‘ପାଣ୍ଡିଆନ’ ପ୍ରସଙ୍ଗ ପଛକୁ ଗଲା, ‘ଡାଲି’କୁ ନେଇ ବିଧାନସଭା ଅଚଳ !
ପ୍ରସାଦ ରାଓ
ଭୁବନେଶ୍ୱର/ସେପ୍ଟେମ୍ବର ୩୦
ଓଡ଼ିଶା ବିଧାନସଭାରେ ‘ପାଣ୍ଡିଆନ’ ପ୍ରସଙ୍ଗ ପରେ ଏବେ ‘ଡାଲି’ ରାଜନୀତି ସରକାରଙ୍କୁ ଅଡୁଆରେ ପକାଇଛି । ରାଜ୍ୟରେ ବିଧାନସଭା ନିର୍ବାଚନ ପାଖଉ ଥିବାରୁ ବିଜେପି ସରକାର ବିରୋଧରେ ରକ୍ତମୁଖା ହୋଇଥିବା ୨୨ ତାରିଖରେ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବା ପରଠାରୁ ଦେଖିବାକୁ ମିଳୁଛି । ପ୍ରଥମେ ‘ପାଣ୍ଡିଆନ’ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବା ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ନିଜ ଆଡୁ ବିବୃତି ଦେଇ ବିରୋଧୀଙ୍କୁ ପାଲଟା ଆକ୍ରମଣ କରିବାରୁ ଏବଂ ରାଜ୍ୟ ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକ ମଧ୍ୟ ସରକାରଙ୍କ ପକ୍ଷଭୁକ୍ତ ରହି ବିରୋଧୀଙ୍କୁ ଗୃହରେ ପ୍ରଶ୍ନ କରିବାକୁ ସୁଯୋଗ ଦେଉନଥିବା ଅନୁଭବ କରିବାରୁ ବିରୋଧୀ ଏବେ ‘ପାଣ୍ଡିଆନ’ ପ୍ରସଙ୍ଗକୁ ପଛକୁ ଠେଲି ବାଚସ୍ପତିଙ୍କୁ ସିଧାସଳଖ ଆକ୍ରମଣ କରିବା ଆରମ୍ଭ କରିଛନ୍ତି ।
୧୨ ବର୍ଷ ତଳେ ରାଜ୍ୟରେ ଏମଡିଏ (ମିଡ୍-ଡେ ମିଲ୍) ଓ ଏସଏନପି (ସପ୍ଲିମେଂଟାରୀ ନ୍ୟୁଟ୍ରେସନ ପ୍ରୋଗ୍ରାମ) କାର୍ଯ୍ୟକ୍ରମ ପାଇଁ ହରଡ ଡାଲି କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିଲା । ବର୍ତ୍ତମାନ ରାଜ୍ୟ ବିଧାନସଭାର ବାଚସ୍ପତି ଥିବା ପ୍ରମିଳା ମଲ୍ଲିକ ୨୦୧୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଥିବା ସମୟରେ ବିଭାଗ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟଗୁଡିକରେ ଏହି ଦୁଇ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ‘ଡାଲି’ କିଣା ଯାଇଥିଲା । ବିଭାଗ ପକ୍ଷରୁ କିଣା ଯାଇଥିବା ହରଡ ଡାଲି ୫୦ ଲକ୍ଷ ସ୍କୁଲ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ ୯୫ ଲକ୍ଷ ହିତାଧିକାରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିଲା ।
ବିଭାଗ ପକ୍ଷରୁ କିଣା ଯାଇଥିବା ହରଡ ଡାଲି ୫୦ ଲକ୍ଷ ସ୍କୁଲ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ ୯୫ ଲକ୍ଷ ହିତାଧିକାରୀଙ୍କ ନିମନ୍ତେ କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ଥିଲା । ବିଭାଗ ୭୦୦ କୋଟି ଟଙ୍କାର ହରଡ ଡାଲି କିଣି ଥିଲା । ନିମ୍ନ ମାନର ପୋକଡା ଡାଲି କିଣାଯାଇ ବଜାର ଦରଠାରୁ ବହୁ ଅଧିକ ଦରରେ ବିଲ୍ କରାଯିବା ମାଧ୍ୟମରେ ବ୍ୟାପକ ଦୁର୍ନୀତି ହୋଇଥିବା ସେତେବେଳେ ବିଜେପି ନେତା ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଜୁଏଲ ଓରାମ ରାଜ୍ୟ ବିଜେପି ସଭାପତି ଥିଲେ ।
ଉଭୟ ଜୁଏଲ ଓରାମ ଓ ବିଜୟ ମହାପାତ୍ର ମିଳିତ ସାମ୍ବାଦିକ ସମ୍ମିଳନୀ କରି ଡାଲି କିଣାରେ ହୋଇଥିବା ଦୁର୍ନୀତିର ତଥ୍ୟ, ପ୍ରମାଣ ଉପସ୍ଥାପନ କରିବା ପରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏହାର ଭିଜିଲ୍ଲାନ୍ସ ତଦନ୍ତ ନିର୍ଦେଶ ଦେଇଥିଲେ । ଓଡ଼ିଶା ଭିଜିଲ୍ଲାନ୍ସ ବିଭାଗ ଡଲି କିଣା ଦୁର୍ନୀତିର ତଦନ୍ତ କରି ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକଙ୍କୁ କ୍ଲିନଚିଟ୍ ଦେଇଥିଲେ ମଧ୍ୟ ଭିଜିଲାନ୍ସ ରିପୋର୍ଟ ଆଧାରରେ ରାଜ୍ୟ ସରକାର ତତ୍କାଳୀନ ଦେବଗଡ ଜିଲ୍ଲାପାଳ ଅମ୍ବିକା ପ୍ରସାଦ ଦାସ ଓ ମୟୁରଭଂଜ ଜିଲ୍ଲାପାଳ ପ୍ରମୋଦ ମେହେର୍ଦ୍ଦାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ପାଇଁ ଭିଜିଲାନ୍ସକୁ ନିର୍ଦେଶ ଦେଇଥିଲେ ଓ ବାଲେଶ୍ୱର ଜିଲ୍ଲାପାଳ ମନିଷ ବର୍ମାଙ୍କୁ ଅନ୍ୟତ୍ର ବଦଳି କରିଥିଲେ ।
ପ୍ରମିଳା ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ଇସ୍ତଫାପତ୍ର ଦେଇଥିଲେ ।
ସେତେବେଳେ ପ୍ରମିଳା କହିଥିଲେ, ଭିଜିଲାନ୍ସ ତଦନ୍ତରେ ତାଙ୍କୁ କ୍ଲିନଚିଟ୍ ମିଳିଥିଲେ ମଧ୍ୟ ସେ ବିଜୁ ଜନତା ଦଳ (ବିଜେଡ଼ି) ଓ ରାଜ୍ୟ ସରକାରଙ୍କୁ କଳଙ୍କମୁକ୍ତ ରଖିବା ପାଇଁ ନୈତିକତା ଦୃଷ୍ଟିରୁ ରାଜ୍ୟ ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେଇଛନ୍ତି । ଇତିମଧ୍ୟରେ ୨୦୧୧ରେ ହୋଇଥିବା ଡାଲି କିଣା ଦୁର୍ନୀତିକୁ ଓଡ଼ିଶାବାସୀ ଭୁଲି ଯାଇଥିବା ବେଳେ ଚଳିତ ବିଧାନସଭା ଅଧିବେଶନରେ ତାହା ପୁଣି ଥରେ ଜୀବନ୍ତ ହୋଇଛି । ଶ୍ରୀମତୀ ମଲ୍ଲିକ ହେଉଛନ୍ତି ବିଜେଡ଼ିର ଜଣେ ଆଗ ଧାଡିର ନେତା । ସେ ନିକଟରେ ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହେବା ପୂର୍ବରୁ ରାଜ୍ୟର ରାଜସ୍ୱ ମନ୍ତ୍ରୀ ଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜସ୍ୱ ମନ୍ତ୍ରୀ କରିବା ପରେ ୨୦୧୧ର ଡାଲି କିଣା ଦୁର୍ନୀତି ନେଇ ଯେଉଁ ମୃଦୁ ଗୁଂଜରଣ ହେଉଥିଲା ତାହା ସାମାଜିକ ଗଣମାଧ୍ୟମରେ ସୀମିତ ଥିଲା । ତେବେ, ସେ ବାଚସ୍ପତି ହେବା ପରେ ବିଜେପି ସେ ପୁରୁଣା ଅଭିଯୋଗକୁ ଉଠାଇ ଗୃହରେ ତାଙ୍କୁ ଘେରିବାକୁ ଉଦ୍ୟମ କରିଛି ।
ଗତ ଗୁରୁବାର ଦିନ ବିଜେପିର ଦୁଇ ଜଣ ବରିଷ୍ଠ ବିଧାୟକ ମୋହନ ମାଝୀ (ବିରୋଧୀ ଦଳ ମୁଖ୍ୟ ସଚେତକ) ଓ ମୁକେଶ ମହାଲିଙ୍ଗ ବାଚସ୍ପତି ବିରୋଧୀ ବିଧାୟକଙ୍କୁ ପ୍ରଶ୍ନ କରିବାକୁ ସୁଯୋଗ ଦେଉନଥିବା ଅଭିଯୋଗ କରି ବାଚସ୍ପତି ଶ୍ରୀମତୀ ମଲ୍ଲିକଙ୍କ ପୋଡିୟମ ଉପରକୁ ପ୍ୟାକେଟ ପ୍ୟାକେଟ ଡାଲି ଫିଙ୍ଗିବାରୁ ବାଚସ୍ପତି ସେମାନଙ୍କୁ ଚଳିତ ବିଧାନସଭା ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ଗୃହରୁ ନିଲମ୍ବିତ କରିଛନ୍ତି । ଡାଲି ଫିଙ୍ଗା ଘଟଣା ଉପରେ ବିଜେଡ଼ି ବିଧାୟକ ଅରୁଣ ସାହୁ ସଂପୃକ୍ତ ବିଜେପି ବିଧାୟକ ଓ ବିରୋଧୀ ଦଳ ନେତାଙ୍କ ପ୍ରତି ଦେଇଥିବା ଆକ୍ଷେପମୂଳକ ମନ୍ତବ୍ୟକୁ ଗୃହର ବିବରଣୀରୁ ବାଦ୍ ଦେବାକୁ ବିଜେପି ବିଧାୟକମାନ ଅଡି ରହିଥିବା ବେଳେ ତାହା ନହେବା ଏବଂ ବାଚସ୍ପତିଙ୍କ ପାଡିୟମକୁ ଡାଲି ଫିଙ୍ଗା ଘଟଣାରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ ରଖି ବିରୋଧୀଙ୍କୁ ଚେତାବନୀ ଦେବା ବିରୋଧୀଙ୍କୁ ଅଧିକ କ୍ଷୁବ୍ଧ କରିଛି ।
ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ତାଙ୍କ ବିବୃତିରେ କହିଥିଲେ, ଯେଉଁମାନେ ଉପଯୁକ୍ତ ଭାବେ ଜନତାର ସେବା କରିବେ ସେମାନେ ଗୃହକୁ ଫେରିବେ ଏବଂ ଯେଉଁମାନେ ଅପରାଧକୁ ନେଇ ରାଜନୀତି କରିବେ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ବିକାଶରେ ପ୍ରତିବନ୍ଧକ ହେବେ ସେମାନେ ଗୃହକୁ ଫେରି ପାରିବେ ନାହିଁ । ବିରୋଧୀ କିଭଳି ଭାବେ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ତାହା ଜନତା ଦେଖୁଛନ୍ତି । ବିରୋଧୀ ପ୍ରତିବନ୍ଧକ ସୃଷ୍ଟି କରିବା ସତ୍ତ୍ୱେ ରାଜ୍ୟ ସରକାର ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ଦିଗରେ ଆଗକୁ ମାଡି ଯିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟ ବିରୋଧୀଙ୍କୁ ଧମକ ଦେବା ଭଳି ହୋଇଛି ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଗତକାଲି ବିଧାନସଭାରେ ପ୍ରତିକ୍ରିୟା ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୟାରେ କେହି ଗୃହକୁ ନିର୍ବାଚିତ ହେଉ ନାହାନ୍ତି, ଭୋଟରଙ୍କ କୃପାରୁ ନିର୍ବାଚିତ ହେଉଛନ୍ତି ବୋଲି ପାଳଟା ଜବାବ ରଖିଛନ୍ତି ।
ଆଜି ମଧ୍ୟ ବିଧାନସଭାରେ ‘ଡାଲି’ ପ୍ରସଙ୍ଗ ଛାଇ ରହିଛି । ଗୁରୁବାର ଦିନ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ବିଧାନସଭା ଅଧିବଶେନ ସରିବା ପର୍ଯ୍ୟନ୍ତ ନିଲମ୍ବିତ ହୋଇଥିବା ଦୁଇ ବିଜେପି ବିଧାୟକ ମୋହନ ଚରଣ ମାଝୀ ଓ ମୁକେଶ ମହାଲିଙ୍ଗଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନିଆଯିବା ଏବଂ ବିଧାନସଭାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ବିଧାୟକ ଅରୁଣ ସାହୁ ଦେଇଥିବା ନକାରାତ୍ମକ ମନ୍ତବ୍ୟ ଗୃହର ବିବରଣୀରୁ ବାଦ ଦିଆଯିବା ଦାବିରେ ବିଜେପି ବିଧାୟକାମାନେ ଆଜି ପ୍ରଶ୍ନ କାଳ ଆରମ୍ଭରୁ ଗୃହର ମଧ୍ୟଭାଗକୁ ଯାଇ ଶାସକ ଦଳ ବିରୋଧରେ ସ୍ଲୋଗାନ ଦେବା ସହ ପ୍ରବଳ ହଟ୍ଟଗୋଳ କରିଥିଲେ । ଫଳରେ, ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ ।
ବିଜେଡ଼ି ବିଧାୟକ ଅରୁଣ ସାହୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ‘ମାନସିକ ଭାରସାମ୍ୟ ହରାଇ ବସିଥିବା’ ନେଇ ଯେଉଁ ପରୋକ୍ଷ ଆକ୍ଷେପ କରିଛନ୍ତି ତାହା ଗୃହ ବିବରଣୀରୁ ବାଦ୍ ଦିଆଯିବା ବିଜେପି ବିଧାୟକମାନେ ଦାବି କରୁଛନ୍ତି । ଦଳର ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗଙ୍କ ବିରୋଧରେ ହୋଇଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯିବା ମଧ୍ୟ ସେମାନଙ୍କ ଅନ୍ୟତମ ଦାବି ରହିଛି । ବିଜେପି ବିଧାୟକମାନଙ୍କ ଦାବି ଅଗ୍ରାହ୍ୟ ହୋଇଯିବାରୁ ଆଜି ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।
ଓଡ଼ିଶା ବିଧାନସଭାର ଚଳିତ ମୌସୁମୀ ଅଧିବେଶନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କ ପ୍ରତି ବିରୋଧୀଙ୍କ ଆକ୍ରମଣରୁ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ରାଜ୍ୟରେ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ପ୍ରଶାସକମାନଙ୍କୁ ଅଣଦେଖା କରି ନିଜ ବ୍ୟକ୍ତିଗତ ସଚିବ (୫-ଟି ସଚିବ)ଙ୍କ ହାତରେ ରାଜ୍ୟର ଶାସନ ଭାର ସମର୍ପି ଦେଇଥିବା ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ଅଭିଯୋଗ କରି ପ୍ରଥମ ଦୁନ ଦିନ ଅଚଳାବସ୍ଥା ସୃଷ୍ଟି କରିଥିଲେ । ମୁଖ୍ୟମନ୍ତ୍ରୀ ଗୃହରେ ଏହାର ଉତ୍ତର ରଖିବା ଏମଏସପି (କୃଷି ଉତ୍ପାଦନର ଲାଭଜନକ ମୂଲ୍ୟ) ପ୍ରସଙ୍ଗକୁ ନେଇ ଗୃହରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ହଟ୍ଟଗୋଳ ହୋଇଥିଲା । ବାଚସ୍ପତି ଶାସକ ଦଳ ସହ ପକ୍ଷଭୁକ୍ତ ରହୁଥିବା ଏବଂ ସେମାନଙ୍କୁ ପ୍ରଶ୍ନ କରିବାକୁ ସୁଯୋଗ ଦେଉନଥିବା ଅଭିଯୋଗ କରି ଗୁରୁବାରରୁ ବାଚସ୍ପତିଙ୍କୁ ସିଧାସଳଖ ଆକ୍ରମଣ କରିବା ଆରମ୍ଭ କରିଛନ୍ତି ।
୨୦୧୧ ଜାନୁୟାରୀ ୨୭ ତାରିଖ ଦିନ ବିଜେପି ନେତା ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି ସୁପ୍ରିମ କୋର୍ଟ ଓ ହାଇକୋର୍ଟଙ୍କ ନିର୍ଦେଶ ସତ୍ତ୍ୱେ ରାଜ୍ୟ ସରକାରଙ୍କ ମହିଳା ଓ ଶୁଶୁ ବିକାଶ ବିଭାଗ ପ୍ରାଥମିକ ସ୍କୁଲରେ ଏମଡିଏମ ଓ ଏସନପି କାର୍ଯ୍ୟକ୍ରମ ପରିଚାଳନା ପାଇଁ ନିମ୍ନମାନର ଡାଲି କିଣିଥିବା ଏବଂ ବଜାରରେ ଡାଲି ଦର କିଲୋ ୩୬ରୁ ୪୪ ଟଙ୍କାରେ ଥିବା ସମୟରେ ବିଭାଗ ଜିଲ୍ଲାପାଳଙ୍କ ମାଧ୍ୟମରେ କିଲୋ ୭୫ ଟଙ୍କାରେ କିଣି କିଲୋପିଛା ପାଖାପାଖି ୪୦ଟଙ୍କା ଲେଖାଏଁ ବାଟମାରଣା କରିଥିବା ଅଭିଯୋଗ କରିଥିଲେ । ସେହି ସମୟରେ ବିଜେପି ରାଜ୍ୟ ସଭାପତି ଥିବା ଜୁଏଲ ଓରାମ ମଧ୍ୟ ବିଜୟଙ୍କ ସହ ସାମ୍ବାଦିକ ସମ୍ମିଳନୀ କରି ଦେବଗଡ, ମୟୁରଭଂଜ ଓ ବାଲେଶ୍ୱର ଜିଲ୍ଲାପାଳଙ୍କ ବିରୋଧରେ ତଥ୍ୟ, ପ୍ରମାଣ ଉପସ୍ଥାପନ କରିଥିଲେ ।
କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଭିନ୍ନ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ୩୦ରୁ ୨୭ ଜିଲ୍ଲାରେ ଡାଲି କିଣା ଦୁର୍ନୀତି ହୋଇଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ନିରବତାକୁ ଆକ୍ଷେପ କରିଥିଲେ । ମୁଖ୍ୟମନ୍ତ୍ରୀ ନିର୍ଦେଶରେ ଡାଲି କିଣା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ହୋଇଥିଲା । ଭିଜିଲାନ୍ସ ବିଭାଗ ଡାଲି କିଣା ଦୁର୍ନୀତିରେ ତତ୍କାଳୀନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକଙ୍କୁ କ୍ଲିନଚିଟ୍ ଦେଇଥିଲେ ସୁଦ୍ଧା ୧୨ ବର୍ଷ ପରେ ତାହା ମଲ୍ଲିକଙ୍କ ପାଇଁ ‘ତଂଟିରେ କଂଟା’ ସାଜିଛି । ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ଦୁଇ ବିଜେପି ବିଧାୟକ ନିଲମ୍ବିତ ହେବା ପରେ ରାଜନୀତି ସରଗରମ ହୋଇଥିବା ବେଳେ ବିଜେଡ଼ି ତାହାର କିଭଳି ମୁକାବିଲା କରୁଛି ଦେଖିବା ସମୟ ଆସିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS