୨୦୨୪ରେ ଖଲ୍ଲିକୋଟରୁ ବିଜେଡ଼ି ପ୍ରାର୍ଥୀ କିଏ ?
ମାଧବ ଚନ୍ଦ୍ର ବେହେରା
ଖଲ୍ଲିକୋଟ
ଅକ୍ଟୋବର ୦୧
ଗଂଜାମ ଜିଲ୍ଲାର ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ସ୍ୱାମୀ ଦୈତାରୀ ବେହେରାଙ୍କ ବିରୋଧରେ କୋଦଳା ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ପରେ ବିଜେଡ଼ିର ଅଡୁଆ ବଢିଛି । ଗୁରୁବାର ରାତିରେ ସୁନିଲ ନାହାକ (୪୨) ନାମକ ଜଣେ ଦୁର୍ଦ୍ଦାନ୍ତ ଯୁବକକୁ ଦାନପୁର ଗ୍ରାମରେ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାରେ ପୁଲିସ ୪ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ଏତଲାରେ ଦୈତାରୀଙ୍କ ନାମ ରହିଛି । ମୃତ ସୁନୀଲ ଜଣେ ହିଷ୍ଟ୍ରିସିଟର୍ ଏବଂ ତାଙ୍କ ବିରୋଧରେ ୩୩ଟି ଆପରାଧୀକ ମାମଲା ଥିବା ପୁଲସ କହିଛନ୍ତି । ପୁଲିସ ଏହି ହତ୍ୟା ମାମଲାରେ ଦୁଇ ଜଣଙ୍କୁ ଗିରଫ କଲାଣି । ତେବେ, ଦୈତାରୀଙ୍କୁ ଗିରଫ କରିନି । ତଥାପି, ଅଭିଯୁକ୍ତ ତାଲିକାରେ ଖଲ୍ଲିକୋଟ ପଂଚାୟତ ସମିତି ଅଧ୍ୟକ୍ଷ ଦୈତାରୀଙ୍କ ନାମ ଥିବାରୁ ବିଧାୟିକା ସୂର୍ଯ୍ୟମଣୀଙ୍କ ଅଡୁଆ ବଢିବା ନିଶ୍ଚିତ ହୋଇଯାଇଛି ।
ରାଜନୈତିକ ଦୃଷ୍ଟିରୁ ଗଂଜାମ ଜିଲ୍ଲାର ଖଲ୍ଲିକୋଟ ହେଉଛି ଏକ ସ୍ପର୍ଶକାତର ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ସଂଖ୍ୟାଲଘୁ ଜାତି ସଂରକ୍ଷିତ ହେବା ପୂର୍ବରୁ ଖଲ୍ଲିକୋଟ ରାଜ ପରିବାରର ନିୟନ୍ତ୍ରଣରେ ଥିଲା । ୧୯୫୧ ଓ ୧୯୬୧ରେ ଖଲ୍ଲିକୋଟ ମହାରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ପ୍ରଥମେ ସ୍ୱାଧୀନ ଓ ପରେ କଂଗ୍ରେସ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୫୭ ଓ ୧୯୬୭ରେ ନାରାୟଣ ସାହୁ ପ୍ରଥମେ ସ୍ୱାଧୀନ ଓ ପରେ ସଂଯୁକ୍ତ ସୋସାଲିଷ୍ଟ ପାର୍ଟି ସଦସ୍ୟ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ । ୧୯୭୧ ଓ ୧୯୮୦ରେ ତ୍ରିନାଥ ସାମନ୍ତରା ପ୍ରଥମେ ଉତ୍କଳ କଂଗ୍ରେସ ଓ ପରେ କଂଗ୍ରେସରୁ ବିଧାନସଭାକୁ ଯାଇଥିଲେ । ତେବେ, ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସର୍ବାଧିକ ଥର ବିଧାନସଭାକୁ ନିର୍ବାଚିତ ହେବା ରେକର୍ଡ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ରହିଛି । ଶ୍ରୀମତୀ ଦେଓ ଖଲ୍ଲିକୋଟ ଆସନରୁ ୧୯୭୪ରେ ଉତ୍କଳ କଂଗ୍ରେସ ଓ ୧୯୭୭ରେ ଜନତା ପାର୍ଟି ପ୍ରାର୍ଥୀ ଟିକଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ୧୯୮୦ରେ ବିଧାୟକ ତ୍ରିନାଥ ସାମନ୍ତରାଙ୍କଠାରୁ ପରାଜିତ ହୋଇଥିଲେ । ପରେ, ୧୯୮୫ରୁ ୨୦୦୪ ଲଗାତର ଖଲ୍ଳକୋଟ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୧୯୮୫ରେ ଜନତା ପାର୍ଟି, ୧୯୯୦ ଓ ୧୯୯୫ରେ ଜନତା ଦଳ ଏବଂ ୨୦୦୦ ଓ ୨୦୦୪ ବିଜୁ ଜନତା ଦଳ (ବିଜେଡ଼ି) ଟିକଟରେ ସେ ବିଧାୟିକା ନିର୍ବାଚିତ ହୋଇ ବିରଳ ରେକର୍ଡ କରିଛନ୍ତି ।
୨୦୦୯ରେ ନିର୍ବାଚନ ମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣରେ ଖଲ୍ଲିକୋଟ ବିଧାନସଭା ଆସନ ସଂଖ୍ୟାଲଘୁ ଜାତିଙ୍କ ପାଇଁ ସଂରକ୍ଷିତ ରହିଲା । ବିଧାୟିକା ଶ୍ରୀମତୀ ଦେଓ ବାଧ୍ୟ ହୋଇ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ଦୁଇ ଥର ବିଧାନସଭାକୁ ଯିବା ଫଳରେ ମୋଟ ୧୦ ଥର ବିଧାନସଭାକୁ ନିର୍ବାଚିତ ହେବା ବିରଳ ରେକର୍ଡ ତାଙ୍କ ନାମରେ ରହିଛି । ୨୦୦୯ରେ ଖଲ୍ଲିକୋଟ ବିଧାନସଭା ଆସନ ଏସସିଙ୍କ ପାଇଁ ସଂରକ୍ଷିତ ହେବାରୁ ରାଣୀଙ୍କ ଆଶୀର୍ବାଦରେ ‘ନାଲକୋ’ ଡିଜିଏମ୍ ପଦବୀରୁ ଇସ୍ତଫା ଦେଇ ବିଜେଡ଼ିରେ ଯୋଗ ଦେଇଥିବା ପୂର୍ଣ୍ଣଚନ୍ଦ୍ର ସେଠୀ ଖଲ୍ଲିକୋଟ ଆସନରୁ ପ୍ରାର୍ଥୀ ହୋଇଥିଲେ । ୨୦୦୯ ଓ ୨୦୧୪ରେ ସେଠୀ ବିଧାନସଭା ନିର୍ବାଚିତ ହୋଇଥିଲେ ମଧ୍ୟ ୨୦୧୯ରେ ଦଳ ପ୍ରାର୍ଥୀ ବଦଳାଇ ସୂର୍ଯ୍ୟମଣୀ ବୈଦ୍ୟଙ୍କୁ ଖଲ୍ଲିକୋଟ ଆସନରୁ ପ୍ରାର୍ଥୀ କରିଥିଲା । ଶ୍ରୀମତୀ ବୈଦ୍ୟ ବିଧାୟିକା ଥିବା ବେଳେ ତାଙ୍କ ସ୍ୱାମୀ ଦୈତାରୀ ବେହେରା ଖଲ୍ଲିକୋଟ ପଂଚାୟତ ସମିତି ଅଧ୍ୟକ୍ଷ ଅଛନ୍ତି । ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓ ଗତ ଛଅ ବର୍ଷ ହେଲା ଅସୁସ୍ଥତା କାରଣରୁ ଚେନ୍ନାଇରେ ରହୁଥିଲେ ମଧ୍ୟ ଗଂଜାମ ବିଜେଡ଼ି ରାଜନୀତିରେ ତାଙ୍କ ପୂର୍ବବତ ରହିଛି ।
ବିଧାୟିକା ବୈଦ୍ୟ ଗତ ଚାରି ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ବିବଦମାନ ରହିଥିଲେ ମଧ୍ୟ ବିଜେଡ଼ି କାର୍ଯ୍ୟକ୍ରମ ଓ ସଂଗଠନକୁ ନିରବରେ ଆଗେଇ ନେଉଥିବା ଦେଖିବାକୁ ମିଳିଛି । ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ବିଧାୟିକା ଶ୍ରୀମତୀ ବୈଦ୍ୟ ଦ୍ୱିତୀୟ ଇର ପାଇଁ ଟିକଟ ପାଇବାକୁ ବିଜେଡ଼ି ସଭାପତିଙ୍କ ଆଶୀର୍ବାଦ ଲୋଡୁଥିବା ବେଳେ ଦୁଇ ଥରର ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ମଧ୍ୟ ସୁଜ୍ଞାନୀଙ୍କ ଜନ୍ମଦିନରେ ଚେନ୍ନାଇ ଯାଇ ଆଶୀର୍ବାଦ ଲୋଡିଥିବା ଜଣାପଡିଛି । ସେଠୀ ନିର୍ବାଚନ ମଣ୍ଡଳୀରେ କୌଣସି ସାଂଗଠନିକ କାର୍ଯ୍ୟରେ ହାତ ନମାରି ପୁନର୍ବାର ଟିକଟ ପାଇବା ଆଶାରେ ଥିବା ବେଳେ ଅନ୍ୟ ଆଶାୟୀମାନେ ମଧ୍ୟ ଚେନ୍ନାଇ ଯାଇ ସୁଜ୍ଞାନୀଙ୍କ ଆଶୀର୍ବାଦ ପାଇବା ଉଦ୍ୟମରେ ଥିବାରୁ ନିର୍ବାଚନ ମଣ୍ଡଳୀର ରାଜନୀତି ସରଗରମ ହେବାରେ ଲାଗିଛି ।
ସଂରକ୍ଷିତ ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀର ପରିସୀମା ପୁରୁଷୋତ୍ତମପୁର ବ୍ଲକ ତାରାତାରିଣୀରୁ ଆରମ୍ଭ କରି ଖଲ୍ଲିକୋଟର ନାରାୟଣୀ ପର୍ଯ୍ୟନ୍ତ ପରିବ୍ୟାପ୍ତ । ୪୪ଟି ପଂଚାୟତ ଓ ଦୁଇଟି ଏନଏସିକୁ ନେଇ ଏହି ନିର୍ବାଚନ ମଣ୍ଡଳୀ ଗଠିତ । ପୁରୁଷୋତ୍ତମପୁର ବ୍ଲକର ୧୫ ଓ ଖଲ୍ଲିକୋଟ ବ୍ଲକର ୨୯ଟି ପଂଚାୟତର ୨୧୫ଟି ଗ୍ରାମର ପ୍ରାୟ ୧ଲକ୍ଷ ୬୫ ହଜାର ମତଦାତା ଅଛନ୍ତି । ସୀମା ପୁନଃ ନିର୍ଦ୍ଧାରଣ ପରେ ପୁରୁଷୋତ୍ତମପୁର ବ୍ଲକ ହିଂଜିଳି ବ୍ଲକରୁ ବାଦ ପଡି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଛି । ଗତ ତିନିଟି ନିର୍ବାଚନରେ ଖଲ୍ଲିକୋଟ ବ୍ଲକରୁ ହିଁ ବିଧାୟକ ପ୍ରାର୍ଥୀ ଦିଆଯାଉଥିବାରୁ ଏଥର ପୁରୁଷୋତ୍ତମପୁର ବ୍ଲକରୁ ବିଜେଡ଼ି ପ୍ରାର୍ଥୀ ଦେବାକୁ ଦାବି ହେଲାଣି । ଖଲ୍ଲିକୋଟ ଏନଏସି ନଗର ପାଳ ନିକଟରେ ଖଲ୍ଲିକୋଟ ଓ ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ପଂଚାୟତ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ସୁଜ୍ଞାନୀ-ଲିଗାସୀ ନେତାମାନଙ୍କୁ ଭୋଟି ସମର୍ଥନ ମାଗୁଥିବା କୁହାଯାଉତିବା ବେଳେ ୨୦୨୪ରେ ପ୍ରାୟ ସବୁ ଦଳ ପୁରୁଷୋତ୍ତମପୁର ବ୍ଲକରୁ ଖଲ୍ଲିକୋଟ ଆସନ ପାଇଁ ପ୍ରାର୍ଥୀ ଦେବାକୁ ଚିନ୍ତା କରୁଥିବାରୁ ବିଜେଡ଼ି ମଧ୍ୟ ତାହା କରୁ ବୋଲି ବିଜେଡ଼ିର ବହୁ ନେତା ଦାବି କରୁଛନ୍ତି । ଏନେଇ ପୁରୁଷୋତ୍ତମପୁର ବ୍ଲକ ବିଜେଡ଼ି ନେତା ବାସୁଦେବ ମହାପାତ୍ରଙ୍କ ସମେତ ୫୬ ଜଣ ଛାମୁଆ ନେତାଙ୍କ ଦସ୍ତଖତ ଥିବା ଏକ ଦାବିପତ୍ର ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ମୁଖ୍ୟ ନବୀନ ପଟ୍ଟନାୟକ, ଦଳର ସଂଗଠନ ସଂପାଦକ ପ୍ରଣବ କିଶୋର ଦାସ, ଭି.କେ.ପାଣ୍ଡିଆନ ଓ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କୁ ଦିଆଯାଇଥିବା ଜଣାପଡିଛି ।
ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ମତଦାତା ଏଥର ନୂଆ ମୁହଁ ଚାହୁଁଥିବାରୁ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବା ଦେଖିବାକୁ ମିଳୁଛି । ତେବେ, ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ରାଣୀଙ୍କ ପ୍ରତି ତାଙ୍କର ଆନୁଗତ୍ୟ ଥିବା ଦର୍ଶାଇ ଦ୍ୱିତୀୟ ଥର ପାଇଁ ଖଲ୍ଲିକୋଟରୁ ପ୍ରାର୍ଥୀ ହେବା ଆଶାରେ ଥିବା ବେଳେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ କିଛି ନହେଲେ ତାଙ୍କ ପତ୍ନୀ ସଂଯୁକ୍ତା ସେଠୀଙ୍କୁ ପ୍ରାର୍ଥୀ କରିବାକୁ ଲବି କରୁଥିବା ଜଣାପଡିଛି । ସେହିଭଳି ବେଗୁନିଆପଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଜଗନ୍ନାଥ ସେଠୀ, ପୁରୁଷୋତ୍ତମପୁର ବ୍ଲକ ଗୋଠିଅଳି ଗ୍ରାମର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ସମତେ ବିହୁ ଆଶାୟୀ ଲବିରେ ଥିବା ଜଣାପଡିଛି । ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ଏବେ ଅଡୁଆ ହୋଇଛନ୍ତି ସ୍ୱାମୀ ଦୈତାରୀ ବେହେରା । ସୁନିଲ ନାହାକ ହତ୍ୟାକାଣ୍ଡରେ ଫସି ପତ୍ନୀଙ୍କ ଅଡୁଆ ବଢାଇ ଥିବା ବେଳେ ରାଣୀ ସୁଜ୍ଞାନୀ ଦେଓଙ୍କ ଆଶୀର୍ବାଦ ଥିଲେ ସବୁ କିଛି ସମ୍ଭବ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି । ତେବେ, ବିଜେଡ଼ି ବୈଦ୍ୟଙ୍କ ଦାବିକୁ କେତେଦୂର ଗ୍ରହଣ କରିବ ତାହା ଆଗାମୀ ଦିନରେ ଜଣାପଡିବ ।
ମୋଅନୁଭବ.କମ୍
ମୋବାଇଲ: ୯୪୩୭୬୫୯୭୯୬
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS