ସାମ୍ବାଦିକଙ୍କ ଘରେ ପୁଲିସ ଚଢାଉ, ଗଣମାଧ୍ୟମର କଂଠରୋଧ ଉଦ୍ୟମ !


ପ୍ରସାଦ ରାଓ
ଅକ୍ଟୋବର ୦୩
ଅନ-ଲାଇନ୍ ନ୍ୟୁଜ୍ ପୋର୍ଟାଲ ‘ନ୍ୟୁଜ୍ କ୍ଲିକ୍’ର କାର୍ଯ୍ୟାଳୟ ଏବଂ ଏହି ୱେବସାଇଟ୍ ସହ ସଂପୃକ୍ତ ସାମ୍ବାଦିକ ଓ ଲେଖକମାନଙ୍କ ଘରେ ଆଜି ଦିଲ୍ଲୀ ପୁଲିସ ସ୍ପେଶାଲ ସେଲ୍ ପକ୍ଷରୁ ହୋଇଥିବା ଚଢାଉ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଦେଶର ଅଧିକାଂଶ ବିରୋଧୀ ଦଳ ଏହା ଚଢାଉକୁ ନିନ୍ଦା କରିବା ସହ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସରକାରଙ୍କ ଏହା ଏକ ଚେତାବନୀ ବୋଲି କହିଛନ୍ତି । ପ୍ରେସ୍ ସ୍ୱାଧୀନତା ପ୍ରତି ଏହା ମୋଦୀ ସରକାରଙ୍କ ଆକ୍ରମଣ ବୋଲି ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟୁନ ୧୦ ଜଣ ସାମ୍ବାଦିକଙ୍କ ଘରେ ଆଜି ପୁଲିସ ସ୍ପେଶାଲ ସେଲ୍ ଚଢାଉ କରିବା ସହ ସେମାନଙ୍କ ମୋବାଇଲ ଓ ଲ୍ୟାପଟପ ନିଜ କବଜାକୁ ନେଇଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଭୁବନେଶ୍ୱରରେ ଥିବାରୁ ଏହି ଚଢାଉକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ପ୍ରଶ୍ନ କରିଥିଲେ । ତେବେ, ଚଢାଉର ଯଥାର୍ଥତାକୁ ନେଇ ସରକାର କିଛି କହିବା ସେ ଆବଶ୍ୟକ ମନେ କରୁ ନାହାନ୍ତି ବୋଲି କହିଛନ୍ତି । ଯଦି କେହି କିଛି ଭୁଲ କାର୍ଯ୍ୟ କରିଛନ୍ତି ତଦନ୍ତକାରୀ ସଂସ୍ଥା ଯାଂଚ କରିବାର ଅଧିକାର ରଖିଛନ୍ତି ବୋଲି ମଧ୍ୟ ସେ ମନ୍ତବ୍ୟ ଦେଇଛନ୍ତି । ସ୍ଥାନୀୟ ଏକ ସମ୍ବାଦପତ୍ରର ବାର୍ଷିକ ଉତ୍ସବରେ ଅତିଥି ଭାବେ ଯୋଗଦେବାକୁ ଠାକୁର ଭୁବନେଶ୍ୱର ଆସିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ଚୀନର ଆର୍ଥିକ ସହାୟତାରେ ଭାରତରେ ଭାରତ-ବିରୋଧୀ ପ୍ରଚାର କରିବାକୁ ‘ନ୍ୟୁଜ୍ କ୍ଲିକ୍’ ସଂସ୍ଥା ଚୀନ ସହ ସଂପୃକ୍ତ ସଂସ୍ଥାଙ୍କଠାରୁ ବିଦେଶୀ ପାଣ୍ଠି ପାଇଥିଲା ବୋଲି ନ୍ୟୁୟର୍କ ଟାଇମ୍ସରେ ଏକ ଅନୁସଂଧାନମୂଳକ ଲେଖା ପ୍ରକାଶ ପାଇବା ପରେ ୱେବପୋର୍ଟାଲ ବିରୋଧରେ ‘ଆତଙ୍କବାଦ ନିରୋଧ ଆଇନ’ ଓ ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ (ୟୁଏପିଏ)ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଛି । ଆଜି ଏହି ମାମଲା ଆଧାରରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଦିଲ୍ଲୀ-ଏନସିଆରର ପ୍ରାୟ ୨୪ଟି ସ୍ଥାନରେ ଚଢାଉ କରିଛନ୍ତି । ‘ନ୍ୟୁଜ୍ କ୍ଲିକ୍’ କାର୍ଯ୍ୟାଳୟ ଓ ସଂସ୍ଥାରେ କାର୍ଯ୍ୟ କରୁଥିବା ସାମ୍ବାଦିକ ଓ ଲେଖକଙ୍କ ଘରେ ପୁଲିସର ଯାଂଚ ଅଭିଯାନକୁ ବିରୋଧୀ ସହଜରେ ଗ୍ରହଣ କରିପାରୁନାହାନ୍ତି । କେବଳ ବିରୋଧୀ ରାଜନୈତିକ ଦଳ ନୁହନ୍ତି, ପିସିଆଇ (ପ୍ରେସ୍ କ୍ଲବ ଅଫ୍ ଇଣ୍ଡିଆ) ମଧ୍ୟ ସାମ୍ବାଦିକ ଓ ଲେଖକଙ୍କ ଘରେ ପୁଲିସ ଚଢାଉ ନେଇ ଗଭୀର ଉଦବେଗ ପ୍ରକାଶ କରିଛି । ‘ଆମେ ଏହି ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ନଜର ରଖିଛୁ । ପିସିଆଇ ଅତିଶୀଘ୍ର ଏହାକୁ ନେଇ ବିବୃତି ରଖିବ’ ବୋଲି ପିସିଆଇ କହିଛି । ପିସିଆଇ ସାମ୍ବାଦିକମାନଙ୍କ ସହ ଦୃଢତାର ସହ ରହିଛି ବୋଲି ଦର୍ଶାଇ ସରକାର ଏହା ଉପରେ ବିସ୍ତୃତ ତଥ୍ୟ ରଖିବାକୁ ଦାବି କରିଛି ।
ଆମେରିକାର ‘ନ୍ୟୁୟର୍କ ଟାଇମସ୍’ରେ ଅନୁସଂଧାନମୂଳକ ଲେଖା ପ୍ରକାଶ ପାଇବା ପରେ ଭାରତ ସରକାର ‘ନ୍ୟୁଜ୍ କ୍ଲିକ୍’ ଚୀନକୁ ସମର୍ଥନ ଦେଉଥିବା ସଂସ୍ଥାଙ୍କଠାରୁ ପାଣ୍ଠି ଆଣି ଭାରତରେ ଭାରତ-ବିରୋଧୀ ପ୍ରଚାର ଅଭିଯାନ ଚଳାଇଛି ବୋଲି ଅଭିଯୋଗ କରିଥିଲେ । ‘ନ୍ୟୁଜ୍ କ୍ଲିକ୍’ ୱେବପୋର୍ଟାଲର ଆର୍ଥିକ କାରବାର ବା ମନି ଟ୍ରେଲ୍ ରୁ ସଂସ୍ଥା ଭାରତ ବିରୋଧୀ ପ୍ରଚାରରେ ଲିପ୍ତ ଥିବା ଜଣାପଡୁଛି ବୋଲି କେନ୍ଦ୍ର ମନ୍ତ୍ରୀ ଠାକୁର ପୂର୍ବରୁ ମଧ୍ୟ ଅଭିଯୋଗ କରିଥିଲେ । ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ‘ନ୍ୟୁଜ୍ କ୍ଲିକ୍’ ବିରୋଧରେ ମାମଲା ରୁଜୁ କରି ପୂର୍ବରୁ ସଂସ୍ଥାର କାର୍ଯ୍ୟାଳୟ ଉପରେ ଚଢାଉ କରିସାରିଛି । ଇଡିରୁ ମିଳିଥିବା କିଛି ସୂଚନା ଭିତ୍ତିରେ ଆଜି ଦିଲ୍ଲୀ ପୁଲିସ ସ୍ପେଶାଲ ସେଲ୍ ନୂଆ ମାମଲା ରୁଜୁ କରି ସଂସ୍ଥାର ଲୋଧି ରୋଡ ସ୍ଥିତ କାର୍ଯ୍ୟାଳୟ ଏବଂ ସଂସ୍ଥାରେ କାର୍ଯ୍ୟ କରୁଥିବା ଅନ୍ୟୁନ ୧୯ ଜଣ ସାମ୍ବାଦିକଙ୍କ ଘରେ ଚୃାଉ କରିଥିବା ଜଣାପଡିଛି । ଚଢାଉ ସମୟରେ ପୁଲିସ ସାମ୍ବାଦିକଙ୍କ ମୋବାଇଲ ଫୋନ ଓ ଲ୍ୟାପଟପ୍ ଜବତ କରିଛନ୍ତି । ସେଥିରୁ କିଛି ଡଂପ୍ ଡାଟା ମିଳିଛି ବୋଲି ସେମାନେ କହିଛନ୍ତି । କିଛି ସାମ୍ବାଦିକଙ୍କୁ ପୁଲିସ ପଚରା ଉଚୁରା ପାଇଁ ଲୋଧି ରୋଡରେ ଥିବା ସ୍ପେଶାଲ ସେଲ୍ କାର୍ଯ୍ୟାଳୟକୁ ନେଇଥିଲେ ସୁଦ୍ଧା କାହାରିକୁ ଗିରଫ କରାଯାଇନଥିବା କହିଛନ୍ତି ।
‘ନ୍ୟୁଜ୍ କ୍ଲିକ୍’ର ସାମ୍ବାଦିକ ଓ ଲେଖକଙ୍କ ଉପରେ ପୁଲିସର ଏହି ଚଢାଉକୁ ବିଭିନ୍ନ ରାଜନୈତିକ ଦଳ ନିନ୍ଦା କରିଛନ୍ତି । ଆରଜେଡି ସାଂସଦ ମନୋଜ ଝା କହିଛନ୍ତି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଜାଣତରେ ଏହା ହୋଇ ନାହିଁ । ଯେଉଁମାନେ ବିଜେପିର ‘ଭଜନ ମଣ୍ଡଳୀ’ରେ ସାମିଲ ହେବାକୁ ରାଜି ନାହାନ୍ତି ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହେଉଛି । କଂଗ୍ରେସ ନେତା ପବନ ଖେରା କହିଛନ୍ତି, ବିହାର ସରକାରଙ୍କ ପକ୍ଷରୁ ଗତକାଲି ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ ପାଇବା ପରେ ଦେଶବ୍ୟାପୀ ଜାତିଗତ ଜନଗଣନା ଦାବି ଜୋର ଧରିଲାଣି । ତେଣୁ, ବିଜେପି ସେଥିରୁ ସମସ୍ତଙ୍କ ନଜର ହଟାଇବା ପାଇଁ ‘ନ୍ୟୁଜ୍ କ୍ଲିକ୍’ ସାମ୍ବାଦିକଙ୍କ ଘରେ ଆଜି ଚଢାଉ କରାଇ ଦେଇଛି । ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ତାଙ୍କ ପ୍ରତିକ୍ରିୟ ରଖିଛନ୍ତି । ‘ବରିଷ୍ଠ ସାମ୍ବାଦିକମାନଙ୍କ ଘରେ ଚଡାଉ କରାଯାଇଛି, ସେମାନଙ୍କ ମୋବାଇଲ ଫୋନ ଓ ଲ୍ୟାପଟପ ଜବତ ହୋଇଛି, ସେମାନଙ୍କୁ ଜେରା କରିବାକୁ ପୁଲିସ ନେଇ ଯାଇଛି । ନୂତନ ଭାରତରେ ଗଣମାଧ୍ୟମକୁ ସରକାର ଏଭଳି ଗମ୍ଭୀରତାର ସହ ନେଉଛନ୍ତି’ ବୋଲି ମହୁଆ କହିଛନ୍ତି ।
ସିପିଆଇ (ଏମ) ସାଧାରଣ ସଂପାଦକ ସୀତାରାମ ୟେଚୁରୀ, ଜମ୍ମୁ-କଶ୍ମୀର ପିଡିପି ମୁଖ୍ୟା ମେହେବୁବା ମୁଫତିଙ୍କ ସମେତ ଅନ୍ୟ ବହୁ ବିରୋଧୀ ଦଳ ନେତା ମଧ୍ୟ ସାମ୍ବାଦିକଙ୍କ ଘରେ ପୁଲିସ ଚଢାଉକୁ ନିନ୍ଦା କରିଛନ୍ତି । ସରକାର ଏଭଳି କରିବା ପଛରେ ଥିବା ଉଦ୍ଦେଶ୍ୟକୁ ସ୍ପଷ୍ଟ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ‘ନ୍ୟୁଜ୍ କ୍ଲିକ୍’ର ପ୍ରତିଷ୍ଠାତା ଓ ମୁଖ୍ୟ ସଂପାଦକ ପ୍ରବୀର ପୁରକାୟସ୍ତ ଚୀନ ସମର୍ଥିତ ସଂସ୍ଥାଙ୍କ ଆର୍ଥିକ ସହାୟତାରେ ଭାରତରେ ଭାରତ ବିରୋଧୀ ପ୍ରଚାର ଚଳାଇବାକୁ ୩୪ କୋଟି ଟଙ୍କା ପାଇଥିବା ଏବଂ ଆମେରିକାର କୋଟାଧିପତି ନେଭିଲେ ରୟ ସିଂଘମ ଏହାର ବଡ ପୃଷ୍ଠପୋଷକ ଥିବା ଭାରତ ସରକାରଙ୍କ ଆଡୁ ଅଭିଯୋଗ ହୋଇଛି । ଭାରତୀୟ ତଦନ୍ତକାରୀ ସଂସ୍ଥାଙ୍କ ଆଡୁ ଏହାର ତଦନ୍ତ ଚାଲି ଥିବା ବେଳେ ଦିଲ୍ଲୀ ହାଇକୋର୍ଟ ପୁରକାୟସ୍ତଙ୍କ ଗିରଫଦାରୀ ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଦେଇଛନ୍ତି । ତେବେ, ପୁଲିସ ପୁରକାୟସ୍ତଙ୍କ ଗିରଫଦାରୀ ଉପରୁ ସ୍ଥଗିତାଦେଶ ହଟାଇବା ପାଇଁ ଗତ ଅଗଷ୍ଟ ମାସରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିବା ଜଣପଡିଛି । ସରକାର ‘ନ୍ୟୁଜ୍ କ୍ଲିକ୍’ସହ କଂଗ୍ରସ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସକୁ ଯୋଡିବାକୁ ଉଦ୍ୟମ କରିବାରୁ ଅତୀତରେ କଂଗ୍ରେସ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । ଇଣ୍ଡିଆ ମେଂଟ ଗଠନ ପରେ ବିଜେପି ବ୍ୟତିବ୍ୟସ୍ତ ହୋଇ କଂଗ୍ରେସ ବିରୋଧରେ ଅଭିଯୋଗ କରୁଛି ବୋଲି କଂଗ୍ରେସ କହିଥିଲା । ଏବେ ବିରୋଧୀ କହୁଛନ୍ତି, ୨୦୨୪ ନିର୍ବାଚନ ପୂର୍ବରୁ ସାମ୍ବାଦିକଙ୍କୁ ଡରାଇବା ପାଇଁ ବିଜେପି ସରକାର ଆଜି ଏହି କାର୍ଯ୍ୟାନୁଷ୍ଠାନ କରିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS