ମହିଳା ଆରକ୍ଷଣ ବିଲ୍ ଏବେ ବିଜେପିର ମୁଖ୍ୟ ଆୟୁଧ !


ପ୍ରସାଦ ରାଓ
ସେପ୍ଟେମ୍ବର ୨୫
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସଂସଦର ଗତ ସ୍ୱତନ୍ତ୍ର ଅଧିବେଶନରେ ମହିଳା ଆରକ୍ଷଣ ବିଲ୍ ପାରିତ କରାଇଛନ୍ତି । ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ଦଳଙ୍କ ସମର୍ଥନରେ ଏହି ବିଲ୍ ଗୃହୀତ ହୋଇଛି । ଲୋକସଭାରେ ଉପସ୍ଥିତ ୪୫୪ ସଦସ୍ୟ ବିଲ୍ ସପକ୍ଷରେ ଭୋଟ ହୋଇଥିବା ବେଳେ ବିରୋଧରେ ମାତ୍ର ଦୁଇଟି ଭୋଟ ପଡିଥିଲା । ସେହିପରି, ପରଦିନ ଅର୍ଥାତ ସେପ୍ଟେମ୍ବର ୨୦ ତାରିଖ ଦିନ ରାଜ୍ୟସଭାରେ ଉପସ୍ଥିତ ସମସ୍ତ ସଦସ୍ୟ (୨୧୫) ବିଲ୍ ସପକ୍ଷରେ ଭୋଟ ଦେଇ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣକୁ ସୁନିଶ୍ଚିତ କରିଥିଲେ । ବିଲ୍ ପାରିତ କରାଇବାକୁ ପ୍ରଧାନମନ୍ତ୍ରୀ ମୋଦୀ ସଂସଦର ଉଭୟ ଗୃହରେ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳଙ୍କ ସହଯୋଗ କାମନା କରିଥିଲେ ଓ ସେଥିରେ ସଫଳତା ମଧ୍ୟ ପାଇଥିଲେ । ତେବେ, ସଂସଦରେ ବିଲ୍ ପାରିତ ହେବା ପରେ ସଫଳତାର ସମସ୍ତ ଶ୍ରେୟ ବିଜେପି ନେବାକୁ ଚାହୁଁଛି । କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ବାଧ୍ୟବାଧକତାରେ ମହିଳା ଆରକ୍ଷଣ ବିଲ୍ କୁ ସମର୍ଥନ ଦେଇଛନ୍ତି ବୋଲି ଏବେ ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ଶେଷ ଆଡକୁ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଆୟୋଜିତ ନିର୍ବାଚନ ସଭାଗୁଡିକରେ କହୁଛନ୍ତି । ଆଜି ରାଜସ୍ଥାନର ଜୟପୁରଠାରେ ଆୟୋଜିତ ନିର୍ବାଚନ ସଭାରେ ମୋଦୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ସରକାରଙ୍କୁ କଡା ସମାଲୋଚନା କରି କହିଛନ୍ତି, ଗେହେଲୋଟଙ୍କ ପାଂଚ ବର୍ଷର ଶାସନକୁ ‘ଶୂନ’ ମାର୍କ ହିଁ ମିଳିବ । ଗେହେଲୋଟ ସରକାର ରାଜସ୍ଥାନର ଗଲା ପାଂଚ ବର୍ଷ ନଷ୍ଟ କରିଦେଇଛନ୍ତି । ରାଜ୍ୟବାସୀ ଏବେ କଂଗ୍ରେସକୁ ହଟାଇ ରାଜ୍ୟର ଶାସନ ଆସନ୍ତା ପଂଚ ବର୍ଷ ପାଇଁ ବିଜେପି ହାତରେ ସମର୍ପି ଦେବାକୁ ମନ ବଳାଇ ସାରିଲେଣି । ମହିଳାଙ୍କୁ କିଏ ଆରକ୍ଷଣ ଦେଲା (?) ବୋଲି ପ୍ରଶ୍ନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମତଦାତା ସେବା କରିବା ନିମନ୍ତେ ତାଙ୍କୁ ଯେଉଁ ଭୋଟ ଦେଇଛନ୍ତି ତାହା ସେମାନଙ୍କୁ ମହିଳା ଆରକ୍ଷଣର ସୁଫଳ ଦେଇଛି । ମୋଦୀ ଅର୍ଥ ଗ୍ୟାରେଂଟି ପୂରଣ ପାଇଁ ଗ୍ୟାରେଂଟି । କଂଗ୍ରେସ ଚାହୁଁ ନଥିଲା ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାମାନେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଆନ୍ତୁ । କେବଳ ଜନତାର ଚାପରେ ସେମାନେ ବିଲ୍ କୁ ସମର୍ଥନ ଦେଇଛନ୍ତି । ମଧ୍ୟପ୍ରଦେଶର ଭୋପାଳରେ ମଧ୍ୟ ମୋଦୀ ଆଜି ସେହି ଏକା କଥା କହିଛନ୍ତି । ବିରୋଧୀ ମେଂଟ ଆଇଏନଡିଆଇଏ (ଇଣ୍ଡିଆ)କୁ ଏକ ‘ଘମଣ୍ଡିଆ’ ମେଂଟ କହି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ଅନିଚ୍ଛାରେ ସଂସଦରେ ମହିଳା ଆରକ୍ଷଣ ବିଲ୍ କୁ ସମର୍ଥନ ଦେଇଛନ୍ତି, ସେମାନଙ୍କୁ କ୍ଷମତାକୁ ଫେରିବାକୁ ସୁଯୋଗ ମିଳିଲେ ଏହି ଏହି ସଂରକ୍ଷଣକୁ କାର୍ଯ୍ୟକାରୀ କରିବାକୁ ପଛଘୁଂଚା ଦେଇ ପାରନ୍ତି ବୋଲି ଚେତାବନୀ ଦେଇଛନ୍ତି । ମୋଦୀ ଆଜି ଭୋପାଳରେ ଆୟୋଜିତ ବିଜେପିର ‘କାର୍ଯ୍ୟକର୍ତ୍ତା ମହାକୁମ୍ଭ’ରେ ଉଦବୋଧନ ଦେଇ କଂଗ୍ରେସକୁ ‘କଳଙ୍କି ଲାଗି ଯାଇଥିବା ଲୁହା’ ଏବଂ ଦଳ ନେତାଙ୍କ ଦ୍ୱାରା ନୁହେଁ, ଦଳ ବାହାରୁ ‘ଅର୍ବାନ୍ ନକ୍ସଲ’ଙ୍କ ଦ୍ୱାରା ପରିଚାଳିତ ହେଉଛି ବୋଲି ଆକ୍ଷେପ କରିଥିଲେ । କଂଗ୍ରେସ ଶାସନରେ ରାଜ୍ୟ ସବୁ ସଂପଦରେ ଭରପୁର ଥାଇ ସୁଦ୍ଧା ଏକ ‘ବିମାରୁ’ ରାଜ୍ୟରେ ପରିଣତ ହୋଇଥିଲା । ବିଜେପି ଶାସନରେ ରାଜ୍ୟର ଯାହା ବିକାଶ ହୋଇଛି ବୋଲି ସେ କହିଥିଲେ । ରାଜସ୍ଥାନ ଓ ମଧ୍ୟପ୍ରଦେଶ ସମେତ ଚାରିଟି ରାଜ୍ୟରେ ଚଳିତ ବର୍ଷ ଶେଷ ଆଡକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାଛଡା, ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବ । ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ନେତୃବର୍ଗ ଏହିସବୁ ନିର୍ବାଚନ ବୈତରଣୀ ପାରି ହେବା ସକାଶେ ସଂସଦରେ ନିକଟରେ ଗୃହୀତ ହୋଇଥିବା ମହିଳା ଆରକ୍ଷଣ ବିଲ୍ କୁ ଅସ୍ତ୍ର କରିବାକୁ ପଛାଉ ନାହାନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ବିଜେପି ସାଂସଦ ତଥା ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସଂହଙ୍କ ବିରୋଧରେ ମହିଳା ରେସଲରଙ୍କୁ ଯୌନ ଉତ୍ପୀଡନ ଅଭିଯୋଗ ହେବା ସତ୍ତ୍ୱେ ସରକାର ତାଙ୍କୁ ଘଂଟ ଘୋଡାଇ ଥିଲେ । ମହିଳା ରେସଲରମାନେ ଆନ୍ଦୋଳନ ଜୋରଦାର କରିବା ପରେ ଦିଲ୍ଲୀ ପୁଲିସ ସିଂହଙ୍କ ବିରୋଧରେ ଏତଲା କରିଥିଲେ । ସିଂହଙ୍କ ବିରୋଧରେ ପୁଲିସ କୋର୍ଟରେ ଦାଖଲ କରିଥିବା ଚାର୍ଜସିଟରେ ଯୌନ ଉତ୍ପୀଡନ ନେଇ ଗୁରୁତର ଅଭିଯୋଗ ଆଣିଥିବା ନିକଟରେ ଗଣମାଧ୍ୟମରେ ପ୍ରକାଶ ପାଇଛି । ବ୍ରିଜ ଭୂଷଣ ଶରଣ ସିଂହଙ୍କ ନେଇ ବିଜେପି ସରକାର ଅଡୁଆରେ ଥିଲେ । ଏବେ ମୋଦୀ ସରକାର ସଂସଦରେ ପାରିତ କରାଇଥିବା ମହିଳା ଆରକ୍ଷଣ ବିଲ୍ ସରକାରଙ୍କ ଦେହରୁ ଲାଗିଥିବା କଳଙ୍କ ପୋଛିବାରେ ସହାୟକ ହେବ ବୋଲି ବିଜେପି ନେତୃତ୍ୱ ଆଶା କରୁଛି । ତେବେ, କଂଗ୍ରେସ ଦଳ ୨୦୧୦ରେ ମହିଳା ଆରକ୍ଷଣ ବିଲ୍ ରାଜ୍ୟସଭାରେ ପାରିତ କରାଇ ଥିଲେ ମଧ୍ୟ ମେଂଟ ସରକାରରେ ଥିବା ଅନ୍ୟ ଦଳଙ୍କ ସମର୍ଥନ ଅଭାବରୁ ଲୋକସଭାରେ ତାହା ଆଗତ କରି ନଥିଲା । ବିଜେପି ତାହାର ଉଦାହରଣ ଦେଇ ଏକକ ସଂଖ୍ୟାଗରିଷ୍ଠତା ଯୋଗୁଁ ହିଁ ବିଜେପି ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବାରେ ସକ୍ଷମ ହୋଇଥିବା ବ୍ୟାଖ୍ୟାନ କରୁଛି । ଏହି ମହିଳା ସ୍ଥାନ ସଂରକ୍ଷଣ ବି୍ ଆଇନରେ ପରିଣତ ହେଲେ ମଧ୍ୟ ଜନଗଣନା ଓ ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ପରେ ହିଁ କାର୍ଯ୍ୟକାରୀ ହେବାକୁ ଥିବାରୁ ୨୦୨୯ରେ ମହିଳାଙ୍କୁ ଏହି ସୁବିଧା ମିଳିବ ବୋଲି ସରକାର ଦାବି କରୁଛନ୍ତି । ତଥାପି, ବିଲ୍ ପାସ୍ ହୋଇଥିବାରୁ ଦେଶବ୍ୟାପୀ ମହିଳାଙ୍କ ମଧ୍ୟରେ ଆଶାତୀତ ଉତ୍ସାହ ଦେଖିବାକୁ ମିଳୁଛି । ବିଜେପି ଏହି ଉତ୍ସାହକୁ ଅଧିକ ତେଜୋଦିପ୍ତ କରି ଆଗକୁ ଥିବା ନିର୍ବାଚନଗୁଡିକରେ ଫାଇଦା ନେବାକୁ ଉଦ୍ୟମ କରିବା ସ୍ୱାଭାବିକ । ବିରୋଧୀ ଏହାର ମୁକାବିଲା କରିବାରେ କେତେଦୂର ସଫଳ ହେବେ, ତାହା ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା ପ୍ରଭୃତି ରାଜ୍ୟରେ ୨୦୨୩ ସୁଦ୍ଧା ହେବାକୁ ଥିବା ବିଧାନସଭା ନିର୍ବାଚନରୁ ସ୍ପଷ୍ଟ ହୋଇଯିବ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS