ବାଘକୁ ଫାଗର ‘ଭୟ’ !


ପ୍ରସାଦ ରାଓ
ଭୁବନେଶ୍ୱର/ସେପ୍ଟେମ୍ବର ୨୭
ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବିଧାନସଭାକୁ ଯାଇ ‘ପାଣ୍ଡିଆନ ପ୍ରସଙ୍ଗ’ରେ ନିଜ ଆଡୁ ବିବୃତି ରଖିବା ପରେ ବିରୋଧୀ ତାହାର ସମାଲୋଚନା କରୁଥିଲେ ମଧ୍ୟ ବିରୋଧର ସାମାନ୍ୟ ନରମି ଥିବା ଲକ୍ଷ୍ୟ କରାଯାଉଛି । ମଂଗଳବାର ଦିନ ଏମଏସପି ପ୍ରସଙ୍ଗକୁ ନେଇ ଗୃହରେ ଶାସକ ଓ ବିରୋଧୀ ବିଜେପି ମୁହାଁମୁହିଁ ହୋଇଥିବା ବେଳେ ସଲାସୁତୁରାରେ ଗୃହ ଚାଲିଥିବା ଦର୍ଶାଇ କେତେବେଳେ କଂଗ୍ରେସ ବିଜେପିକୁ ଦାୟି କରୁଛି ତ ଆଉ କେତେବେଳେ ବିଜେପି କଂଗ୍ରେସକୁ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ପାଣ୍ଡିଆନ ପ୍ରସଙ୍ଗରେ ମିଳିତ ଭାବେ ସରକାରଙ୍କୁ ଘେରିବାକୁ ବିଧାନସଭା ଅଧିବେଶନ ଆରମ୍ଭରୁ ବିଜେପି ଓ କଂଗ୍ରେସ ମଧ୍ୟରେ ଯେଉଁ ବୁଝାମଣା ହୋଇଥିଲା ତାହା ଶାସକ ଦଳର ଚତୁର ଗୃହ ପରିଚାଳନାରୁ ଏକପ୍ରକାର ଭଣ୍ଡୁର ହୋଇଛି ।
ସୋମବାର ଦିନ ବିଜେପି ବିଧାୟକମାନେ ପାଣ୍ଡିଆନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିବା ବେଳେ କଂଗ୍ରେସ ଗୃହକୁ ଅଚଳ କରିବା ପାଇଁ ଏହା ବିଜେଡ଼ି-ବିଜେପି ମଧ୍ୟରେ ଭିତିରି ବୁଝାମଣା ବୋଲି ଅଭିଯୋଗ କରିଥିଲା । ଶିକ୍ଷକ, ଅଂଗନବାଡି କର୍ମୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଂସ୍ଥା ପକ୍ଷରୁ ରାଜଧାନୀର ସଚିବାଳୟ ମାର୍ଗରେ ଲଗାତର ଆନ୍ଦୋଳନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଧାନସଭାରେ ତାହା ଉପରେ ଆଲୋଚନା କରାଇ ନଦେବାକୁ ବିଜେଡ଼ି ଓ ବିଜେପି ପାଣ୍ଡିଆନ ପ୍ରସଙ୍ଗକୁ ନେଇ ଗୃହକୁ ଅଚଳ କରିଥିଲେ ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରିଥିଲେ । ବିରୋଧୀ ପରସ୍ପରକୁ ଆକ୍ଷେପ କରିବା ଭିତରେ ମୁଖ୍ୟମନ୍ତ୍ରୀ ଗୃହରେ ନିଜ ଆଡୁ ବୟାନ ରଖି କେଉଁ ପରିସ୍ଥିତିରେ ସିଏମଓକୁ ଜିଲ୍ଲାଗୁଡିକୁ ପଠାଯାଇ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ କରାଗଲା ତାହା ସ୍ପଷ୍ଟ କରି ଦେଇଥିଲେ । ମଂଗଳବାର ଦିନ ଚାଷୀଙ୍କୁ ଧାନର ଲାଭଜନକ ମୂଲ୍ୟ (ଏମଏସପି) ମିଳୁ ନଥିବା ଦର୍ଶାଇ ବିଜେପି-ବିଜେଡ଼ି ମୁହାଁମୁହିଁ ହୋଇଥିବା ବେଳେ ହୋଇଥିବା ବେଳେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଗୃହରେ ଏକାଧିକ ବିଲ୍ ଉପସ୍ଥାପନ କରି ପାରିତ କରାଇ ନେଇଥିଲେ ।
ବିଲ୍ ଗୁଡିକ ଉପରେ ଆଲୋଚନା ନିମନ୍ତେ ବିରୋଧୀଙ୍କୁ ସୁଯୋଗ ଦିଆଯାଇନଥିବା ଦର୍ଶାଇ କଂଗ୍ରେସ ବିଧାୟକଙ୍କ ପକ୍ଷରୁ କକ୍ଷତ୍ୟାଗ ହୋଇଥିବା ବେଳେ ଶାସକ ଦଳ ମନାଇବା ପରେ ମଧ୍ୟ ସେମାନେ ଗୃହକୁ ଫେରି ନଥିଲେ । ବିଜେପିର ଅଭିଯୋଗ ହେଉଛି, ପୂର୍ବରୁ ହୋଇଥିବା ବୁଝାମଣା ଅନୁସାରେ ମଂଗଳବାର ଦିନ କଂଗ୍ରେସ ବିଧାୟକଙ୍କ ଆଡୁ ପାଣ୍ଡିଆନ ପ୍ରସଙ୍ଗ ଉଠିବା କଥା । ଏହି ପ୍ରସଙ୍ଗ ଉଠି ଥିଲେ ବିଜେପି ବିଧାୟକମାନେ କଂଗ୍ରେସ ସହ ମିଶି ସରକାରଙ୍କୁ ଘେରି ଥା’ନ୍ତେ । କିନ୍ତୁ, କଂଗ୍ରେସ ବିଧାୟକ ଶାସକ ଦଳ ସହ ବୁଝାମଣାରେ ଅନ୍ୟ ପ୍ରସଙ୍ଗରେ କକ୍ଷତ୍ୟାଗ କରି ଆଲୋଚନାରୁ ଦୂରେଇ ରହିଲେ । ଚଳିତ ବିଧାନସଭା ଅଧିବେଶନରେ ବିରୋଧୀ ଏକାଠି ହୋଇ ସରକାରଙ୍କୁ ଘେରିବେ କଣ, ପରସ୍ପର ଭିତରେ ଲଢୁଥିବା ରାଜ୍ୟବାସୀଙ୍କୁ ବିସ୍ମିତ କରିଛି । ଏପରିକି, ଗଣମାଧ୍ୟମରେ ମଧ୍ୟ ପାଣ୍ଡିଆନ ପ୍ରସଙ୍ଗ ଫିକା ପଡିବାରେ ଲାଗି ଥିବା ଭିତିରି ବୁଝାମଣାର ସଂକେତ ଦେଉଛି ।
ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ଦେଇ ସ୍ପଷ୍ଟ କରିଥିଲେ, ତାଙ୍କରି ନିର୍ଦେଶରେ ସିଏମଓ (ମୁଖ୍ୟମନ୍ତ୍ରୀଙ୍କ ଦପ୍ତର) ଗଲା ଛଅ ମାସ ହେଲା ରାଜ୍ୟର ସମସ୍ତ ଜିଲ୍ଲାକୁ ଗସ୍ତ କରି ଜନସାଧାରଣଙ୍କ ଅଭିଯୋଗ ଶୁଣିଣୀ କରୁଥିଲା । ୧୯୦ରୁ ଅଧିକ ସ୍ଥାନରେ ସଭା କରାଯାଇ ଅଭିଯୋଗପତ୍ର ସଂଗ୍ରହ ହୋଇଥିଲା । ଶତକଡା ୫୦ ପ୍ରତିଶତରୁ ଅଧିକ ଅଭିଯୋଗର ସମାଧାନ ସରିଲାଣି । ସଡକ ପଥରେ ଯାଇ ଏସବୁ କାର୍ଯ୍ୟ କରିଥିଲେ କାମ ସାରିବାକୁ ଦେଢ ବର୍ଷ ଲାଗି ଥା’ନ୍ତା । ସିଏମଓ ସରକାରୀ ବିମାନରେ ଜିଲ୍ଲାଗସ୍ତ କରିବାରୁ ଛଅ ମାସରେ କାର୍ଯ୍ୟ ସରିଛି । ବିମାନ ଭଡାକୁ ନେଇ ବିରୋଧୀ ଯେଉଁ ଅଭିଯୋଗ କରୁଛନ୍ତି ତାହା ଠିକ୍ ନୁହେଁ । ରାଜ୍ୟ ସରକାର ଗଲା ସାଢେ ୩ ବର୍ଷରେ ଏବାବଦରେ ୪୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ପାଣ୍ଡିଆନଙ୍କ ବାବଦରେ ୩୦୦ରୁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଯାହା କୁହାଯାଉଛି ସଂପୂର୍ଣ୍ଣ ଭାବେ ଅସତ୍ୟ ।
ବିରୋଧୀଙ୍କ ଆଡୁ କୌଣସି ଚାପ ନଥାଇ ମୁଖ୍ୟମନ୍ତ୍ରୀ ବିଧାନସଭା ମୌସୁମୀ ଅଧିବେଶନରେ ଏଭଳି ଏକ ବିବୃତି ରଖିବା ଦ୍ୱାରା ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କୁ ନେଇ ଯେଉଁ ବିବାଦ ଲାଗି ରହିଥିଲା ସେଥିରେ ଏକପ୍ରକାର ପୂର୍ଣ୍ଣଛେଦ ପଡିଥିବା ଅନୁମାନ କରାଯାଉଛି । କାରଣ, ବିରୋଧୀ ନାମକୁ ମାତ୍ର ବିରୋଧ ଜାରି ରଖିଥିଲେ ମଧ୍ୟ ପ୍ରସଙ୍ଗ ବଦଳାଇ ସାରିଲେଣି । ଗୃହରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ବିବୃତି ଦାବି କରିନଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ୱତଃ ବିବୃତି ରଖିବା ସରକାରଙ୍କ ‘ଭୟ’କୁ ସୂଚାଉଛି ବୋଲି ବିଜେପି କହୁଥିବା ବେଳେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କଠାରୁ ‘ସୌଜନ୍ୟତା’ ଶିଖନ୍ତୁ ବୋଲି ବିଜେଡ଼ି କହିଛି । ଶାସକ-ବିରୋଧୀଙ୍କ ଅଭିଯୋଗ, ପ୍ରତ୍ୟାଭିଯୋଗ ଭିତରେ ‘ଓଡ଼ିଶା ଶାସନ ମନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ହେଉଛି ନା ଜଣେ ସଚିବଙ୍କ ଦ୍ୱାରା ?’ ପ୍ରସଙ୍ଗ ଏବେ ସାମାଜିକ ଗଣମାଧ୍ୟମରେ ସୀମିତ ହୋଇଯାଇଥିବା ଦେଖିବାକୁ ମିଳୁଛି । କିଛି ସମାଲୋଚକ ଏହାକୁ ‘ଗଣମାଧ୍ୟମ ପ୍ରତି ସରକାରଙ୍କ ଡର’ କହି ‘ସମ୍ବାଦ’ ଓ ତାହାର ସଂପାଦକ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ଶ୍ରେୟ ଦେବାକୁ ପଛାଇ ନାହାନ୍ତି ।
ଏଠାରେ ସୂଚନାଯୋଗ୍ୟ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଥମେ ପାଣ୍ଡିଆନଙ୍କୁ ମାତ୍ରାଧିକ ଗୁରୁତ୍ୱ ଦିଆଯାଉଥିବା ନେଇ ପ୍ରଶ୍ନ ଉଠାଇବା ପରେ ନୂଆ କରି କଂଗ୍ରେସରେ ସାମିଲ ହୋଇଥିବା ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ ସେଥିରେ ନିଜକୁ ସାମିଲ କରିଥିଲେ । ‘ମନ୍ତ୍ରୀ ବଡ ନା ସଚିବ ବଡ’ ପ୍ରସଙ୍ଗ ରାଜନୈତିକ ବିରୋଧ ମଧ୍ୟରେ ସୀମିତ ଥିଲା । ତେବେ, ‘ସମ୍ବାଦ’ରେ ପ୍ରକାଶିତ ଦୁିଟି ସଂପାଦକୀୟ ଏହି ପ୍ରସଙ୍ଗକୁ ଅଧିକ ବିତର୍କ ଭିତରକୁ ଟାଣି ନେଇଥିଲା । ବିବ୍ରତ ବିଜେଡ଼ି ସମ୍ବାଦ ସଂପାଦକ ପଟ୍ଟନାୟକଙ୍କୁ ଏଭଳି ସଂପାଦକୀୟ ଲେଖି ଥିବାରୁ ପ୍ରଥମେ ଦଳର ଉପ ସଭାପତି ପଦରୁ ଓ ପରେ ଦଳରୁ ବହିଷ୍କୃତ କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟକଳାପ ନୁହେଁ, ଜନ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ବିଜେଡ଼ିରୁ ବହିଷ୍କାର କରାଯାଇଛି ବୋଲି ବିଜେଡ଼ି ନେତୃତ୍ୱ ଏକ ପ୍ରେସ୍ ବିବୃତିରେ କହିଥିଲେ ।
ସୌମ୍ୟଙ୍କ ଲେଖା ପାଇଁ ତାଙ୍କୁ ବିଜେଡ଼ିରୁ ବହିଷ୍କାର କରାଯିବା ଯେତିକି ଆଲୋଡନ ସୃଷ୍ଟି କରିନଥିଲା ସେତିକି ଆଲୋଡନ ସୃଷ୍ଟି କରିଥିଲା ସୌମ୍ୟଙ୍କ ବିରୋଧରେ ‘ବ୍ୟାଙ୍କ ଋଣ ଜାଲିଆତି’ ମାମଲା କରାଯାଇ ରାଜ୍ୟ କ୍ରାଇମ ବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଦ୍ୱାରା ‘ସମ୍ବାଦ’ ମୁଖ୍ୟାଳୟରେ ଚଢାଉ କରାଯିବା ଓ ମାମଲାକୁ ଅଧିକ ସୁଦୃଢ କରାଯିବା ସକାଶେ ସଂସ୍ଥାର ପୁରୁଣା କର୍ମଚାରୀଙ୍କୁ ଖୋଜି ସେମାନଙ୍କ ବୟାନ ଲିପିବଦ୍ଧ କରାଯିବା । ଏହାକୁ ନେଇ ରାଜ୍ୟର ଗଣମାଧ୍ୟମ ଦୁଇ ଭାଗ ହୋଇସାରିଛି । ଦଳେ ସୌମ୍ୟଙ୍କ ଉପରେ ସରକାରଙ୍କ ଆକ୍ରମଣକୁ ଗଣମାଧ୍ୟମ ଓ ଗଣତନ୍ତ୍ର ଉପରେ ଆକ୍ରମଣ କହି ସୌମ୍ୟଙ୍କ ପଛରେ ଢାଲ ସାଜିଥିବା ବେଳେ ଆଉ ଦଳେ ଇଷ୍ଟର୍ଣ୍ଣ ମିଡ଼ିଆ ସଂସ୍ଥାରେ ଦୀର୍ଘ ବର୍ଷ ଧରି ଚାଲିଥିବା ଏହି ଜାଲିଆତି (?) ଜଣେ ପୂର୍ବତନ କର୍ମଚାର ପଦାରେ ପକାଇଛନ୍ତି କହି ସୌମ୍ୟଙ୍କୁ ଘେରିବାକୁ ଉଦ୍ୟମ କରିଛନ୍ତି ।
ଯେଉଁ ଗୋଷ୍ଠୀ ସୌମ୍ୟଙ୍କ ଢାଲ ସାଜିଥିଲେ ସେମାନେ କହୁଛନ୍ତି, ପାଣ୍ଡିଆନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ନିଜ ଆଡୁ ବୟାନ ରଖିବା ଗଣମାଧ୍ୟମର ବିଜୟ । ସିଏମଓ କହିଲେ ଜଣେ ଅଧିକାରୀଙ୍କୁ କେବଳ ବୁଝାଉଛି କି (?) ବୋଲି ସେମାନେ ପ୍ରଶ୍ନ କରିଛନ୍ତି । କୋଭିଡ଼ ପରେ ଜନସାଧାରଣଙ୍କ ଅଭାବ, ଅସୁବିଧା ଶୁଣିବା ପଥକୁ ସୁଗମ କରିବାକୁ ସେ ସିଏମଓ ଅଧିକାରୀଙ୍କୁ ଜିଲ୍ଲାକୁ ପଠାଇ ଥିଲେ, ଯାହାକୁ କି ଶାସନ ବ୍ୟବସ୍ଥାର ବିକେନ୍ଦ୍ରୀକରଣ କୁହାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୁକ୍ତି ଦର୍ଶାଇଛନ୍ତି । ସିଏମଓ ଅଧିକାରୀ ଜିଲ୍ଲାୱାରୀ ଗସ୍ତରେ କେତେ ସଂଖ୍ୟାରେ ଅଭିଯୋଗପତ୍ର ସଂଗ୍ରହ କରିଥିଲେ ଓ ସେଥିରୁ କେତେ ସଂଖ୍ୟକ ଅଭିଯୋଗର ଫଇସଲା ହୋଇଗଲାଣି ତାହାର ହିସାବ ମଧ୍ୟ ରଖିଥିଲେ । ବିରୋଧୀ ଏହାକୁ ନେଇ ଯେଉଁ ପ୍ରଶ୍ନ କରୁଛନ୍ତି ରାଜ୍ୟବାସୀ ତାହାକୁ ବରଦାସ୍ତ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଚେତାଇ ଦେଇଛନ୍ତି । ଏହା ପରେ ବିରୋଧୀଙ୍କ ମୁହଁରେ ତୁଣ୍ଡି ଲାଗି ଯିବା ସ୍ୱାଭାବିକ ।
କଥାରେ ଅଛି – ‘ବାଘକୁ ଫାଗର ଭୟ…’ । ବିରୋଧୀ ବାଘ ହୋଇ ଡରାଉ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ନିଜ ଭିତରେ ଦୁଇ ଫାଳ ହୋଇ ପରସ୍ପର ବିରୋଧରେ ବୟାନବାଜୀ ଆରମ୍ଭ କରି ଦେଲେ । ଆଉ ଗଣମାଧ୍ୟମ..! ଏବେ ତ ପ୍ରମୁଖ ଗଣମାଧ୍ୟମ ପୃଷ୍ଠାରୁ ଏହି ପ୍ରସଙ୍ଗ ଉଭେଇ ଗଲାଣି । କିଛି ଦିନ ଭିତରେ ଲୋକ ମଧ୍ୟ ଭୁଲି ଯିବେ । ଇଓଡବ୍ଲୁ ମାମଲା ଥଣ୍ଡା ପଡିଗଲେ ବି ଅଦୃଶ୍ୟ ଖଣ୍ଡା ଭଳି ମୁଣ୍ଡ ଉପରେ ଝୁଲି ରହିବ । ଆଉ ଯେଉଁମାନେ ଉସୁକାଉ ଥିଲେ ସେମାନେ ଏବେ ନିଜ ରାସ୍ତା ଖୋଜିବେ । ପରିଶେଷରେ ଯାହା ହେବା ଆଶା କରାଯାଉଥିଲା ତାହା ହିଁ ହୋଇଛି । କିଛି ଲୋକ ନିଜକୁ ପକ୍ଷଭୁକ୍ତ କରି ପଦାରେ ପଡିବା ହିଁ ସାର ହୋଇଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS