ରାହୁଲଙ୍କ ପାଟିରୁ ଖସି ଗଲା !
ପ୍ରସାଦ ରାଓ
ଅକ୍ଟୋବର ୧୦
ନଭେମ୍ବର ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ରାଜସ୍ଥାନ, ଛତିଶଗଡ, ତେଲେଂଗାନା ଓ ମଧ୍ୟ ପ୍ରଦେଶରେ ଶାସନରେ ଥିବା ଦଳ କ୍ଷମତାରୁ ଯିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତକାଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିବା ବିଜେପି ନେତାଙ୍କୁ ଆହ୍ଲାଦିତ କରିଛି । ଅବଶ୍ୟ ପରେ ରାହୁଲ ନିଜ ଭୁଲ ବୁଝି ବକ୍ତବ୍ୟର ସଂଶୋଧନ କରିଛନ୍ତି । ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସର ସରକାର ରହିଛି । ରାହୁଲ ତାଙ୍କ ସଂଶୋଧିତ ବକ୍ତବ୍ୟରେ କହିଛନ୍ତି, ‘ଆପଣମାନେ ମୋତେ ଭ୍ରମିତ କରି ଦେଲେ । ବାସ୍ତବରେ ରାଜସ୍ଥାନ, ଛତିଶଗଡ ନୁହେଁ; ତେଲେଂଗାନା ଓ ମଧ୍ୟ ପ୍ରଦେଶରେ ଶାସନରେ ଥିବା ଦଳ ପରାଜିତ ହେବା ସୁନିଶ୍ଚିତ’ । ରାହୁଲ ତାଙ୍କ ମନ୍ତବ୍ୟରେ ସଂଶୋଧନ କରିଥିଲେ ମଧ୍ୟ ପ୍ରଥମରୁ ସେ ରାଜସ୍ଥାନ ଓ ଛତିଶଗଡ ସଂପର୍କରେ ଯାହା କହି ଦେଲେ ସେହି ଭିଡ଼ିଓ କ୍ଲିପ୍ କୁ ବିଜେପି ନେତାମାନେ ‘ଏକ୍ସ’ରେ ଅପଲୋଡ୍ କରି ରାହୁଲଙ୍କୁ ଛିଗୁଲାଇବା ଆରମ୍ଭ କରି ଦେଇଛନ୍ତି । ତାଙ୍କ ପାଟିରୁ ଭୁଲରେ ରାଜସ୍ଥାନ ଓ ଛତିଶଗଡ ନାମ ବାହାରି ଗଲା ବୋଲି ରାହୁଲ ସାମ୍ବାଦିକମାନଙ୍କୁ ସଫେଇ ଦେବା ସତ୍ତ୍ୱେ ରାହୁଲ ଏବେଠାରୁ ପରାଜୟ ସ୍ୱୀକାର କରି ନେଲେଣି ବୋଲି ବିଜେପି ନେତାମାନେ ମନ୍ତବ୍ୟ ଦେଇଛନ୍ତି । ଭାରତୀୟ ନିର୍ବାଚନ ଆୟୁକ୍ତ ଗତକାଲି ପାଂଚଟି ରାଜ୍ୟ ରାଜସ୍ଥାନ, ଛତିଶଗଡ, ମଧ୍ୟ ପ୍ରଦେଶ, ତେଲେଂଗାନା ଓ ମିଜୋରାମ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀରେ ଏପ୍ରକାର ମନ୍ତବ୍ୟ ଦେଇ ଫସିଛନ୍ତି । ଏହି ପାଂଚଟି ରାଜ୍ୟରେ ଆସନ୍ତା ନଭେମ୍ବର ୭ରୁ ୩୦ ତାରିଖ ପର୍ଯ୍ୟନ୍ତ ମତଦାନ ହେବାର କାର୍ଯ୍ୟକ୍ରମ ଘୋଷଣା ହୋଇସାରିଛି । ମିଜୋରାମରେ ନଭେମ୍ବର ୭ ତାରିଖ, ଛତିଶଗଡରେ ନଭେମ୍ବର ୭ ଓ ୧୭ ତାରିଖ, ମଧ୍ୟ ପ୍ରଦେଶରେ ନଭେମ୍ବର ୧୭ ତାରିଖ, ରାଜସ୍ଥାନରେ ନଭେମ୍ବର ୨୩ ତାରିଖ ଓ ତେଲେଂଗାନାରେ ନଭେମ୍ବର ୩୦ ତାରିଖରେ ମତଦାନ ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ଦଳ କ୍ଷମତାରେ ଥିବା ବେଳେ ମଧ୍ୟ ପ୍ରଦେଶରେ ବିଜେପି, ତେଲେଂଗାନାରେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ଏବଂ ମିଜୋରାମରେ ମିଜେ ନ୍ୟାସନାଲ ଫ୍ରଂଟ୍ (ଏମଏନଏଫ) କ୍ଷମତାରେ ରହିଛି । ଏସବୁ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ କିଭଳି ରହିବ ବୋଲି ସାମ୍ବାଦିକମାନେ ରାହୁଲଙ୍କୁ ପ୍ରଶ୍ନ କରିବାରୁ ରାହୁଲ ତାହାର ଉତ୍ତର କହିଥିଲେ ରାଜସ୍ଥାନ, ଛତିଶଗଡ, ତେଲେଂଗାନା ଓ ମଧ୍ୟ ପ୍ରଦେଶରେ ଶାସନ କରୁଥିବା ଦଳର ପରାଜୟ ସୁନିଶ୍ଚିତ । ପରେ, ରାଜସ୍ଥାନ ଓ ଛତିଶଗଡର ନାମ ଭୁଲରେ ପାଟିରୁ ଖସି ଗଲା କହି ଏହି ଦୁଇ ରାଜ୍ୟରେ ପୁନର୍ବାର କଂଗ୍ରେସ କ୍ଷମତାକୁ ଫେରିବ ବୋଲି ସ୍ପଷ୍ଟୀକରଣ ରଖି ଥିଲେ । କିନ୍ତୁ, ରାହୁଲଙ୍କ ପାଟିରୁ ଖସି ଥିବା କଥାକୁ ବିଜେପି ଗଂଠି ପକାଇ ଧରିଛି ଏବଂ ରାଜସ୍ଥାନ ଓ ଛତିଶଗଡରେ ଏଥର କଂଗ୍ରେସ କ୍ଷମତାଚ୍ୟୁତ ହେଉଛି ବୋଲି ବିଜେପି ନେତାମାନେ ମନ୍ତବ୍ୟ ଦେବା ଆରମ୍ଭ କରିଦେଇଛନ୍ତି । ରାହୁଲ ଆଗୁଆ ପରାଜୟ ସ୍ୱୀକାର କଲେଣି ବୋଲି ସେମାନେ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS