ବିରୋଧୀଙ୍କୁ ‘ଜନ ବିରୋଧୀ’ ଓ ‘ବିକାଶ ବିରୋଧୀ’ କହିଲେ ମୁଖ୍ୟମନ୍ତ୍ରୀ
ପ୍ରସାଦ ରାଓ
ଭୁବନେଶ୍ୱର
ଅକ୍ଟୋବର ୦୨
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିରୋଧୀଙ୍କୁ ‘ଜନ ବିରୋଧୀ’ ଓ ‘ବିକାଶ ବିରୋଧୀ’ କହି କଡା ସମାଲୋଚନା କରିଛନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳର ‘ଜନ ସଂପର୍କ ଯାତ୍ରା’ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରି କହଛନ୍ତି, ଓଡ଼ିଶାରେ ଯେଉଁ ବିକାଶ ଧାରା ଚାଲିଛି ସେଥିରେ ବୋଦହୁଏ ବିରୋଧୀ ଖୁସି ନୁହନ୍ତି । ତେଣୁ, ଜନସାଧାରଣଙ୍କୁ ମିଥ୍ୟା ସୂଚନା ଦେଇ ବିଭ୍ରାନ୍ତ କରିବା ସେମାନଙ୍କ ଏକମାତ୍ର କାର୍ଯ୍ୟ ହୋଇଛି । ନିର୍ବାଚନ ସମୟ ପାଖେଇ ଆସିଲେ ବିରୋଧୀ ଏଭଳି କରିଥା’ନ୍ତି । କିନ୍ତୁ, ଓଡ଼ିଶାବାସୀ ସେମାନଙ୍କୁ ସର୍ବଦା ପ୍ରତ୍ୟାଖାନ କରି ଆସିଛନ୍ତି । ବିରୋଧୀ ଶ୍ରୀଜଗନ୍ନାଥ ଓ ଶ୍ରୀଲିଙ୍ଗରାଜ ମନ୍ଦିର ବିକାଶ ପ୍ରକଳ୍ପକୁ ରୋକିବାକୁ ମଧ୍ୟ ଷଡଯନ୍ତ୍ର କରିଥିଲେ । ରାଜ୍ୟବାସୀ ଏକଥା ଭଲ ଭାବେ ଜାଣନ୍ତି । ତେଣୁ, ଜନତା ସେମାନଙ୍କୁ କେବେ କ୍ଷମା କରିବେ ନାହିଁ । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବିରୋଧୀଙ୍କୁ ‘ଜନ ବିରୋଧୀ’ ଓ ‘ବିକାଶ ବିରୋଧୀ’ କହିବା ଏହା ପ୍ରଥମ ନୁହେଁ । ଗତ ୨୨ ତାରିଖରୁ ଚାଲି ଥିବା ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନରେ ସେ ଦୁଇ ଥର ଗୃହରେ ବିବୃତି ରଖି ବିରୋଧୀଙ୍କୁ ‘ଜନ ବିରୋଧୀ’ ବୋଲି ସମାଲୋଚନା କରିଛନ୍ତି । ବିଧାନସଭା ଅଧିବେଶନ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ପାଣ୍ଡିଆନ ପ୍ରସଙ୍ଗରେ ଗୃହରେ ନିଜ ଆଡୁ ବିବୃତି ରଖି ବିରୋଧୀଙ୍କ ‘ମନ୍ତ୍ରୀ ବଡ ନା ସଚିବ ?’ ପ୍ରଶ୍ନର ଉତ୍ତର ଦେଇଥିଲେ । ଦୁଇ ବର୍ଷ ଧରି କୋଭିଡ଼ ମହାମାରୀ କାରଣରୁ ସିଏମଓ ଦ୍ୱାରା ପରିଚାଳିତ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ ବନ୍ଦ ରହିଥିଲା । ମହାମାରୀ ପରେ ଏହି ପ୍ରକୋଷ୍ଠ ଖୋଲି ଥିଲେ ମଧ୍ୟ ଅଭିଯୋଗ କରିବାକୁ ଆସୁଥିବା ଲୋକଙ୍କ ସଂଖ୍ୟା କମ୍ ଥିବା ଦେଖି ସେ ଏହାକୁ ବିକେନ୍ଦ୍ରୀକରଣ କରିବା ସକାଶେ ସିଏମଓର ପ୍ରଶାସନିକ ଅଧିକାରୀଙ୍କୁ ଜିଲ୍ଲାସ୍ତରକୁ ପଠାଇ ଥିଲେ । ଏହି ଅଧିକାରୀମାନେ ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରି ଲୋକଙ୍କଠାରୁ ଅଭିଯୋଗପତ୍ର ସଂଗ୍ରହ କରିବା ସହ ସେସବୁ ସମାଧାନା ଦିଗରେ ପଦକ୍ଷେପ ନେଇଥିବା ବେଳେ ବିରୋଧୀ ତାହାର ବିରୋଧ କରିବା ଏବଂ ବିମାନ ଭଡା ବାବଦରେ ରାଜ୍ୟ ରାଜକୋଷରୁ ଅଯଥାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ଦର୍ଶାଇ ରାଜ୍ୟରେ ମନ୍ତ୍ରୀ, ବିଧାୟକ ନୁହେଁ; ପ୍ରଶାସକଙ୍କ ଶାସନ ଚାଲିଛି ବୋଲି ପ୍ରଚାର କରିବା ଅମୂଳକ ବୋଲି ସେ କହିଥିଲେ । ଜନଶୁଣାଣୀର ବିକେନ୍ଦ୍ରୀକରଣକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ‘ଜନ ବିରୋଧୀ’ ଓ ‘ବିକାଶ ବିରୋଧୀ’ ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିବା ଏହା ପ୍ରଥମ ଥିଲା । ଗତ ଗୁରୁବାର ଦିନ ବିଧାନସଭାରେ ବିଜେପିର ଦୁଇ ଜଣ ବିଧାୟକ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ଗୃହରୁ ନିଲମ୍ବିତ ହେବା ପରେ ଏହା ବିରୋଧରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ମୁଖ୍ୟମନ୍ତ୍ରୀ ନିଜ ଆଡୁ ବିଧାନସଭାରେ ବିବୃତି ରଖି ବିରୋଧୀ ଏଭଳି ଜନ ବିରୋଧୀ କାର୍ଯ୍ୟ କଲେ ଗୃହକୁ ଫେରି ପାରିବେ ନାହିଁ ବୋଲି ସତର୍କ କରାଇ ଦେଇଥିଲେ । ଆଜି ‘ଜନ ସଂପର୍କ ଯାତ୍ରା’ର ପ୍ରାରମ୍ଭ ଦିବସରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇ ପୁନର୍ବାର ବିରୋଧୀଙ୍କୁ ଜନ ବିରୋଧୀ ଓ ବିକାଶ ବିରୋଧୀ ବୋଲି ସମାଲୋଚନା କରିଛନ୍ତି । ଆଜି ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୂର ଶାସ୍ତ୍ରୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡ଼ିର ଏହି ‘ଜନ ସଂପର୍କ ଯାତ୍ରା’ ୯ ତାରିଖ ଦିନ ପଣ୍ଡିତ ଗୋପବନ୍ଧୁ ଦାସ ଜୟନ୍ତୀ ଓ ୧୧ ତାରିଖ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳନ ସହ ସମାପିତ ହେବ । ଚଳିତ ବର୍ଷ ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ‘ଜନ ସଂପର୍କ ଯାତ୍ରା’ କରିଯିବ ବୋଲି ଗତ ୨୬ ତାରିଖ ଦିନ ‘ନବୀନ ନିବାସ’ରେ ଆୟୋଜିତ ବୈଠକରେ ନିଷ୍ପତ୍ତି ହୋଇଥିଲା । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଏନେଇ ନିଦ୍ଦେଶ ଦେଇଥିଲେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS