ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଲେ – ତାଙ୍କରି ନିର୍ଦେଶରେ ସିଏମଓ ଜିଲ୍ଲା ଗସ୍ତ କରିଛନ୍ତି, ଅଭିଯୋଗ ଶୁଣାଣୀ ଓ ସମାଧାନ କରିଛନ୍ତି


ପ୍ରସାଦ ରାଓ
ଭୁବନେଶ୍ୱର/ସେପ୍ଟେମ୍ବର ୨୫
କିଛି ଦିନ ହେଲା ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ତୋଫାନୀ ହେଲକପଟର୍ ଗସ୍ତକୁ ବିରୋଧୀ କଡା ସମାଲୋଚନା କରୁଥିଲେ । ପାଣ୍ଡିଆନ ‘ଛାୟା ମୁଖ୍ୟମନ୍ତ୍ରୀ’ ସାଜି ହେଲିକପଟରରେ ଜିଲ୍ଲାୱାରୀ ଗସ୍ତ କରୁଛନ୍ତି । ଅଭିଯୋଗ ଶୁଣାଣୀ ନାମରେ ସଭା ସମିତି କରୁଛନ୍ତି । ଶାସକ ଦଳ ମନ୍ତ୍ରୀ ବିଧାୟକମାନେ ଏସବୁ ସଭା ସମିତି ଆୟୋଜନ କରୁଥିବା ବେଳେ ସଚିବ ଏକାକୀ ମଂଚରେ ରହି ଭାଷଣ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମନ୍ତ୍ରୀ, ବିଧାୟକଙ୍କୁ ଭରସାକୁ ନନେଇ ସଚିବଙ୍କୁ ଭରସା କରିବା ଏବଂ ତାଙ୍କ ହାତରେ ରାଜ୍ୟର ସମସ୍ତ କ୍ଷମତା ଅର୍ପଣ କରି ନିଜେ ନିଶ୍ଚିନ୍ତରେ ବସିବା ଦ୍ୱାରା ଗଣତନ୍ତ୍ରର ହତ୍ୟା ହୋଇଛି । ପାଣ୍ଡିଆନଙ୍କ ହେଲିକପଟର ଗସ୍ତରେ ସରକାରୀ ତହବିଲରୁ କେତେ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ମଧ୍ୟ ବିରୋଧୀ ପ୍ରଶ୍ନ କରୁଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ବିଧାନସଭାରେ ଏହାର ଉତ୍ତର ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱରରେ ଯେଉଁ ସିଏମ୍ ଅଭିଯୋଗ ପ୍ରକୋଷ୍ଠ ରହିଛି ତାହା ତାଙ୍କ ଦପ୍ତର ବା ସିଏମଓ ଦ୍ୱାରା ପରିଚାଳିତ ହୋଇଥାଏ । କୋଭିଡ଼ ମହାମାରୀ ସମୟରେ ଦୁଇ ବର୍ଷ ଧରି ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ ବନ୍ଦ ରହି ଲୋକଙ୍କ ଅଭିଯୋଗ ଶୁଣିବା ହେଉନଥିଲା । କୋଭିଡ଼ ମହାମାରୀ ପରେ ତାଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ ଖୋଲିଥିଲା ସତ, କିନ୍ତୁ ଲୋକ ଆସିବା କମି ଯାଇଥିଲା । ତେଣୁ, ଲୋକଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକୁ ବିକେନ୍ଦ୍ରୀକରଣ କରିବା ସକାଶେ ତାଙ୍କ ଦପ୍ତର ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କରି ନିର୍ଦେଶରେ ସିଏମଓ ଅଧିକାରୀମାନେ ଖୁବ କମ୍ ସମୟ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରି ନକଟରେ ପହଂଚିବା ସହ ଅଭିଯୋଗ ଶୁଣିବା ଓ ଅଭିଯୋଗପତ୍ର ଗ୍ରହଣ କରିବା ସକାଶେ ହେଲିକପଟରର ସହାୟତା ନେଇଥିଲେ ।
ଗଲା ଛଅ ମାସ ମଧ୍ୟରେ ଏହି ସିଏମଓର ଟିମ୍ ୧୯୦ରୁ ଅଧିକ ସ୍ଥାନରେ ସଭା ସମିତି କରି ଲୋକଙ୍କଠାରୁ ୫୭,୪୪୨ ଅଭିଯୋଗପତ୍ର ସଂଗ୍ରହ କରିଛନ୍ତି । ଆଜି ସୁଦ୍ଧା ସେଥିରୁ ୪୩,୫୩୬ ଅଭିଯୋଗର ଫଇସଲା ହୋଇସାରିଛି । ‘ମୋ ସରକାର’ ପକ୍ଷରୁ ପିଟିସନକାରୀଙ୍କୁ ଲିଖିତ ଉତ୍ତର ଦିଆଯାଇଥିଲା ଓ ଫୋନ ମାଧ୍ୟମରେ ମଧ୍ୟ ସେମାନଙ୍କ ‘ଫିଡବ୍ୟାକ୍’ ନିଆଯାଇଛି । ସାଧାରଣ ଜନତାର ଦୁଆର ମୁହଁରେ ପହଂଚି ଅଭିଯୋଗ ଶୁଣିବା ଓ ତାହା ତ୍ୱରିତ ସମାଧାନ କରିବାରେ ତାଙ୍କ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଦେଶରେ ପ୍ରଥମ । ଅନ୍ୟ କୌଣସି ରାଜ୍ୟରେ ଏପର୍ଯ୍ୟନ୍ତ ସେଭଳି ହୋଇ ନାହିଁ । ସିଏମ୍ ଅଭିଯୋଗ ପ୍ରକୋଷ୍ଠ ସିଏମଓ ଦ୍ୱାରା ପରିଚାଳିତ ହେଉଥିବାରୁ ସେଠାରେ ମନ୍ତ୍ରୀମାନଙ୍କ ଉପସ୍ଥିତିର ଆବଶ୍ୟକତା ନାହିଁ । ସିଏମଓରେ ଥରେ ଅଭିଯୋଗପତ୍ର ପହଂଚିଲେ ସେଠାରୁ ସଂପୃକ୍ତ ବିଭାଗଗୁଡିକୁ ଚାଲିଯାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଠି ‘ମନ୍ତ୍ରୀ ବନାମ ସଚିବ’ ପ୍ରଶ୍ନ କେଉଁଠୁ ଆସିଲା (?) ବୋଲି ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁ କାମ ସଡକ ପଥରେ ଯାଇ କଲେ ଦେଢବର୍ଷ ସମୟ ଲାଗିଥା’ନ୍ତା ସେହି କାର୍ଯ୍ୟକୁ ହେଲିକପଟର ସହାୟତାରେ ମାତ୍ର ଛଅ ମାସରେ ଶେଷ କରାଯାଇଛି । ସିଏମଓ ଅଧିକାରୀମାନେ ପ୍ରତ୍ୟହ ରାଜ୍ୟର ତିନିରୁ ପାଂଚଟି ସ୍ଥାନରେ ପହଂଚି ସକାଳ ୧୦ଟାରୁ ଅପରାହ୍ନ ୩ଟା ମଧ୍ୟରେ ଅଭିଯୋଗ ଶୁଣାଣୀ କାର୍ଯ୍ୟ ସାରୁଥିଲେ ଓ ରାଜଧାନୀକୁ ଫେରୁଥିଲେ । ସଡକ ପଥରେ ଏଭଳି ତ୍ୱରିତ କାର୍ଯ୍ୟ ହେବା ଅସମ୍ଭବ । ସରକାର ଗତ ସାଢେ ତିନି ବର୍ଷରେ ହେଲିକପଟର୍ ଭଡା ବାବଦରେ ମାତ୍ର ୪୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହାକି ମାସିକ ହାରାହାରି ଖର୍ଚ୍ଚ ପଡୁଛି ଏକ କୋଟିରୁ ଦେଢ କୋଟି ଟଙ୍କା । ସଚିବଙ୍କ ଗସ୍ତ ପାଇଁ ହେଲିକେପଟର ଭଡା ବାବଦରେ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଯାହା ଅଭିଯୋଗ ହେଉଛି ସେଥିରେ ସତ୍ୟତା ନାହିଁ । ଅତି କମ୍ ସମୟରେ ଏତେ ସଂଖ୍ୟାରେ ଅଭିଯୋଗପତ୍ର ସଂଗ୍ରହ ଓ ତାହାର ସମାଧାନ ଦିଗରେ ସରକାର ନେଇଥିବା ପଦକ୍ଷେପରେ ବିରୋଧୀ ଖୁସି ହେବା କଥା । କିନ୍ତୁ, ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ ଓ ତାହାର ସମାଧାନକୁ କିଏ କାହିଁକି ବିରୋଧ କରୁଛି ବୁଝି ହେଉନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିରୋଧୀ ଏଭଳି ଜନବିରୋଧୀ ଆଭିମୁଖ୍ୟ ଦେଖାଇଲେ ଜନସାଧାରଣ ତାହାର ଉଚିତ ଜବାବ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଚେତାଇଛନ୍ତି ।
ଆଜି ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିବସରେ ମୁଖ୍ୟମନ୍ତ୍ରୀ ଗୃହରେ ଉପସ୍ଥିତ ରହି ଏହି ବିବୃତି ଦେଇଥିଲେ । ସରକାର ସଚିବଙ୍କ ମାଧ୍ୟମରେ ଶାସନ କରୁଥିବାରୁ ରାଜ୍ୟରେ ଗଣତନ୍ତ୍ର ଭୁଶୁଡି ଗଲାଣି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇ ଆଜି ବିଧାନସଭାରେ ଏକ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା । ବିଜେପି ବିଧାୟକ ମୋହନ ମାଝୀ ଏହି ମୁଲତବୀ ପ୍ରସ୍ତାବ ଆଣି ଥିଲେ । ରାଜ୍ୟରେ ସଚିବଙ୍କ ଶାସନ ଚାଲିଥିବାରୁ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡି ଯାଇଛି ବୋଲି ମାଝୀ ଅଭିଯୋଗ କରିବା ସହ ‘ମନ୍ତ୍ରୀ ବଡ ନା ସଚିବ ବଡ’ ବୋଲି ପ୍ରଶ୍ନ ଉଠାଇ ଥିଲେ । ତେବେ, ବଚସ୍ପତି ତାହା ଗ୍ରହଣ ନକରି ନାକଚ କରି ଦେବାରୁ ବିଜେପି ବିଧାୟକମାନ ଗୃହରେ ହାଂଗାମା କରିଥିଲେ । ଅପରପକ୍ଷରେ, ବିଜେଡ଼ି ବିଧାୟିକା ଦୀପାଳି ଦାସ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ମନ୍ଥରତା ପ୍ରସଙ୍ଗ ଉଠାଇ ଏହି ଜାତୀୟ ରାଜପଥ ରାଜ୍ୟର ଏକ ଗୁରୁତ୍ପୂର୍ଣ୍ଣ ଜାତୀୟ ରାଜପଥ ହୋଇଥିଲେ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେଉନଥିବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ବିଧାୟିକା ଦାସଙ୍କୁ ଉତ୍ତର ଦେବାକୁ ଯାଇ ବିଜେପି ବିଧାୟିକା କୁସୁମ ଟେଟେ କହିଥିଲେ, କେନ୍ଦ୍ର ସରକାର ଏହି ରାଜପଥ ନିର୍ମାଣ କାର୍ଯ୍ୟ ସାରିବା ସକାଶେ ଆବଶ୍ୟକ ଅର୍ଥ ରାଜ୍ୟ ସରକାରଙ୍କୁ ଦେଇ ସାରିଛନ୍ତି, ରାଜ୍ୟ ସରକାର କାମ ସାରିବା କଥା । ଶାସକ ଦଳ ବିଧାୟିକା ଏହି ପ୍ରଶ୍ନ ଉଠାଇ ନିଜର ଅଜ୍ଞତାର ପ୍ରଦର୍ଶନ କରିଛନ୍ତି ବେଲି ବିଧାୟିକା ଟେଟେ କହିଥିଲେ ।
ବିଜେପିର ହାଂଗାମା ଓ ବିଜେଡ଼ି ବିଧାୟକମାନେ ପାଲଟା ହାଂଗାମାରେ ଗୃହ ପ୍ରଥମେ ପୂର୍ବାହ୍ନ ୧୧ଟା ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା । ଉଭୟ ବିଜେପି ଓ ବିଜେଡ଼ି ଜାଣିଶୁଣି ଗୃହକୁ ଅଚଳ କରୁଛନ୍ତି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଥିଲେ । ସେ କହିଥିଲେ, ଶିକ୍ଷକମାନେ ଆନ୍ଦୋଳନ ଚଳାଇ ଥିବାରୁ ରାଜ୍ୟବ୍ୟାପୀ ସ୍କୁଲ ବନ୍ଦ ରହିଛି । ଅଂଗନବାଡି କର୍ମୀଙ୍କ ସମେତ ବିଭିନ୍ନ ବିଭାଗ କର୍ମଚାରୀ ଆନ୍ଦୋଳନରେ ଅଛନ୍ତି । ତାହା ଉପରେ ଆଲୋଚନା କରାଇ ନଦେବାକୁ ବିଜେଡ଼ି-ବିଜେପି ମିଳିତ ହୋଇ ସଚିବ ଓ ଜାତୀୟ ରାଜପଥକୁ ପ୍ରସଙ୍ଗ କରି ଗୃହକୁ ଅଚଳ କରିଛନ୍ତି । ପାଣ୍ଡିଆନ ପ୍ରସଙ୍ଗକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟ ବିଜେଡ଼ି ସରକାରଙ୍କୁ ଘେରି ଆସୁଥିଲେ ମଧ୍ୟ ଆଜି ବିଧାନସଭାରେ ବିଜେପି ଏକାକୀ ଏହି ପ୍ରସଙ୍ଗ ଉଠାଇ ଥିଲା । ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ପାଇଁ ବିମାନ ଭଡା ଓ ଅନ୍ୟାନ୍ୟ ବାବଦରେ ୩୦୦ରୁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ବିରୋଧୀ ଅଭିଯୋଗ କରି ଆସୁଥିଲେ । ତେବେ, ସାଢେ ୩ ବର୍ଷରେ ସରକାର ବିମାନ ଭଡା ବାବଦରେ ମାତ୍ର ୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଆଜି ସ୍ପଷ୍ଟ କରିଥିବାରୁ ଏଇଠି ବିବାଦର ଅବସାନ ଘଟିବ ବୋଲି ଆଶା କରାଯାଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS