ପାଂଚଟି ରାଜ୍ୟର ନିର୍ବାଚନ ନଭେମ୍ବରରେ, ଡିସେମ୍ବର ୩ରେ ଫଳାଫଳ


ପ୍ରସାଦ ରାଓ
ନୂଆଦିଲ୍ଲୀ/ଅକ୍ଟୋବର ୦୯
ଦେଶରେ ୨୦୨୪ ଏପ୍ରିଲ-ମେ’ ଆଡକୁ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ଚଳିତ ବର୍ଷର ଶେଷ ପାଂଚଟି ବିଧାନସଭା ଆସନ୍ତା ନଭେମ୍ବର ମାସରେ ହେବାକୁ ଯାଉଛି । ବିଧାନସଭା ନିର୍ବାଚନ ହେବାକୁ ଥିବା ପାଂଚଟି ରାଜ୍ୟ ହେଉଛି – ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼, ତେଲେଂଗାନା ଓ ଉତ୍ତର ପୂର୍ବାଂଚଳ ରାଜ୍ୟ ମିଜୋରାମ । ମିଜୋରାମର ମିଜୋ ନ୍ୟାସନାଲ ଫ୍ରଂଟ୍ ସରକାରଙ୍କ କାର୍ଯ୍ୟକାଳ ଡିସେମ୍ବର ୧୭ ତାରିଖରେ ଶେଷ ହେବାକୁ ଥିବାରୁ ନଭେମ୍ବର ୭ ତାରିଖରେ ରାଜ୍ୟରେ ବିଧାନସଭା ପାଇଁ ମତଦାନ ହେବ ବୋଲି ଭାରତର ନିର୍ବାଚନ କମିଶନ (ଇସିଆଇ) ରାଜୀବ କୁମାର ଆଜି ସୂଚନା ଦେଇଛନ୍ତି । ନିର୍ବାଚନ ହେବାକୁ ଥିବା ଅନ୍ୟ ରାଜ୍ୟ ମଧ୍ୟରୁ ଛତିଶଡ଼ରେ ନଭେମ୍ବର ୭ ଓ ୧୭ରେ ଦୁଇ ପର୍ଯ୍ୟାୟରେ ମତଦାନ ହେବ । ମଧ୍ୟ ପ୍ରଦେଶରେ ନଭେମ୍ବର ୧୭, ରାଜସ୍ଥାନରେ ନଭେମ୍ବର ୨୩ ଓ ତେଲେଂଗାନାରେ ନଭେମ୍ବର ୩୦ରେ ଭୋଟ ହେବ ବୋଲି ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଇସିଆଇ କହିଛନ୍ତି । ଡିସେମ୍ବର ୩ରେ ଏହି ପାଂଚଟି ରାଜ୍ୟରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।
ମିଜୋରାମରେ ଦୀର୍ଘ ବର୍ଷ ହେଲା ମିଜୋ ନ୍ୟାସନାଲ ଫ୍ରଂଟ୍ (ଏମଏନଏଫ) ସରକାର ରହିଛି । ଦୀର୍ଘ ବର୍ଷ ହେଲା କ୍ଷମତାରୁ ଦୂରରେ ଥିବା କଂଗ୍ରେସ ପୁଣି ଥରେ ମିଜେରାମରେ କ୍ଷମତାକୁ ଫେରିବା ଆଶା ରଖିଛି । ମଣିପୁରରେ ଗତ ମେ’ ମାସରୁ ଚାଲି ଥିବା ଜାତିଗତ ହିଂସା ଓ ଏହାକୁ ରୋକିବାରେ ବିଜେପିର ଡବଲ ଇଂଜିନ ସରକାରଙ୍କ ବିଫଳତା ଏହି ଉତ୍ତର ପୂର୍ବାଂଚଳ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରିବା ଆଶାକୁ ଉଜ୍ୱଳ କରିଛି । ଅପରପକ୍ଷରେ, ହିନ୍ଦି ଭାଷାଭାଷୀ ତିନିଟି ରାଜ୍ୟ ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ଶାସନରେ ଅଛନ୍ତି । ୨୦୧୮ ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରଦେଶ ଜନତା କଂଗ୍ରେସ ସପକ୍ଷରେ ଭୋଟ ଦେଇଥିଲେ । କଂଗ୍ରେସ ରାଜ୍ୟର ୨୩୦ ବିଧାନସଭା ଆସନରୁ ୧୧୪ରେ ବିଜୟୀ ହୋଇ ସରକାର ଗଠନ କରିଥିଲେ ମଧ୍ୟ ଦଳର ନେତୃତ୍ୱ ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ ନକରି ଦଳର ବରିଷ୍ଠ ନେତା କମଳନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବାରୁ ଜ୍ୟୋତିରାଦିତ୍ୟ ବିଦ୍ରୋହ କରି ୨୦୨୦ରେ ୨୨ ଜଣ କଂଗ୍ରେସ ବିଧାୟକଙ୍କ ସହ ଦଳତ୍ୟାଗ କରି ବିଜେପିରେ ସାମିଲ ହୋଇଥିଲେ । ଫଳରେ, କଂଗ୍ରେସ ସରକାର ସଂଖ୍ୟାଲଘୁରେ ପରିଣତ ହୋଇ କମଳନାଥମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ୨୦୧୮ ନିର୍ବାଚନରେ ପରାଜିତ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବିଜେପି କମଳନାଥ ସରକାରର ପତନ ପରେ ପୁନର୍ବାର କ୍ଷମତା ଦଖଲ କରିଥିଲା ଓ ଦଳ ଶିବରାଜ ସିଂହ ଚୌହାନଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ କରିଥିଲା ।
୨୦୨୩ ନିର୍ବାଚନରେ କମଳନାଥଙ୍କ ନେତୃତ୍ୱରେ କଂଗ୍ରେସ ଏହାର ପ୍ରତିଶୋଧ ନେବା ଅପେକ୍ଷାରେ ରହିଛି । ଏବେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୦୨୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା ଆଲୋଚନାରେ ରହିଛି । ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ସରକାର ରହିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ୨୦୨୩ରେ ପୁନର୍ବାର କ୍ଷମତାକୁ ଫେରିବା ପାଇଁ ସମସ୍ତ ଶକ୍ତି ଖଟାଉ ଥିବା ବେଳେ ୨୦୧୮ରେ ମୁଖ୍ୟମନ୍ତ୍ରୀ ହେବାରୁ ବଂଚିତ ହୋଇଥିବା ଦଳର ଯୁବ ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ କି ଖେଳ ଖେଳିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ପାଇଲଟ୍ ଗଲା କିଛି ବର୍ଷ ହେଲା ଗେହେଲୋଟଙ୍କୁ ଖୋଲାଖୋଲି ବିରୋଧ କରି ଆସୁଥିଲେ । କଂଗ୍ରେସ ନେତୃତ୍ୱ ଗେହେଲୋଟ ଓ ପାଇଲଟଙ୍କ ମଧ୍ୟରେ ବୁଝାମଣା ପାଇଁ ବାରମ୍ବାର ଉଦ୍ୟମ କରି ବିଫଳ ହୋଇଥିଲେ । ତେବେ, ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେ ଏଆଇସିସି ସଭାପତି ନିର୍ବାଚିତ ହେବା ପରେ ପୁନର୍ଗଠିତ ସିଡବ୍ଲୁସି (କଂଗ୍ରେସର ଜାତୀୟ କାର୍ଯ୍ୟକାରୀଣୀ) ପାଇଲଟଙ୍କୁ ସ୍ଥାନ ଦେଇ ଦୁହିଁଙ୍କ ମଧ୍ୟରେ ବୁଝାମଣାର ବାତାବରଣ ସୃଷ୍ଟି କରିଥିଲେ ମଧ୍ୟ ଗେହେଲୋଟଙ୍କ କଟ୍ଟର ବିରୋଧୀ ରୂପେ ପରିଚିତ ସଚିନଙ୍କ ଗୋଟିଚାଳନା ଉପରେ ସମସ୍ତଙ୍କ ନଜର ରହିବ । ବିଜେପି ରାଜସ୍ଥାନରେ କ୍ଷମତାକୁ ଫେରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଓ ସାଂସଦମାନଙ୍କୁ ପ୍ରାର୍ଥୀ କରୁଛି ।
ନଭେମ୍ବର ୩୦ରେ ଭୋଟ ହେବାକୁ ଥିବା ତେଲେଂଗାନା ରାଜ୍ୟ ୨୦୧୪ରେ ଆନ୍ଧ୍ର ପ୍ରଦେଶରୁ ବିଚ୍ଛିନ୍ନ ହୋଇ ନୂତନ ରାଜ୍ୟ ହୋଇଥିଲା । ନୂତନ ତେଲେଂଗାନା ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ନେଇଥିବା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଲଗାତର ଦୁଇ ଥର ମୁଖ୍ୟମନ୍ତ୍ରୀ ହେଲେଣି । ତାଙ୍କ ନେତୃତ୍ୱରେ ପରିଚାଳିତ ବିଆରଏସ୍ (ପୂର୍ବରୁ ଟିଆରଏସ୍ ଥିଲା) ୨୦୨୩ରେ ମଧ୍ୟ କ୍ଷମତାକୁ ଫେରିବା ଆଶା ରଖିଛି । ରାଜ୍ୟରେ କଂଗ୍ରେସ ମୁଖ୍ୟତଃ ଦଳର ପ୍ରତିଦ୍ୱନ୍ଦ୍ୱୀ ଥିବା ବେଳେ କର୍ଣ୍ଣାଟକ ପରାଜୟ ପରେ ବିଜେପି ଦକ୍ଷିଣ ଭାରତର ଏହି ରାଜ୍ୟରେ ନିଜର ଗେରୁଆ ପତାକା ଉଡାଇବାକୁ ପୂର୍ଣ୍ଣ ପ୍ରୟାସରେ ରହିଛି । ୨୦୧୮ ବିଧାନସଭା ନିର୍ବାଚନରେ ରାଓଙ୍କ ଦଳ ରାଜ୍ୟର ୧୧୯ ବିଧାନସଭା ଆସନରୁ ୮୮ଟିରେ ବିଜୟୀ ହୋଇଥିଲା । ନିର୍ବାଚନ ହେବାକୁ ଯାଉଥିବା ତିନିଟି ହିନ୍ଦିଭାଷୀ ରାଜ୍ୟ ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଂଟ ‘ଇଣ୍ଡିଆ’ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଥିବା ବେଳେ ତେଲେଂଗାନାରେ କଂଗ୍ରେସ ବିଆରଏସର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେବ । କାରଣ, କେସିଆରଙ୍କ ବିଆରଏସ୍ ବିଜେପିର କଟ୍ଟର ବିରୋଧୀ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ୨୮ଟି ବିରୋଧୀ ଦଳଙ୍କ ମେଂଟ ‘ଇଣ୍ଡିଆ’ରେ ସାମିଲ ହୋଇ ନାହିଁ । ମିଜୋରାମରେ ଅଶି ଦଶକରୁ ମିଜୋ ନ୍ୟାସନାଲ ଫ୍ରଂଟ୍ (ଏମଏନଏଫ)ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇ ଆସୁଛି । ଉତ୍ତର ପୂର୍ବାଂଚଳ ରାଜ୍ୟମାନଙ୍କରେ ବିଜେପି ତାହାର ଦବଦବା ଜାହିର ଉଦ୍ୟମରେ ଥିବାରୁ ମିଜୋରାମ ପାଇଁ ଦଳର ରଣନୀତି କଣ ହେବ ତାହା ଉପରେ ରାଜନୈତିକ ବିଶ୍ଲେଷକଙ୍କ ନଜର ରହିଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା (ବିଜେପି) ଉତ୍ ତର ପୂର୍ବାଂଚଳ ରାଜ୍ୟରେ ବିଜେପିର ରଣନୀତୀକାର ରହି ଆସିଛନ୍ତି ।
ନଭେମ୍ବରରେ ନିର୍ବାଚନ ହେବାକୁ ଯାଉଥିବା ତିନି ହିନ୍ଦିଭାଷୀ ରାଜ୍ୟରେ ଶତକଡା ୯୦ ପ୍ରତିଶତରୁ ଅଧିକ ହନ୍ଦୁ ମତଦାତା ଥିବା ବେଳେ ତେଲେଂଗାନାରେ ୮୫ ପ୍ରତିଶତ ଓ ମିଜୋରାମରେ ମାତ୍ର ୧ ପ୍ରତିଶତ ହିନ୍ଦୁ ମତଦାତା ଥିବା ୨୦୧୯-୨୧ ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ (ଏନଏଫଏଚଏସ)ରୁ ଜଣାପଡିଛି । ୨୦୨୩ ବର୍ଷରେ ହେଉଥିବା ଏହି ଶେଷ ବିଧାନସଭା ନିର୍ବାଚନ (ପାଂଚଟି ରାଜ୍ୟର) ଉଭୟ ବିଜେପି ଓ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଂଟ ପାଇଁ ବେଶ୍ ଗୁରୁତ୍ୱ ରଖୁଛି । ଗୋଟିଏ ପଟେ ‘ହିନ୍ଦୁତ୍ୱ’ ଓ ‘ବିକାଶ’ ବ୍ୟାଖ୍ୟାନ ଏବଂ ଅନ୍ୟପଟେ ଦରବୃଦ୍ଧି, ବେକାରୀ, ବିରୋଧୀ ମତକୁ ଦବାଇବାକୁ ସିବିଆଇ, ଇଡି, ଆୟକର ବିଭାଗ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଅବାଧ ବ୍ୟବହାର ଓ ଗଣତାନ୍ତ୍ରିକ ଅନୁଷ୍ଠାନ/ସଂସ୍ଥାଙ୍କୁ ପଦାନତ କରିବା ଉଦ୍ୟମ (ବିରୋଧୀ ମେଂଟର ବ୍ୟାଖ୍ୟାନ) ମଧ୍ୟରେ ଯେଉଁ ଲଢେଇ ହେବାକୁ ଯାଉଛି ତାହାର ଫଳାଫଳ ୨୦୨୪ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାକୁ ଥିବାରୁ ଡିସେମ୍ବର ୩ ତାରିଖରେ ପ୍ରକାଶ ପାଇବାକୁ ଥିବା ପାଂଚଟି ରାଜ୍ୟର ଭୋଟ ଫଳାଫଳ ଉପରେ ସମଗ୍ର ଦେଶର ଦୃଷ୍ଟି ରହିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS