କଂଗ୍ରେସକୁ ମୋଦୀଙ୍କ ‘ଅର୍ବାନ ନକ୍ସଲ’ ଆକ୍ଷେପ, ଏମଏଚଏକୁ ଜବାବ ମାଗିଲା ଟିଏମସି


ପ୍ରସାଦ ରାଓ
ସେପ୍ଟେମ୍ବର ୨୬
ଗତକାଲି ମଧ୍ୟପ୍ରଦେଶର ଭୋପାଳଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ‘କାର୍ଯ୍ୟକର୍ତ୍ତା ମହାକୁମ୍ଭ’କୁ ସମ୍ବୋଧିତ କରି କଂଗ୍ରେସକୁ ‘କଳଙ୍କିଲଗା ଲୁହା’ ଏବଂ ଦଳ ନେତାଙ୍କ ଦ୍ୱାରା ନୁହେଁ, ବାହାରୁ ଆମଦାନୀ ‘ଅର୍ବାନ ନକ୍ସଲ’ଙ୍କ ଦ୍ୱାରା ପରିଚାଳିତ ହେଉଛି ବୋଲି ଯେଉଁ ଅଭିଯୋଗ କରିଛନ୍ତି ତାହାକୁ ନେଇ ନୂଆ ରାଜେନ÷ତିକ ବିବାଦ ଆରମ୍ଭ ହୋଇଯାଇଛି । କଂଗ୍ରେସ ଏନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିନଥିଲେ ମଧ୍ୟ ବିରୋଧୀ ମେଂଟ ‘ଇଣ୍ଡିଆ’ର ଅନ୍ୟତମ ସଦସ୍ୟ ତୃଣମୂଳ କଂଗ୍ରସ (ଟିଏମସି)ର ରାଜ୍ୟସଭା ସାଂସଦ ସାକେତ ଗୋଖଲେ କେନ୍ଦ୍ର ସରକାରଙ୍କୁ ଏନେଇ ପ୍ରଶ୍ନ କରିଛନ୍ତି ।
ଗୋଖଲେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି କେତେକ ସ୍ପଷ୍ଟୀକରଣ ମାଗିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ କେବଳ ଭୋପାଳରେ ବିଜେପି କାର୍ଯ୍ୟକର୍ତ୍ତା ମହାକୁମ୍ଭରେ ଏକଥା କହି ନାହାନ୍ତି, ପୂର୍ବରୁ ମଧ୍ୟ ବିଭିନ୍ନ ନିର୍ବାଚନ ଓ ରାଜନୈତିକ ସଭାରେ ବିରେଧୀ, ବିଶେଷକରି କଂଗ୍ରେସକୁ ‘ଅର୍ବାନ ନକ୍ସଲ’ ଓ ବିରୋଧୀଙ୍କୁ ‘ଟୁକୁଡେ ଟୁକୁଡେ ଗ୍ୟାଙ୍ଗ୍’ କହି ଆକ୍ଷେପ କରିଛନ୍ତି । ବାସ୍ତବରେ ଦେଶରେ ଏଭଳି କିଛି ଗ୍ୟାଙ୍ଗ୍ ବା ସଂଗଠନ ଅଛି କି (?) ବୋଲି ଗୋଖଲେ ଏମଏଚଏକୁ ପ୍ରଶ୍ନ କରିବା ସହ ଯଦି ଅଛି ସେନେଇ ବିସ୍ତୃତ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । ଏହି ଚିଠି ‘ଏକ୍ସ’ (ପୂର୍ବରୁ ଟ୍ୱିଟର ଥିଲା)ରେ ମଧ୍ୟ ପୋଷ୍ଟ୍ ହୋଇଛି । ଚିଠିରେ କୁହାଯାଇଛି, ପ୍ରଧାନମନ୍ତ୍ରୀ କେବଳ ବିରୋଧୀ ଦଳଙ୍କୁ ନୁହେଁ, ବିଭିନ୍ନ ସମୟରେ କିଛି ସାମ୍ବାଦିକ, ସାମାଜିକ କାର୍ଯ୍ୟକତ୍ତା ଓ ଏନଜିଓକୁ ‘ଅର୍ବାନ ନକ୍ସଲ’ କହି ଆକ୍ଷେପ କରିଛନ୍ତି । ଅନ୍ୟ କେହି ନୁହେଁ, ପ୍ରଧାନମନ୍ତ୍ରୀ ନିଜେ ଦେଶରେ ‘ଅର୍ବାନ ନକ୍ସଲ’ଙ୍କ ଉପସ୍ଥିତି କଥା ବିଭିନ୍ନ ସମୟରେ କହୁଥିବା ନିଶ୍ଚିତ ଭାବେ ଅତ୍ୟନ୍ତ ଗୁରୁତର କଥା । ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟିରୁ ଏହା ବିଶେଷ ଗୁରୁତ୍ୱ ରଖୁ ଥିବାରୁ ଏମଏଚଏ ଏନେଇ ବିସ୍ତୃତ ତଥ୍ୟ ଦେବା ଆବଶ୍ୟକ ।
ଗୋଖଲେଙ୍କ ଚିଠିରେ ଯେଉଁ ତିନୋଟି ପ୍ରଶ୍ନ ପଚରା ଯାଇଛି ତାହା ହେଉଛି – କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ‘ଅର୍ବାନ ନକ୍ସଲ’ ବୋଲି କୌଣସି ଗୋଷ୍ଠୀକୁ ଚିହ୍ନଟ କରିଛି କି ? ଯଦି ଚିହ୍ନଟ କରିଛନ୍ତି, ଏହି ଗୋଷ୍ଠୀରେ ଥିବା ଲୋକ, ସେମାନଙ୍କ କାର୍ଯ୍ୟକଳାପ, ସେମାନଙ୍କୁ କେମିତି ଜାଣି ହେବ ଏବଂ କେଉଁ ଭିତ୍ତିରେ ‘ଅର୍ବାନ ନକ୍ସଲ’ଙ୍କୁ ଚିହ୍ନଟ କରାଯାଇଛି ଗୃହ ମନ୍ତ୍ରଣାଳୟ ବିସ୍ତୃତ ଭାବେ କହୁ । ଦ୍ୱିତୀୟରେ, ବିଭିନ୍ନ ରାଜନୈତିକ ଦଳ, ସାମ୍ବାଦିକ ଓ ସ୍ୱଚ୍ଛାସେବୀ ସଂସ୍ଥା (ଏନଜିଓ)ରେ ‘ଅର୍ବାନ ନକ୍ସଲ’ ସକ୍ରୀୟ ଥିବା ପ୍ରଧାନମନ୍ତ୍ରୀ ବାରମ୍ବାର ଅଭିଯୋଗ କରୁଥିବାରୁ ଗୃହ ମନ୍ତ୍ରଣାଳୟ ବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଏଭଳି ଗୋଷ୍ଠୀଙ୍କ ବିରୋଧରେ କେବେ, କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହାର ସୂଚନା ଦିଆଯାଉ । ତୃତୀୟରେ, ‘ଅର୍ବାନ ନକ୍ସଲ’ ଗୋଷ୍ଠୀକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯାଇ ରାଜ୍ୟମାନଙ୍କୁ ଅବଗତ କରାଯାଇଛି କି (?) ବୋଲି ସେ ପ୍ରଶ୍ନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନିଜେ ଦେଶରେ ଏଭଳି ଏକ ଗୋଷ୍ଠୀର ଉପସ୍ଥିତି ନେଇ ଗୁରୁତର ଅଭିଯୋଗ ଆଣି ଥିବାରୁ ଜଣେ ସାଂସଦ ଭାବେ ସେ ଗୃହ ମନ୍ତ୍ରଣାଳୟକୁ ଚିଠି ସତ୍ୟାସତ୍ୟ ଜାଣିବାକୁ ଚାହୁଁଛନ୍ତି । ତେଣୁ ସରକାର ଚିଠିକୁ ଗୁରୁତ୍ୱ ଦେଇ ମାଗି ଥିବା ସମସ୍ତ ବିବରଣୀ ଅତିଶୀଘ୍ର ପ୍ରଦାନ କରିବାକୁ ଗେଖଲେ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଭୋପାଳରେ ଅଭିଯୋଗ କରିଥିଲେ, କଂଗ୍ରେସ ଦଳ ଏବେ ଏକ କଂପାନୀରେ ପରିଣତ ହୋଇ ସମସ୍ତ ନୀତି ଓ ଯୋଜନା ବାହାରୁ ଆମଦାନୀ (ଆଉଟସୋର୍ସିଂ) କରୁଛି । ଏବେ ସେମାନେ ‘ଅର୍ବାନ ନକ୍ସଲ’ଙ୍କ ସହ ଯୋଗାଯୋଗରେ ରହି ସେମାନଙ୍କୁ ସବୁ କଂଟ୍ରାକ୍ଟ ଦେଉଛନ୍ତି । ଟିଏମସି ସାଂସଦ ଗୋଖଲେ ଗୃହ ମନ୍ତ୍ରଣାଳୟ ଆଭ୍ୟନ୍ତରୀଣ ବ୍ୟାପାର ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖି ଏହି ସବୁ ପ୍ରଶ୍ନ କରିଛନ୍ତି ।
ଗୋଖଲେ କହିଛନ୍ତି, କିଛି ବର୍ଷ ତଳେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ନେତାମାନେ ବିରୋଧୀଙ୍କୁ ‘ଟୁକୁଡେ ଟକୁଡେ ଗ୍ୟାଂଗ୍’ କହୁଥିଲେ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପ୍ରଶ୍ନ କରାଯିବାରୁ ସରକାରୀ ରେକର୍ଡରେ ଦେଶରେ ଏଭଳି କୌଣସି ଗୋଷ୍ଠୀ ଥିବା ଉଲ୍ଲେଖ ନାହିଁ । ପ୍ରଧାନମନ୍ତ୍ରୀ ନିଜେ ଯେତେବେଳେ ‘ଟୁକୁଡେ ଟୁକୁଡେ ଗ୍ୟାଂଗ୍’, ‘ଅର୍ବାନ ନକ୍ସଲ’ ଭଳି କଥା କହୁଛନ୍ତି ତାହାର ଯଥେଷ୍ଟ ଗୁରୁତ୍ୱ ରହୁ ଥିବାରୁ ସେଭଳି କିଛି ଅଛି କି ନାହିଁ ତାହା କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିବା ଆବଶ୍ୟକ ।
ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଦୁଇଟି ସଭାରେ ଭାଷଣ ଦେଇ କଂଗ୍ରେସ ଓ ବିରୋଧୀଙ୍କୁ ଆକ୍ରମଣ କରିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତକାଲି ଛତିଶଗଡ଼ରେ କହିଥିଲେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରିଲେ ଜାତି ଜନଗଣନା କରାଇବ । ଉଭୟ ଶାସକ ଓ ବିରୋଧୀ ନିର୍ବାଚନ ଘଂଟି ବଜାଇ ସାରିଲେଣି । ବିଜେପି ନିକଟରେ ଜି-୨୦ ଓ ଚନ୍ଦ୍ରଯାନ-୩ର ସଫଳତା, ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବିଲ୍ ସଂସଦରେ ଗୃହୀତ କରାଇବା, ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଅଗ୍ରଗତି ଓ ଭାରତର ବିଦେଶ ନୀତି ଭଳି ବହୁ ଉପଲବ୍ଧୀ ଥିବା ବେଳେ ଦରଦାମ ନିୟନ୍ତ୍ରଣରେ ସରକାରଙ୍କ ବିଫଳତା, ବେକାରୀ ବୃଦ୍ଧି, ଗଣତନ୍ତ୍ର ଏବଂ ବିଭିନ୍ନ ଗଣତାନ୍ତ୍ରିକ ସଂସ୍ଥାକୁ ମୋଦୀ ସରକାର କ୍ରମାଗତ ଭାବେ ପଦାନତ କରୁଥିବା ପ୍ରଭୃତି ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପ୍ରସଙ୍ଗ ହେବ । ଜନସାଧାରଣ କାହାର ବ୍ୟାଖ୍ୟାୟନକୁ ଗ୍ରହଣ କରିବେ ଓ କାହାକୁ ଛାଡିବେ ତାହା ନିର୍ବାଚନରେ ସ୍ପଷ୍ଟ ହୋଇଯିବ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS