧିକ ଭୋଟରେ ବିଜୟୀ ହେବାର ଶ୍ରେୟ ମଧ୍ୟ ପାଇଲେ । ସେ ପର୍ଯ୍ୟନ୍ତ ସବୁ କିଛି ଠିକଠାକ ଚାଲି ଥିଲା । ତେବେ, ବିଧାନସଭାକୁ ନିର୍ବାଚିତ ହେବା ପରେ ସେ ରାଜ୍ୟ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇବେ ବୋଲି ସୌମ୍ୟ ଯେଉଁ ଆଶା ରଖିଥିଲେ ତାହା ଏଯାବତ୍ ପୂରଣ ହେଲା ନାହିଁ । ପାଣ୍ଡିଆନଙ୍କ ସହ ଏନେଇ ସୌମ୍ୟଙ୍କ କୌଣସି ‘ଡିଲ୍’ ଥିଲା କି ନାହିଁ, ତାହା ବିଜେଡ଼ି ନେତାମାନେ କହିପାରୁନଥିଲେ ମଧ୍ୟ ସୌମ୍ୟଙ୍କ ମନ ଭିତରେ କୁହୁଳୁ ଥିବା ଅସନ୍ତୋଷ ଆଜି ତାଙ୍କୁ ଏଭଳି ଏକ ମୋଡରେ ପହଂଚାଇ ଦେଇଛି ବୋଲି କହୁଛନ୍ତି ।
ଜଣେ ବିଜେଡ଼ି ଯୁବ ନେତାଙ୍କ ପ୍ରଶ୍ନ ହେଉଛି, ସୌମ୍ୟ ବିଜେଡ଼ିରେ ଯୋଗ ଦେବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ସହ ହିଁ ସମସ୍ତ ଡିଲ୍ କରିଥିଲେ । ଉଭୟଙ୍କ ମଧ୍ୟରେ ବୁଝାମଣା ପରେ ଆନୁଷ୍ଠାନିକ ଭାବେ ସୌମ୍ୟ ବିଜେଡ଼ିରେ ଯୋଗ ଦେଇଥିଲେ । ‘ନବୀନ ନିବାସ’ରେ ସୌମ୍ୟଙ୍କ ଆନୁଷ୍ଠାନିକ ଯୋଗଦାନ କାର୍ଯ୍ୟକ୍ରମ ହେଲା । ତାହା ସରିବା ପରେ ପାଣ୍ଡିଆନ ହିଁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନେଇ ଫଟୋ ସେସନ୍ କରାଇଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ, ଏବେ ମଧ୍ୟ ଅଛନ୍ତି । ଫରକ ଏତିକି, ପାଣ୍ଡିଆନ ପୂର୍ବରୁ ପରଦା ଆଢୁଆଳରେ ରହି ବିଜେଡ଼ି କାମ କରୁଥିଲେ । ଏବେ ସେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ବିଭିନ୍ନ ଜିଲ୍ଲା ଗସ୍ତ କରି ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ କରିବା ଓ ବିଭିନ୍ନ ଅଂଚଳ ପାଇଁ ସରକାରୀ ଅନୁଦାନ ଘୋଷଣା କରିବା ନେଇ ସୌମ୍ୟଙ୍କ ଏଭଳି ଗାତ୍ରଦାହ କାହିଁକି ? ସୌମ୍ୟ ଚାରି ବର୍ଷ ହେଲା ବିଧାୟକ ଅଛନ୍ତି । ଠିକ୍ ନିର୍ବାଚନ ବର୍ଷରେ ସେ ପାଣ୍ଡିଆନଙ୍କ କର୍ତ୍ତୃତ୍ୱକୁ ନେଇ ପ୍ରଶ୍ନ ଉଠାଇବା ଓ ନିଜ ଖବରକାଗଜରେ ସମାଲୋଚନା କରିବାର ରହସ୍ୟ କାରଣ ହୋଇପାରେ ?
ଏଠାରେ ଆମେ ସୂଚାଇ ଦେବାକୁ ଚାହୁଁଛୁ, ଗତ ଅଗଷ୍ଟ ମାସରେ ‘ସମ୍ବାଦ’ରେ ପ୍ରକାଶିତ ସୌମ୍ୟଙ୍କ ଦୁଇଟି ପ୍ରଥମ ପୃଷ୍ଠା ସଂପାଦକୀୟ ଏବଂ ‘ସଚିବ ବଡ ନା ମନ୍ତ୍ରୀ, ବିଧାୟକ ବଡ ?’ ବୋଲି ସେ ଉଠାଇ ଥିବା ପ୍ରଶ୍ନ ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି କରିବା ସହ ଦଳରୁ ତାଙ୍କୁ ବହିଷ୍କାର କରାଯିବାର କାରଣ ହୋଇଛି । ସୌମ୍ୟଙ୍କୁ ପ୍ରଥମେ ବିଜେଡ଼ି ଉପ ସଭାପତି ପଦରୁ ହଟାଇ ଦିଆଯାଇ ଚେତାବନୀ ଦିଆଗଲା । ତାହା ପରେ ମଧ୍ୟ ସେ ପାଣ୍ଡିଆନ ଓ ସରକାରଙ୍କୁ ସମାଲୋଚନା କରିବା ଜାରି ରଖିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ପାଣ୍ଡିଆନ ଜଣେ ସରକାରୀ ଅଧିକାରୀ ଥାଇ କେମିତି ‘ଛାୟା ମୁଖ୍ୟମନ୍ତ୍ରୀ’ ଭାବେ ପାଖାପାଖି ବର୍ଷେ ହେଲା ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତ କଲେ, ସେ ସବୁ ସ୍ଥାନକୁ ସରକାରୀ ଖର୍ଚ୍ଚରେ ବିମାନରେ ଯାଇଥିବାରୁ ଭଡା ବାବଦ କୋଟି କୋଟି ଟଙ୍କା ସରକାର ଦେଲେ ନା ଆଉ କିଏ ଦେଲା ଏବଂ ମୁଖ୍ୟମନ୍ତ୍ରୀ ଦଳର ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ବିଷ୍ୱାସକୁ ନନେଇ ଜଣେ କନିଷ୍ଠ ଅଧିକାରୀଙ୍କୁ ଦଳ ଓ ସରକାରର ସଂପୂର୍ଣ୍ଣ ଦାୟିତ୍ୱ ଦେବାର କାରଣ କଣ (?) ବୋଲି ସୌମ୍ୟ ତାଙ୍କ ସଂପାଦକୀୟରେ ପ୍ରଶ୍ନ କରିଥିଲେ ।
ସୌମ୍ୟଙ୍କ ପୂର୍ବରୁ ବିଜେପି ଓ କଂଗ୍ରେସ ନେତାମାନେ ଏକା ପ୍ରଶ୍ନ ଉଠାଇ ଥିଲେ ଏବଂ ପାଣ୍ଡିଆନଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ନିକଟରେ ଫେରାଦ ହୋଇଥିଲେ । ତେବେ, କେନ୍ଦ୍ର ସରକାର ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ହାତ ଝାଡି ଦେଇଥିଲେ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ପାଣ୍ଡିଆନ ଏକୁଟିଆ ତାଙ୍କ ନିକଟରେ ଉପସ୍ଥିତ ରହିବା ଏବଂ ଶାହା ପାଣ୍ଡିଆନଙ୍କୁ ସେ ରହୁଥିବା ହୋଟେଲକୁ ଡକାଇ ନିଭୃତ ଆଲୋଚନା କରିବା ମଧ୍ୟ ଚର୍ଚ୍ଚାରେ ରହିଥିଲା । ତେବେ, ସୌମ୍ୟ ବିଜେଡ଼ିର ବିଧାୟକ ଥାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇବା ଯେ ଦଳୀୟ ଶୃଙ୍ଖଳା ବିରୋଧୀ, ଏଥିରେ କିଛି ସନ୍ଦେହ ନାହିଁ । ପାଣ୍ଡିଆନଙ୍କ ବିମାନ ଭଡା କିଏ ବହନ କରିଛି ବୋଲି ସୌମ୍ୟ ପ୍ରଶ୍ନ ଉଠାଇବା ସହ ରାଜ୍ୟରେ ବିଧାୟକ, ମନ୍ତ୍ରୀ ଥାଉ ଥାଉ ପାଣ୍ଡିଆନ ଛାୟା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ଗଣତନ୍ତ୍ର ପ୍ରତି ଉପହାସ ବୋଲି ମଧ୍ୟ ସମାଲୋଚନା କରିଥିଲେ ।
ବିଜେଡ଼ି ଉପ ସଭାପତି ପଦରୁ ବହିଷ୍କୃତ ହେବା ପରେ ସୌମ୍ୟ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଜାଲ୍ ହୋଇଥିବା ଅଭିଯୋଗ କରି ପାଣ୍ଡିଆନକୁ ଆଂଗୁଠି ଦେଖାଇବାରୁ ‘ସମ୍ବାଦ’ର କିଛି ପୂର୍ବତନ କର୍ମଚାରୀ ଅଭିଯୋଗ ଆଧାରରେ ଏବେ ତାଙ୍କ ବିରୋଧରେ ‘ବ୍ୟାଙ୍କ ଋଣ ଜାଲିଆତି’ ମାମଲା ହୋଇଛି । ଇଓଡବ୍ଲୁ ମାମଲାର ତଦନ୍ତ କରୁଛି ଏବଂ ଅଭିଯୋଗରେ ଦମ୍ ଥିବା କହୁଛି । ମୁଖ୍ୟମନ୍ତ୍ରୀ ନିଜେ ଗଣମାଧ୍ୟମ ପ୍ରତିନିଧିଙ୍କୁ ‘ନବୀନ ନିବାସ’କୁ ଡକାଇ ସୌମ୍ୟଙ୍କୁ ବହିଷ୍କାର କରାଯାଇଥିବା ନେଇ ଧାଡିକିଆ ବିବୃତି ଦେଇଥିଲେ । ପରେ, ଜନ ବିରୋଧୀ କାର୍ଯ୍ୟ ଯୋଗୁଁ ସୌମ୍ୟଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ବିଜେଡ଼ି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡାକି ପ୍ରେସ୍ ଇସ୍ତାହାରରେ କୁହାଯାଇଛି । ୩୦୦ରୁ ଅଧିକ କର୍ମଚାରୀ ଓ ପୂର୍ବତନ କର୍ମଚାରୀଙ୍କ ପେ’ ସ୍ଲିପ୍ ରେ ଜାଲିଆତି କରାଯାଇ କୋଟି କୋଟି ଟଙ୍କା ବ୍ୟାଙ୍କ ଋଣ ଉଠାଯିବା (ତାହା ପରିଶୋଧ ହୋଇ ସାରିଥିଲେ ମଧ୍ୟ) ଜନ ବିରୋଧୀ କାର୍ଯ୍ୟ ବୋଲି ଶାସକ ଦଳ ଓ ସରକାର କହୁଛନ୍ତି ।
ସୌମ୍ୟଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନ ଗଣମାଧ୍ୟମ ଓ ବିରୋଧୀ ରାଜନୈତିକ ଦଳଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ‘ସମ୍ବାଦ’ କାର୍ଯ୍ୟାଳୟରେ ଇଓଡବ୍ଲୁ ଚଢାଉକୁ ଗଣମାଧ୍ୟମର କଂଠରୋଧ ଉଦ୍ୟମ କହି ରାଜ୍ୟବ୍ୟାପୀ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧ ପ୍ରଦର୍ଶନ ହୋଇଛି । ବିରୋଧୀ ରାଜନୈତିକ ଦଳମାନେ ଏଭଳି ଏକ ସୁଯୋଗର ସଦୁପଯୋଗ କରିନଥା’ନ୍ତେ କେମିତି ! ସୌମ୍ୟଙ୍କ ପଛରେ ସମସ୍ତ ସମର୍ଥନ ଢାଳି ଦେଇ ସେମାନେ ତାଙ୍କୁ ନିଜ କବଗଜାକୁ ନେବା ପ୍ରୟାସ ଜାରି ରଖିଛନ୍ତି । ପାଣ୍ଡିଆନଙ୍କୁ ନେଇ ପ୍ରଶ୍ନ କରିବାକୁ ଯାଇ ସୌମ୍ୟ ଶାସକ ଦଳର ଆକ୍ରୋଶର ଶିକାର ହୋଇଛନ୍ତି ଏବଂ ଦଳରୁ ତଡା ଖାଇଛନ୍ତି ବୋଲି ଉଭୟ ଗଣମାଧ୍ୟମ ଓ ବିରୋଧୀଙ୍କ ବ୍ୟାଖ୍ୟାନ ସୌମ୍ୟଙ୍କ ପାଇଁ ସହାନୁଭୂତିସୂଚକ ହୋଇଛି । ଆସନ୍ତା ନିର୍ବାଚନରେ ରାଜ୍ୟବାସୀ ବିଜେଡ଼ିକୁ ଏହାର ଜବାବ ଦେବେ ବୋଲି ତାଙ୍କ ସମର୍ଥକମାନେ ଗର୍ଜୁଛନ୍ତି । ଅପରପକ୍ଷରେ, ସୌ୍ୟଙ୍କ ବିରୋଧରେ ହୋଇଥିବା ଇଓଡବ୍ଲୁ ମାମଲା କର୍ମଚାରୀଙ୍କ ନିଦ ହଜାଇ ଦେଇଛି । କେତେବେଳେ କାହାକୁ ଡକରା ଆସିବ ସେନେଇ ସବୁ କର୍ମଚାରୀ ଓ ପୂର୍ବତନ କର୍ମଚାରୀ ଚିନ୍ତାରେ ।
ସୌମ୍ୟଙ୍କୁ ବହିଷ୍କାରକୁ ନେଇ ମୁଖ୍ୟମନ୍ତ୍ରୀ ଯେଭଳି ନିସ୍ପୃହ ଥିଲେ ବହିଷ୍କାର ନେଇ ଧାଡିକିଆ ବିବୃତି ପଢି ଦେବା ପରେ ଏକାଭଳି ନିସ୍ପୃହ ଥିବା ଦେଖିବାକୁ ମିଳୁଛି । ସୌମ୍ୟଙ୍କ ବହିଷ୍କାର ଓ ଇଓଡବ୍ଲୁ ମାମଲାକୁ ନେଇ ଯେଉଁ ସରଗରମ ଆଲୋଚନା ଚାଲି ଥିଲା ତାହା ଧୀରେ ଧୀରେ ଥଣ୍ଡା ପଡୁଥିବା ବେଳେ ଜନମତ ବସ୍ତୁତଃ ଦୁଇ ଭାଗ ଥିବା ଦେଖିବାକୁ ମିଳୁଛି । ରାଜ୍ୟର ଗଣମାଧ୍ୟମ ଦୁଇ ଭାଗରେ ବିଭକ୍ତ ହୋଇ ପରସ୍ପର ବିରୋଧୀ ବ୍ୟାଖ୍ୟାନ (ନ୍ୟାରେଟିଭ୍)ରେ ବ୍ୟସ୍ତ । ସୌମ୍ୟ ଏବେ କୁଆଡେ ଯିବେ – ସେ ନେଇ ସାମାଜିକ ଗଣାଧ୍ୟମରେ ଚର୍ଚ୍ଚା ଓ ଭିଡିଓକୁ ବିରାମ ନାହିଁ । ତେବେ, ସେ ବିଜେପି ଭରସାରେ ଏତେବଡ଼ ରିସ୍କ୍ ନେଇଥିବା ରାଜନୈତିକ ବିଶ୍ଲେଷକମାନେ କହୁଛନ୍ତି । ଏବେ ଇଓଡବ୍ଲୁର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି । ‘ସମ୍ବାଦ’ର ମାନବସମ୍ବଳ ବିଭାଗ ମୁଖ୍ୟ ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ଚର୍ଚ୍ଚା ହେଉଥିବାରୁ ସୌମ୍ୟ ମଧ୍ୟ ଗିରଫଦାରୀକୁ ଏଡାଇବା ପାଇଁ ସେହି ରାସ୍ତା ଆପଣାଇ ପାରନ୍ତି । କିନ୍ତୁ, ନାଟକ ଏତେଶୀଘ୍ର ସରୁ ନାହିଁ । ଆଗକୁ ଆହୁରି ଅନେକ କିଛି ଦେଖିବାକୁ ମିଳିବ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS