ବଦଳୁଛି ବିଜେପିର ନିର୍ବାଚନ ରଣନୀତି ?


ପ୍ରସାଦ ରାଓ
ଭୁବନେଶ୍ୱର/ସେପ୍ଟେମ୍ବର ୨୮
ଓଡ଼ିଶାରେ ମୁଖ୍ୟ ବିରୋଧୀ ଦଳ ଥିବା ବିଜେପି ୨୦୨୪ ନିର୍ବାଚନରେ ବିଜେଡ଼ିକୁ ପରାଜିତ କରି କ୍ଷମତାକୁ ଆସିବ ବୋଲି ଦାବି କରୁଥିବା ବେଳେ ଦଳର ମୁଖ୍ୟମନ୍ତ୍ରୀ ମୁହଁ କିଏ ? ଗଣମାଧ୍ୟମରେ ଲଗାତର ଏହି ପ୍ରଶ୍ନ ହେଉଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିକଟରେ କହିଥିଲେ, ବିଜେପି ୨୦୨୪ ବିଧାନସଭା ନିର୍ବାଚନରେ ଓଡ଼ିଶାରେ କାହାରିକୁ ‘ମୁଖ୍ୟମନ୍ତ୍ରୀ ମୁହଁ’ ଭାବେ ଉପସ୍ଥାପନ ନକରି ନିର୍ବାଚନ ଲଢିବ । ଦଳର ସବୁ ନେତା ମିଳିତ ଭାବେ ନେତୃତ୍ୱ ନେଇ ବିଜେଡ଼ିକୁ ସାମ୍ନ କରିବେ । ବିଜେପି କ୍ଷମତାକୁ ଆସିଲେ ଦଳର ରାଷ୍ଟ୍ରୀୟ ନେତୃତ୍ୱ ମୁଖ୍ୟମନ୍ତ୍ରୀ କିଏ ହେବ, ସେନେଇ ନିଷ୍ପତ୍ତି ନେବେ ।
ରାଜ୍ୟ ବିଜେପିର ଅଧିକାଂଶ ନେତା ମୁଖ୍ୟମନ୍ତ୍ରୀ ହେବାକୁ ଆଶାୟୀ । ତେଣୁ, ଦଳରେ ଗୋଷ୍ଠୀ ବିବାଦ ଚରମରେ ରହିଛି । ବିଧାନସଭା ନିର୍ବାଚନ ସମେତ ବିଭିନ୍ନ ଉପ ନିର୍ବାଚନରେ ଦଳର ପ୍ରଦର୍ଶନରେ ଉନ୍ନତି ଘଟିଥିଲେ ମଧ୍ୟ ପ୍ରାର୍ଥୀ ଜିତିପାରୁ ନାହାନ୍ତି । ତେଣୁ, ବିଜେପି ଏବେ ମିଳିତ ନେତୃତ୍ୱ କଥା କହିଲାଣି । ୨୦୨୪ ନିର୍ବାଚନରେ କାହାରିକୁ ‘ମୁଖ୍ୟମନ୍ତ୍ରୀ ମୁହଁ’ ନକରି ଦଳ ନିର୍ବାଚନକୁ ଯିବ ଏବଂ ପ୍ରଥମେ ନିର୍ବାଚିନ ଜିତି ଦଳ କ୍ଷମତାକୁ ଆସିଲେ କିଏ ମୁଖ୍ୟମନ୍ତ୍ରୀ ହେବ ବିଚାର କରାଯିବ । ବୋଧହୁଏ ଧର୍ମେନ୍ଦ୍ର ଏହା କହିବାକୁ ଚାହିଁଛନ୍ତି । କେବଳ ଓଡ଼ିଶା ପାଇଁ ନୁହେଁ, ଚଳିତ ବର୍ଷ ହେବାକୁ ଥିବା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଂଗାନା ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ବିଜେପି ଏହି ରଣନୀତି ଆପଣାଉ ଥିବା ସୂଚନା ମିଳୁଛି ।
ଗତ ମେ’ ମାସରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହୋଇଥିଲା । ବିଜେପି କ୍ଷମତାରେ ଥିବାରୁ ନିର୍ବାଚିନ ଜିତି ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଆଶା ରଖିଥିଲା । ତେବେ, ବିରୋଧୀ କଂଗ୍ରେସ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ସରକାରଙ୍କ ବିରୋଧରେ ଗୁରୁତର ଦୁର୍ନୀତି (୪୦ ପ୍ରତିଶତ ପିସି) ଅଭିଯୋଗ ଆଣି ବିଜେପିର ଅଡୁଆ ବଢାଇ ଥିଲା । ଏଥିରୁ ମୁକୁଳିବା ପାଇଁ ବିଜେପି ରାଷ୍ଟ୍ରୀୟ ନେତୃତ୍ୱ ମୁଖ୍ୟମନ୍ତ୍ରୀ ବୋମାଇଙ୍କୁ ନିର୍ବାଚନ ପ୍ରଚାରରୁ ପାରୁପର୍ଯ୍ୟନ୍ତ ଦୂରେଇ ରଖିଥିଲେ ମଧ୍ୟ ଦଳ କ୍ଷମତାକୁ ଫେରିଲେ ବୋମାଇ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଗୁଆ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ କର୍ଣ୍ଣାଟକରେ ଦଳର ମାରାଥନ ପ୍ରଚାର କରିବା ପରେ ମଧ୍ୟ ବିଜେପି ହାରିଲା । ବିଜେପି କ୍ଷମତାରେ ଥିବା ଦକ୍ଷିଣ ଭାରତର ଏହି ଏକମାତ୍ର ରାଜ୍ୟ ହାତଛଡା କରିବା ପରେ ତାହାର ରଣନୀତି ବଦଳାଇବାକୁ ବାଧ୍ୟ ହୋଇଛି ।
ଇତିମଧ୍ୟରେ, ତାମିଲନାଡୁର ଅନ୍ୟତମ ପ୍ରଭାବଶାଳୀ ଆଂଚଳିକ ଦଳ ଏଆଇଏଡିଏମକେ ଏନଡିଏ ମେଂଟରୁ ଓହରି ଯାଇଛି । ଗତ ମଂଗଳବାର ଦିନ ଏଆଇଏଡିଏମକେ ନେତୃତ୍ୱ ଏହି ଘୋଷଣା କରିଛନ୍ତି, ଯାହାକି ବିଜେପି ପାଇଁ ବଡ ଝଟକା ହୋଇଛି । କେରଳରେ ବିଜେପିର ‘ହିନ୍ଦୁତ୍ୱ’ ଯାଦୁ କାମ କରୁ ନାହିଁ । ତାମିଲନାଡୁରେ କ୍ଷମତାରେ ଥିବା ଡିଏମକେ ସଂପୂର୍ଣ୍ଣ ‘ହିନ୍ଦୁତ୍ୱ’ ବିରୋଧୀ । ନିକଟରେ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ‘ସନାତନ’ ଧର୍ମକୁ କଟୁ ସମାଲୋଚନା କରି ଦେଶବ୍ୟାପୀ ସନାତନୀଙ୍କ କ୍ରୋଧର ଶିକାର ହୋଇଥିଲେ । ଏବେ ମଧ୍ୟ ଉଦୟନିଧିଙ୍କ ବୟାନକୁ ନେଇ ସନାତନ ଧର୍ମୀଙ୍କ କ୍ରୋଧ କମି ନାହିଁ । ତେବେ, ରାଜ୍ୟରେ ଏଆଇଏଡିଏମକେ ସହ ମେଂଟରେ ଥାଇ ବିଜେପି ତାମିଲନାଡୁ ରାଜନୀତିରେ ନିଜର ଯେଉଁ ଉପସ୍ଥିତି ଜାହିର କରୁଥିଲା ଏଆଏଡିଏମକେ ଏନଡିଏରୁ ଓହରି ଯିବା ପରେ ସେଥିରୁ ମଧ୍ୟ ବଂଚିତ ହୋଇଛି ।
ଏଆଇଏଡିଏମକେ ୨୦୧୯ ନିର୍ବାଚନ ସମୟରେ ବିଜେପି ସହ ମେଂଟରେ ରହିବାରୁ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଦଳର ନେତାମାନେ ଅଭିଯୋଗ କରିବା ସହ ବିଜେପି ସହ ସଂପର୍କ ଛିନ୍ନ କରିଛନ୍ତି । ଦଳ ଆଗକୁ ଏକାକୀ ନିର୍ବାଚନ ମଇଦାନରେ ରହିବ କି ଅନ୍ୟ କୌଣସି ମେଂଟରେ ସାମିଲ ହେବ, ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ୨୮ ବିରୋଧୀ ଦଳର ମେଂଟ ‘ଇଣ୍ଡିଆ’ରେ ଡିଏମକେ ରହିଛି । ଦ୍ରାବିଡୀୟ ରାଜନୀତିରେ ଡିଏମକେ ଓ ଏଆଇଏଡିଏମକେ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବାରୁ ଏଆଇଏଡିଏମକେ ଏକ ତୃତୀୟ ମେଂଟ ଗଠନ ସପକ୍ଷରେ ଥିବା ଆଲୋଚନା ହେଉଛି । ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ବିଆରଏସ୍ (ଭାରତ ରାଷ୍ଟ୍ର ସମିତି) ବିଜେପିର ଦୃଢ ବିରୋଧୀ ହୋଇଥିବାରୁ ଓ ଏପର୍ଯ୍ୟନ୍ତ ‘ଇଣ୍ଡିଆ’ ମେଂଟରେ ସାମିଲ ହୋଇନଥିବାରୁ କେସିଆରଙ୍କ ନେତୃତ୍ୱରେ ତୃତୀୟ ମେଂଟ ଗଠନ ସମ୍ଭାବନା ପ୍ରତି ଏଆଇଏଡିଏମକେର ନଜର ରହିଛି ।
ତେବେ, ଅନ୍ୟ ତିନିଟି ହିନ୍ଦିଭାଷୀ ରାଜ୍ୟ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ ସହ ଚଳିତ ବର୍ଷ ଶେଷ ଆଡକୁ ତେଲେଂଗାନା ବିଧାନସଭା ନିର୍ବାଚନ ମଧ୍ୟ ହେବ । ତେଲେଂଗାନାରେ ମୁଖ୍ୟମନ୍ତ୍ରୀ ରାଓ ଉଭୟ ବିଜେପି ଓ କଂଗ୍ରେସ ଆଡୁ ଦୃଢ ବିରୋଧର ସମ୍ମୁଖୀନ ହେଉଛନ୍ତି । ତେଣୁ, ସେ ଗଡ ରକ୍ଷା ପାଇଁ ବ୍ୟସ୍ତ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ତୃତୀୟ ମେଂଟ କଥା ଚିନ୍ତା କରିପାରନ୍ତି । ସବୁ ନିର୍ଭର କରୁଛି ତେଲେଂଗାନା ବିଧାନସଭା ନିର୍ବାଚନ ଫଳାଫଳ ଉପରେ । ଏଭଳି ଏକ ଗୋଳମାଳିଆ ପରିସ୍ଥିତିରେ ବିଜେପି ନିର୍ବାଚନ ହେବାକୁ ଥିବା ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ କିଏ ହେବ’ ତାହା ଆଗୁଆ ଘୋଷଣା ନକରି ନିର୍ବାଚନ ମଇଦାନକୁ ଯିବାକୁ ରଣନୀତି ପ୍ରସ୍ତୁତ କରିଥିବା ଜାତୀୟସ୍ତରରେ ଚର୍ଚ୍ଚା ହେଉଛି । କର୍ଣ୍ଣାଟକ ଅଭିଜ୍ଞତାକୁ ଆଖିରେ ରଖି ଦଳ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ଦଳୀୟ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ, ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଜଣକୁ ‘ମୁଖ୍ୟମନ୍ତ୍ରୀ’ ପ୍ରାର୍ଥୀ ଭାବେ ଉପସ୍ଥାପନ କଲେ ଅନ୍ୟ ଆଶାୟୀମାନେ ଯେତେ ଫଳପ୍ରଦ ହେବା କଥା ହେଉ ନାହାନ୍ତି । ତେଣୁ, ନିର୍ବାଚନ ହେବାକୁ ଥିବା ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ମୁହଁ’ ଭାବେ କାହାରିକୁ ଉପସ୍ଥାପନ ନ କରି ଦଳ ନିର୍ବାଚନକୁ ଯିବ ଓ ବହୁ ସଂଖ୍ୟାରେ କେନ୍ଦ୍ରୀୟ ନେତାଙ୍କୁ ରାଜ୍ୟ ବିଧାନସଭା ପାଇଁ ପ୍ରାର୍ଥୀ କରି ମୁଖ୍ୟମନ୍ତ୍ରୀ ଆଶାୟୀଙ୍କ ମଧ୍ୟରେ ଏକ ପ୍ରତିଦ୍ୱନ୍ଦ୍ୱିତାର ବାତାବରଣ ସୃଷ୍ଟି କରିବ ବୋଲି ରଣନୀତି ପ୍ରସ୍ତୁତ କରିଥିବା ନିକଟରେ ମଧ୍ୟପ୍ରଦେଶ ପାଇଁ ଘୋଷିତ ଆଂଶିକ ପ୍ରାର୍ଥୀ ତାଲିକାରୁ ସୂଚନା ମିଳୁଛି । ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନାମ ଦଳ ପକ୍ଷରୁ ଘୋଷିତ ଦୁଇ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇ ନାହିଁ ।
ଏହାର ଅର୍ଥ ନୁହେଁ, ୬୪ ବର୍ଷ ବୟସ୍କ ମୁଖ୍ୟମନ୍ତ୍ରୀ ଚୌହାନଙ୍କୁ ବିଜେପି ଆସନ୍ତା ନିର୍ବାଚନରେ ପ୍ରାର୍ଥୀ କରିବ ନାହିଁ । କିନ୍ତୁ, ମୁଖ୍ୟମନ୍ତ୍ରୀ ମୁହଁ କରିନପାରେ । ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରକାଶିତ ପ୍ରାର୍ଥୀ ତାଲିକାରେ ଚାରି ଜଣ ସାଂସଦ, ତିନି ଜଣ କେନ୍ଦ୍ର ମନ୍ତ୍ରୀ ଓ ବିଜେପି ଜାତୀୟ ସାଧାରଣ ସଂପାଦକ କୈଳାଶ ବିଜୟବର୍ଗୀଙ୍କ ନାମ ରହିଛି । ଏହି ନେତାଙ୍କ ମଧ୍ୟରୁ କେହିବି ଜଣେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ବିଜେପି ରାଷ୍ଟ୍ରୀୟ ନେତୃତ୍ୱ ରାଜ୍ୟରେ ପ୍ରତିଦ୍ୱନ୍ଦ୍ୱିତାରେ ଥିବା ଦଳୀୟ ନେତାଙ୍କୁ ଏଭଳି ଏକ ସଂକେତ ଦେବାକୁ ଉଦ୍ୟମ କରିଥିବା ଦଳର ଆଭ୍ୟନ୍ତରୀଣ ସୂତ୍ରରୁ ସୂଚନା ମିଳୁଛି ।
ମଧ୍ୟ ପ୍ରଦେଶରେ କଂଗ୍ରେସ ହେଉଛି ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ । କଂଗ୍ରେସ ଦଳ ୨୦୧୮ରେ କ୍ଷମତାକୁ ଆସିଥିଲେ ମଧ୍ୟ ଗୋଟିଏ ବର୍ଷ ତିଷ୍ଠି ଥିଲା । ଦଳରେ ଆଭ୍ୟନ୍ତରୀଣ ବିବାଦରୁ କମଳନାଥ ସରକାରଙ୍କ ପତନ ଘଟିବା ପରେ ପୁନର୍ବାର ଶିବରାଜ ସିଂହ ଚୌହାନଙ୍କ ହାତକୁ କ୍ଷମତା ଯାଇଥିଲା । ଗଲା ଚାରି ବର୍ଷ ମଧ୍ୟରେ ରାଜ୍ୟରେ ବିଜେପି ସରକାରଙ୍କ ବିରୋଧରେ ଜନଅସନ୍ତୋଷ ବଢିଛି । ତାହର ମୁକାବିଲା ପାଇଁ ଦଳ ‘ମିଳିତ ନେତୃତ୍ୱ’ ଏବଂ ମୋଦୀ ସରକାରଙ୍କ ଉପଲବ୍ଧୀକୁ ଅସ୍ତ୍ର କରିବାକୁ ଚାହୁଁଛି । ସେହିଭଳି, ରାଜସ୍ଥାନ ପାଇଁ ମଧ୍ୟ ବିଜେପି ତାହାର ନିର୍ବାଚନ ରଣନୀତି ପ୍ରସ୍ତୁତ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ (୭୦)ଙ୍କୁ ପଛକୁ ଠେଲି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓ ଅର୍ଜୁନ ରାମ ମେଘୱାଲଙ୍କୁ ସାମ୍ନାକୁ ଆଣୁଥିବା ସୂଚନା ମିଳୁଛି ।
ଏହାଛଡା, ରାଜସ୍ଥାନରେ ରାଜ୍ୟସଭା ସାଂସଦ ଡକ୍ଟର କ୍ଷୀରୋଦ ଲାଲ ମୀନା, ଲୋକସଭା ସଦସ୍ୟ ଦିୟା କୁମାର, ରାଜ୍ୟବର୍ଦ୍ଧନ ସିଂହ ରାଠୋର ଓ ସୁଖବୀର ସିଂହ ଯୋନପୁରିଆ ବିଧାନସଭାକୁ ପ୍ରାର୍ଥୀ କରାଯାଉଥିବା ସୂଚନା ମିଳୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ରାଜ ପରିବାର ସଦସ୍ୟ ଏବଂ ବିଜେପିର ଜଣେ ବଡ ନେତା । ତାଙ୍କୁ ଦଳ କୋଣଠେସା କରିବା ଦ୍ୱାରା ବିଜେପିରେ ଅସନ୍ତୋଷ ରହିଛି । ତବେ, ରାଜେଙ୍କୁ ନେତୃତ୍ୱ ଦେଲେ ବିଜୟ ଆଶା କ୍ଷୀଣ ବୋଲି ବିଜେପି ନେତୃବର୍ଗ ଆଶଙ୍କା କରୁଥିବାରୁ ନୂଆ ଖେଳ ଖେଳୁଛନ୍ତି । ରାଜ୍ୟରେ ଗତ ପାଂଚ ବର୍ଷ ହେଲା କଂଗ୍ରେସ ସରକାର ରହିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ଓ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଯେଉଁ କ୍ଷମତାକନ୍ଦଳ ଚାଲିଛି ସେଥିରୁ ବିଜେପି ଫାଇଦାରେ ରହିବ ବୋଲି ଆଶା କରୁଛି ।
ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଗେହେଲୋଟ ଓ ପୁର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଯେଉଁ ରାଜନୈତିକ ଯୁଦ୍ଧ ଚାଲି ଆସିଛି ତାହା କଂଗ୍ରେସକୁ ‘ବ୍ୟାକଫୁଟ୍’ରେ ରଖିଛି । ବିଭିନ୍ନ କାରଣରୁ ଗେହେଲୋଟ ସରକାରଙ୍କ ବିରୋଧରେ ମଧ୍ୟ ପ୍ରବଳ ଜନଅସନ୍ତୋଷ ରହିଛି । ତେବେ, ମୁଖ୍ୟମନ୍ତ୍ରୀ ମତଦାତାଙ୍କୁ ପ୍ରଲୋଭିତ କରିବା ସକାଶେ ବିଭିନ୍ନ ଯୋଜନା ଘୋଷଣା କରି ନିର୍ବାଚନ ବୈତରଣୀ ପାରି ହେବାକୁ ଜୋରଦାର ଉଦ୍ୟମ କରୁଛନ୍ତି । କଂଗ୍ରେସ ନେତୃତ୍ୱ ମଧ୍ୟ ଇତିମଧ୍ୟରେ ଦଳର ଯୁବ ନେତା ସଚିନ ପାଇଲଟଙ୍କୁ କଂଗ୍ରେସ ଜାତୀୟ କାର୍ଯ୍ୟକରୀଣୀ (ସିଡବ୍ଲୁସି)ରେ ସ୍ଥାନ ଦେଇ ଅସନ୍ତୋଷକୁ ପ୍ରସମିତ କରିବାକୁ ପ୍ରୟାସ କରିଛନ୍ତି । ତେବେ, ଏହା କଂଗ୍ରେସ ପାଇଁ ନିର୍ବାଚନ ଜିତିବାରେ କେତେଦୂର ସହାୟକ ହେବ ଏବଂ ଦୁଇ ଗୋଷ୍ଠୀର ସମର୍ଥକ କେତେଦୂର ମିଳିମିଶି କାର୍ଯ୍ୟ କରିବେ ତାହା ଆଗକୁ ଜଣାପଡିବ ।
ଛତିଶଗଡ ପାଇଁ ବିଜେପି ଭିନ୍ନ ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳୁଛି । ରାଜ୍ୟରେ କଂଗ୍ରେସ ସରକାର ରହିଛି ଏବଂ ଭୂପେଶ ବାଘେଲା ମୁଖ୍ୟମନ୍ତ୍ରୀ ଅଛନ୍ତି । ବିଜେପି ଛତିଶଗଡ଼ ନିର୍ବାଚନକୁ ବାଘେଲା ବନାମ ବାଘେଲା କରିବାକୁ କ୍ଷେତ୍ର ପ୍ରସ୍ତୁତ କରିଛି । ମୁଖ୍ୟମନ୍ତ୍ରୀଙ୍କ ପୁତୁରା ବିଜୟ ବାଘେଲା ବିଜେପିର ଲୋକସଭା ସଦସ୍ୟ ଅଛନ୍ତି । ଦୁଇ ବାଘେଲାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଦୁର୍ଗ ଜିଲ୍ଲା ପଟନ ଆସନରେ ମୁହାଁମୁହିଁ କରୁଥିବା ଜଣାପଡିଛି । ଏହାଛଡା, କେନ୍ଦ୍ର ମନ୍ତ୍ରୀ ରେଣୁକା ସିଂହ ଓ ରାଜ୍ୟସଭା ଏମପି ସରୋଜ ପାଣ୍ଡେଙ୍କୁ ମଧ୍ୟ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରମଣ ସିଂହଙ୍କୁ ନେଇ ଦଳ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରି ନାହାନ୍ତି ।
ଦକ୍ଷିଣ ଭାରତରେ ନିଜର ଉପସ୍ଥିତିକୁ ଗୁରୁତ୍ୱ ଦେଉଥିବା ପ୍ରଧାନମନ୍ତ୍ରୀ ମୋଦୀ ତେଲେଂଗାନାରେ ନଭେମ୍ବର ଆଡକୁ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ରାଜ୍ୟ ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଜି. କ୍ରୀଷ୍ଣା ରେଡ୍ଡୀଙ୍କୁ ସାମ୍ନାକୁ ଆଣୁଥିବା ବେଳେ ଦଳର ଲୋକସଭା ସାଂସଦ ବାଂଦି ସଂଜୟ କୁମାର, ଅରବିନ୍ଦ ଧର୍ମପୁରୀ (ଦୁହେଁ ଓବିସିରୁ ପ୍ରତିନିଧିତ୍ୱ କରୁଛନ୍ତି) ଏବଂ ରାଜ୍ୟସଭା ସାଂସଦ ଡକ୍ଟର କେ.ଲକ୍ଷଣଙ୍କୁ ପ୍ରାର୍ଥୀ କରୁଥିବା ଅନୁମାନ କରାଯାଉଛି । ଉପରୋକ୍ତ ଚାରି ପ୍ରମୁଖ ରାଜ୍ୟ ସମେତ ଉତ୍ତର ପୂର୍ବାଂଚଳ ରାଜ୍ୟ ମିଜୋରାମରେ ଚଳିତ ବର୍ଷ ଶେଷ ଆଡକୁ ନିର୍ବାଚନ ହେବ । ତେବେ, ମିଜୋରାମ ପରିସ୍ଥିତି ସଂପୂର୍ଣ୍ଣ ଭିନ୍ନ । ଗତ ମେ’ ମାସରୁ ପଡୋଶୀ ରାଜ୍ୟ ମଣିପୁର ଜାତିଆଣ ହିଂସାରେ ଜଳୁଛି । ମଣିପୁରର କୁକି ଆଦିବାସୀ ଓ ମିଜୋ ସଂପ୍ରଦାୟ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । ମିଜୋରାମରେ ମଧ୍ୟ ତାହାର ପ୍ରଭାବ ରହୁଛି ।
ଉଭୟ ମଣିପୁର ଓ କେନ୍ଦ୍ରରେ ବିଜେପି ସରକାର ଥାଇ ସୁଦ୍ଧା ପାଖାପାଖି ୨୦୦ ଦିନ ହେଲା ମଣିପୁର ହିଂସାରେ ଜଳୁଥିବା, ଏହାକୁ ନିୟନ୍ତ୍ରଣ କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଥିବା ଏବଂ ମିଜୋରାମରେ ମଧ୍ୟ ଏହାର ପ୍ରଭାବ ରହିଥିବା ବିଜେପି ପାଇଁ ବଡ ସମସ୍ୟା ହୋଇଛି । ବିରୋଧୀ କଂଗ୍ରେସ ମଣିପୁର ହିଂସାକୁ ନେଇ କେନ୍ଦ୍ର ସରକାର, ବିଶେଷକରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସିଧାସଲଖ ଟାର୍ଗେଟ୍ କରୁଛନ୍ତି । ମେ’ ମାସରୁ ମଣିପୁରରେ ହିଂସାକାଣ୍ଡ ଘଟି ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି । ହଜାର ହଜାର ସଂଖ୍ୟାରେ ବାସଚ୍ୟୁତ ହୋଇ ରିଲିଫ କ୍ୟାଂପରେ ରହୁଛନ୍ତି । ଏକାଧିକ ଗଣଦୁର୍ଷ୍କମ ଅଭିଯୋଗ ମଧ୍ୟ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ମଣିପୁର ଯାଇ ଲୋକଙ୍କ କଥା ବୁଝିବାକୁ ଦିନଟିଏ ସମୟ ପାଇଲେ ନାହିଁ କି (?) ବୋଲି ବିରୋଧୀ ପ୍ରଶ୍ନ କରୁଛନ୍ତି । ଏଭଳି ସ୍ଥିତିରେ ମିଜୋରାମରେ ନିର୍ବାଚନ ନେଇ ଭାରତୀୟ ନିର୍ବାଚନ କମିଶନ କି ନିଷ୍ପତ୍ତି ନେବେ ଏବଂ ରାଜ୍ୟରେ ନିର୍ବାଚନ ହେଲେ ବିଜେପିର ରଣନୀତି କଣ ହେବ ତାହା ସ୍ପଷ୍ଟ ହେବାକୁ ସମୟ ଲାଗିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS