ଦିଲ୍ଲୀ ଅବକାରୀ ଦୁର୍ନୀତିର ପ୍ରକୃତ ଲାଭାର୍ଥୀ କିଏ ?


ପ୍ରସାଦ ରାଓ
ଅକ୍ଟୋବର ୦୬
ଦିଲ୍ଲୀ ଅବକାରୀ ଦୁର୍ନୀତିର ପ୍ରକୃତ ଲାଭାର୍ଥୀ କିଏ ? ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଏହି ଦୁର୍ନୀତିର ତଦନ୍ତ କରୁଥିବା ବେଳେ ଆଜି ସୁଦ୍ଧା ଏହି ପ୍ରଶ୍ନର ଉତ୍ତର ସାମ୍ନାକୁ ଆସି ପାରି ନାହିଁ । ଦିଲ୍ଲୀ ଲ୍ୟୁଟିନାଂଟ ଗଭର୍ଣ୍ଣର (ଏଲଜି)ଙ୍କ ନିର୍ଦେଶରେ ପ୍ରଥମେ ସିବିଆଇ ଏହି ଅବକାରୀ ଦୁର୍ନୀତି ମାମଲାର ତଦନ୍ତ କରୁଥିଲେ । ପରେ, ଇଡି ତଦନ୍ତରେ ପ୍ରବେଶ କରିଛି । ଦିଲ୍ଲୀ ଅବକାରୀ ଦୁର୍ନୀତିର ମୁଖ୍ୟ କାରପଟଦାର କୁହାଯାଉଥିବା ରାଜ୍ୟର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ ଗତ ଫେବୃୟାରୀ ମାସରୁ ଗିରଫ ହୋଇ ଜେଲରେ ଅଛନ୍ତି । ତଳ ଅଦାଲତଗୁଡିକରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯିବା ପରେ ଏବେ ସୁପ୍ରିମ କୋର୍ଟରେ ଏହି ଆବେଦନର ଶୁଣାଣୀ ଚାଲିଛି । ତେବେ, ସିସୋଦିଆ ସିଧାସଳଖ ଏହି ଦୁର୍ନୀତିରେ ସଂପୃକ୍ତ ଥିବା ନେଇ ଆଜି ସୁଦ୍ଧା ଇଡି ଅଦାଲତରେ ଠୋସ୍ ତଥ୍ୟ, ପ୍ରମାଣ ଦାଖଲ କରିବାରେ ବିଫଳ ହୋଇଥିବା ସୁପ୍ରିମ କୋର୍ଟ ଗତ ଦୁଇ ଦିନ ହେଲା ଅତିରିକ୍ତ ସଲିସିଟର ଜେନେରାଲଙ୍କୁ କରୁଥିବା ପ୍ରଶ୍ନରୁ ସ୍ପଷ୍ଟ ହେଉଛି ।
ସିସୋଦିଆ ଯଦି ଦିଲ୍ଲୀ ଅବକାରୀ ଦୁର୍ନୀତିର ମୁଖ୍ୟ କାରପଟଦାର ଲାଂଚ ଆକାରରେ ଆଦାୟ ହୋଇଥିବା ଲକ୍ଷ ଲକ୍ଷ ଟଙ୍କାରୁ କାଣିଚାଏ ମଧ୍ୟ ତାଙ୍କ ଖାତାକୁ ଯାଇ ନଥିବାର ରହସ୍ୟ କଣ ? ଇଡି ଏହି ଲାଂଚ କାରବାରର ଯେଉଁ ‘ମନି ଟ୍ରେଲ୍’ ଅଦାଲତ ସମ୍ମୁଖରେ ଉପସ୍ଥାପନ କରିଛି ସେଥିରେ ସିସୋଦିଆଙ୍କୁ ସିଧାସଳଖ ଅଭିଯୁକ୍ତ କଲା ଭଳି ଯଥେଷ୍ଟ ପ୍ରମାଣ ଉପସ୍ଥାପନ କରି ପାରି ନାହିଁ । କେବଳ, କାହାରି ଅଭିଯୋଗ ଭିତ୍ତିରେ ସିସୋଦିଆଙ୍କୁ ଅଭିଯୁକ୍ତ ଦର୍ଶାଇ ଜେଲରେ ପୁରାଇଛି । ଯଦି ଲାଂଚ ଟଙ୍କାରୁ କାଣିଚାଏ ମଧ୍ୟ ସିସୋଦିଆଙ୍କ ନିକଟରୁ ମିଳି ନାହିଁ ତେବେ ଟଙ୍କା କାହା ପାଖକୁ ଯାଇଛି ? ‘ଆମ୍ ଆଦମୀ ପାର୍ଟି’ ଯଦି ଏହି ଟଙ୍କା ପାଇଛି ତେବେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଏପର୍ଯ୍ୟନ୍ତ ‘ଆପ୍’କୁ କାହିଁକି ଅଭିଯୁକ୍ତ ଦର୍ଶାଇ ନାହିଁ ? ସୁପ୍ରିମ କୋର୍ଟର ଦୁଇ ଜଣିଆ ବେଂଚ୍ ଅତିରିକ୍ତ ସଲିସିଟର ଜେନେରାଲଙ୍କୁ ଏଭଳି ପ୍ରଶ୍ନ କରି ଇଡିର ଅଡୁଆ ବଢାଇଛନ୍ତି ।
ଆମ୍ ଆଦମୀ ପାର୍ଟି (ଆପ୍)ର ବର୍ଦ୍ଧିତ ଲୋକପ୍ରିୟତାକୁ ଦେଖି କେନ୍ଦ୍ର ସରକାର ଏହି ରାଜନୈତିକ ଦଳକୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରି ଦେବା ପାଇଁ ବିଭିନ୍ନ ମିଥ୍ୟା ମାମଲାରେ ଫସାଉଥିବା ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲ ଲଗାତର ଭାବେ ଅଭିଯୋଗ କରି ଆସୁଥିବା ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀ ଅବକାରୀ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ସିସୋଦିଆଙ୍କ ସିଧାସଳଖ ସଂପୃକ୍ତିକୁ ନେଇ ସୁପ୍ରିମ କୋର୍ଟରେ ଯଥେଷ୍ଟ ତଥ୍ୟ, ପ୍ରମାଣ ଉପସ୍ଥାପନ କରି ନପାରିବା କେଜରୀୱାଲଙ୍କ ଅଭିଯୋଗକୁ ଯଥାର୍ଥ ସାବ୍ୟସ୍ତ କରୁଛି । ଅବଶ୍ୟ, ସୁପ୍ରିମ କୋର୍ଟ ଆଜି ସୁଦ୍ଧା ସିସୋଦିଆଙ୍କ ଜାମିନ ମଂଜୁର କରି ନାହାନ୍ତି । ତେବେ, ସୁପ୍ରିମ କୋର୍ଟ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା ଏକପ୍ରକାର ସିସୋଦିଆଙ୍କ ପକ୍ଷରେ ଯାଉଛି । ଇଡିର ପିଏମଏଲଏ ମାମଲାରେ ଆପରାଧୀକ ଉଦ୍ଦେଶ୍ୟରେ ସଂଗୃହୀତ ଅର୍ଥର ମନି ଟ୍ରେଲ୍ ବିଶେଷ ଗୁରୁତ୍ୱ ରଖୁଥିବା ବେଳେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଂଗୃହୀତ ହୋଇଥିବା ଲାଂଚ ଟଙ୍କାର ଲାଭାର୍ଥୀ ଥିଲେ ବୋଲି ଇଡି ଆଜି ସୁଦ୍ଧା ଅଦାଲତରେ ସାବ୍ୟସ୍ତ କରିପାରିନାହିଁ ।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ସରକାର ବିଭିନ୍ନ ସଂସ୍କାର ମାଧ୍ୟମରେ ରାଜ୍ୟର ଅବକାରୀ ରାଜସ୍ୱ ବୃଦ୍ଧି ପାଇଁ ୨୦୨୦ରେ ନୂତନ ଅବକାରୀ ନୀତି ପ୍ରଣୟନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିସକାଶେ ସରକାର ସେହି ବର୍ଷ ସେପ୍ଟେମ୍ବର ମାସରେ ରବି ଧାବନ କମିଟି ଗଠନ କରିଥିଲେ । କମିଟି ନିଜ ରିପୋର୍ଟ ଦାଖଲ କରିବା ପରେ ସଂସ୍କାର ପ୍ରସ୍ତାବଗୁଡିକ ଉପରେ ସର୍ବସାଧାରଣଙ୍କ ମତାମତ ନିଆଯାଇଥିଲା । ପରେ, ମନ୍ତ୍ରୀ ଗୋଷ୍ଠୀ (ଜିଓଏମ) ଗଠନ କରାଯାଇ ସଂସ୍କାର ପ୍ରସ୍ତାବଗୁଡିକ ଉପରେ ଆଲୋଚନା ହୋଇ କ୍ୟାବିନେଟ୍ ବୈଠକରେ ଗୃହୀତ କରାଯାଇଥିଲା । ଯେହେତୁ, କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏଲଜି ଚୂଡାନ୍ତ ନିଷ୍ପତ୍ତି ନେବାକୁ ଥିଲା କ୍ୟାବିନେଟ୍ ନିଷ୍ପତ୍ତି ଏଲଜିଙ୍କ ଅନୁମୋଦନ ପାଇଁ ଯାଇଥିଲା । ଏଲଜି କିଛି ସଂଶୋଧନ ପ୍ରସ୍ତାବ ଦେବା ପରେ ରାଜ୍ୟ ସରକାର ଚିଠା ପ୍ରସ୍ତାବରେ ଅନୁରୂପ ସଂଶୋଧନ କରି ଏଲଜିଙ୍କ ନିକଟକୁ ପଠାଇ ଥିଲେ । ଏଲଜିଙ୍କ ଅନୁମୋଦନ ମିଳିବା ପରେ ଦିଲ୍ଲୀରେ ନୂତନ ଅବକାରୀ ନୀତି କାର୍ଯ୍ୟକାରୀ କରାଯାଇଥିଲା ।
ନୂତନ ଅବକାରୀ ନୀତି ଜଣେ ବ୍ୟକ୍ତିଙ୍କ ନିଷ୍ପତ୍ତି ନୁହେଁ, ଏକ ମିଳିତ ନିଷ୍ପତ୍ତି ହୋଇଥିବା ବେଳେ କୌଣସି ପ୍ରକାର ଅନିୟମିତତା ପାଇଁ ଜଣେ ବ୍ୟକ୍ତିଙ୍କୁ କେମିତି ଦାୟୀ କରାଯିବ ବୋଲି ସିସୋଦିଆଙ୍କ ଓକିଲ ଅଭିଷେକ ମନୁ ସିଂଘଭି ସୁପ୍ରିମ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି । ନୂତନ ଅବକାରୀ ନୀତି ବିବାଦୀୟ ହେବାରୁ ଓ ସିବିଆଇ ତଦନ୍ତ ଆରମ୍ଭ ହୋଇଯିବାରୁ ଦିଲ୍ଲୀ ସରକାର ତାହାକୁ ପ୍ରତ୍ୟାହାର କରି ନେଇଥିଲେ ମଧ୍ୟ ଏହି ଅବକାରୀ ନୀତି କାର୍ଯ୍ୟକାରୀ କରିବା ସମୟରେ ରାଜ୍ୟ ସରକାର ବ୍ୟାପକ ଦୁର୍ନୀତି ଓ ପ୍ରିୟାପ୍ରିତିରେ ସଂପୃକ୍ତ ଥିବା ଏଲଜି ଅଭିଯୋଗ ଆଣି ତଦନ୍ତ ପାଇଁ ସିବିଆଇକୁ ନିର୍ଦେଶ ଦେଇଥିଲେ । ପରେ, ପ୍ରବର୍ତ୍ତନ ନିର୍ଦେଶାଳୟ ସିସୋଦିଆଙ୍କ ବିରୋଧରେ ପିଏମଏଲଏ ମାମଲା କରି ତାହାର ତଦନ୍ତ କରୁଛି । ସାତ ମାସରୁ ଅଧିକ ସମୟ ହେଲା ଜେଲରେ ଥିବା ସିସୋଦିଆଙ୍କ ଜାମିନ ଆବେଦନ ଉପରେ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଓ ଜଷ୍ଟିସ ଏସଭିଏନ ଭଟ୍ଟିଙ୍କୁ ନେଇ ଗଠିତ ବେଂଚ ଶୁଣାଣୀ କରୁଛନ୍ତି ।
ଶୁଣାଣୀ ସମୟରେ ସୁପ୍ରିମ କୋର୍ଟ ବେଂଚ ଇଡିର ପକ୍ଷ ରଖୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି.ରାଜୁଙ୍କୁ ପ୍ରଶ୍ନ କରିଥିଲେ, ଦିଲ୍ଲୀର ଆମ୍ ଆଦମୀ ପାର୍ଟି (ଆପ୍) ସରକାର ଅବକାରୀ ଦୁର୍ନୀତିରେରେ ଶହେ (୧୦୦) କୋଟି ଟଙ୍କାର ଲାଭାର୍ଥୀ ହୋଇଥିବା ଇଡି ଯୁକ୍ତି କରୁଥିବା ସମୟରେ ଏହି ରାଜନୈତିକ ଦଳକୁ କାହିଁକି ଏପର୍ଯ୍ୟନ୍ତ ‘ଅଭିଯୁକ୍ତ’ କରାଯାଇ ନାହିଁ ? ତେବେ, ସୁପ୍ରିମ କୋର୍ଟ ବେଂଚ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି – ବୁଧବାର ଦିନ ବେଂଚ ଯେଉଁ ଟିପ୍ପଣୀ ଦେଇଥିଲେ ତାହା କୌଣସି ରାଜନୈତିକ ଦଳକୁ ମାମଲାରେ ଜଡିତ କରିବା ପାଇଁ ଉଦ୍ଦିଷ୍ଟ ନଥିଲା । ଏହା କେବଳ ଏକ ଆଇନଗତ ପ୍ରଶ୍ନ ଥିଲା । ଇଡି ପକ୍ଷରୁ ଗୁରୁବାର ଏକ ବିସ୍ତୃତ ରିପୋର୍ଟ ଦାଖଲ କରାଯିବ ଅତିରିକ୍ତ ସଲିସିଟର ଜେନେରାଲ ରାଜୁ ଅଦାଲତକୁ ପ୍ରତିଶ୍ରୁତି ଦେବା ସହ ଯେଉଁଠି ପ୍ରମାଣ ମିଳୁଛି ଓ ଅଭିଯୋଗ ସାବ୍ୟସ୍ତ ହେଉଛି ସେଠାରେ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ଅଦାଲତକୁ ଜଣାଇ ଥିଲେ ।
ସୁପ୍ରିମ କୋର୍ଟର ଦୁଇ ଜଣିଆ ବେଂଚ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣୀ ସମୟରେ ଆଉ ଏକ ଆଇନଗତ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ଦିଲ୍ଲୀ ସରକାର ୨୦୨୧ରେ ନୂତନ ଅବକାରୀ ନୀତି ପ୍ରଣୟନ କରିବା ସକାଶେ ଯେଉଁ କ୍ୟାବିନେଟ ନିଷ୍ପତ୍ତି ନେଇଥିଲେ ତାହା ଉପରେ ତର୍ଜମା କରିବା ଅଧିକାର କୋର୍ଟଙ୍କ ରହିଛି କି ? କାରଣ, କିଛି ନିର୍ଦ୍ଧିଷ୍ଟ ସାମ୍ବିଧାନିକ ପୀଠ କ୍ୟାବିନେଟ ନିଷ୍ପତ୍ତି ଚିଠା କୋର୍ଟର ଯାଂଚ ପରିସରଭୁକ୍ତ ନୁହେଁ ବୋଲି ପୂର୍ବରୁ ରାୟ ଦେଇଛନ୍ତି । ଦିଲ୍ଲୀ ଏକ ପୂର୍ଣ୍ଣାଂଗ ରାଜ୍ୟ ନହୋଇ କେନ୍ଦ୍ର ଶାସିତ ଅଂଚଳ ହୋଇଥିବାରୁ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ଅଦାଲତରେ ତର୍ଜମା କରିବା ଆଇନସମ୍ମତ ହେବ କି ନାହିଁ ତାହା କୋର୍ଟ ଜାଣନ୍ତି ନାହିଁ । ସୁପ୍ରିମ କୋର୍ଟରେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣୀ ଚାଲିଛି ଏବଂ ଏଭଳି ଅନେକ ଆଇନଗତ ପ୍ରଶ୍ନ ମଧ୍ୟ ଉଠୁ ଥିବା ଜଣାପଡିଛି ।
ଦିଲ୍ଲୀ ସରକାର ସ୍ୱଳ୍ପ ସମୟ ପାଇଁ ହେଲେ ମଧ୍ୟ ୨୦୨୧-୨୨ ନୂତନ ଅବକାରୀ ନୀତି କାର୍ଯ୍ୟକାରୀ କରି ରାଜ୍ୟର ଅବକାରୀ ରାଜସ୍ୱରେ ୨୭ ପ୍ରତିଶତ ବୃଦ୍ଧି କରିଥିବା ଏବଂ ସରକାରଙ୍କୁ ରାଜସ୍ୱ ଆକାରରେ ୮,୯୦୦ କୋଟି ଟଙ୍କା ମିଳି ଥିବା ସରକାରଙ୍କ ପକ୍ଷରୁ ଅଦାଲତରେ ଦର୍ଶାଯାଇଥିବା ବେଳେ ତଦନ୍ତକାରୀ ସଂସ୍ଥାଙ୍କ ଅଭିଯୋଗ ହେଉଛି, ଦିଲ୍ଲୀରେ ନୂତନ ଅବକାରୀ ନୀତି ଲାଗୁ ହେବା ପରେ ରାଜ୍ୟ ସରକାରଙ୍କ ୨,୮୦୦ କୋଟି ଟଙ୍କା କ୍ଷତି ହୋଇଛି । କାରଣ, ଏହି ନୀତି ଲାଗୁ କ୍ଷେତ୍ରରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଛି । ଇଡି ‘ମନି ଟ୍ରେଲ୍’ରେ ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତାଙ୍କ ନିକଟରେ ପହଂଚି ଯାଇ ତାଙ୍କୁ ତଦନ୍ତ ପରିସରକୁ ଟାଣି ଆଣିଛି । ଗତ ଏପ୍ରିଲ ମାସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ସମନ ପାଇ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ । ତାଙ୍କୁ ଇଡି ଅଧିକାରୀମାନେ ଦୀର୍ଘ ନଅ ଘଂଟା ଜେରା କରିଥିଲେ । ବୁଧବାର ‘ଆପ୍’ ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କ ଘରେ ଇଡି ଚଢାଉ ହୋଇଥିଲା । ଇଡି ଅଧିକାରୀମାନେ ୧୦ ଘଂଟା କାଳ ଜେରା କରିବା ପରେ ତାଙ୍କୁ ଗିରଫ କରିଛନ୍ତି । ଗତକାଲି ସିଂହଙ୍କୁ ପିଏମଏଲଏ କୋର୍ଟରେ ହାଜର କରି ଇଡି ପାଂଚ ଦିନ ପାଇଁ ରିମାଣ୍ଡରେ ନେଇଛି ।
ସାଂସଦ ସିଂହ ଜଣେ ବ୍ୟବସାୟୀଙ୍କଠାରୁ ଦୁଇ କୋଟି ଟଙ୍କା ଲାଂଚ ନେଇଥିବା ନେଇ ଇଡି ଦାଖଲ କରିଥିବା ଅଭିଯୋଗପତ୍ରରେ ଥିବାରୁ ଅଧିକ ଜେରା ପାଇଁ ତାଙ୍କୁ ଇଡି ରିମାଣ୍ଡକୁ ପଠାଯାଇଥିବା ସୂଚନା ମିଳିଛି । ଏହା ପରେ ଜେଲ ଯିବା ପାଳି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କର ବୋଲି ବିଜେପି ନେତାମାନେ ଜୋରସୋର ବୟାନବାଜୀ କରୁଥିବା ବେଳେ ଇଡି ମଧ୍ୟ ‘ଆପ୍’ର ଆଉ ତିନି ଜଣ ପ୍ରମୁଖ ନେତାଙ୍କ ନାମ ସେମାନଙ୍କ ତାଲିକାରେ ରହିଛି ବୋଲି ଗତକାଲି ଗଣମାଧ୍ୟମକୁ କହିଥିବା ପରିସ୍ଥିତି କେତେଦୂର ଗମ୍ଭୀର ହେଲାଣି, ତାହା ସୂଚାଉଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ‘ଆପ୍’ର କମ୍ୟୁନିକେସନ୍ ମୁଖ୍ୟ ବିଜୟ ନାୟାରଙ୍କୁ ପୂର୍ବରୁ ଗିରଫ କରାଯାଇଛି । ଦିନେଶ ଆରୋରା ନାମକ ଜଣେ ମଦ ବ୍ୟବସାୟୀ ଗିରଫ ହୋଇଥିଲେ ମଧ୍ୟ ଏବେ ରାଜସାକ୍ଷୀ ପାଲଟି ଜାମିନରେ ଅଛନ୍ତି । ସିସୋଦିଆ ଗିରଫ ନହେବା ଯାଏଁ ତଦନ୍ତକାରୀ ସଂସ୍ଥାର ଚାର୍ଜସିଟରେ ତାଙ୍କ ନାମ ନଥିଲା । ଗତ ବର୍ଷ ସିସୋସିଆଙ୍କ ଘର, କାର୍ଯ୍ୟାଳୟ ସମେତ ୩୧ଟି ସ୍ଥାନରେ ସିବିଆଇ ଚଢାଉ କରିଥିଲେ ମଧ୍ୟ ତାଙ୍କ ବିରୋଧରେ କାଣିଚାଏ ପ୍ରମାଣ ଏକାଠି କରିପାରି ନଥିଲା ।
ଇଡ଼ିର ଅଭିଯୋଗ ହେଉଛି, ତେଲେଂଗାନା ମୁଖ୍ୟମନ୍ତ୍ରୀଙ୍କ କନ୍ୟା କବିତାଙ୍କ ନିୟନ୍ତ୍ରଣରେ ଥବା ‘ଦକ୍ଷିଣୀ ଲବି’ ଦିଲ୍ଲୀରେ ସମସ୍ତ ମଦ ବିକ୍ରି ଠିକା ପାଇବା ପାଇଁ ଗୋଆ ନିର୍ବାଚନ ସମୟରେ ‘ଆପ୍’କୁ ଅନ୍ୟୁନ ୧୦୦ କୋଟି ଟଙ୍କା ଲାଂଚ ଦେଇଛନ୍ତି । ନୂଆ ଅବକାରୀ ନୀତିରେ ସରକାରୀ ମଦ ନ ବିକି ଘରୋଇ ଦୋକାନ ମାଧ୍ୟମରେ ବିକ୍ରି ପାଇଁ ଅନୁମତି ଦେଇଥିଲେ । ଲାଇସେନ୍ସପ୍ରାପ୍ତ ଘରୋଇ ମଦ ବେପାରୀ ଅସୀମିତ ଭାବେ ରିହାତି ଦେବା ସହ ଭୋର ୩ଟା ଯାଏଁ ଦିଲ୍ଲୀରେ ମଦ ଦୋକାନ ଖୋଲା ରଖିବା ଅନୁମତି ଥିଲା । ପ୍ରଥମେ ଦିଲ୍ଲୀ ପୁଲିସର ଇଓଡବ୍ଲୁ ଏହାର ତଦନ୍ତ କରୁଥିଲେ ମଧ୍ୟ ପରେ ଏଲଜି ଭି.କେ.ସାକ୍ସେନାଙ୍କ ନିର୍ଦେଶରେ ସିବିଆଇ ଏହାର ତଦନ୍ତ ଦାୟିତ୍ୱ ହାତକୁ ନେଇଥିଲେ । ଅଭିଯୋଗ ହେଉଛି, ଘରୋଇ ମଦ ବ୍ୟବସାୟୀଙ୍କୁ ବେଆଇନ ଭାବେ ଲାଭାନ୍ୱିତ କରିବା ସକାଶେ ସରକାରଙ୍କ ଏହି ନୀତି ଉଦ୍ଦିଷ୍ଟ ଥିଲା । ପୂର୍ବତନ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ସିସୋଦିଆଙ୍କୁ ଇଡିର ଅଭିଯୋଗପତ୍ରରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇତିଲେ ମଧ୍ୟ ସେ ପ୍ରକୃତ ଲାଭାର୍ଥୀ ନୁହନ୍ତି ବୋଲି ସୁପ୍ରିମ କୋର୍ଟଙ୍କ ହୃଦବୋଧ ହେବା ପରେ ଇଡି ବିଭିନ୍ନ ପ୍ରଶ୍ନର ସମ୍ମୁଖୀନ ହୋଇଛି ।
ସିସୋଦିଆଙ୍କ ଗିରଫକୁ ନେଇ ଇଡିର ଏକମାତ୍ର ସଫେଇ ହେଉଛି, ‘ଆପ୍’ର ଯୋଗାଯୋଗ ଅଧିକାରୀ ବିଜୟ ନାୟାରଙ୍କ ମାଧ୍ୟମରେ ସେ ଲକ୍ଷାଧିକ ଟଙ୍କା ଆଦାୟ କରିଥିଲେ । ମାମଲାରେ ରାଜସାକ୍ଷୀ ଥିବା ଦିନେଶ ଆରୋରା ଓ ରାଘବ ମାଗୁନ୍ତା ହେଉଛନ୍ତି ମଦ ବ୍ୟବସାୟୀ । ରାଘବ ହେଉଛନ୍ତି ୱାଇଏସଆର କଂଗ୍ରେସ ଏମପି ମାଗୁନ୍ତା ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁଅ । ଇଡି ସେମାନଙ୍କୁ ପ୍ରଥମ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିଲା । ପରେ ସେମାନଙ୍କୁ ଆପୃଭର ବା ରାଜସାକ୍ଷୀ କରାଯାଇ ଜାମିନରେ ଛଡା ଯାଇଛି । ଚଳିତ ବର୍ଷ ପ୍ରାରମ୍ଭରେ ଦୁହେଁ ଗିରଫ ହୋଇଥିଲେ । ବିଜୟ ନାୟାର ଏବେ ମଧ୍ୟ ଜେଲରେ ଅଛନ୍ତି । ଗତ ଜୁଲାଇ ମାସରେ ସିବିଆଇ ଗିରଫ କରିଥିବା ଦିନେଶ ଆରୋରା ବିରୋଧରେ ଅଭିଯୋଗ ହେଉଛି, ୨୦୨୧-୨୨ ନୂତନ ଅବକାରୀ ନୀତି ଅନୁଯାୟୀ ମଦ ଲାଇସେନ୍ସ ପାଇଥିବା ଭେଣ୍ଡରଙ୍କଠାରୁ ସେ ଲାଂଚ ଅର୍ଥ ଆଦାୟ କରୁଥିଲା ଏବଂ ସେହି ଟଙ୍କା ଦିଲ୍ଲୀର ବିଭିନ୍ନ ଅଧିକାରୀଙ୍କ ମଧ୍ୟରେ ବଂଟନ ହେଉଥିଲା । ଦିଲ୍ଲୀର ସରକାରୀ ଅଧିକାରୀଙ୍କୁ ପ୍ରାୟ ୨୦୦ କୋଟି ଟଙ୍କା ଲାଂଚ ଆକାରରେ ବଂଟନ ହୋଇଥିବା ଇଡିର ଅଭିଯୋଗପତ୍ରରେ ଦର୍ଶାଯାଇଥିବା ସୂଚନା ମିଳିଛି ।
ସିସୋଦିଆଙ୍କୁ ଗିରଫ କରିବା ପରେ ଇଡି ଗତ ମାର୍ଚ୍ଚ ମାସରେ ଅଦାଲତରେ ଦାଖଲ କରିଥିବା ଚାର୍ଜସିଟ୍ ରେ ‘ଆପ୍’ ସାଂସଦ ସଂଜୟ ସିଂହଙ୍କ ନାମ ଆସିଛି । ଇଡ଼ିର ଅଭିଯୋଗ ହେଉଛି, ‘ଆପ୍’ ସାଂସଦ ସଂଜୟ ସିଂହ ମଦ ବ୍ୟବସାୟୀ ଦିନେଶ ଆରୋରାଙ୍କୁ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ସହ ପରିଚିତ କରାଇଥିଲେ । ସିଂହଙ୍କ ଅନୁରୋଧକ୍ରମେ ସେ (ଆରୋରା) ଦିଲ୍ଲୀର ବିଭିନ୍ନ ରେଷ୍ଟୁରାଂଟ ମାଲିକଙ୍କଠାରୁ ୮୨ ଲକ୍ଷ ଟଙ୍କା ଚେକ୍ ଆକାରରେ ସଂଗ୍ରହ କରି ଦିଲ୍ଲୀ ନିର୍ବାଚନ ସମୟରେ ପ୍ରଚାର କାର୍ଯ୍ୟ ସକାଶେ ସିସୋଦିଆଙ୍କୁ ହସ୍ତାନ୍ତର କରିଥିଲେ । ସିସୋଦିଆ ରାଜ୍ୟର ଅବକାରୀ ମନ୍ତ୍ରୀ ଥିବା ସମୟରେ ଅବକାରୀ ବିଭାଗର ବିଭିନ୍ନ କାର୍ଯ୍ୟରେ ଆରୋରାଙ୍କୁ ବ୍ୟବହାର କରିଛନ୍ତି । ଆରୋରା କୁଆଡେ ଇଡିକୁ ଏଭଳି ବୟାନ ଦେଇଛନ୍ତି । ସେ ଥରେ ମାତ୍ର ସାଂସଦ ସିଂହଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଭେଟିଥିଲେ ବୋଲି ଆରୋରା ଇଡିକୁ କହିଥିବା ପ୍ରକାଶ । ଦିନେଶ ଆରୋରାଙ୍କ ସ୍ୱୀକାରୋକ୍ତି ଭିତ୍ତିରେ ଇଡି ପୂର୍ବତନ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ପିଏମଏଲଏ ଆଇନର ଧାରା ୩ରେ ଅଭିଯୁକ୍ତ କରିଥିଲେ ମଧ୍ୟ ଏହି ଦୁର୍ନୀତି ସହ ତାଙ୍କୁ ସିଧାସଳଖ ଜଡିତ କଲା ଭଳି କୌଣସି ଠୋସ୍ ପ୍ରମାଣ (ମନି ଟ୍ରେଲ୍ ବା ଅନ୍ୟ କିଛି ପ୍ରମାଣ) ଉପସ୍ଥାପନ କରିପାରୁନଥିବାରୁ ସୁପ୍ରିମ କୋର୍ଟ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS